ବାରମ୍ବାର ଦଉଡି ଛିଡିବାରୁ ଅଟକିଥିବା ପ୍ରଭୁ ଲିଙ୍ଗରାଜଙ୍କ ରଥଟଣା ଆରମ୍ଭ ହେଲା

ରଥରୁ ଖସିପଡ଼ିଲେ ଡାହୁକ

ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରତୀକ୍ଷିତ ରୁକୁଣା ରଥ ରବିବାର ଅପରାହ୍ନରେ ଟଣା ଆରମ୍ଭ ହୋଇଛି। ଏହି ରଥଟଣା ଚାଲିଥିବା ସମୟରେ ରଥରୁ ଡାହୁକ ଖସି ପଡ଼ିଥିଲେ। ତାଙ୍କୁ ସଙ୍ଗେସଙ୍ଗେ ଚିକିତ୍ସା ପାଇଁ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା। ଗତକାଲି ରଥଟଣାରେ ଚରମ ବିଭ୍ରାଟ ସୃଷ୍ଟି ହୋଇଥିଲା। ଚଳିତ ବର୍ଷର ଏହି ବିଭ୍ରାଟ ପୂର୍ବ ବର୍ଷର ସମସ୍ତ ବିଭ୍ରାଟକୁ ଟପିଯାଇଥିବା କୁହାଯାଇଥିଲା।

ସୂଚନାଯୋଗ୍ୟ, ଗତ ଶନିବାର ନୀତି ବିଳମ୍ବ ପରେ ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ଏକପ୍ରକାର ହୋଇପାରି ନଥିଲା। ରଥ ମାତ୍ର ଦେଢ଼ ହାତ ଗଡ଼ିବା ପରେ ଅଟକି ଯାଇଥିଲା। ଏମିତି ବିଭ୍ରାଟ ଭିତରେ ସନ୍ଧ୍ୟା ହୋଇଯିବାରୁ ଗତକାଲି ରଥ ଟଣା ବନ୍ଦ ରହିଥିଲା। ଆଜି ଅପରାହ୍ନରେ ପୁଣି ରଥ ଟଣା ଆରମ୍ଭ ହୋଇଛି। ଅନ୍ୟପକ୍ଷରେ ଏଭଳି ବାରମ୍ବାର ରଥ ଦଉଡ଼ି ଛିଣ୍ଡିବା ନେଇ କତା ନିଗମକୁ କୈଫିୟତ ତଲବ କରାଯିବ ବୋଲି ଜଣାପଡ଼ିଛି।

ପରମ୍ପରା ଅନୁଯାୟୀ, ଗତ ଶନିବାର ଭୋର ସାଢ଼େ ୫ଟାରେ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯାଇଥିଲା। ୫ଟା ୩୦ରୁ ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ଛାମୁ ପରିଷ୍କାର, ସୂର୍ଯ୍ୟ ପୂଜା, ଦ୍‌ାରପାଳ ପୂଜା, ଶ୍ରୀଜିଉଙ୍କ ବେଶ, ଦେବଦେବୀଙ୍କ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ, ସର୍ଯ୍ୟ ପୂଜା, ଦ୍‌ାରପାଳ ପୂଜା, ମହାସ୍ନାନ, ବେଶ ପରେ ମଧ୍ୟାହ୍ନରେ ଯାତ୍ରା ପୂଜା ଅନୁଷ୍ଠିତ ହୋଇଥିଲା। ଅପରାହ୍ନ ପ୍ରାୟ ୨ଟାରେ ମନ୍ଦିର ବୋଳା ପରିକ୍ରମା କରାଯିବା ପରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ରଥ ଉପରେ ପରିକ୍ରମା କରାଇବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିହାଂସନରେ ବସାଇଥିଲେ। ଛେରାପହଁରା ନୀତି ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ୱାରା ପୂଜା କରାଯାଇଥିଲେ। କିଛି ସମୟ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ୫ଟା ୧୦ ମିନିଟ୍‌ରେ ରଥ ଟଣା ଆରମ୍ଭ ହୋଇଥିଲା।

ହରିବୋଲ ହୁଳହୁଳି ଧ୍ୱନିରେ ରଥଦାଣ୍ଡ ଉଛୁଳି ପଡ଼ିଥିଲା। ହେଲେ ଶ୍ରଦ୍ଧାଳୁମାନେ ଯେତେ ବଳ ଖର୍ଚ କରି ରଥ ଟାଣିଥିଲେ ମଧ୍ୟ ୩୦ମିନିଟ୍‌ ପର୍ଯ୍ୟନ୍ତ ରଥ ଆଗକୁ ଗଡ଼ି ନଥିଲା। ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ବିଳମ୍ବିତ ହୋଇଥିଲା।୬ଟା ୪୫ରେ ରଥଟଣା ବନ୍ଦ କରାଯାଇଥିଲା। ତେବେ ଏହାପରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ହଜାର ହଜାର ଭକ୍ତ ଭିଡ଼ ଜମାଇ ଥିଲେ।

ସମ୍ବନ୍ଧିତ ଖବର