ଭୁବନେଶ୍ୱର : ଶ୍ରୀଲିଙ୍ଗରାଜଙ୍କ ବହୁ ପ୍ରତୀକ୍ଷିତ ରୁକୁଣା ରଥଯାତ୍ରାରେ ଆଜି ଚରମ ବିଭ୍ରାଟ ସୃଷ୍ଟି ହୋଇଛି। ଚଳିତ ବର୍ଷର ଏହି ବିଭ୍ରାଟ ପୂର୍ବ ବର୍ଷର ସମସ୍ତ ବିଭ୍ରାଟକୁ ଟପିଯାଇଛି। ଯାହା ଶ୍ରାଦ୍ଧାଳୁଙ୍କ ମଧ୍ୟରେ ଘୋର ଅସନ୍ତୋଷ ସୃଷ୍ଟି କରିଛି। ନୀତି ବିଳମ୍ବ ପରେ ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ଏକପ୍ରକାର ହୋଇପାରିନାହିଁ। ରଥ ମାତ୍ର ଦେଢ଼ ହାତ ଗଡ଼ିବା ପରେ ଅଟକି ଯାଇଛି। ଏମିତି ବିଭ୍ରାଟ ଭିତରେ ସନ୍ଧ୍ୟା ହୋଇଯିବାରୁ ଆଜି ପାଇଁ ରଥ ଟଣା ବନ୍ଦ ରହିଛି। ଆସନ୍ତାକାଲି ଅପରାହ୍ଣ ୨ଟାରେ ପୁଣି ରଥ ଟଣା ଆରମ୍ଭ ହେବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି। ଅନ୍ୟପକ୍ଷରେ ଏଭଳି ବାରମ୍ବାର ରଥ ଦଉଡ଼ି ଛିଣ୍ଡିବା ନେଇ କତା ନିଗମକୁ କୈଫିୟତ୍ ତଲବ କରାଯିବ ବୋଲି ଜଣାପଡ଼ିଛି।
ପରମ୍ପରା ଅନୁଯାୟୀ ଆଜି ଭୋର ସାଢ଼େ ୫ଟାରେ ପହୁଡ଼ ଖୋଲାଯାଇ ମଙ୍ଗଳ ଆଳତି ଓ ଅବକାଶ କରାଯାଇଥିଲା। ୫ଟା ୩୦ରୁ ସକାଳ ସାଢ଼େ ୬ଟା ପର୍ଯ୍ୟନ୍ତ ସର୍ବସାଧାରଣଙ୍କ ପାଇଁ ସାହାଣମେଲା ଦର୍ଶନ ହୋଇଥିଲା। ଏହାପରେ ଛାମୁ ପରିଷ୍କାର, ସୂର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ଶ୍ରୀଜିଉଙ୍କ ବେଶ, ଦେବଦେବୀଙ୍କ ବଲ୍ଲଭ, ସକାଳ ଧୂପ, ଭୋଗ ମଣ୍ଡପ, ସର୍ଯ୍ୟ ପୂଜା, ଦ୍ଵାରପାଳ ପୂଜା, ମହାସ୍ନାନ, ବେଶ ପରେ ମଧ୍ୟାହ୍ନରେ ଯାତ୍ରା ପୂଜା ଅନୁଷ୍ଠିତ ହୋଇଥିଲା। ଅପରାହ୍ଣ ପ୍ରାୟ ୨ଟାରେ ମନ୍ଦିର ବେଢ଼ା ପରିକ୍ରମା କରାଯିବା ପରେ ଶ୍ରୀଜିଉଙ୍କ ପହଣ୍ଡି ହୋଇଥିଲା। ଅପରାହ୍ଣ ସାଢ଼େ ୨ଟାରେ ରଥ ପରିକ୍ରମା କରି ମହାପ୍ରଭୁ ରଥାରୂଢ଼ ହୋଇଥିଲେ। ରଥ ଉପରେ ପରିକ୍ରମା କରାଇବା ପରେ ସେବାୟତମାନେ ଶ୍ରୀଜିଉଙ୍କୁ ରଥ ସିହାଂସନରେ ବସାଇଥିଲେ। ଛେରାପହଁରା ନୀତି ପରେ ପୂଜାପଣ୍ଡା ସେବାୟତଙ୍କ ଦ୍ଵାରା ପୂଜା କରାଯାଇଥିଲ। କିଛି ସମୟ ପର୍ଯ୍ୟନ୍ତ ଶ୍ରଦ୍ଧାଳୁମାନେ ରଥ ଉପରେ ମହାପ୍ରଭୁଙ୍କ ଦର୍ଶନ କରିଥିଲେ। ଚାରିଦ୍ଵାର ପୂଜା ପରେ ରଥରେ ଚାରି ଘୋଡ଼ା ଯୋଚା ଯାଇଥିଲା। ପ୍ରାୟ ସାଢ଼େ ୪ଟାରେ ଚାରମାଳ ଖୋଲାଯିବା ପରେ ୫ଟାରେ କାଳେସି ରଥ ସମ୍ଭାଳିଥିଲେ।
