ଭୁବନେଶ୍ବର: ଏବେ ପୁଲିସର ମନୋବଳ ଭାଙ୍ଗିଦିଆଯାଉଛି। ଆଇଆଇସି, ଏସ୍‌ପିଙ୍କୁ ଶାସକ ଦଳର ପାନ ଖିଆ ଛେ‌େତଲା ପାଟିଆ କର୍ମୀ ବି ଧମକ ଦେଉଛି। ଆମ ସରକାରରେ ବିଧାୟକ ଥାନାକୁ କଲ୍ କରିବାକୁ ସାହସ କରୁ ନଥିଲେ। କିନ୍ତୁ ଏବେ ଶାସକ ଦଳ ନେତାଙ୍କ ଆଚରଣ, ଉଚ୍ଚାରଣ ହିଁ ଅପରାଧୀଙ୍କୁ ପ୍ରୋତ୍ସାହିତ କରୁଛି। ଆଜି ବିଧାନସଭାରେ ମୁଲତବୀ ପ୍ରସ୍ତାବ ଆଲୋଚନା ବେଳେ ଏମିତି ଆରୋପ ଲଗାଇଥିଲେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ। ତାଙ୍କ ସହ ସ୍ବର ମିଳାଇଥିଲେ କଂଗ୍ରେସ ବିଧାୟକ ସୋଫିଆ ଫିର୍‌ଦୋସ। ସେ ବି ଅଭିଯୋଗ କରିଥିଲେ, ମନ୍ତ୍ରୀ ଓ ବିଧାୟକଙ୍କ ଲୋକ କହି ଶାସକ ଦଳର କର୍ମୀମାନେ ଥାନାକୁ ଫୋନ୍ କରି ଧମକାଉଛନ୍ତି। ଡିଜିଙ୍କ ହାତ ବାନ୍ଧି ଦିଆଯାଇଛି। ଫଳରେ ଅପରାଧୀଙ୍କ ସାହସ ବଢ଼ିଗଲାଣି। 

