ଶ୍ରୀମନ୍ଦିରରେ ‘କରୋନା’ ବାଡ଼ : ଘୋଷଣାପତ୍ର ନଦେଲେ ଦର୍ଶନ ନାହିଁ; ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଛୁଇଁ ପାରିବେନି

ପୁରୀ : କୋଟି କୋଟି ଓଡ଼ିଆଙ୍କ ହୃଦୟର ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରରେ ଶେଷରେ ୧୫ ଦିନିଆ ‘କରୋନା’ ବାଡ଼ ପଡ଼ିଛି। ଭକ୍ତଙ୍କ ଦର୍ଶନ ‌କ୍ଷେତ୍ରରେ ଆସନ୍ତାକାଲିଠାରୁ କଟକଣା ଲାଗୁ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି। ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଭକ୍ତମାନେ ଘୋଷଣାପତ୍ର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିପାରିବେ। ଯେଉଁମାନେ ଘୋଷଣାପତ୍ର ଦେବନି, ସେମାନେ ଦର୍ଶନରୁ ବଞ୍ଚିତ ହେବେ। ଏହି ଭକ୍ତମାନେ ଶ୍ରୀମନ୍ଦିରକୁ ଯିବେ ସତ, କିନ୍ତୁ ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭକୁ ଛୁଇଁ ପାରିବେ ନାହିଁ କିମ୍ବା ଭିତର କାଠରେ ଟଙ୍କା ଲଗାଇବା ସ୍ଥାନକୁ ସ୍ପର୍ଶ କରିପାରିବେନି। ଯେଉଁ ଭକ୍ତମାନେ ଶ୍ରୀମନ୍ଦିରକୁ ଯିବେ, ସେମାନେ ଧାଡ଼ିରେ ଦର୍ଶନ ପାଇଁ ଯିବେ ଓ ଧାଡ଼ିରେ ଦର୍ଶନ ସାରି ଫେରିବେ। ଆଜି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ଛତିଶାନିଯୋଗ ବୈଠକରେ ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏହି ଅବସରରେ ଅତି ଆବଶ୍ୟକ ନଥିଲେ ଶ୍ରୀମନ୍ଦିରକୁ ନ ଆସିବାକୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଭକ୍ତମାନଙ୍କୁ ନିବେଦନ କରିଛନ୍ତି।

କାର୍ଯ୍ୟରତ ଅଧିକାରୀ, ପୁଲିସ ପିନ୍ଧିବେ ମାସ୍କ
ଶ୍ରୀମନ୍ଦିର ଆସିବା ଏଡ଼ାଇବାକୁ ମୁଖ୍ୟ ପ୍ରଶାସକଙ୍କ ଅନୁରୋଧ

