ରୁଙ୍ଗ୍‌ଟା କାରଖାନା ସଂପ୍ରସାରଣରେ କେଁ: ଜମି ଅଧିଗ୍ରହଣ ଉପରେ ହାଇକୋର୍ଟଙ୍କ ରହିତାଦେଶ, ନଭେମ୍ବର ୨୪ରେ ଶୁଣାଣି

କେନ୍ଦୁଝର : କେନ୍ଦୁଝର ଜିଲ୍ଲାରେ ମେଗା ଷ୍ଟିଲ୍‌ପ୍ଲାଣ୍ଟ ପାଇଁ ଆନ୍ଦୋଳନ ମୁଣ୍ଡ ଟେକିବାରୁ ଗତ ଜୁଲାଇ ମାସର ରୁଙ୍ଗ୍‌ଟା ଷ୍ଟିଲ ପ୍ଲାଣ୍ଟର ସଂପ୍ରସାରଣକୁ ସରକାର ମଞ୍ଜୁର କରିଥିଲେ। ଏବେ ରୁଙ୍ଗଟା ଇସ୍ପାତ କାରଖାନା ସଂପ୍ରସାରଣ ନେଇ କେଁ ବାହାରିଛି। କାରଖାନା ସଂପ୍ରସାରଣକୁ କାରାଖେଣ୍ଡରା ଗ୍ରାମବାସୀ ବିରୋଧ କରିଛନ୍ତି। କଂପାନିର ଜମି ଅଧିଗ୍ରହଣ ଉପରେ ହାଇକୋର୍ଟ ରହିତାଦେଶ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୨୪ ତାରିଖକୁ ଧାର୍ଯ୍ୟ କରଯାଇଛି।

ରୁଙ୍ଗଟା କମ୍ପାନିର ଯୋଡା ବ୍ଲକ କାରାଖେଣ୍ଡରା ଗ୍ରାମରେ ଏକ ସ୍ପଞ୍ଜ ଆଇରନ୍‌ ପ୍ଲାଣ୍ଟ ରହିଛି। ଏହାକୁ ୩ ମିଲିୟନ ଟନ୍‌ କ୍ଷମତା ବିଶିଷ୍ଟ ଇସ୍ପାତ କାରଖାନା କରିବା ପ୍ରସ୍ତାବକୁ ରାଜ୍ୟ ସରକାର ମଞ୍ଜୁରୀ ଦେଇଛନ୍ତି। କଂପାନି ପାଇଁ ଅଧିକ ଜମିର ଆବଶ୍ୟକତା ଥିବା ବେଳେ କାରଖେଣ୍ଡରା ଗ୍ରାମବାସୀ ଏହାକୁ ବିରୋଧ କରୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ, ଗତ ଜାନୁଆରି ୧୬ ତାରି‌ଖରେ ଜମି ଅଧିଗ୍ରହଣ ପାଇଁ ଏକ ଗ୍ରାମସଭା ଅନୁଷ୍ଠିତ ହୋଇଥିଲା। ଗ୍ରାମର ୧୫୧ ଏକର ଜମି ଅଧିଗ୍ରହଣ ପାଇଁ ଯୋଜନା ହୋଇଥିଲା। ତେବେ ଗ୍ରାମସଭାରେ ଗ୍ରାମବାସୀଙ୍କ କଥାକୁ ଗୁରୁତ୍ବ ଦିଆଯାଇ ନ ଥିଲା। ଏ ନେଇ ଗ୍ରାମବାସୀ ପ୍ରତିବାଦ କରିଥିଲେ। ଫେବ୍ରୁଆରି ୧୧ ତାରିଖରେ ପରିବେଶ ମଞ୍ଜୁରୀ ପାଇଁ ମଧ୍ୟ ଜନଶୁଣାଣି ହୋଇଥିଲା। ଏହାକୁ ମଧ୍ୟ ଗ୍ରାମର ପ୍ରାୟ ୩୬୪ ଜଣ ବାସିନ୍ଦା ବିରୋଧ କରିଥିଲେ। ସରକାର ଏବଂ ପ୍ରଶାସନିକ ସ୍ତରରେ ଗ୍ରାମବାସୀଙ୍କ କଥା ନ ଶୁଣାଯିବାରୁ ଲୋକେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ହାଇକୋର୍ଟରେ କେରେଖେଣ୍ଡରା ଗ୍ରାମର ଟୁପୁରା ମୁଣ୍ଡା ସମେତ ଅନ୍ୟମାନେ ପିଟିସିନ ଦାଖଲ କରିଥିଲେ।। ଡବ୍ଲ୍ୟୁପି(ସି) ପିଆଇଏଲ୍‌ ନଂ-୪୩୨୨ /୨୦୨୧ରେ ମାମଲା ହୋଇଥିବା ବେଳେ ହାଇକୋର୍ଟର ମୁଖ୍ୟ ବିଚାରପତି ଏସ୍‌ ମୁରଲୀଧର ଏହାର ବିଚାର କରୁଛନ୍ତି। ଆସନ୍ତା ନଭେମ୍ବର ୨୪ ତାରଖରେ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।

ସମ୍ବନ୍ଧିତ ଖବର