୨୪ ଅଗଷ୍ଟ ପର୍ଯ୍ୟନ୍ତ ରହିବ କଟକଣା, ସୋମବାର ଠାରୁ ଆରମ୍ଭ ହେବ ଘରୋଇ ବିମାନ ସେବା

ଭୁବନେଶ୍ବର ବିମାନ ବନ୍ଦର ହେବ ଟଚ୍‌ ଫ୍ରି, ଏକ ତୃତୀୟାଂଶ ବିମାନ ଚଳାଚଳକୁ ଅନୁମତି

ଭୁବନେଶ୍ବର: ମେ’ ୨୫ରୁ ଘରୋଇ ବିମାନ ସେବା ଆରମ୍ଭ ହେବ ବୋଲି ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘୋଷଣା କରିଛି। ଏହି ଘୋଷଣାର ଦିନକ ପରେ ମନ୍ତ୍ରଣାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହି ନିର୍ଦ୍ଦେଶନାମାରେ କେତେ ବିମାନ ଉଡ଼ିବ, କିପରି ଯାତ୍ରୀମାନେ ଯାତ୍ରା କରିବେ, ବିମାନବନ୍ଦରରେ କିପରି ସାମାଜିକ ଦୂରତା ରହିବ, ଯାତ୍ରୀ ଓ ବିମାନ ଉଡ଼ାଣ ସଂସ୍ଥା କ’ଣ ନିୟମ ମାନିବେ ସେ ସମ୍ପର୍କରେ ଉଲ୍ଲେଖ କରାଯାଇଛି। ବିମାନ ସେବା ଉପରେ କଟକଣା ଲାଗିଥିବା ବେଳେ ଏହି ନିର୍ଦ୍ଦେଶନାମା ଅଗଷ୍ଟ ୨୪, ରାତି ୧୧ଟା ୫୯ ପର୍ଯ୍ୟନ୍ତ ବଳବତ୍ତର ରହିବ ବୋଲି କୁହାଯାଇଛି।

ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ନିର୍ଦ୍ଦେଶନାମା ଅନୁଯାୟୀ, ଏବେ ଏକ ତୃତୀୟାଂଶ ବିମାନ ଉଡ଼‌ାଣ କରିବ। ଡିଜିସିଏ ନିକଟରେ ବିମାନ ଉଡ଼ାଣ କମ୍ପାନିଗୁଡ଼ିକ ଦାଖଲ କରିଥିବା ଗ୍ରୀଷ୍ମକାଳୀନ ଉଡ଼ାଣ ସୂଚୀର ଏକ ତୃତୀୟାଂଶ ବିମାନ ଉଡ଼ାଣ କରିବେ। କେଉଁ କେଉଁ ବିମାନ କେତେବେଳେ ଉଡ଼ାଣ କରିବେ ସେ ନେଇ ଡିଜିସିଏ ଓ ବିମାନ ଉଡ଼ାଣ ସଂସ୍ଥା ଆପୋଷ ଆଲୋଚନା କରି ନି‌ଷ୍ପତ୍ତି ନେବେ। ସଂଶୋଧିତ ବିମାନ ଉଡ଼ାଣ ସୂଚୀ ଡିଜିସିଏ ନିକଟରେ ଦାଖଲ କରିବାକୁ କୁହାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ମେଟ୍ରୋ ସହରରୁ ମେଟ୍ରୋ ସହର (ଦିଲ୍ଲୀ, ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ, କୋଲକାତା) ଭିତରେ ଏହା ଲାଗୁ ହେବ। ସେହିପରି ମେଟ୍ରୋ ସହରରୁ ଅନ୍ୟ ସହର (ଯେଉଁ ବିମାନବନ୍ଦରରୁ ସପ୍ତାହକୁ ୧୦୦ରୁ ଅଧିକ ବିମାନ ଯାଉଥିବ), ଅନ୍ୟ ସହରରୁ ମେଟ୍ରୋ ସହରକୁ ବିମାନ ଯାଉଥିଲେ ସେଠାରେ ଏକ ତୃତୀୟାଂଶ ବିମାନ ଯାତାୟାତ କରିବ। ଦେଶର ଅନ୍ୟ ବିମାନ ବନ୍ଦରରୁ କୌଣସି ସହରକୁ ବିମାନ ଯାତ୍ରା କରୁଥିଲେ ବି ସେମାନେ ଯେ କୌଣସି ରୁଟ୍‌ରେ ଏକ ତୃତୀୟାଂଶ ବିମାନ ଚଳାଇପାରିବେ। ଉଡାନ୍‌ ବିମାନ ସେବା ପାଇଁ ଏହା ଲାଗୁ ହେବନି।