Advertisment

ବିରୋଧୀଙ୍କ ଅଭିଯୋଗ ଉପରେ ଶାସକ ଦଳର ସଭ୍ୟମାନେ ସିଧାସଳଖ ଟିପ୍ପଣୀ ରଖି ନଥିଲେ। କିନ୍ତୁ ଆରୋପ ଲଗାଇଥିଲେ ଯେ ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେଡି ସରକାର ସମୟରେ ଜଣେ ବିଧାୟକ ପୁଲିସକୁ ଧମକାଉଥିବାର ଅଡିଓ ସମସ୍ତେ ଶୁଣିଛନ୍ତି। କୌଣସି ପ୍ରକାର ଅପରାଧକୁ ସରକାର ବରଦାସ୍ତ କରିବେନି। ଆଜି ନାବାଳିକା ଓ ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଘଟଣାରେ ବିରୋଧୀ ଦଳ ପକ୍ଷରୁ ମୁଲତବୀ ପ୍ରସ୍ତାବ ଆସିଥିଲା। ଆଲୋଚନା ଆରମ୍ଭ କରି ବିଜେଡି ବିଧାୟକ ଶ୍ରୀ ସାହୁ କହିଥିଲେ, ମନ୍ତ୍ରୀମାନେ ଦାୟିତ୍ବହୀନ ମନ୍ତବ୍ୟ ଚିନ୍ତାର ବିଷୟ ହୋଇଛି। ଶାସକ ଦଳ ଏବେ ବି ଉଦ୍ଦୀପନାରେ ମସ୍ଗୁଲ ଅଛନ୍ତି। ତାହାର ଫଳ ଭୋଗୁଛନ୍ତି ସାଧାରଣ ଲୋକ। ଭୁବନେଶ୍ବରରେ ଚୋରି, ଛିନ୍ତାଇ, ଅପରାଧ ଏତେ ଘଟୁଛି ଯେ କିଛି ଦିନ ପରେ ଏହା କ୍ରାଇମ୍ କ୍ୟାପିଟାଲ୍‌ରେ ପରିଣତ ହୋଇଯିବ। ଭରତପୁର, କୁଚିଣ୍ଡା, ବଙ୍ଗୋମୁଣ୍ଡା, ସାଲେପୁର କୋଉ ଜାଗା ଆଉ ନାହିଁ, ଯେଉଁଠି ଅପରାଧ ନହେଉଛି। ଅପରାଧିକ ଘଟଣା ପ୍ରତି ସରକାରୀ କଳର ନିଷ୍କ୍ରିୟତା ଓ ସମ୍ବେଦନହୀନତା ପାଇଁ ଘଟଣା ବଢ଼ିଛି। ବଲାଙ୍ଗୀରରେ କାଗଜପତ୍ର କରି ପିଲା ବିକ୍ରି କରାଯାଉଛି। ଏହା ଏକ ଜାତୀୟ ଲଜ୍ଜା। ଆମ୍ବ ଟାକୁଆ ଘଟଣାକୁ ଆପଣ ହାଲୁକା ଓ ମାମୁଲି କହି ଏଡ଼ାଇ ଗଲେ। ଶାସନତନ୍ତ୍ରରେ ମାନବବାଦ ଓ ସମ୍ବେଦନଶୀଳତା ଲୋପ ପାଇଲାଣି। ଆପଣମାନଙ୍କ ଆଚରଣ, ଉଚ୍ଚାରଣ ଅତ୍ୟନ୍ତ ଚିନ୍ତାଜନକ। ମଦମୃତ୍ୟୁ, ପୁରୀରେ ପହଣ୍ଡି ବିଭ୍ରାଟ ଓ ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଆଦି ସବୁ ପ୍ରସଙ୍ଗକୁ ହାଲ୍କା କହି ଖସିଯାଉଛନ୍ତି। ପାଞ୍ଚ ମାସ ଟପିଗଲାଣି, ଆଉ ଶିଶୁ ସରକାର ବୋଲି କହିପାରିବେନି। ଏ ସରକାରର ମୂଳଦୁଆ ହିଁ ଦୁର୍ବଳ ହୋଇଯାଇଛି।

ବିଧାନସଭାରେ ଅଭିଯୋଗ କଲେ ବିଜେଡି, କଂଗ୍ରେସ
ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ଶାସକ ଦଳ

ଗଣେଶ୍ବର ବେହେରା କହିଲେ, ରାଜ୍ୟରେ ହେଉଥିବା ଅପରାଧିକ ଘଟଣାଗୁଡ଼ିକୁ ଅସ୍ବୀକାର ନକରି ତାହାର ପୁନରାବୃତ୍ତି ନ ହେବାକୁ ଉଦ୍ୟମ କରନ୍ତୁ। ସମୟୋପଯୋଗୀ କାର୍ଯ୍ୟାନୁଷ୍ଠାନ ନନେଲେ ଅପରାଧପ୍ରବଣତାକୁ ଆପଣ ରୋକିପାରିବେ ନାହିଁ। ରାଜ୍ୟପାଳଙ୍କ ପୁଅ ଏଏସ୍ଓଙ୍କୁ ମାଡ଼ ମାରିବା ଘଟଣାରେ ଜିଲ୍ଲାପାଳ କି ରିପୋର୍ଟ ଦେଲେ ଏବଂ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା।     କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ କହିଲେ, ଭୁବନେଶ୍ବରରେ ଶିଶୁ ବିକ୍ରି ହେଉଛି। ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା କେନ୍ଦୁଝରରେ ଦେଢ଼ ବର୍ଷର ଶିଶୁକୁ ଦୁଷ୍କର୍ମ ଉଦ୍ୟମ ହୋଇଛି। ରାଜ୍ୟରେ ମହିଳାଙ୍କ ନିର୍ଯାତନା ବଢ଼ିଚାଲିଛି। ସୋଫିଆ ଫିର୍‌ଦୋସ କହିଲେ, ରାଜ୍ୟରେ ସରକାର ସିନା ବଦଳିଗଲା। କିନ୍ତୁ ମହିଳାଙ୍କ ସ୍ଥିତି ତଳକୁ ତଳ ଗଲା। ଅପରାଧୀଙ୍କ ସାହସ ବଢ଼ିଗଲାଣି। ରାଜ୍ୟପାଳଙ୍କ ପୁଅ ମାଡ଼ ମାରିବା ଘଟଣାରେ କାର୍ଯ୍ୟାନୁଷ୍ଠାନ ନାହିଁ। କୁଚିଣ୍ଡାରେ ଜଣେ ଆଦିବାସୀ ଝିଅକୁ ଦୁଷ୍କର୍ମ ଘଟଣାରେ ଅଭିଯୁକ୍ତ ଜଣେ ମନ୍ତ୍ରୀଙ୍କ ଖାସ୍ ସହଯୋଗୀ। ଥାନାକୁ ଗଲେ ପୁଲିସ ଏତଲା ରଖୁ ନାହାନ୍ତି। ଥାନାରେ ମହିଳାଙ୍କୁ ଖରାପ ବ୍ୟବହାର କରାଯାଉଛି। ଚାରିଆଡ଼େ ନୈରାଶ୍ୟ ଖେଳିଗଲାଣି। 

