କାଳିଆପାଣି: ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ୍‌ର କାଳିଆପାଣି କ୍ରୋମ୍‌ ଉପତ୍ୟକାରୁ କ୍ରୋମାଇଟ୍‌ ଶେଷ ହୋଇ ଆସୁଛି। ପ୍ରତିବର୍ଷ ଏଠାରେ କ୍ରୋମ୍‌ ଉତ୍ତୋଳନ ପରିମାଣ ହ୍ରାସ ପାଉଛି। ବର୍ତ୍ତମାନ ଖୋଲା ଖଣିରୁ କ୍ରୋମାଇଟ୍‌ ଖନନ ଚାଲିଛି। ଆଗକୁ ଭୂତଳ କ୍ରୋମ୍‌ ଖନନ ପଦ୍ଧତି ନଆପଣାଇଲେ ଏହି ଅଞ୍ଚଳର ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲି ହୋଇଯିବ। ବ୍ୟାପକ କ୍ରୋମାଇଟ୍‌ ଉତ୍ତୋଳନ ସତ୍ତ୍ବେ ଖଣି ପାରିପାର୍ଶ୍ବିକ ଅଞ୍ଚଳର ଭାଗ୍ୟ ବଦଳି ପାରିନାହିଁ। ତେଣୁ ସବୁଖଣି ବନ୍ଦ ହୋଇଗଲେ ଏଠାକାର ସ୍ଥିତି କ’ଣ ହେବ ବୋଲି ପ୍ରଶ୍ନ ହେଉଛି। ୨୦୨୧-୨୨ ଆର୍ଥିକ ବର୍ଷରେ ସୁକିନ୍ଦା କ୍ରୋମ୍‌ ଉପତ୍ୟକାର ୮ଟି କ୍ରିୟାଶୀଳ ‌ଖଣିରୁ ୩୭ ଲକ୍ଷ ୪ ହଜାର ୩୪୭ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଉତ୍ତୋଳନ କରାଯାଇଥିଲା। ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ ସର୍ବ‌ାଧିକ ୧୩ ଲକ୍ଷ ୫୯ ହଜାର ୯୮୫ ମେଟ୍ରିକ୍‌ ଟନ୍‌, ଓଡ଼ିଶା ଖଣି ନିଗମ ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣିରୁ ପାଖାପାଖି ୧୦ ଲକ୍ଷ ମେଟ୍ରିକ୍‌ ଟନ୍‌ ଓ ସୁକ୍ରଙ୍ଗି କ୍ରୋମାଇଟ୍‌ ଖଣିରୁ ୧ ଲକ୍ଷ ୬୪ ହଜାର ମେଟ୍ରିକ୍‌ ଟନ୍‌, ଇମ୍ଫା ମହାଗିରି ଭୂତଳ କ୍ରୋମାଇଟ୍‌ ଖଣିରୁ ୨ ଲକ୍ଷ ୯୪ ହଜାର ମେଟ୍ରିକ୍‌ ଟନ୍‌ ଓ ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ ୨ ଲକ୍ଷ ୫୭ ହଜାର ମେଟ୍ରିକ୍‌ ଟନ୍, ଫେକର ଓସ୍ତପାଳ କ୍ରୋମାଇଟ୍‌ ଖଣିରୁ ପାଖାପାଖି ୨ଲକ୍ଷ ମେଟ୍ରିକ୍‌ ଟନ୍‌, ଟାଟାଷ୍ଟିଲ ସାରୁଆବିଲ କ୍ରୋମାଇଟ୍‌ ଖଣିରୁ ସାଢ଼େ ୩ ଲକ୍ଷ ମେଟ୍ରିକ୍‌ ଟନ୍‌ ଓ କମର୍ଦ୍ଦା କ୍ରୋମାଇଟ୍‌ ଖଣିରୁ ପାଖାପାଖି ୮୦ ହଜାର ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଉତ୍ତୋଳନ କରାଯାଇଥିଲା। ସେହିପରି ୨୦୨୨-୨୩ ଆର୍ଥିକ ବର୍ଷରେ କ୍ରୋମ୍‌ ଉତ୍ତୋଳନ ୩୬ ଲକ୍ଷ ୧୮ ହଜାର ମେଟ୍ରିକ୍‌ ଟନ୍‌କୁ ଖସି ଆସିଥିଲା।