ଛତିଶାନିଯୋଗ ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ୍‌ କୁମାର କହିଛନ୍ତି ଯେ ଶ୍ରୀମନ୍ଦିରରେ ‘କରୋନା’ ଭୂତାଣୁ ପାଇଁ ଏପ୍ରିଲ୍‌ ୧ ପର୍ଯ୍ୟନ୍ତ ବିଭିନ୍ନ କଟକଣା ଲଗାଇବା ପାଇଁ ବୈଠକରେ ନିଷ୍ପତ୍ତି ହୋଇଛି। ନିଷ୍ପତ୍ତି ଅନୁଯାୟୀ, ଯେଉଁ ଭକ୍ତମାନେ ପୁରୀକୁ ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସିବାକୁ ଚାହୁଁଛନ୍ତି ଅବା ପୂର୍ବ ପ୍ରସ୍ତୁତି କରି ସାରିଛନ୍ତି, ତାହାକୁ ସ୍ଥଗିତ ରଖିବାକୁ ନିବେଦନ କରାଯାଉଛି। ତଥାପି ଯଦି କାହାରି ମାନସିକ ରହିଛି, ସେମାନେ ଦର୍ଶନ ପାଇଁ ଆସିପାରିବେ। କିନ୍ତୁ ଦର୍ଶନ ପୂର୍ବରୁ ଏମାନଙ୍କ ପାଇଁ ନିର୍ଦିଷ୍ଟ କଟକଣା ଲଗାଯାଇଛି। ଦର୍ଶନ ପୂର୍ବରୁ ଏହି ଭକ୍ତମାନଙ୍କୁ ଏକ ଘୋଷଣାପତ୍ର ପୂରଣ କରିବାକୁ ପଡ଼ିବ। ଯେଉଁଥିରେ ଭକ୍ତ ଓ ସେମାନଙ୍କ ପରିବାର ସଂପର୍କରେ ବିସ୍ତୃତ ସୂଚନା ରହିବ। ବିଶେଷ କରି ସ୍ବାସ୍ଥ୍ୟଗତ ସମସ୍ୟା ସଂପର୍କରେ ଭକ୍ତମାନେ ଏହି ଘୋଷଣାପତ୍ର ଜରିଆରେ ତଥ୍ୟ ପ୍ରଦାନ କରିବେ। ଗତ ୧୫ ଦିନ ଭିତରେ ଭକ୍ତ ଅବା ସେମାନଙ୍କ ପରିବାର ବିଦେଶ ଯାଇଛନ୍ତି କି ନାହିଁ ସେ ସଂପର୍କରେ ସ୍ପଷ୍ଟ କରିବେ। ସେହିଭଳି ୧୫ ଦିନ ଭିତରେ ସେ ଅବା ପରିବାରର କେହି ସଦସ୍ୟ ଥଣ୍ଡା, ଜ୍ବର, କାଶ ଆଦିରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେ ସଂପର୍କରେ ସୂଚନା ପ୍ରଦାନ କରିବେ। ଏହି ଘୋଷଣାପତ୍ର ଦେଇ ସାରିବା ପରେ ଭକ୍ତମାନଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ।

World Hindu News

ସେହିଭଳି ପୂର୍ବରୁ ଭକ୍ତମାନେ ଏକାଠି ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିଲେ। ଏଥିରେ କିନ୍ତୁ ପରିବର୍ତ୍ତନ କରାଯାଇଛି। ଶ୍ରୀମନ୍ଦିର ବାହାରୁ ଭିତର କାଠ ଦର୍ଶନ ସାରି ଫେରିବା ପର୍ଯ୍ୟନ୍ତ ଧାଡ଼ି ବ୍ୟବସ୍ଥା କରାଯିବ। ଭକ୍ତମାନେ ଧାଡ଼ିରେ ଦର୍ଶନ ସାରି ଫେରିବେ। ଏହି ସମୟରେ ଭକ୍ତଙ୍କ ମଧ୍ୟରେ ଦେଢ଼ ମିଟର ଦୂରତା ରକ୍ଷା କରାଯିବ। ଏଥିପାଇଁ ପୁଲିସ ପ୍ରଶାସନ ସହଯୋଗ ଲୋଡ଼ାଯାଇଛି। ଆରକ୍ଷୀ ଅଧୀକ୍ଷକଙ୍କ ସହ ବିସ୍ତୃତ ଆଲୋଚନା ହୋଇଛି। ଆବଶ୍ୟକ ସୁରକ୍ଷା କର୍ମୀ ନିୟୋଜନ ଓ ଅନ୍ୟାନ୍ୟ ଦିଗ ଉପରେ ସେ ‌ଦୃଷ୍ଟି ଦେବେ। କେତେ ଭକ୍ତ ଦର୍ଶନ ପାଇଁ ଯାଇପାରିବେ ତାର ଏକ ହିସାବ ପ୍ରସ୍ତୁତ ହେବ ବୋଲି ଶ୍ରୀ କୁମାର କହିଛନ୍ତି।

