ଶୂନ୍ୟକାଳରେ ଉଠିଲା ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ: ପରସ୍ପରକୁ କଟାକ୍ଷ କଲେ ଶାସକ-ବିରୋଧୀ

ଭୁବନେଶ୍ବର: ଆଜି ବିଧାନସଭାର ଶୂନ୍ୟକାଳରେ ଉଠିଛି ଧାରଣାରତ ଶିକ୍ଷକଙ୍କ ପ୍ରସଙ୍ଗ। ଶିକ୍ଷକଙ୍କ ସହ ଆଲୋଚନା କରି ଦାବିପୂରଣ ଦିଗରେ ପଦକ୍ଷେପ ନେବାକୁ ଦାବି ଉଠାଇଲେ ବିରୋଧୀ।
କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ଶିକ୍ଷକଙ୍କ ଆନ୍ଦୋଳନ ଯୋଗୁଁ ଭୁବନେଶ୍ୱର ଅଚଳ, ଆମ୍ବୁଲାନ୍ସ ଯାଇ ପାରୁନି। କିନ୍ତୁ ,ରାଜ୍ୟ ସରକାରଙ୍କ ଚିନ୍ତା ନାହିଁ। ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦ୍ମପୁରରେ ନିର୍ବାଚନ ପ୍ରଚାର କରୁଛନ୍ତି।ରାଜ୍ୟ କିପରି ଚାଲିବ ବୋଲି ପ୍ରଶ୍ନ କଲେ ନରସିଂହ। ବିଜେଡି କିପରି ଗୋଟିଏ ନିର୍ବାଚନ ଜିତିବ ସେନେଇ ଖାଲି ଚିନ୍ତା। ଶିକ୍ଷକଙ୍କ ଦାବି ଯଥାର୍ଥ। ଏଣୁ ସରକାର ତାହାକୁ ପୂରଣ ଦିଗରେ ପଦକ୍ଷେପ ନିଅନ୍ତୁ। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା ବେଳେ ଗୃହରେ ଉପସ୍ଥିତ ରହି ଆଲୋଚନା କରୁଥିଲେ।ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ଏ ଦଳ ଗଠନ ହୋଇଛି। କିନ୍ତୁ ଶିକ୍ଷା ବ୍ୟବସ୍ଥା ଭୁଷୁଡ଼ି ପଡ଼ିଛି। ଶିକ୍ଷକ ପଦବୀ ଖାଲି ପଡ଼ିଛି। ସରକାର ଶିକ୍ଷକଙ୍କ ଦାବି ପ୍ରସଙ୍ଗରେ କଣ ପଦକ୍ଷେପ ନେଇଛନ୍ତି ଗୃହକୁ ଜଣାନ୍ତୁ, ତା ପରେ ଗୃହ ଚାଲିବ, ନଚେତ୍ ଗୃହ ଚାଲିବା ଠିକ୍ ନୁହେଁ।


ଏଣେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି ଶୁନ୍ୟ କାଳରେ କହିଛନ୍ତି, ବିଧାନସଭା ବାହାରେ ତୃତୀୟ ଦିନ ପାଇଁ ଆନ୍ଦୋଳନ ଜାରି ରଖିଛନ୍ତି। ପ୍ରାୟ ଦେଢ଼ ଲକ୍ଷ ଶିକ୍ଷକ ରାତି ଦିନ ଆନ୍ଦୋଳନ ଜାରି ରଖିଛନ୍ତି। ବିରୋଧୀଙ୍କ ପକ୍ଷରୁ ଏ ପ୍ରସଙ୍ଗ ଉପସ୍ଥାପନା ପରେ ବାଚସ୍ପତି ନିର୍ଦ୍ଦେଶ ଦେଇଥିଲେ। ସରକାର ବୈଠକ କରିଥିଲେ ବି ବିଫଳ ହୋଇଥିବା ସୂଚନା ରହିଛି। ସଚିବ କହିଛନ୍ତି ତାଙ୍କ ଦାବି ବାବଦରେ ଅବଗତ ନାହାଁନ୍ତି, ମନ୍ତ୍ରୀ ଏଠି ନାହାନ୍ତି, ପଦ୍ମପୁରରେ ପ୍ରଚାର କରୁଛନ୍ତି। ଶିକ୍ଷକଙ୍କ ସହ କଣ ଆଲୋଚନା କରିଛନ୍ତି ସରକାର। ଏ ବାବଦରେ ଗୃହ ଅବଗତ ନାହିଁ। ସଚିବ କହୁଛନ୍ତି ନୂଆ ଆସିଛନ୍ତି ଦାବି ବାବଦରେ ଅବଗତ ନୁହଁନ୍ତି, କିନ୍ତୁ ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବ ଓ ମନ୍ତ୍ରୀଙ୍କ ସମେତ ସଚିବଙ୍କୁ ଅବଗତ ପୂର୍ବରୁ ଅବଗତ କରାଯାଇଛି। ବ୍ଲକ୍ ସ୍ତରରେ ବି ଏ ବାବଦରେ ଅବଗତ କରାଯାଇଛି, କିନ୍ତୁ ସରକାର ଏ ପ୍ରସଙ୍ଗରେ ସିରିଅସ ନୁହନ୍ତି କିମ୍ବା ଶୁଣିବାକୁ ଚାହୁଁନାହାନ୍ତି। କଣ ଆଲୋଚନା ହୋଇଛି ଏ ବାବଦରେ ଗୃହ ଅବଗତ ହେବା ଆବଶ୍ୟକ। ଯଦି ଆଲୋଚନା ହୋଇଛି, ତେବେ କଣ ପାଇଁ ଶିକ୍ଷକ ରାଜରାସ୍ତାରେ ବସିଛନ୍ତି। ଯଦି ଏପରି ଜାରି ରହିବ ଗୃହ ଚାଲି ପାରିବନି। ଗୃହ ଚାଲିବା ପାଇଁ ରାସ୍ତା ତିଆରି ହେଉ। ସ୍ପଷ୍ଟୀକରଣ ପାଇଁ ବାଚସ୍ପତି ସରକାରଙ୍କୁ ନିର୍ଦ୍ଦେଶ ଦିଅନ୍ତୁ।
ଅପରପକ୍ଷରେ ଶୂନ୍ୟ କାଳରେ ଭାଗ ନେଇ ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ଶିକ୍ଷକ ପ୍ରସଙ୍ଗରେ ବାଚସ୍ପତିଙ୍କ ନିର୍ଦ୍ଦେଶ କ୍ରମେ ଶିକ୍ଷକଙ୍କ ସହ ଆଲୋଚନା ହୋଇଛି। ସର୍ବଶିକ୍ଷା ଅଭିଯାନ ବନ୍ଦ ପ୍ରସଙ୍ଗ ଉଠାଇ କେନ୍ଦ୍ରକୁ ସମାଲୋଚନା କଲେ ବିଜେଡି ବିଧାୟକ ଅମର ଶତପଥୀ। କଣ ପାଇଁ ସର୍ବଶିକ୍ଷା ଅଭିଯାନ ବନ୍ଦ ହେଲା। ୟୁପିଏ ସରକାର ଗଲା ଅଛେ ଦିନ ଆସିଲା ସର୍ବଶିକ୍ଷା ଅଭିଯାନ ବନ୍ଦ ହୋଇଗଲା କହି ଆକ୍ଷେପ କଲେ। ଶିକ୍ଷକଙ୍କ ସମସ୍ୟା ପ୍ରତି ସରକାର ସମ୍ବେଦନଶୀଳ। ଗୃହ ଚାଲିବା ଆବଶ୍ୟକ। ଗୃହ ଅଚଳ ଯୋଗୁଁ ପ୍ରଶ୍ନୋତ୍ତର ଚାଲି ପାରୁନାହିଁ।ଉଦ୍ଦେଶ୍ୟମୂଳକ ଭାବେ ଗୃହ ଚାଲି ନ ପାରିଲେ ଅନ୍ୟ ସମସ୍ୟ ବିଷୟରେ କିପରି ଆଲୋଚନା ହେବ। ଏଣୁ ବିରୋଧୀମାନେ ଗୃହ ପରିଚାଳନାରେ ଭାଗ ନିଅନ୍ତୁ।

ସମ୍ବନ୍ଧିତ ଖବର