ସ୍ନାନଯାତ୍ରା ପାଇଁ ବ୍ୟବସ୍ଥାବଳୀ : ଶ୍ରୀଜିଉଙ୍କୁ ସ୍ପର୍ଶ କରିପାରିବେନି ଭକ୍ତ

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : ଚଳିତ ବର୍ଷର ସ୍ନାନଯାତ୍ରା ପାଇଁ ସଂପୃକ୍ତ ସେବାୟତ, ପରିଚାଳନା କମିଟି ଓ ଅଧିକାରୀମାନଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥାବଳୀ ଲାଗୁ କରାଯାଇଛି। ବ୍ୟବସ୍ଥାବଳୀ ଉଲ୍ଲଙ୍ଘନ କଲେ କାର୍ଯ୍ୟାନୁଷ୍ଠାନୁ ସୁନିଶ୍ଚିତ ବୋଲି ଶ୍ରୀମନ୍ଦିର ପ୍ରଶାସନ ସ୍ପଷ୍ଟ କରି ଦେଇଛି। ଏଥିପାଇଁ ୩୮ ଟିକିଆ ବ୍ୟବସ୍ଥାବଳୀ ପ୍ରସ୍ତୁତ ହୋଇଛି। ଚୂଡ଼ାନ୍ତ ବ୍ୟବସ୍ଥାବଳୀ ଅନୁଯାୟୀ, ସ୍ନାନପୂର୍ଣ୍ଣିମା ଦିନ ମଙ୍ଗଳାର୍ପଣ ସମୟରେ କେବଳ ନୀତି ସଂପୃକ୍ତ ସେବକ, ପରିଚାଳନା କମିଟି ସଦସ୍ୟ ଓ ଅଧିକାରୀମାନେ ଭିତର କାଠ ପାଖରେ ଉପସ୍ଥିତ ରହିବେ। ପ୍ରତିହାରୀ ସେବକଙ୍କ ସହଯୋଗରେ ଶ୍ରୀମନ୍ଦିର ଜଗମୋହନ ଓ ନାଟମଣ୍ଡପ ଶୋଧ କରାଯିବ। କେବଳ ମଙ୍ଗଳାର୍ପଣ ଓ ପହଣ୍ଡିରେ ସଂପୃକ୍ତ ସେବକଙ୍କ ବ୍ୟତୀତ ଅନ୍ୟ କାହାରିକୁ ଉକ୍ତ ସ୍ଥାନରେ ରହିବାକୁ ଦିଆଯିବ ନାହିଁ। ଜଗମୋହନ କିମ୍ବା ନାଟମଣ୍ଡପରେ କୌଣସି ମାନ୍ୟଗଣ୍ୟ ବ୍ୟକ୍ତି କିମ୍ବା ଦର୍ଶନାଥୀଙ୍କ ରହିବା ସଂପୂର୍ଣ୍ଣ ନିଷେଧ କରାଯାଇଛି। ପହଣ୍ଡି ବିଜେ ସମୟରେ ଟାହିଆ ସୁରକ୍ଷା ଦାୟିତ୍ବ ଶ୍ରୀଅଙ୍ଗ ସେବକ ଭାବେ ଦଇତାପତି ସେବକମାନଙ୍କୁ ଦିଆଯାଇଛି। ଟାହିଆଗୁଡ଼ିକ ଯେପରି ସମ୍ମାନର ସହ ଓହ୍ଲାଯିବ ସେ ଉପରେ ଦୃଷ୍ଟି ଦେବାକୁ ଦଇତାପତି ସେବକମାନଙ୍କୁ କୁହାଯାଇଛି। ଶ୍ରୀଜିଉମାନେ ମନ୍ଦିର ବାହାରକୁ ଧାଡ଼ି ପହଣ୍ଡିରେ ବିଜେ କରିବେ। ପହଣ୍ଡି ସମୟରେ କର୍ଡନ ଭିତରେ ଦଇତାପତି ଓ ଆବଶ୍ୟକ ସଂଖ୍ୟକ ନୀତି ସଂପୃକ୍ତ ସେବକ ରହିବେ। ଶ୍ରୀଜୀଉଙ୍କୁ ଭକ୍ତଙ୍କ ସ୍ପର୍ଶ ଉପରେ କଟକଣା ଜାରି କରାଯାଇଛି। ଦଇତାପତି ନିଯୋଗ, ପ୍ରତିହାରୀ ନିଯୋଗ, ୪ ବାଡ଼ଗ୍ରାହୀଙ୍କୁ ଏହାର ନିରୀକ୍ଷଣ ଦାୟିତ୍ବ ଦିଆଯାଇଛି। ସୀମିତ ସଂଖ୍ୟକ ଘଣ୍ଟୁଆଙ୍କୁ ସ୍ନାନମଣ୍ଡପକୁ ଛଡ଼ାଯିବ। ଶୋଧ ବେଳେ ଅପ୍ରାଧିକୃତ ବ୍ୟକ୍ତି ସ୍ନାନମଣ୍ଡପ ତଳେ ରହିବେ। ସ୍ନାନମଣ୍ଡପରେ ରୁନ୍ଧା ସରିବା ପରେ ଠାକୁରଙ୍କ ସମ୍ମୁଖରେ କେହି ରହିବେ ନାହିଁ। ମହାପ୍ରଭୁଙ୍କ ଶ୍ରୀଭୁଜ ଅବା କୌଣସି ଅଙ୍ଗରେ ଭରା ଦେବେନାହିଁ। ଭୁଜ ବାହାରେ ଦୁଇ ପାର୍ଶ୍ବରେ ଦଇତାପତି ସେବକ କେବଳ ରହିପାରିବେ। ଏହାର ନିରୀକ୍ଷଣ ଦାୟିତ୍ବ ବାଡ଼ଗ୍ରାହୀମାନଙ୍କୁ ଦିଆଯାଇଛି। ଜଳବିଜେ, ଜଳପୂଜା ବେଳେ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଛିଡ଼ା ଉପରେ କଟକଣା ଜାରି କରାଯାଇଛି।

