ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ପାଇବା ନିୟମ କୋହଳ

ଗୃହ ବିଭାଗ ଆଣିଲା ସର୍ବକ୍ଷମା ଯୋଜନା, ୬ମାସ ଭିତରେ ଭିତ୍ତିଭୂମି ସଜାଡ଼ିବ, ନହେଲେ ଆବେଦନ ବାତିଲ୍‌

ଭୁବନେଶ୍ୱର : କୌଣସି ଉଚ୍ଚ ଅଟ୍ଟାଳିକା, ବ୍ୟାବସାୟିକ ପ୍ରତିଷ୍ଠାନ, ହସ୍ପିଟାଲ, ଶିକ୍ଷାନୁଷ୍ଠାନ, ଆପାର୍ଟମେଣ୍ଟ ଆଦି ଯଦି ବେଆଇନ ଭାବେ ନିର୍ମାଣ ହୋଇଥିବ, ସେଗୁଡ଼ିକୁ ଅଗ୍ନି ନିରାପତ୍ତ‌ା ସାର୍ଟିଫି‌‌କେଟ୍‌ ମିଳିବା ଆଉ କଷ୍ଟକର ହେବନି। ଏଥିପାଇଁ ଆଜି ଗୃହ ବିଭାଗ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପ୍ରଦାନ ନିୟମରେ ସଂଶୋଧନ କରିଛନ୍ତି। ପ୍ଲାନିଂ ଓ ବିଲଡିଂ ନିୟମରେ କୋହଳ କରାଯାଇ ସର୍ବକ୍ଷମା ଯୋଜନା ଅଣାଯାଇଛି। ଏହାଦ୍ବାରା ରାଜ୍ୟର ବିଭିନ୍ନ ସହରାଞ୍ଚଳରେ ନିର୍ମାଣ ହୋଇଥିବା ଲକ୍ଷଲକ୍ଷ ବେଆଇନ କୋଠାକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ମିଳିପାରିବ। ଅଗ୍ନିଶମ ବିଭାଗ ସଂଶୋଧିତ ନିୟମରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ପ୍ରଦାନ କରିବାକୁ ଥିଲେ ହେଁ ଏହା ଯେପରି ନଗର ଉନ୍ନୟନ ବିଭାଗର ବିଲଡିଂ ଓ ପ୍ଲାନିଂ ନିୟମକୁ ଉଲ୍ଲଂଘନ ନ କରିବ, ସେଥିପ୍ରତି ଧ୍ୟାନ ଦିଆଯାଇଛି।

ପୂର୍ବରୁ ଉଚ୍ଚ ଅଟ୍ଟାଳିକା, ବ୍ୟାବସାୟିକ ପ୍ରତିଷ୍ଠାନଗୁଡ଼ିକ ପ୍ଲାନ୍‌ ଅନୁଯାୟୀ କୋଠା ନିର୍ମାଣ କରିଥିଲେ ବି ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ନଦେଲେ ଅକ୍ୟୁପାନ୍ସି ସାର୍ଟିଫିକେଟ୍ ମିଳୁନଥିଲା। ଏହି ସାର୍ଟିଫିକେଟ୍ ନଥିବାରୁ ବହୁ ସ୍ବାସ୍ଥ୍ୟାନୁଷ୍ଠାନ ଏବଂ ବିଭିନ୍ନ ବ୍ୟାବସାୟିକ ଅନୁଷ୍ଠାନ ସେମାନଙ୍କର ନବୀକରଣ ସାର୍ଟିଫିକେଟ୍ ପାଇପାରୁନଥିଲେ। ଏହାଦ୍ବାରା ଏହି ସଂସ୍ଥାଗୁଡ଼ିକ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରୁନଥିଲେ କି ସାର୍ଟିଫିକେଟ୍ ପାଉନଥିଲେ। କିନ୍ତୁ ସାଧାରଣ ଜନଜୀବନକୁ ସୁରକ୍ଷିତ ରଖିବା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ନୂଆ ନିୟମ ଅନୁଯାୟୀ, କୌଣସି କୋଠାକୁ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ମିଳିଗଲେ ବି ଉକ୍ତ କୋଠାର ପ୍ଲାନ୍‌ ନିୟମିତ ହୋଇଯିବନି। ଯଦି ବେଆଇନ ଭାବେ ନିର୍ମାଣ ହୋଇଥିବ, ତେବେ ବେଆଇନ ନିର୍ମାଣ ବୋଲି ଗଣାଯିବ। ପ୍ଲାନ୍ ଅନୁଯାୟୀ ନିର୍ମାଣ ହୋଇନଥିଲେ ଉନ୍ନୟନ କର୍ତ୍ତୃପକ୍ଷ ଅକ୍ୟୁପାନ୍ସି ସାର୍ଟିଫିକେଟ୍‌ ନଦେଇପାରିବେ, ନିୟମ ଅନୁଯାୟୀ ଉନ୍ନୟନ କର୍ତ୍ତୃପକ୍ଷ କୋଠାକୁ ସିଲ୍‌ କରିପାରିବେ କିମ୍ବା ଭାଙ୍ଗି ପାରିବେ, କୌଣସି ପରିସ୍ଥିତିରେ ବି ଅଗ୍ନିଶମ ବିଭାଗ ଉନ୍ନୟନ କର୍ତ୍ତୃପକ୍ଷଙ୍କ ନିୟମକୁ ଅତିକ୍ରମ କରିବନି। ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ଦେବା ପାଇଁ ପୂର୍ବରୁ ଯେପରି ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ଲାନ୍‌କୁ ଅନୁଧାବନ କରାଯାଉଥିଲା, ଏବେ ଅଗ୍ନିଶମ ବିଭାଗ ସର୍ବକ୍ଷମାରେ ସାର୍ଟିଫିକେଟ୍‌ ପ୍ରଦାନ କଲେ ଉନ୍ନୟନ କର୍ତ୍ତୃପକ୍ଷଙ୍କ ପ୍ଲାନ୍ ମାନିବା ଆବଶ୍ୟକ ପଡ଼ିବନି।

ଜଣେ ବ୍ୟକ୍ତି/ସଂସ୍ଥା ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ପାଇଁ ଆବେଦନ କଲେ, ଦୁଇ ସପ୍ତାହ ମଧ୍ୟରେ ସବୁ ଡକ୍ୟୁମେଣ୍ଟ ପ୍ରଦାନ କରିବ। ଏହାପରେ ତିନି ମାସ ମଧ୍ୟରେ ଅଗ୍ନିଶମ ବିଭାଗ ନିୟମ ଅନୁଯାୟୀ ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ହେବ। ତିନି ମାସ ମଧ୍ୟରେ କରି ନପାରିଲେ ଆଉ ତିନି ମାସ ସମୟ ମିଳିବ। ତେଣୁ ଆବେଦନର ୬ ମାସ ମଧ୍ୟରେ ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍ ହାସଲ କରିବାକୁ ପଡ଼ିବ। ନଚେତ୍‌ ଆବେଦନପତ୍ର ବାତିଲ୍ ହୋଇଯିବ। ଅଗ୍ନିଶମ ବିଭାଗ ଏହି ଯୋଜନା ଆରମ୍ଭ କରିଥିଲେ ହେଁ ଏହାର ଅବଧି କେତେ ଦିନ ରହିବ, ତାହା ସ୍ପଷ୍ଟ କରିନି।

ସମ୍ବନ୍ଧିତ ଖବର