ଦିଲ୍ଲୀ ରାଜପଥରେ ଗଡ଼ିବ ରୁକୁଣା ରଥ, ସାରା ବିଶ୍ବ ଦେଖିବ ଲିଙ୍ଗରାଜ ମନ୍ଦିରର କଳାକୃତି

ଚତୁର୍ଥ ଥର ପାଇଁ ଶିଳ୍ପୀ ଗଜେନ୍ଦ୍ର ସାହୁଙ୍କ ମେଢ଼ ପ୍ରଦର୍ଶିତ ହେବ, ଦୁଇ ବର୍ଷ ପରେ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଲା

ଭୁବନେଶ୍ବର: ନୂଆଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସ ପରେଡରେ ଲିଙ୍ଗରାଜ ମନ୍ଦିର ସହ ଅଶୋକାଷ୍ଟମୀରେ ଅନୁଷ୍ଠିତ ହେଉଥିବା ରୁକୁଣା ରଥକୁ ପ୍ରଦର୍ଶିତ କରାଯିବ। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଭାବେ ଏହା ଦିଲ୍ଲୀ ରାଜପଥରେ ଗଡ଼ିବ। ଏଥିରେ ସାରା ବିଶ୍ବ ଓଡ଼ିଶାର ନିଖୁଣ ପଥର କାରୁକାର୍ଯ୍ୟ ସହ ଓଡ଼ିଶାର ପର୍ବପର୍ବାଣୀ ମଧ୍ୟରେ ରୁକୁଣା ରଥ ଦେଖିବାକୁ ପାଇବେ। ଏହାସହ ପ୍ରଜ୍ଞାପନ ମେଢ଼ ଉପ‌ରେ ୮ଜଣ ଓଡ଼ିଶୀ ନୃତ୍ୟଶିଳ୍ପୀ ଓଡ଼ିଶୀ ଛନ୍ଦରେ ନୃତ୍ୟ ପରିବେଷଣ କରିବା ସହ ମେଢ଼ ତଳେ ଦୁଇ ପାର୍ଶ୍ବରେ ୨୦ଜଣ ନୃତ୍ୟଶିଳ୍ପୀ ନୃତ୍ୟ ପରିବେଷଣ କରିବେ।

ଏହି ପ୍ରଜ୍ଞାପନ ମେଢ଼ର ପରିକଳ୍ପନା ବିଶିଷ୍ଟ ଚିତ୍ରଶିଳ୍ପୀ ଗଜେନ୍ଦ୍ର ପ୍ରସାଦ ସାହୁ କରିଥିବାବେଳେ ଏହାକୁ ରୂପରେଖ ଦେଇଛନ୍ତି ଛତ୍ରପତି ବିଶ୍ବାଳ ଏବଂ ତପନ ମହାରଣା। ସେଥିରେ ଯେଉଁ ଓଡ଼ିଶୀ ଗୀତ ସଂଯୋଜନା କରାଯାଇଛି ତାହାକୁ ଗୁରୁ ଧନେଶ୍ବର ସ୍ବାଇଁ ଓ ଅଜୟ ଚୌଧୁରୀ ‌ନିର୍ଦ୍ଦେଶନା ଦେଇଥିବା ବେଳେ ଗଜେନ୍ଦ୍ର ପ୍ରସାଦ ସାହୁ କଣ୍ଠଦାନ କରିଛନ୍ତି। ସୂଚନାଯୋଗ୍ୟ ଯେ, ଚଳିତବର୍ଷ ୧୬ଟି ରାଜ୍ୟ ସହ ୫ଟି ମନ୍ତ୍ରଣାଳୟର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁମତି ଦେଇଛନ୍ତି। ଏହି ପ୍ରଜ୍ଞାପନ ମେଢ଼ ଚୟନ ପାଇଁ ୫ଟି ପର୍ଯ୍ୟାୟରେ ଚୟନ କମିଟି ଦ୍ବାରା ଯାଞ୍ଚ ହେବା ପରେ ପ୍ରଥମେ ୨ଡି ଡିଜାଇନ୍ ଏବଂ ଥ୍ରିଡି ମଡେଲ୍‌ ପ୍ରଦର୍ଶିତ ହେବା ପରେ କେନ୍ଦ୍ର ସରକାରଙ୍କ ଦ୍ବାରା ନିୟୋଜିତ ୧୬ଜଣିଆ କମିଟି ଏହି ମେଢ଼କୁ ଚୟନ କରିଥିଲେ। ୨୦୦୯, ୨୦୧୬ ଓ ୨୦୧୭ ପରେ ପୁଣି ୪ର୍ଥ ଥର ପାଇଁ ଶ୍ରୀ ସାହୁଙ୍କୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ କରିବାକୁ ସୁଯୋଗ ମିଳିଥିବାରୁ ସେ ଖୁବ୍ ଉତ୍ସାହିତ ଅଛନ୍ତି। ଓଡ଼ିଶାକୁ କିପରି ଏଥର ପୁରସ୍କାର ମିଳିବ ସେନେଇ ଆମେ ଉଦ୍ୟମ ଜାରି ରଖିଛୁ ବୋଲି ଶ୍ରୀ ସାହୁ କହିଛନ୍ତି।

ସୂଚନାଯୋଗ୍ୟ ଯେ, ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ୬ଜଣ ଚିତ୍ରଶିଳ୍ପୀଙ୍କ ଠାରୁ ଆସିଥିବା ୧୫ଟି ଡିଜାଇନ୍ ପଠାଯାଇଥିଲା। ଏଥିରୁ ଶ୍ରୀ ସାହୁଙ୍କ ଲିଙ୍ଗରାଜ ମନ୍ଦିର ଓ ରୁକୁଣା ରଥ ଡିଜାଇନ୍‌କୁ ଚୟନ କମିଟି ବାଛିଥିଲା। ଓଡ଼ିଶାର ପ୍ରଜ୍ଞାପନ ମେଢ଼ ଦିଲ୍ଲୀରେ ପ୍ରଦର୍ଶିତ ହେବାକୁ ଚୟନ ହୋଇଥିବାରୁ ଶ୍ରୀ ସାହୁ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ କୃପାସିନ୍ଧୁ ମିଶ୍ରଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ସମ୍ବନ୍ଧିତ ଖବର