Advertisment

ପୂର୍ବବର୍ଷ ତୁଳନାରେ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ ୫୦ ହଜାର ମେଟ୍ରିକ୍‌ ଟନ୍‌ କମ୍‌ କ୍ରୋମ୍‌ ଉତ୍ତୋଳିତ ‌ହୋଇପାରିଥିଲା। ଓଏମ୍‌ସି ସୁକ୍ରଙ୍ଗି ଖଣିର ଗତବର୍ଷ ତୁଳନାରେ କ୍ରୋମ୍‌ ଉତ୍ତୋଳନ ୪୮ ପ୍ରତିଶତକୁ ଖସି ଆସିଥିଲା। ଇମ୍ଫା ମହାଗିରି କ୍ରୋମାଇଟ୍‌ ଖଣିରେ ଖଣିଜ ଉତ୍ତୋଳନ ୫ ପ୍ରତିଶତ କମିଥିଲା। ଓଏମ୍‌ସି ଦକ୍ଷିଣ କାଳିଆପାଣି ଓ ଇମ୍ଫା ସୁକିନ୍ଦା କ୍ରୋମାଇଟ୍‌ ଖଣି ଓ ଫେକର ଓସ୍ତପାଳ କ୍ରୋମାଇଟ୍‌ ଖଣିରେ କ୍ରୋମ୍ ଉତ୍ତୋଳନ ୭ ରୁ ୨୦ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି ପାଇଥିବା ସୂଚନା ମିଳିଛି। ସେହିପରି ୨୦୨୩-୨୪ ଆର୍ଥିକ ବର୍ଷରେ ଜାନୁଆରି ସୁଦ୍ଧା ସୁକିନ୍ଦା ଉପତ୍ୟକା‌ରେ କ୍ରୋମ୍‌ ଉତ୍ତୋଳନ ୨୫ ଲକ୍ଷ ୯୦ ହଜାର ମେଟ୍ରିକ୍ ଟନ୍‌ ପାଖାପାଖି ରହିଛି। ଆଗାମୀ ୨ ମାସ ଅନୁକୂଳ ଋତୁ ଥିବାରୁ ଉପରୋକ୍ତ କ୍ରୋମ୍‌ ଖଣି ସମୂହରୁ ୬ ରୁ ସାଢ଼େ ୭ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଉତ୍ତୋଳନ ଲକ୍ଷ୍ୟ ରଖାଯାଇଛି। ଯାହାକି ପୂର୍ବ ୨ ବର୍ଷ ତୁଳନାରେ ୧୦ ପ୍ରତିଶତ କମ୍‌। ସର୍ବାଧିକ କ୍ରୋମ୍‌ ଉତ୍ତୋଳନରେ ରେକର୍ଡ କରିଆସିଥିବା ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରୁ ଗତ ୨ ବର୍ଷ ତୁଳନାରେ ଏବର୍ଷ ଅଧାକୁ ଖସି ଆସିବା ଆଶଂକା କରାଯାଉଛି। ଏହି ଖଣିରେ ଜାନୁଆରି ମାସ ସୁଦ୍ଧା ମାତ୍ର ୫ ଲକ୍ଷ ୫୭ ହଜାର ମେଟ୍ରିକ୍‌ ଟନ୍‌ କ୍ରୋମ୍‌ ଉତ୍ତୋଳନ ହୋଇପାରିଥିବା ଜଣାପଡ଼ିଛି।

