ଜିଲ୍ଲା ପରିଷଦ ସଭାପତି, ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ ପାଇଁ ଜାରି ହେଲା ନିୟମାବଳୀ: ଭୋଟ୍‌ ଦିନ ମତଦାନ କେନ୍ଦ୍ରରୁ ବାହାରିବା ମନା

ଭୁବନେଶ୍ବର :ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଅନୁଯାୟୀ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଉପାଧ୍ୟକ୍ଷ ଏବଂ ଜିଲ୍ଲା ପରିଷଦର ସଭାପତି/ଉପସଭାପତି ପଦବି ପାଇଁ ପରୋକ୍ଷ ନିର୍ବାଚନ ହେବ। ଏହି ନିର୍ବାଚନ କିପରି ହେବ ସେନେଇ ଗୁରୁବାର ଦିନ ନିର୍ବାଚନ କମିସନର ନିର୍ବାଚନ ଅଧିକାରୀମାନଙ୍କ ପାଇଁ ନିୟମାବଳୀ ଜାରି କରିଛନ୍ତି।

ସମସ୍ତ ପଞ୍ଚାୟତ ସମିତିର ଅଧ୍ୟକ୍ଷ ପଦବି ନିମ‌େନ୍ତ ମାର୍ଚ୍ଚ ୧୨ରେ, ଉପାଧ୍ୟକ୍ଷ ପଦବି ନିମନ୍ତେ ମାର୍ଚ୍ଚ ୨୩ରେ ପରୋକ୍ଷ ନିର୍ବାଚନ ହେବ। ସେହିପରି ଜିଲ୍ଲା ପରିଷଦ ସଭାପତି ପଦ ପାଇଁ ମାର୍ଚ୍ଚ ୧୩ରେ ଏବଂ ଉପସଭାପତି ପଦବି ପାଇଁ ମାର୍ଚ୍ଚ ୨୫ରେ ପରୋକ୍ଷ ନିର୍ବାଚନ ହେବ। ଏହି ପଦବିଗୁଡ଼ିକ ପାଇଁ କେଉଁ ସମୟରେ କିପରି ଭୋଟ୍‌ ହେବ ସେନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ଜାରି ହୋଇଛି। ନିର୍ବାଚନ ଦିନ ନିର୍ବାଚନ ଅଧିକାରୀମାନେ ପୂର୍ବାହ୍ନ ୧୦ଟା ୩୦ରୁ ୧୧ଟା ୩୦ ପର୍ଯ୍ୟନ୍ତ ପ୍ରାର୍ଥୀମାନଙ୍କୁ ନାମାଙ୍କନପତ୍ର ଦେଇ ପୁନର୍ବାର ଗ୍ରହଣ କରିବେ। ୧୧ଟା ୩୦ରୁ ୧୨ଟା ୩୦ ମଧ୍ୟରେ ନାମାଙ୍କନପତ୍ରଗୁଡ଼ିକର ଯାଞ୍ଚ କରାଯିବ। ଅପରାହ୍ନ ୧ଟା ପୂର୍ବରୁ ପ୍ରାର୍ଥୀମାନେ ଚାହିଁଲେ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ସେହିଦିନ ଅପରାହ୍ନ ୧ଟା ୩୦ରୁ ୪ଟା ମଧ୍ୟରେ ଭୋଟ୍‌ ଗ୍ରହଣ କରାଯିବ ଓ ପରେପରେ ଭୋଟ୍‌ ଗଣତି କରି ଫଳାଫଳ ପ୍ରକାଶ କରାଯିବ। ଉପରୋକ୍ତ ପଦବିଗୁଡ଼ିକ ପାଇଁ ପରୋକ୍ଷ ନିର୍ବାଚନ ହେଉଥିବାରୁ ନିର୍ବାଚନରେ ଅଂଶଗ୍ରହଣ ନିମନ୍ତେ ସଭ୍ୟ/ସଭ୍ୟା କିମ୍ବା ନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋଇଥିବା ଅଧିକାରୀମାନେ କେହି ମତଦାନ ହେବାକୁ ଥିବା ଗୃହ ବାହାରକୁ ଯାଇପାରିବେ ନାହିଁ ବୋଲି ନିର୍ବାଚନ କମିସନ କଟକଣା ଜାରି କରିଛନ୍ତି। ଶାନ୍ତିଶୃଙ୍ଖଳାର ସହ ନିର୍ବାଚନ ପରିଚାଳନା ନିମନ୍ତେ ବିହିତ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଜିଲ୍ଲା ଆରକ୍ଷୀ ଅଧୀକ୍ଷକମାନଙ୍କୁ ନିର୍ବାଚନ କମିସନ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର