କରୋନା ମୁକାବିଲା ରଣନୀତି ବଦଳିଲା : ପ୍ରତି ପଞ୍ଚାୟତରେ ଖୋଲିବ କୋଭିଡ୍‌ କେୟାର ହୋମ୍

ଗୋଷ୍ଠୀ ସଚେତନତା ସହ ପରିଚାଳନା ବିକେନ୍ଦ୍ରୀକରଣ ନିଷ୍ପତ୍ତି
ସହର ଓ ଗାଁ ସବୁଠାରେ ଵାର୍ଡସ୍ତରୀୟ କମିଟି
ପ୍ରତି କମିଟି ୧୦ ହଜାର ଟଙ୍କା ଖର୍ଚ୍ଚ କରିପାରିବେ
ସରପଞ୍ଚଙ୍କୁ ପ୍ରଶଂସା କଲେ ମୁଖ୍ୟମନ୍ତ୍ରୀ, ଦାୟିତ୍ବ ବଢ଼ିଲା

ଭୁବନେଶ୍ବର : କରୋନା ମୁକାବିଲା କ୍ଷେତ୍ରରେ ରାଜ୍ୟ ସରକାର ଆଜିଠାରୁ ରଣକୌଶଳ ବଦଳାଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂପର୍କରେ ଘୋଷଣା କରି କହିଛନ୍ତି, ପ୍ରତି ଗ୍ରାମ ପଞ୍ଚାୟତରେ ଏବେ କୋଭିଡ଼୍ କେୟାର ହୋମ୍ ସୁବିଧା ହେବ, ଯେଉଁଥିରେ ୧୦ରୁ ୨୦ ଜଣ ବ୍ୟକ୍ତି ରହିପାରିବେ। ଏହାଦ୍ବାରା ସାରା ରାଜ୍ୟରେ ଗ୍ରାମାଞ୍ଚଳରେ ପ୍ରାୟ ୭୦ ହଜାର ଲୋକ ରହିବେ। ଥଣ୍ଡା, ଜ୍ବର ଓ କାଶ ଲକ୍ଷଣ ଥିବା ବ୍ୟକ୍ତିଙ୍କୁ ସିଧାସଳଖ ହସ୍ପିଟାଲ ନିଆ ନ ଯାଇ ପ୍ରଥମେ କୋଭିଡ୍ କେୟାର ହୋମକୁ ନିଆଯିବ। ଟେଷ୍ଟିଂ ପରେ ଯଦି କୋଭିଡ୍ ପଜିଟିଭ୍ ଆସେ ତେବେ ଯାଇ କୋଭିଡ୍ ହସ୍ପିଟାଲକୁ ପଠାଯିବ। ଅନ୍ୟଥା ସେ ଘରେ ରହି ଚିକିତ୍ସିତ ହୋଇପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ କୋଭିଡ୍ ପରିଚାଳନାକୁ ବିକେନ୍ଦ୍ରୀକରଣ କରିବା ପାଇଁ ସହର ଓ ଗାଁ ସବୁଠାରେ ଵାର୍ଡସ୍ତରୀୟ କମିଟି ଗଠନ କରାଯିବ। ଏହି କମିଟିରେ ଵାର୍ଡ ସ୍ତରୀୟ ଲୋକ ପ୍ରତିନିଧିଙ୍କ ସମେତ ଆଶା କର୍ମୀ, ଅଙ୍ଗନବାଡି କର୍ମୀ, ଏଏନ୍ଏମ୍ ଏବଂ ଏସଏଚଜିର ମାଆମାନେ ସଦସ୍ୟ ରହିବେ। ଏହି କମିଟିକୁ ମହାମାରୀ ରୋଗ ନିୟନ୍ତ୍ରଣ ଆଇନ ଅନୁଯାୟୀ ସ୍ବତନ୍ତ୍ର କ୍ଷମତା ଦିଆଯିବ। ବର୍ତମାନର ଗାଁ କଲ୍ୟାଣ ସମିିତି ଏହି କୋଭିଡ୍ ପରିଚାଳନା କମିଟି ଦାୟିତ୍ବ ନିର୍ବାହ କରିବେ। ପ୍ରତି କମିଟିକୁ ୧୦ହଜାର ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାର କ୍ଷମତା ଦିଆଯିବ। କୋଭିଡ଼୍ କେୟାର ହୋମ୍ ଓ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଦାୟିତ୍ବ ପୂର୍ବଭଳି ସରପଞ୍ଚଙ୍କ ଉପରେ ନ୍ୟସ୍ତ ରହିବ। ଏଥିପାଇଁ ତାଙ୍କୁ ଆର୍ଥିକ ଓ ପ୍ରଶାସନିକ କ୍ଷମତା ମିଳିବ।

