ବିନା ଭକ୍ତରେ ଗଡ଼ିଲା ମହାପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥ

ଭୁବନେଶ୍ବର: ପବିତ୍ର ଅଶୋକାଷ୍ଟମୀ ଅବସରରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କର ରୁକୁଣା ରଥଯାତ୍ରା ଆରମ୍ଭ ହୋଇଯାଇଛି। କୋଭିଡ-୧୯ କଟକଣା ଯୋଗୁଁ ଚଳିତ ଥର ମଧ୍ୟ ବିନା ଭକ୍ତରେ ରୁକୁଣା ରଥଯାତ୍ରା ଆୟୋଜନ ହୋଇଛି। ଏହାରି ମଧ୍ୟରେ ମାଉସୀ ମା’ ଛକସ୍ଥିତ ରାମେଶ୍ବର ମନ୍ଦିର ଅଭିମୁଖେ ରୁକୁଣା ରଥରେ ପ୍ରଭୁ ଶ୍ରୀଲିଙ୍ଗରାଜ ଯାତ୍ରା ଆରମ୍ଭ କରିଛନ୍ତି। ରଥରେ ପ୍ରଭୁ ଲିଙ୍ଗରାଜ(ଚନ୍ଦ୍ରଶେଖର), ଦେବୀ ରୁକ୍ମିଣୀ ଓ ପ୍ରଭୁ ବାସୁଦେବ(ଦୋଳଗୋବିନ୍ଦ) ବିରାଜମାନ କରିଛନ୍ତି। ସାରଥୀ ସାଜି ସ୍ବୟଂ ବ୍ରହ୍ମା ରଥ ଚାଳନା କରୁଛନ୍ତି। ରୁକୁଣା ରଥକୁ ସାଧାରଣ ଭକ୍ତମାନେ ଘର ଛାତ ଓ ବାଲକୋନିରେ ଥାଇ ଦେଖୁଥିବା ବେଳେ ସେବାୟତ ଓ କର୍ମଚାରୀମାନେ ରଥ ଟାଣୁଛନ୍ତି।

ପାଞ୍ଚ ଦିନ ପାଇଁ ପ୍ରଭୁ ରାମେଶ୍ବର ମନ୍ଦିରରେ ଅବସ୍ଥାନ କରିବେ। ଚଳିତ ବର୍ଷ କରୋନା କଟକଣା ପାଇଁ ବିନା ଭକ୍ତରେ ଏହି ପ୍ରସିଦ୍ଧ ରଥଯାତ୍ରା‌ ହେଉଛି।  ଆଗ ଭଳି ଆଉ ଏବର୍ଷ ରଥଦାଣ୍ଡ ଭକ୍ତ ଓ ଶ୍ରଦ୍ଧାଳୁମାନଙ୍କ କୋଳାହଳରେ ଉଛୁଳି ପଡ଼ିବ ନାହିଁ। ଏହି ରଥର ବିଶେଷତ୍ୱ ହେଉଛି ଏହା ଅଣଲେଉଟା। ଯେଉଁଭଳି ଭାବେ ରଥଟି ରାମେଶ୍ୱର ମନ୍ଦିର ପର୍ଯ୍ୟନ୍ତ ଯାଇଥାଏ ଠିକ୍ ସେହିଭଳି ପୁନର୍ବାର ପଛକୁ ଫେରିଥାଏ। ବିନା ମୋଡ଼ରେ ରଥ ଫେରିଥାଏ। ବିଧି ଅନୁସାରେ ରଥର ପଛ ପଟେ ଦ୍ୱାର ଖୋଲାଯାଏ ଓ ଅଶ୍ବଙ୍କୁ ଆଗରୁ ଖୋଲି ଆଣି ନୂଆ ଦ୍ବାରରେ ଯୋଚାଯାଏ। ଜଗନ୍ନାଥ ମହାପ୍ରଭୁଙ୍କ ରଥ ଯେମିତି ଦକ୍ଷିଣ ମୋଡ଼ ନିଏ, ରୁକୁଣା ରଥ ସେମିତି କୌଣସି ମୋଡ଼ ନେଇନଥାଏ। ସେଥିପାଇଁ ଏହାକୁ ଅଣଲେଉଟା ବୋଲି କୁହାଯାଏ।

