ତୟାପୁଟରେ ମହାବଳ ବାଘ ଗୁଜବ, ପାଦ ଚିହ୍ନରୁ ହେଟାବାଘ ବୋଲି ଚିହ୍ନଟ

ଲକ୍ଷ୍ମୀପୁର : ମହାବଳ ନୁହେଁ, ହେଟା! କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ୍‌ ଅନ୍ତର୍ଗତ ତୟାପୁଟ ଗାଁ ନିକଟରେ ମହାବଳ ବାଘ ବୁଲୁଥିବା​ ନେଇ ଯେଉଁ ପ୍ରଚାର ଚାଲିଥିଲା, ତାହା ଏକ ଗୁଜବ ବୋଲି ସ୍ପଷ୍ଟ କରିଛି ବନବିଭାଗ।

ସୂଚନା ଅନୁଯାୟୀ, ଶନିବାର ରାତିରେ ଚମ୍ପି ଗାଁର ମାର୍କଣ୍ଡ ସାହୁ ଲକ୍ଷ୍ମୀପୁର ଡାକ୍ତରଖାନାରୁ ପତ୍ନୀଙ୍କୁ ନେଇ କାର୍‌ ଯୋଗେ ଘରକୁ ଫେରୁଥିଲେ। ତୟାପୁଟ ଗାଁ ପାଖରେ ରାସ୍ତା ମଝିରେ ଗୋଟିଏ ବାଘକୁ ଦେଖି ଅଟକି ଯାଇଥିଲେ। ଗାଡ଼ିର ଲାଇଟ୍‌ ବନ୍ଦ କରି କିଛି ସମୟ ଅଟକିବା ପରେ ବାଘ ସେଠାରୁ ଚାଲି ଯାଇଥିଲା। ଏହି ଖବର ପାଇ ରବିବାର ଦିନ ରେଞ୍ଜର କୁମାର ଖରାଙ୍କ ନେତୃତ୍ଵରେ ଫରେଷ୍ଟର ପୂର୍ଣ୍ଣଚନ୍ଦ୍ର କଲେକା ଓ ବନ ବିଭାଗ ଟିମ୍‌ ତୟାପୁଟ ପହଞ୍ଚିଥିଲେ। ମାର୍କଣ୍ଡଙ୍କ ସହ ବାଘ ସଂପର୍କରେ ଆଲୋଚନା କରିଥିଲେ। ଏହାପରେ ଦିନତମାମ ବନ ବିଭାଗ ଟିମ୍ ସେହି ଅଞ୍ଚଳରେ ବୁଲି ବାଘର ସନ୍ଧାନ ଆରମ୍ଭ କରିଥିଲେ। ଗୋଟିଏ ସ୍ଥାନରେ ମିଳିଥିବା ପାଦଚିହ୍ନକୁ ଅନୁଧ୍ୟାନ କରିବା ପରେ ହେଟାବାଘ ବୋଲି ଜାଣିବାକୁ ପାଇଥିଲେ। ହେଟାବାଘକୁ ମହାବଳ ବାଘ ବୋଲି ଅପପ୍ରଚାର କରାଯାଇଥିଲା। ଯେଉଁ ଅଞ୍ଚଳରେ ହେଟାବାଘ ବୁଲୁଥିଲା ସେଠାରୁ ଅଳ୍ପ ଦୂରରେ ଡମ୍ବରୁ ବିଷୋଇଙ୍କ ବ୍ରଏଲର୍ କୁକୁଡା ଫାର୍ମ ରହିଛି। ତେଣୁ ଖାଦ୍ୟ ସନ୍ଧାନରେ ହେଟାବାଘ ଆସିଥିବା ନେଇ ଅନୁମାନ କରାଯାଉଛି ରେଞ୍ଜର କୁମାର ଖରା ପ୍ରକାଶ କରିଛନ୍ତି। ଭୟର କୌଣସି କାରଣ ନାହିଁ ତେଣୁ ଲୋକେ ଆତଙ୍କିତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ ଯେ କୋରାପୁଟ ଜିଲ୍ଲାର ସୀମାନ୍ତ କୋଟିଆ ଗ୍ରାମପୁଞ୍ଚ ଆଖପାଖ ଅଞ୍ଚଳରେ ମହାବଳ ବାଘ ରହିଥିବା ନେଇ ଗତକାଲି ପ୍ରଶାସନ ସ୍ପଷ୍ଟ କରିବା ପରେ ଏହିଭଳି ପ୍ରଚାର ହୋଇଥିଲ।

ସମ୍ବନ୍ଧିତ ଖବର