ସ୍ନାନମଣ୍ଡପରେ ଦକ୍ଷିଣପଟ କାଠ ପାଖରେ କର୍ଡନ କରାଯାଇ ଗରାବଡ଼ୁ ସେବକମାନେ ମଣ୍ଡପକୁ ସୁବିଧାରେ ଯାତାୟାତ ପାଇଁ ବ୍ୟବସ୍ଥା କରାଯିବ। ଜଳଜିବେ ସମୟରେ ଅନୁପ୍ରବେଶକାରୀଙ୍କୁ ରୋକିବା ପାଇଁ ପୁଲିସଙ୍କ ଦ୍ବାରା ଶକ୍ତିଶାଳୀ କର୍ଡ଼ନ୍ କରାଯିବ। ଜଳପୂଜା ବସିବାଠାରୁ ଜଳଲାଗି ଶେଷ ପର୍ଯ୍ୟନ୍ତ ମଣ୍ଡପର ଉଭୟ ପ୍ରବେଶ ପଥ ବନ୍ଦ କରାଯିବ। କେବଳ ଦକ୍ଷିଣପଟ ପ୍ରବେଶ ପଥରେ ସଂପୃକ୍ତ ପାଳିଆମାନଙ୍କୁ ପ୍ରତିହାରୀ ସେବକ ଚିହ୍ନଟ କରି ଛାଡ଼ିବେ। କେଉଁ ସେବକ ଚାମର ସେବା କରିବେ ତାର ତାଲିକା ପ୍ରତିହାରୀଙ୍କୁ ପ୍ରଦାନ କରାଯିବ। ଜଳବିଜେ କିମ୍ବା ଜଳପୂଜା ସମୟରେ କୌଣସି ସେବକ ଶ୍ରୀଜିଉଙ୍କ ପ୍ରଭା ଉପରେ ଅବା ପ୍ରଭା ପାର୍ଶ୍ବ କାନ୍ଥରେ ବସିପାରିବେ ନାହିଁ। ସ୍ନାନଜଳ ବସିବା ସମୟରେ ଏବଂ ଜଳଲାଗି ସମୟରେ ଗରାବଡ଼ୁ ସେବକ ଜଳଗଡ଼ୁ ସ୍ପର୍ଶ କରିପାରିବେ। କେବଳ ପୂଜାପଣ୍ଡା ପିଙ୍ଗଣ ଜଳରେ ଶ୍ରୀବିଗ୍ରହଙ୍କୁ ସ୍ନାନ କରାଇବେ। ସ୍ନାନମଣ୍ଡପ ବାଡ଼ ପାର୍ଶ୍ବରେ ଠିଆ ହୋଇ ଭକ୍ତଙ୍କଠାରୁ ଫୁଲ ଇତ୍ୟାଦି ଗ୍ରହଣ କରିବା କିମ୍ବା ତୁଳସୀ ଆଦି ବାଣ୍ଟିବାରୁ ସେବକମାନେ ନିବୃତ୍ତ ରହିବେ। ଏହାକୁ ଉଲ୍ଲଙ୍ଘନ କଲେ ସେବକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଶ୍ରୀଜିଉଙ୍କ ସମ୍ମୁଖରେ କେହି ଠିଆ ହୋଇ ଭକ୍ତଙ୍କ ଦର୍ଶନରେ ବାଧା ସୃଷ୍ଟି କରିବେନି।

