ଭୁବନେଶ୍ବର : ଗତ ୨ ବର୍ଷ ହେଲାଣି ରାଜ୍ୟରେ ଥିବା ସରକାରୀ ସ୍କୁଲରେ ପିଲାଙ୍କୁ ସ୍କୁଲ ବ୍ୟାଗ ମିଳୁନି। ଆଜି ବିଧାନସଭା ଅପରାହ୍ନ ଅଧିବେଶନରେ ପଏଣ୍ଟ ଅଫ୍ ଅର୍ଡ଼ର ଜରିଆରେ ଏହି ପ୍ରସଙ୍ଗ ଉଠାଇଥିଲେ ବିରୋଧୀ ଦଳ ନେତୀ ପ୍ରଦୀପ୍ତ ନାୟକ। ଶ୍ରୀ ନାୟକ କହିଥିଲେ, ସ୍କୁଲ ବ୍ୟାଗ୍ ପାଇଁ କେନ୍ଦ୍ର ସରକାର ୬୦% ଅର୍ଥ ଦେଉଥିବାବେଳେ ରାଜ୍ୟ ସରକାର ୪୦% ଅର୍ଥ ଦେଉଛନ୍ତି। ୨୦୧୮ରେ ସ୍କୁଲ ବ୍ୟାଗ୍ ଯୋଗାଣ ନେଇ ମଧ୍ୟ ଟେଣ୍ଡର ଅନୁମୋଦନ ହୋଇଛି। କିନ୍ତୁ ଏ ଯାଏଁ ପିଲାଙ୍କୁ ବ୍ୟାଗ୍ ପ୍ରଦାନ କରାଯାଇନି। ଏ ନେଇ ସରକାରଙ୍କୁ ନିର୍ଦ୍ଦେଶ ଦେବାକୁ ଗୃହରେ ବାଚସ୍ପତିଙ୍କୁ ଅନୁରୋଧ କରିଥିଲେ ଶ୍ରୀ ନାୟକ। ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଗୃହରେ ଉପସ୍ଥିତ ଥିବା ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କୁ ତୁରନ୍ତ ଏହାର ପ୍ରତିବିଧାନ କରିବାକୁ ରୁଲିଂ ଦେଇଥିଲେ।