ଅପରାହ୍ଣ ଠିକ୍ ୫ଟା ୧୦ମିନିଟ୍ରେ ରଥ ଟଣା ଆରମ୍ଭ ହୋଇଥିଲା। ହରିବୋଲ ହୁଳହୁଳି ଧ୍ୱନିରେ ରଥଦାଣ୍ଡ ଉଛୁଳି ପଡ଼ିଥିଲା। ହେଲେ ଶ୍ରଦ୍ଧାଳୁମାନେ ଯେତେ ବଳ ଖର୍ଚ କରି ରଥ ଟାଣିଥିଲେ ମଧ୍ୟ ୩୦ମିନିଟ୍ ପର୍ଯ୍ୟନ୍ତ ରଥ ଆଗକୁ ଗଡ଼ି ନଥିଲା। ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟଣା ବିଳମ୍ବିତ ହୋଇଥିଲା। ଡାହୁକ ବୋଲି ଦେବା ସହ ଠାକୁରଙ୍କ ଦ୍ଵାହି ଦେବା ପରେ ରଥ ମାତ୍ର ଦେଢ଼ ହାତ ଗଡ଼ିଥିଲା। ମାତ୍ର ଏହାପରେ ଚତୁର୍ଥ ଥର ପାଇଁ ରଥ ଦଉଡ଼ି ଛିଣ୍ଡିବାରୁ ରଥ ଟାଣୁଥିବା ଭକ୍ତମାନେ ପରସ୍ପର ଉପରେ ପଡ଼ିଥିଲେ। ଏହାକୁ ନେଇ ଭକ୍ତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏମିତି ବିଭ୍ରାଟ ଭିତରେ ସନ୍ଧ୍ୟା ହୋଇଯିବାରୁ ୬ଟା ୪୫ରେ ରଥଟଣା ବନ୍ଦ କରାଯାଇଥିଲା। ତେବେ ଏହାପରେ ରଥ ଉପରେ ମହାପ୍ରଭୁଙ୍କୁ ଦର୍ଶନ ଲାଗି ହଜାର ହଜାର ଭକ୍ତ ଭିଡ଼ ଜମାଇ ଥିଲେ। ଭକ୍ତମାନେ ରଥକୁ ଲାଗିଥିବା ସିଡ଼ିରେ ଚଢ଼ି ଦର୍ଶନ କରିଥିଲେ। ରାତି ପର୍ଯ୍ୟନ୍ତ ଏଭଳି ଭିଡ଼ ଲାଗି ରହିଥିଲା।
ଉଲ୍ଲେଖଯୋଗ୍ୟ ଯେ ଅପରାହ୍ଣ ୪ଟାରୁ ରଥଟଣା ଆରମ୍ଭ ହେବ ବୋଲି ପୂର୍ବରୁ ମନ୍ଦିର ଟ୍ରଷ୍ଟବୋର୍ଡ ବୈଠକରେ ନୀତି ନିର୍ଘଣ୍ଟ ହୋଇଥିଲା। ମାତ୍ର ନୀତି ବିଳମ୍ବ ଯୋଗୁ ନିର୍ଧାରିତ ସମୟରେ ରଥ ଟଣା ଆରମ୍ଭ ହୋଇ ପାରି ନଥିଲା। ପ୍ରାୟ ଘଣ୍ଟାଏ ୧୦ ମିନିଟ୍ ବିଳମ୍ବରେ ରଥଟଣା ଆରମ୍ଭ ହୋଇଥିଲା। ଘଣ୍ଟାଏରୁ ଊର୍ଧ୍ୱ ସମୟ ପର୍ଯ୍ୟନ୍ତ ନୀତି ବିଳମ୍ବ ହୋଇଥିଲା। ଶୁକ୍ରବାର ରଥରେ କପଡ଼ା ବାନ୍ଧିବାରେ ବିଳମ୍ବ ହୋଇଥିବା ବେଳେ ଆଜି ସବୁ ନୀତିରେ କିଛି କିଛି ସମୟ ବିଳମ୍ବ ହୋଇଥିଲା। ତେବେ ରଥ ଉପରେ ଠାକୁରଙ୍କ ବିଜେ ପରେ ନୀତି ଓ ଦର୍ଶନ ଯୋଗୁଁ ଆଉ ଅଧଘଣ୍ଟା ବିଳମ୍ବ ହୋଇଥିଲା।
ଅନ୍ୟପକ୍ଷରେ ବାରମ୍ବାର ରଥ ଦଉଡ଼ି ଛିଣ୍ଡିବାରୁ ରଥଟଣା ବିଳମ୍ବ ହେଲା ବୋଲି କୁହାଯାଉଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ କତା ନିଗମ ରୁକୁଣା ରଥକୁ ଦଉଡ଼ି ଯୋଗାଇଥିଲା। ଏଥିପାଇଁ ମନ୍ଦିର ପ୍ରଶାସନ ପକ୍ଷରୁ ୩୦ହଜାର ୬୧୫ଟଙ୍କା ପ୍ରଦାନ କରାଯାଇଛି। ତେବେ ଚଳିତ ବର୍ଷ ରଥର ଡାହାଣ ପାର୍ଶ୍ୱ ଦଉଡ଼ି ୪ ଥର ଛିଣ୍ଡିଥିଲା। ଏହା ଫଳରେ ରଥ ଟଣା ବିଳମ୍ବ ହେବାରୁ ଉପସ୍ଥିତ ହଜାର ହଜାର ଶ୍ରଦ୍ଧାଳୁ ଅସନ୍ତୋଷ ପ୍ରକାଶ କରିଥିଲେ। ଏନେଇ ମନ୍ଦିର ପ୍ରଶାସନ ପକ୍ଷରୁ କତା ନିଗମକୁ କୈଫିୟତ୍ ତଲବ କରାଯିବ ବୋଲି ମନ୍ଦିର କାର୍ଯ୍ୟ ନିର୍ବହୀ ଅଧିକାରୀ ରାଜୀବ ଲୋଚନ ପରିଡ଼ା କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/ratha-f.jpg)