ବିମାନରେ ଖବରକାଗଜ, ମାଗାଜିନ୍, ଖାଦ୍ୟ ମନା
ମାସ୍କ, ବିଶୋଧକ ଦେବେ ବିମାନ କମ୍ପାନି

ସେହିପରି ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (ଏଏଆଇ)ଙ୍କ ପକ୍ଷରୁ ଜାରି ହୋଇଥିବା ଏସ୍‌ଓପି ଅନୁଯାୟୀ, ସବୁ ବିମାନବନ୍ଦରରେ ଥର୍ମାଲ୍ ସ୍କ୍ରିନିଂ ପରେ ଯାତ୍ରୀଙ୍କୁ ଟର୍ମିନାଲ ଭିତରକୁ ପ୍ରବେଶ କରିବାର ଅନୁମତି ମିଳିବ। ୧୪ବର୍ଷରୁ ଅଧିକ ସମସ୍ତ ଯାତ୍ରୀଙ୍କୁ ଆରୋଗ୍ୟ ସେତୁ ଆପ୍‌ ଡାଉନଲୋଡ୍‌ କରିବାକୁ ପଡ଼ିବ। ଆପ୍‌ରେ ଯାତ୍ରୀ ସୁରକ୍ଷିତ ଥିବା ଦର୍ଶାଇଲେ ବିମାନରେ ଯିବାକୁ ଅନୁମତି ମିଳିବ। ଯେଉଁମାନଙ୍କର କୋଭିଡ-୧୯ ପଜିଟିଭ୍ ବାହାରିଥିବ ବା ଫ୍ଲୁର ଲକ୍ଷଣ ଥିବ ସେମାନଙ୍କୁ ବିମାନରେ ଯାତାୟାତ କରିବାକୁ ଅନୁମତି ମିଳିବନି। ଯେଉଁମାନେ ନିୟମ ମାନିବେନି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଯାତ୍ରୀଙ୍କୁ ବିମାନ ଉଡ଼ାଣର ଦୁଇ ଘଣ୍ଟା ପୂର୍ବରୁ ପହଞ୍ଚିବାକୁ ପଡ଼ିବ। ଘରୁ ୱେବ୍‌ ଚେକ୍‌ ଇନ୍ କରିବାକୁ କୁହାଯାଇଛି। ଯାତ୍ରୀ ନିଜ ସହ ଗୋଟିଏ ବ୍ୟାଗ୍‌ ଆଣିପାରିବେ। ବିମାନ ଉଡ଼ାଣର ୪ଘଣ୍ଟା ପୂର୍ବରୁ ଟର୍ମିନାଲ ଭିତରକୁ ପ୍ରବେଶ କରିବାର ଅନୁମତି ମିଳିବ। ସେହିପରି ସୁରକ୍ଷାକର୍ମୀ ପିପିଇ ପିନ୍ଧି ଚେକିଂ କରିବେ। ଯଥାସମ୍ଭବ କମ୍‌ ଯାତ୍ରୀଙ୍କୁ ଛୁଇଁ‌ବେ। ଯାତ୍ରୀଙ୍କର ବ୍ୟାଗ୍, ଶରୀର ଯେପରି ବିଶୋଧନ ହେବ ସେଥିପାଇଁ ଟର୍ମିନାଲ ପରିସରରେ ବ୍ୟବସ୍ଥା କରାଯିବ। ଯାତ୍ରୀଙ୍କୁ ‌ମାସ୍କ ଓ ଗ୍ଲୋବ୍ସ ପିନ୍ଧିବାକୁ ପଡ଼ିବ। ଲବିରେ ଯେପରି ସାମାଜିକ ଦୂରତା ରଖି ଯାତ୍ରୀ ବସିବେ ତାହାକୁ ନଜରରେ ରଖି ସିଟ୍‌ ପକାଇବାକୁ ବିମାନବନ୍ଦର କର୍ତ୍ତୃପକ୍ଷଙ୍କୁ କୁହାଯାଇଛି।