ବିଜେପି ସଭ୍ୟମାନେ ବିରୋଧୀଙ୍କର ଏହି ଅଭିଯୋଗକୁ ଗ୍ରହଣ କରି ନଥିବଲେ। ବରଂ ସେମାନେ ଚିରାଚରିତ ଭାବେ ୨୪ ବର୍ଷ ଶାସନର ଉଦାହରଣ ଦେଇଥିଲେ। ସେମାନେ କହିଥିଲେ, ବିରୋଧୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ବିଜେଡି ସରକାର ସମୟରେ ପ୍ରତିଦିନ ୯ଟି ଦୁଷ୍କର୍ମ ମାମଲା ଆସୁଥିଲା। ପରୀ, ସ୍ମିତାରାଣୀ, ମମିତା ମେହେର, ବେବିନା, ମାଧବୀଲତା, ଇତିଶ୍ରୀଙ୍କୁ କାହିଁକି ନ୍ୟାୟ ମିଳିଲାନି? ବିଗତ ସରକାରର ଜଣେ କ୍ୟାବିନେଟ୍ ମନ୍ତ୍ରୀଙ୍କୁ ଦିନ ଦ୍ବିପହରରେ ଗୁଳି ମାରିଦେଲେ। ସବୁ ଘଟଣାରେ ପୁଲିସ ଉପରେ ଚାପ ପକାଯାଉଥିଲା। ପୁଲିସକୁ ଭୋଟ୍ ପାଇଁ ବ୍ୟବହାର କରାଯାଉଥିଲା। ପୂର୍ବରୁ ପୀଡ଼ିତାମାନେ ଥାନାକୁ ଯିବାକୁ ଭୟ କରୁଥିଲେ। ଏବେ ମହିଳାମାନେ ନିର୍ଦ୍ବନ୍ଦ୍ବରେ ଥାନାକୁ ଯାଉଛନ୍ତି। ଏ ସରକାର ଆଇପିଏସ୍ ଅଧିକାରୀଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି। ଅପରାଧୀଙ୍କୁ ଦଣ୍ଡ ମିଳିବ। ଶାସକ ଦଳ ପକ୍ଷରୁ ସନାତନ ବିଜୁଳି, ଆଶ୍ରିତ ପଟ୍ଟନାୟକ, ଉପାସନା ମହାପାତ୍ର ଓ ଗୌରୀଶଙ୍କର ମାଝୀ ଆଲୋଚନାରେ ଭାଗ ନେଇଥିଲେ।