ସହରାଞ୍ଚଳରେ ଵାର୍ଡ କମିଟିଗୁଡିକ ଵାର୍ଡ ଅଫିସରଙ୍କ ଦ୍ବାରା ପରିଚାଳିତ ହେବ। ସେଥିରେ ସ୍ଥାନୀୟ ଲୋକ ଓ ସ୍ବେଚ୍ଛାସେବକମାନେ ସଦସ୍ୟ ରହିବେ। ସେମାନେ ଘରକୁ ଘର ବୁଲି ଜନସାଧାରଣଙ୍କ ଠାରୁ ସେମାନଙ୍କ ସ୍ବାସ୍ଥ୍ୟ ସଂପର୍କୀୟ ତଥ୍ୟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବେ। ସହରାଞ୍ଚଳରେ ବସ୍ତି ଉପରେ କମିଟି ଅଧିକ ଫୋକସ ଦେବା ସହିତ ବଡ଼ ବଡ଼ ବସ୍ତିଗୁଡିକରେ କୋଭିଡ୍ କେୟାର ହୋମ୍ ମଧ୍ୟ ସ୍ଥାପନ ହେବ।

ମୁଖ୍ୟମନ୍ତ୍ରୀ କହିଥିଲେ, କରୋନା ଲଢେଇରେ ପ୍ରତିଟି ଲୋକ ହେଉଛନ୍ତି ଜଣେ ଜଣେ ଯୋଦ୍ଧା। ଏହି ଯୁଦ୍ଧର ସଫଳତା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଦରକାର। ଏ ପର୍ଯ୍ୟନ୍ତ ହାସଲ ହୋଇଥିବା ସଫଳତାକୁ ଆଗକୁ ନେବାକୁ ହେବ। ଅଧିକ ସତର୍କ ରହିବାକୁ ପଡ଼ିବ। ସଚେତନ ରହିବାକୁ ହେବ। ଏବେ ଧୈର୍ଯ୍ୟ ଓ ସାହସର ପରୀକ୍ଷାର ସମୟ। ପରିବାର, ପିଲାଛୁଆ, ଜୀବନ ଜୀବିକା ପାଇଁ ଏହି ଲଢ଼େଇ ଜିତିବାକୁ ହେବ ବୋଲି ସେ ସତର୍କ କରାଇ ଦେଇଥିଲେ।

ମୁଖ୍ୟମନ୍ତ୍ରୀ ଆହୁରି କହିଥିଲେ, ଗତ ୩ମାସରୁ ଅଧିକ ସମୟ ରହି, କରୋନା ଜନଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛି। ସବୁ ବର୍ଗ ଓ ସବୁ କ୍ଷେତ୍ର ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି। ଯେହେତୁ ଏହି ରୋଗର ଚିକିତ୍ସା ପାଇଁ ନିର୍ଦିଷ୍ଟ ଚିକିତ୍ସା ପଦ୍ଧତି ବାହାରି ନାହିଁ, ଏଣୁ ସତର୍କତା ହିଁ ଶ୍ରେଷ୍ଠ ଉପାୟ। ସାମାଜିକ ଦୂରତ୍ବ, ମାସ୍କ ବ୍ୟବହାର ଏବଂ ସାବୁନରେ ବାରମ୍ବାର ହାତ ଧୋଇବା ଦ୍ବାରା ହିଁ ଏହି ରୋଗକୁ ନିୟନ୍ତ୍ରଣ କରାଯାଇପାରିବ।