ଏହା ପ୍ରଭୁ ଲିଙ୍ଗରାଜଙ୍କର ଏକ ସ୍ବତନ୍ତ୍ର ନୀତି। ବାହୁଡ଼ା ଦିନ ରଥର ସମ୍ମୁଖ ଭାଗର ସାଜସଜ୍ଜାକୁ ଖୋଲି ଆଣି ପଛ ପାର୍ଶ୍ବରେ ଲଗାଯାଏ ଓ ରଥର ପଛପାଖକୁ ସମ୍ମୁଖ କରି ଠାକୁରଙ୍କୁ ବାହୁଡ଼ାଇ ଅଣାଯାଏ। ବିଶେଷ କଥା ହେଉଛି, ଏହି ରଥର ନିର୍ମାଣ ଶୈଳୀ ଏମିତି ଯେ ସମ୍ମୁଖ ଭାଗକୁ ବଦଳାଇବା ପରେ ପଛ ପାର୍ଶ୍ବ ପୁଣି ସମ୍ମୁଖ ଭାଗ ଭଳି ପ୍ରତୀୟମାନ ହୁଏ। ପୌରାଣିକ ତଥ୍ୟ ଅନୁସାରେ ପ୍ରଭୁ ରାମଚନ୍ଦ୍ର ମାତା ସୀତାଙ୍କୁ ଉଦ୍ଧାର କରିବାକୁ ଯାଇ ରାବଣକୁ ହତ୍ୟା କରିବାରୁ ତାଙ୍କୁ ବ୍ରହ୍ମ ହତ୍ୟା ଦୋଷ ଲାଗିଥିଲା। ଏହି ପାପରୁ ମୁକ୍ତି ପାଇବା ପାଇଁ ସେ କୁଳଗୁରୁ ବଶିଷ୍ଠଙ୍କ ପରାମର୍ଶ ଅନୁସାରେ ଏକାମ୍ର କ୍ଷେତ୍ରରେ ରାମେଶ୍ୱରଠାରେ ହରିହର(ଲିଙ୍ଗରାଜ)ଙ୍କୁ ପ୍ରତିଦିନ ପୂଜା କଲେ। ତାଙ୍କ ବ୍ରତ ଓ ଉପାସନାରେ ପ୍ରଭୁ ଲିଙ୍ଗରାଜ ସନ୍ତୁଷ୍ଟ ହୋଇ ତାଙ୍କୁ ବର ଯାଚିଥିଲେ। ଚୈତ୍ର ମାସ ଶୁକ୍ଳପକ୍ଷ ଅଷ୍ଟମୀ ପୁନଃବସୁ ନକ୍ଷତ୍ରରେ ଦେବଦଳନ ରଥରେ ବସି ହରିହର(ଲିଙ୍ଗରାଜ) ରାମେଶ୍ୱର ମନ୍ଦିର ଆସିବେ ବୋଲି ରାମଚନ୍ଦ୍ର ବର ମାଗିଥିଲେ। ସେହିଦିନଠାରୁ ଏହି ସ୍ବତନ୍ତ୍ର ରଥଯାତ୍ରା ଅନୁଷ୍ଠିତ ହୋଇଆସୁଛି। ଉଲ୍ଲେଖଯୋଗ୍ୟ ଏହି ରଥର ଉଚ୍ଚତା ୫୦ ଫୁଟ ହୋଇଥିବା ବେଳେ ଏଥିରେ ୪ଟି ଚକ, ୨ଟି ଓରା, ୧୬ ନାହାକା ଓ ୫ଦଣ୍ଡା ରହିଥାଏ।

ସମ୍ବନ୍ଧିତ ଖବର