ଶ୍ରୀମନ୍ଦିରରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା

ପୁରୀ : ଚଳିତ ବର୍ଷ ଦେବସ୍ନାନ ପୂର୍ଣ୍ଣିମାରେ ଶ୍ରୀମନ୍ଦିର ଭିତରେ ଓ ବାହାରେ ଭିଡ଼ ନିୟନ୍ତ୍ରଣ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପହଣ୍ଡି ଦର୍ଶନ ପାଇଁ ଟିକେଟ୍ କରିଥିବା ଭକ୍ତମାନଙ୍କୁ ଦକ୍ଷିଣଦ୍ବାର ଦେଇ ପ୍ରବେଶ ବ୍ୟବସ୍ଥା କରାଯାଇଛି। ପହଣ୍ଡି ପରେ ସାଧାରଣ ଦର୍ଶନ ଆରମ୍ଭ ହେବ। ବ୍ୟାରିକେଡ ଦେଇ ସିଂହଦ୍ବାରରେ ପ୍ରବେଶ ପରେ ଠାକୁରଙ୍କୁ ଦର୍ଶନ ସାରି ଉତ୍ତର ଦ୍ବାର ପଟେ ଭକ୍ତମାନେ ଫେରିବାର ବ୍ୟବସ୍ଥା କରାଯାଇଛି। ପହଣ୍ଡି ପରେ ଭୋଗ ଆସିବା ପର୍ଯ୍ୟନ୍ତ ସ୍ନାନବେଦୀରେ ସ୍ବତନ୍ତ୍ର ନୀତି ଅନୁଷ୍ଠିତ ହେବ। ଏହି ସମୟରେ ଭକ୍ତମାନେ ଭିତର ବେଢ଼ା ଦେଇ ଦର୍ଶନ ପାଇଁ ଯିବେ। ଘୋଡ଼ାଦ୍ବାର ଦେଇ ଆନନ୍ଦବଜାରକୁ ପ୍ରବେଶ ପରେ ବ୍ୟାରିକେଡ ଦେଇ ଦର୍ଶନ କରି ଫେରିବେ। ଭୋଗ ଆସିବା ସମୟରେ ଭିତର ବେଢ଼ା ପ୍ରବେଶ ବନ୍ଦ କରି ଦିଆଯିବ। ଭକ୍ତମାନେ ବାଇଶିପାହାଚରୁ ଡାହାଣ ପାର୍ଶ୍ବ ଦ୍ବାର ଦେଇ ଆନନ୍ଦବଜାରରେ ପ୍ରବେଶ ପରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ଏହି ସମୟରେ ଶ୍ରୀମନ୍ଦିରର ଚାରିଦ୍ବାରରେ ପୁଲିସ ବ୍ୟବସ୍ଥା କରାଯାଇଛି। ଟିକେଟ୍ ଧାରୀଙ୍କୁ ଛାଡ଼ିଦେଲେ ଅନ୍ୟ ଭକ୍ତମାନେ ଉତ୍ତର, ଦକ୍ଷିଣ ଅବା ପଶ୍ଚିମ ଦ୍ବାର ଦେଇ ମନ୍ଦିର ଭିତରକୁ ପ୍ରବେଶ କରିପାରିବେନି। ସେହିପରି ଶ୍ରୀମନ୍ଦିର ଚାରିପାଖରେ ଭିଡ଼ ନିୟନ୍ତ୍ରଣ ପାଇଁ କୁକୁଡ଼ାଖାଇ ଛକ, ଗାଣ୍ଡୁଆ ଚୌରା ଛକ, ଗଡ଼ନ୍ତି ଛକ, ଲକ୍ଷ୍ମୀ ବଜାର ଛକରେ ପୁଲିସ ମୁତୟନ କରାଯାଇଛି। ବଡ଼ଦାଣ୍ଡ ପାଠାଗାର ସମ୍ମୁଖରୁ ବି ଭକ୍ତମାନେ ସ୍ନାନବେଦିରେ ବିଜେ ଠାକୁରଙ୍କୁ ଦର୍ଶନ କରିପାରିବେ। ଏଠାରେ ଶୃଙ୍ଖଳିତ ଦର୍ଶନ ପାଇଁ ପୁଲିସ ମୁତୟନ କରାଯାଇଛି। ସେହିଭଳି ଶ୍ରୀମନ୍ଦିର ଭିତରେ ଓ ବାହାରେ ଚୋରି, ଛିନତାଇ, ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ପୁଲିସ ମୁତୟନ କରାଯାଇଛି।

ସମ୍ବନ୍ଧିତ ଖବର