ଏସବୁ ବାଦ୍‌ ବୋର୍ଡିଂ ପାସ୍‌ କରିବା ସମୟରେ ଯାତ୍ରୀଙ୍କୁ ତ୍ରିସ୍ତରୀୟ ମାସ୍କ ଓ ସାନିଟାଇଜର୍‌ ଦେବାକୁ ବିମାନ କମ୍ପାନିଗୁଡ଼ିକୁ କୁହାଯାଇଛି। ବିମାନରେ ଖବରକାଗଜ, ମାଗାଜିନ୍ କି କୌଣସି ଖାଦ୍ୟ ସାମଗ୍ରୀ ଉପଲବ୍ଧ ହେବନି। ବିମାନବନ୍ଦରରେ କି ବିମାନ ଭିତରେ ଯଥାସମ୍ଭବ କମ୍‌ ଶୌଚାଳୟ ବ୍ୟବହାର କରିବା ସହ ଅଧିକ ଗହଳି ନକରିବାକୁ କୁହାଯାଇଛି। ସହରରେ ଯାତ୍ରୀଙ୍କ ପାଇଁ ପରିବହନ ବ୍ୟବସ୍ଥା କରିବାକୁ ରାଜ୍ୟ ସରକାର ପଦକ୍ଷେପ ନେବେ। ଯାତ୍ରୀମାନଙ୍କୁ ନିଜ ଗାଡ଼ି କିମ୍ବା ପଞ୍ଜୀକୃତ କ୍ୟାବ୍‌ରେ ଯାତାୟାତ କରିବାକୁ କୁହାଯାଇଛି। ବୟସ୍କ ଲୋକ, ଗର୍ଭବତୀ ମହିଳା, ଅସୁସ୍ଥ ଥିବା ଲୋକ ବିମାନ ଯାତ୍ରା ନକରିବାକୁ କୁହାଯାଇଛି।

ଅପରପକ୍ଷେ ଭୁବନେଶ୍ବର ବିମାନବନ୍ଦର ନିର୍ଦ୍ଦେଶକ ଭି.ଭି ରାଓ କହିଛନ୍ତି ଯେ, ଆମେ ମେ’ ୨୫ତାରିଖରୁ ବିମାନ ଉଡ଼ାଣ ପାଇଁ ପ୍ରସ୍ତୁତ ଅଛୁ। ଯାତ୍ରୀ ଓ କର୍ମଚାରୀମାନେ ଯେପରି ସାମାଜିକ ଦୂରତା ରଖିବେ ସେଥିପାଇଁ ବିମାନବନ୍ଦରରେ ବୃତ୍ତାକାର ଚିହ୍ନ କରାଯାଇଛି। ଭୁବନେଶ୍ବର ବିମାନବନ୍ଦରକୁ ଟଚ୍‌ ଫ୍ରି ବିମାନବନ୍ଦର କରାଯାଇଛି। ଏଠାରେ ଯାତ୍ରୀଙ୍କୁ ୱେବ୍ ଚେକ୍‌ ଇନ୍‌ କରି ଆସିବାକୁ କୁହାଯିବ। ଫଳରେ ଟିକେଟ୍‌ ଦେଖି ଯାଞ୍ଚ ହେବନି। ସୁରକ୍ଷାକର୍ମୀ ସ୍କାନର୍‌ ଦ୍ବାରା ଚେକିଂ କରିବେ ତେଣୁ ଯାତ୍ରୀଙ୍କୁ ଛୁଇଁବାର ନାହିଁ। ସମସ୍ତ କାମ ଯାତ୍ରୀଙ୍କୁ ସ୍ପର୍ଶ ନକରି କରିବାକୁ ଯୋଜନା ହୋଇଛି। ‌ଏଏଆଇ ଯେତେ ସମୟ ପର୍ଯ୍ୟନ୍ତ ବିମାନ ଚଳାଚଳକୁ ଅନୁମତି ଦେବ ସେତେ ସମୟ ପର୍ଯ୍ୟନ୍ତ ବିମାନବନ୍ଦର ଖୋଲା ରଖିବାକୁ ପ୍ରସ୍ତୁତ ଅଛୁ।

ସମ୍ବନ୍ଧିତ ଖବର