ପୁରୀ : ଶ୍ରୀମନ୍ଦିର ସିଂହଦ୍ବାର ରୁପା ଛାଉଣୀ ପାଇଁ ଆବଶ୍ୟକ ରୁପା ଚାଦର, ରୁପା ଫ୍ରେମ୍ ଆଜି ପହଞ୍ଚିଛି। ଏସବୁ କଡ଼ା ସୁରକ୍ଷାରେ ଶ୍ରୀମନ୍ଦିରକୁ ନିଆଯାଇଛି। ସିଂହଦ୍ବାର ପାଇଁ ନିର୍ମାଣ ଚାଲିଥିବା କବାଟ ଲାଗିବା ପରେ ଏହା ଉପରେ ରୁପା ଦ୍ବାର ଫ୍ରେମ୍ ସହ ଚାଦର ଲଗାଯିବ।
ସିଂହଦ୍ବାର କବାଟର ସ୍ଥିତାବସ୍ଥା ଯାଞ୍ଚ ପରେ ବର୍ମା ଟିକ୍ରେ ନୂଆ କବାଟ ତିଆରି ପାଇଁ ନିଷ୍ପତ୍ତି ହୋଇଥିଲା। ସେହି ଅନୁସାରେ ନୀଳାଦ୍ରି ଭକ୍ତ ନିବାସରେ ୧୩ଜଣ କାରିଗରଙ୍କ ଦ୍ବାରା ବର୍ମା ଟିକ୍(ଶାଗୁଆନ)ରେ ଦ୍ବାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଦ୍ବାର କାମ ସରିବାପରେ ବର୍ତ୍ତମାନର ସିଂହଦ୍ବାର ଭଳି ଅବିକଳ ରୁପା ଚାଦର ଏଠାରେ ଲାଗିବ। ଏବେ କବାଟ ନିର୍ମାଣ ଜାରି ରହିଥିବାବେଳେ ଆଉ ଦୁଇଦିନ ଭିତରେ ଦ୍ବାର ଲଗାଇବାକୁ ଲକ୍ଷ୍ୟ ରଖାଯାଇଛି। ରୁପା କାରିଗରମାନେ କହିଛନ୍ତି, ଯେତେ ଶୀଘ୍ର କାଠ ଦ୍ବାର ଲାଗିବ, ସେତେ ଶୀଘ୍ର ଆମେ ରୁପା ଦ୍ବାରରେ ଲଗାଇବୁ। ରୁପା ଲଗାଇବାକୁ ଅତିବେଶିରେ ଦୁଇଦିନ ଲାଗିବ। ଯଦି କାମ ଠିକ୍ ସମୟରେ କରାଯାଏ, କାଠ ଦ୍ବାର ଲଗାଇବା, ଗ୍ରାଉଟିଂ କାମ ଓ ରୁପା ଚାଦର ଲାଗିବା ପାଞ୍ଚ ଛଅ ଦିନ ଭିତରେ ଶେଷ ହୋଇଯିବ।
ସିଂହଦ୍ବାରରେ ଲାଗିବାକୁ ଥିବା ରୁପାର ଓଜନ ୫ରୁ ୬ଶହ କେଜି ହେବ ବୋଲି କାରିଗର କହିଛନ୍ତି। ମୁମ୍ବାଇର ଜଣେ ଦାତା ଏହି ରୁପା ଦାନସୂତ୍ରରେ ଦେଇଛନ୍ତି। ଏବେ ସିଂହଦ୍ବାରରେ ଦୁଇଟି ସିଂହମୂର୍ତ୍ତି ଓ ଅନ୍ୟାନ୍ୟ କାରୁକାର୍ଯ୍ୟ ରହିଛି। ଏବେ କାଠ ଦ୍ବାର ଉପରେ ପିତ୍ତଳରେ ଏହି କାରୁକାର୍ଯ୍ୟ କରାଯାଇଛି। ସିଂହ ମୂର୍ତ୍ତି ସହ ଅବିକଳ ଅନ୍ୟାନ୍ୟ କାରୁକାର୍ଯ୍ୟ ରୁପାରେ ତିଆରି ହେବ। ଜୁନ ୩୦ ତାରିଖ ଭିତରେ ଉଭୟ ସିଂହଦ୍ବାର ଓ ଦକ୍ଷିଣି ଘର ଦ୍ବାର ସଂଯୋଗ ଓ ରୁପା ଛାଉଣୀ କାମ ଶେଷ କରିବାକୁ ସମୟ ଧାର୍ଯ୍ୟ ହୋଇଛି।