ଦୁର୍ଗମ ଗାଁ ଝିଅ ରୁପାଲି ଜିଲ୍ଲାପାଳଙ୍କୁ ଭେଟି ଆଇଏଏସ ହେବାର ମାର୍ଗଦର୍ଶନ କରିବାକୁ କଲେ ଅନୁରୋଧ

ଜୟପୁର: ଆସନ୍ତା ୩୧ତାରିଖ ଦିନ ଜୟପୁର ବିକ୍ରମ ଦେବ ମହାବିଦ୍ୟାଳୟକୁ ଆସିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଜି ଏହି କାର୍ଯ୍ୟକ୍ରମର ତଦାରଖ କରିବାକୁ ଆସିଥିଲେ ଜିଲ୍ଲାପାଳ ମହମ୍ମଦ ଆବଦଲ୍ ଆକ୍ତର, ଏସପି ଅଭିନବ ସୋନକର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଗୌରବ ଶିବାଜୀ ଇଶାଲୱାର  ଓ ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି । ମନରେ ପିଲା ବେଳରୁ ଆଇଏଏସ୍ ହେବାର ଲକ୍ଷ୍ୟ ଓ ସ୍ବପ୍ନ ଦେଖିଥିବା କୁନ୍ଦ୍ରା ବ୍ଲକର ଦୁର୍ଗମ ଲିମା ଗାଁର ରୁପାଲି ଆଚାର୍ଯ୍ୟ ନିଜ କଲେଜରେ ଏତେ ସଂଖ୍ୟକ ଆଇଏଏସ୍ ଅଧିକାରୀଙ୍କୁ ଦେଖି ସେମାନଙ୍କ ନିକଟକୁ ଆସିଥିଲେ। ନିଜ ମନରେ ଥିବା ଲକ୍ଷ୍ୟ ଓ ସ୍ବପ୍ନ କିଭଳି ପୁରଣ କରି ପାରିବେ ସେ ଦିଗରେ ଜିଲ୍ଲାପାଳଙ୍କୁ ମାର୍ଗ ଦର୍ଶନ କରିବାକୁ ଅନୁରୋଧ କରିଥିଲେ।

ଝିଅଟିର ଏଭଳି ଇଛା, ଲକ୍ଷ୍ୟ ଓ ଏତେ ଜଣ ପୁଲିସ କର୍ମଚାରୀ ଆଦି ଥିବା ସତ୍ବେ ସାହାସର ସହ ସେଠାକୁ ଆସିବା ଦେଖିକି ଏମାନଙ୍କ ସହ ଥିବା ଜୟପୁର ବିଧାୟକ ଜିଲ୍ଲାପାଳଙ୍କ ସହ ରୁପାଲିଙ୍କୁ ଭେଟାଇଥିଲେ। ରୁପାଲି ଜିଲ୍ଲାପାଳଙ୍କୁ କିଭଳି ଓ କେଉଁ ଅନୁଷ୍ଠାନରେ କୋଚିଂ ନେଇ ଆପଣ ଭାରତୀୟ ପ୍ରଶାସନିକ ସେବା( ଆଇଏଏସ) ଅଧିକାରୀ ହୋଇ ପାରିଲେ , ଆପଣଙ୍କ ସଫଳତାର ରାଜ କଣ ବୋଲି ପଚାରିଥିଲେ। ଜିଲ୍ଲାପାଳ କୌଣସି କୋଚିଂ ଅନୁଷ୍ଠାନରେ କୋଚିଂ  ନେଇ ନଥିବା କହିବା ସହ ଜିଲ୍ଲାପାଳଙ୍କ  ସହ ଆସିଥିବା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଜିଲ୍ଲାପରିଷଦ ଶ୍ରୀ  ଇଶାଲୱାରଙ୍କୁ ପରାମର୍ଶ ଦେବାକୁ କହିଥିଲେ। ସେ ଏଥି ପାଇଁ କିଛି ଅନୁଷ୍ଠାନ ର ନାମ କହିବା ସହ ଉକ୍ତ ଅନୁଷ୍ଠାନ କିମ୍ବା ବିଭିନ୍ନ ସାମାଜିକ ଗଣମାଧ୍ୟମରେ ମଧ୍ୟ ଏ ନେଇ ତାଲିମ ଦିଆଯାଉଛି ବୋଲି କହିଥିଲେ। ସେଠାରେ ଉପସ୍ଥିତ ଥିବା ସମସ୍ତେ ତାଙ୍କ ଲକ୍ଷ୍ୟ ଓ ସ୍ବପ୍ନ ସଫଳ ହେଉ  ଏବଂ ଏଦିଗରେ ରୁପାଲିଙ୍କୁ ପ୍ରୟାସ କରିବାକୁ ପରାମର୍ଶ ଦେଇଥିଲେ। ରୁପାଲି ଆଚାର୍ଯ୍ୟ ଭିଡି କ‌ଲେଜରେ ବିସିଏରେ ପଢ଼ୁଛନ୍ତି।

ଘର ତାଙ୍କର କୁନ୍ଦ୍ରା ବ୍ଲକର ଦୁର୍ଗମ ଲିମା ଗାଁରେ। ନିଜ ଗାଁ ହାଇସ୍କୁଲ ପର୍ଯ୍ୟନ୍ତ ପଢ଼ିବା ସହ ଯୁକ୍ତ ୨ କୁନ୍ଦ୍ରାରେ ପଢ଼ିଥି‌ଲେ। ସେ ପଢ଼ୁଥିବା ସମୟରେ ନିଜ ଗାଁରେ  ସ୍କୁଲରେ ପଢ଼ୁଥିବା ବେଳେ ପ୍ରଥମେ ତତ୍କାଳୀନ ଜିଲ୍ଲାପାଳ ୟାମିନୀ ଷଡଙ୍ଗୀଙ୍କୁ ଦେଖି  ତାଙ୍କ ପରି ଜଣେ ଆଇଏଏସ୍ ଅଧିକାରୀ ହେବାକୁ ମନ ବଳାଇଥିଲେ। ତାପରେ ଗୋଟିଏ ପ୍ରତିଯୋଗିତାରେ ତତ୍କାଳୀନ ଜିଲ୍ଲାପାଳ ