ଭୁବନେଶ୍ବର : ଯୁକ୍ତ୨ ଦ୍ବିତୀୟ ବର୍ଷ ତଥା ଦ୍ବାଦଶ ଶ୍ରେଣୀକୁ ଯିବାକୁ ହେଲେ ଏକାଦଶ ଶ୍ରେଣୀ ପାସ୍‌ କରିବା ନିହାତି ଆବଶ୍ୟକ। ଯଦି କୌଣସି ଛାତ୍ରଛାତ୍ରୀ ଏକାଦଶ ଶ୍ରେଣୀରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ଦ୍ବାଦଶ ଶ୍ରେଣୀକୁ ଯାଇପାରିବେ ନାହିଁ। ଉଚ୍ଚ ମାଧ୍ୟମିକ ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ସଂସ୍କାର ଆଣିବା ପାଇଁ ରାଜ୍ୟ ସରକାର ଏଭଳି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ପୂର୍ବରୁ ଏଭଳି ବ୍ୟବସ୍ଥା ଲାଗୁ ହେବ ବୋଲି କୁହାଯାଇଥିଲା। ମାତ୍ର ‌କେତେକ କଲେଜ ତାହାକୁ ପାଳନ କରୁ ନ ଥିବା ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ନଜରକୁ ଆସିଛି। ତେଣୁ ଚଳିତ ଶିକ୍ଷାବର୍ଷରୁ ନିୟମକୁ କଡ଼ାକଡ଼ି ଲାଗୁ କରିବାକୁ ରାଜ୍ୟର ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକୁ କୁହାଯାଇଛି।

Advertisment

ସୂଚନା ଅନୁଯାୟୀ ମାର୍ଚ୍ଚ ୩ରୁ ଯୁକ୍ତ୨ ଦ୍ବିତୀୟ ବର୍ଷର ଥିଓରି ପରୀକ୍ଷା ଅନୁଷ୍ଠିତ ହେବାକୁ ଯାଉଛି। ତା’ପୂର୍ବରୁ ଅର୍ଥାତ୍‌ ଫେବ୍ରୁ୍ଆରି ତୃତୀୟ ସପ୍ତାହ ବେଳକୁ ଯୁକ୍ତ୨ ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ବାର୍ଷିକ ପରୀକ୍ଷା କରାଯିବ। କଲେଜଗୁଡ଼ିକ ନିଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରି ପରୀକ୍ଷା କରାଇବେ। ଯଦି କୌଣସି ଛାତ୍ରଛାତ୍ରୀ ଏହି ପରୀକ୍ଷାରେ କୃତକାର୍ଯ୍ୟ ନ ହୁଅନ୍ତି ତେବେ ସେ ପରବର୍ତୀ ଶ୍ରେଣୀକୁ ଉନ୍ନୀତ ହୋଇପାରିବେ ନାହିଁ। ଆସନ୍ତାବର୍ଷକୁ ପୁଣିଥରେ ଏକାଦଶ ଶ୍ରେଣୀରେ ପରୀକ୍ଷା ଦେବାକୁ ପଡିବ। ଚଳିତ ଶିକ୍ଷାବର୍ଷ ଆରମ୍ଭରୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଏହି ପରୀକ୍ଷା କରିବାକୁ ଯୋଜନା ହୋଇଥିଲା। ତେବେ ପ୍ରାଥମିକ ବିଦ୍ୟାଳୟ ପାଇଁ ଏକକ ପ୍ରବେଶିକା ପରୀକ୍ଷାରେ ବ୍ୟାପକ ବିଭ୍ରାଟ ପରେ ଗଣଶିକ୍ଷା ବିଭାଗ ଏଭଳି ନିଷ୍ପତ୍ତିରୁ ଓହରିଛି। ପୂର୍ବଭଳି କଲେଜସ୍ତରରେ ପ୍ରଶ୍ନପତ୍ର ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନିଆଯାଇଛି।

ଅନ୍ୟପକ୍ଷରେ ଖରା ଛୁଟିରେ ପାଠପଢ଼ା ହେବା ନେଇ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଆଜି ପୁଣିଥରେ ମତ ରଖିଛନ୍ତି। ସେ କହିଛନ୍ତି ଯେ ସ୍କୁଲ ଶିକ୍ଷକଙ୍କ ଖରା ଛୁଟି ବାତିଲ କଥା ଜମା କହିନି। କୌଣସି ପ୍ରକା‌ରେ ଶିକ୍ଷକମାନଙ୍କ ଛୁଟି ବାତିଲ ହେବନି। ରୋଷ୍ଟର ଡ୍ୟୁଟିରେ ଥିବା ଶିକ୍ଷକ/ଶିକ୍ଷୟିତ୍ରୀ ହିଁ ଦୁର୍ବଳ ଛାତ୍ରଛାତ୍ରୀଙ୍କ ଏକ୍ସଟ୍ରା କ୍ଲାସ ନେବେ। ଯଦି ଟାଣ ଖରା ଯୋଗୁ ଛାତ୍ରଛାତ୍ରୀ ସ୍କୁଲ ଆସି ପରିଲେ ନାହିଁ, ସେ ସମୟରେ ବିଚାର କରାଯିବ। ତେବେ କୌଣସି ଶିକ୍ଷକଙ୍କ ଖରା ଛୁଟି ବାତିଲ ହେବ ନାହିଁ ବୋଲି ମନ୍ତ୍ରୀ ସ୍ପଷ୍ଟ କରିଛନ୍ତି।