ଏସିଆ ମହାଦେଶର ବୃହତ୍ତମ ଖୋଲା କ୍ରୋମାଇଟ୍‌ ଖଣି ଓଏମ୍‌ସି ଦକ୍ଷିଣ କାଳିଆପାଣି କ୍ରୋମାଇଟ୍‌ ଖଣି ଡି’କ୍ବାରି ୧୯୮୦ ମସିହାରୁ ୨୫ ରୁ ୨୬ ବର୍ଷ ଧରି କ୍ରମାଗତ ଭାବେ ସର୍ବାଧିକ କ୍ରୋମ୍‌ ଉତ୍ତୋଳନ କ୍ଷମତା ରଖିଆସିଥିବା ସ୍ଥଳେ ଏହି ଖଣି ଏବେ ସଂତୃପ୍ତି ଅବସ୍ଥାକୁ ଆସିଯାଇଥିବା ଲକ୍ଷ୍ୟ କରାଯାଉଛି। ୨୦୦୫ ରୁ ୨୦୦୭ ମସିହା ପର୍ଯ୍ୟନ୍ତ ଏହି ଖଣିରୁ ବାର୍ଷିକ ୧୩ ରୁ ୧୪ ଲକ୍ଷ ମେଟ୍ରିକ୍‌ ଟନ୍‌ କ୍ରୋମାଇଟ୍‌ ଉତ୍ତୋଳିତ ‌ହୋଇଥିଲା। ସମାନ ଅବସ୍ଥା ଦ୍ବିତୀୟ ସର୍ବବୃହତ୍ତ ଟାଟାଷ୍ଟିଲ ସୁକିନ୍ଦା କ୍ରୋମାଇଟ୍‌ ଖଣିରେ ପରିଲକ୍ଷିତ ହୋଇଛି। ୧୯୬୦ ମସିହାରୁ ୨୦୧୦ ମସିହା ପର୍ଯ୍ୟନ୍ତ ୫୦ ବର୍ଷ ଧରି ଏହି ଖଣିରେ କ୍ରମାଗତ ଭାବେ କ୍ରୋମ୍‌ ଉତ୍ତୋଳନ ବୃଦ୍ଧିପାଇ ବାର୍ଷିକ କ୍ଷମତା ୧୫ ଲକ୍ଷ ମେଟ୍ରିକ୍‌ ଟନ୍‌ ଛୁଇଁଥିଲା। ଏବେ ଏହାର ଉତ୍ପାଦନ କ୍ଷମତା ୩୫ ପ୍ରତିଶତ ତଳକୁଖସି ଆସିଲାଣି। ଆଗାମୀ ୫ ବର୍ଷରେ ଏହି ୨ ବୃହତ ଖଣି ସହିତ ଆଉ ୪ଟି ଖଣି ଫେକର ଓସ୍ତପାଳ କ୍ରୋମାଇଟ୍‌ ଖଣି, ଇମ୍ଫା ସୁକିନ୍ଦା କ୍ରୋମାଇଟ୍‌ ଖଣି, ଜିନ୍ଦଲ କାଳିଆପାଣି କ୍ରୋମାଇଟ୍‌ ଖଣି ଓ ବାଲେଶ୍ବର ଆଲଏଜ୍ କାଳିଆପାଣି କ୍ରୋମାଇଟ୍‌ ଖଣିରେ ସମାନ ଦୁରବସ୍ଥା ଦେଖାଦେବା ନିଶ୍ଚିତ। ଏ ସଂପର୍କରେ ଯାଜପୁରରୋଡ଼ ସର୍କଲର ଖଣି ଉପନିର୍ଦ୍ଦେଶକ ଇଂ ବିଭୂତି ଭୂଷଣ ବେହେରାଙ୍କୁ ‌ଯୋଗାଯୋଗ କରିବାରେ ଉପତ୍ୟକାରେ କ୍ରମାଗତ କ୍ରୋମ୍‌ ଉତ୍ତୋଳନ କାରଣ ପଛରେ ବନ୍ଦ ଥିବା ଏକାଧିକ ଖଣି ଓ କେତେକ ପ୍ରତିକୂଳ ପରିସ୍ଥିତି ବୋଲି ମତ ରଖିଥିଲେ। ଅଭିଜ୍ଞ ଖଣିଯନ୍ତ୍ରୀ ଇଂ ଅଶୋକ କୁମାର‌ ଘୋଷଙ୍କୁ ପଚାରିବାରେ ସୁକିନ୍ଦା କ୍ରୋମ୍‌ ଉପତ୍ୟକାରୁ ଖୋଲା ଖଣି ଖନନ ପଦ୍ଧତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଯଥାଶୀଘ୍ର ଭୂତଳ କ୍ରୋମାଇଟ୍‌ ଖଣି ପଦ୍ଧତି ନଆପଣାଇଲେ ଖଣିଅଞ୍ଚଳର ଭବିଷ୍ୟତ ଅନ୍ଧକାର ଆଡ଼କୁ ଠେଲି ହୋଇଯିବ ବୋଲି ମତ ଦେଇଥିଲେ।