ନବୀନ କହିଥିଲେ, ରାଜ୍ୟବାସୀଙ୍କ ସହଯୋଗ କାରଣରୁ କରୋନା ରୋଗ ନିୟନ୍ତ୍ରଣରେ ଅନ୍ୟ ଠାରୁ ଓଡ଼ିଶା ଭଲ ସ୍ଥିତିରେ ରହିଛି। ଇତିମଧ୍ୟରେ ରାଜ୍ୟରେ ଅନେକ କୋଭିଡ଼୍ ହସ୍ପିଟାଲ ହୋଇଛି। ୧୦ ହଜାର ଶଯ୍ୟାର ବ୍ୟବସ୍ଥା ହୋଇଛି ଓ ଚିକିତ୍ସା ଉପକରଣ ପ୍ରସ୍ତୁତ ରହିଛି। ସ୍ବାସ୍ଥ୍ୟକର୍ମୀଙ୍କୁ ତାଲିମ ଦିଆଯାଇଛି। ରାଜ୍ୟ ବାହାରେ ରହୁଥିବା ପ୍ରାୟ ୫ଲକ୍ଷରୁ ଅଧିକ ପ୍ରବାସୀ ଇତିମଧ୍ୟରେ ଫେରିଛନ୍ତି। ସେମାନଙ୍କ ପାଇଁ ପ୍ରତି ପଞ୍ଚାୟତରେ ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର ଖୋଲାଯାଇଛି, ଯେଉଁଠି ସେମାନଙ୍କ ଉପଯୁକ୍ତ ଚିକିତ୍ସା ସହିତ ପ୍ରୋତ୍ସାହନ ମଧ୍ୟ ଦିଆଯାଉଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ମଧ୍ୟ ପ୍ରଶଂସା କରିଥିଲେ।

ଜୁନ୍ ମାସ ସବୁଠାରୁ ଗୁରୁତ୍ବପୂର୍ଣ୍ଣ ବୋଲି ପୂର୍ବରୁ ସତର୍କ କରାଯାଇଥିବା କଥା ମନେ ପକାଇ ମୁଖ୍ୟମନ୍ତ୍ରୀ କହିଥିଲେ, ଲକଡାଉନ୍ ଧୀରେ ଧୀରେ ଖୋଲୁଛି। ଧୀରେ ଧୀରେ ଗମନାଗମନ ବଢ଼ୁଛି। ଲୋକଙ୍କ ଯାତାୟତ ଆଗକୁ ବଢ଼ିବ। ଜୀବନ ସହିତ ଜୀବିକା ଉପରେ ମଧ୍ୟ ଜୋର ଦେବାକୁ ପଡୁଛି। ତେଣୁ ବର୍ତମାନ ଅଧିକ ସତର୍କ ରହିବାକୁ ପଡ଼ିବ। ପରିବର୍ତିତ ପରିସ୍ଥିତିରେ ରଣକୌଶଳ ବଦଳାଇବାକୁ ପଡୁଛି। ଗୋଷ୍ଠୀ ସଚେତନତା ସହିତ ପରିଚାଳନାର ବିକେନ୍ଦ୍ରୀକରଣ ବର୍ତମାନ ଖୁବ୍ ଜରୁରୀ ହୋଇପଡିଛି। ପ୍ରବାସୀଙ୍କ ଆଗମନ କମୁଛି। ଅନେକ ଟିଏମସି କାର୍ଯ୍ୟ ଶେଷ ହୋଇ ଆସିଲାଣି। କିଛି କ୍ଲଷ୍ଟରରେ ଟିଏମସି ଖୋଲା ରଖାଯାଇଛି। ଯଦି କେହି ପ୍ରବାସୀ ଆସନ୍ତି, ତେବେ ସେମାନଙ୍କୁ ସେଠାରେ ରଖାଯିବ। କରୋନା ସହିତ ଯୁଦ୍ଧ ଏକ ଲମ୍ବା ଲଢେଇ ଓ ସଚେତନ ହେଲେ ହିଁ ଏହାକୁ ଦୂରେଇ ଦେଇପାରିବା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସମ୍ବନ୍ଧିତ ଖବର