ସେ ଆହୁରି କହିଛନ୍ତି ଯେ ଶ୍ରୀମନ୍ଦିର ସିଂହଦ୍ବାରରେ ଦୁଇଟି ହେଲ୍ପ୍‌ ଡେସ୍କ ଖୋଲାଯିବ। ଜିଲ୍ଲାପାଳ ଓ ସିଡିଏମ୍‌ଓ ଦୁଇଦିନ ଭିତରେ ଏହାକୁ କାର୍ଯ୍ୟକାରୀ କରିବେ। ସନ୍ଦେହ ଥିଲେ ଭକ୍ତ, ସେବାୟତ ଓ ଅନ୍ୟମାନେ ଏଠାରେ ସ୍ବାସ୍ଥ୍ୟ ପରୀକ୍ଷା କରି ପାରିବେ। ଘୋଷଣାପତ୍ର ବି ଏଠାରେ ଉପଲବ୍‌ଧ ରହିବ। ଏତଦ୍‌ବ୍ୟତୀତ ବସଷ୍ଟାଣ୍ଡ୍‌ ଓ ରେଳ ଷ୍ଟେସନ୍‌ଠାରେ ବି ଏହି ଘୋଷଣାପତ୍ର ଉପଲବ୍‌ଧ ହେବ। ଭକ୍ତମାନେ ଯେପରି ଅରୁଣ ସ୍ତମ୍ଭ, ଗରୁଡ଼ ସ୍ତମ୍ଭ ଓ ଭିତରକାଠ ଟଙ୍କା ଲଗାଇବା ସ୍ଥାନକୁ ଛୁଇଁ ପାରିବେନି ସେ ଉପରେ ସତର୍କ ନଜର ରଖାଯିବ। ଅରୁଣ ସ୍ତମ୍ଭ ଓ ଗରୁଡ଼ ସ୍ତମ୍ଭକୁ ରଶି ସାହାଯ୍ୟରେ ଚାରିପଟୁ ଘେରାଉ କରି ରଖାଯିବ। ବାକି ‌ଅନ୍ୟ କେଉଁଠି ସ୍ପର୍ଶ କଟକଣା ଲଗାଯିବ, ସେ ଉପରେ ନୀତି ପ୍ରଶାସନଙ୍କ ସହ ବରିଷ୍ଠ ସେବାୟତଙ୍କ ଆଲୋଚନା ପରେ ନୀତିଗତ ନିଷ୍ପତ୍ତି ନିଆଯିବ। କିନ୍ତୁ ଭିତର କାଠ ଦର୍ଶନରେ କୌଣସି କଟକଣା ଲଗାଯାଇନି। ଶ୍ରୀମନ୍ଦିର ଦାୟିତ୍ବରେ ରହୁଥିବା ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ପ୍ରଶାସନ ଓ ପୁଲିସ ପ୍ରଶାସନର ଅଧିକାରୀ, କର୍ମଚାରୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କିନ୍ତୁ ସେବାୟତଙ୍କ କ୍ଷେତ୍ରରେ ଏହି ନିଷ୍ପତ୍ତି ସେମାନଙ୍କ ଉପରେ ଛାଡ଼ି ଦିଆଯାଇଛି। ସେବାୟତମାନେ ଚାହିଁଲେ ମନ୍ଦିର ପ୍ରଶାସନଠାରୁ ମାସ୍କ ନେଇ ନୀତିକାନ୍ତି କରିପାରିବେ। ଅନ୍ୟପଟେ ମନ୍ଦିର ବାହାରେ ଭକ୍ତଙ୍କ ପାଇଁ ସାନିଟାଇଜର, ସାବୁନ ଆଦିରେ ହାତଧୁଆ ବ୍ୟବସ୍ଥା କରାଯିବ। ଆଜିର ଛତିଶାନିଯୋଗ ବୈଠକରେ ମୁଖ୍ୟ ପ୍ରଶାସକ ଶ୍ରୀ କୁମାରଙ୍କ ସହ ଜିଲ୍ଲାପାଳ ବଲୱନ୍ତ ସିଂ, ଆରକ୍ଷୀ ଅଧୀକ୍ଷକ ଉମାଶଙ୍କର ଦାଶ ଏବଂ ଛତିଶାନିଯୋଗ ସଭାପତି ଓ ସଂପାଦକମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର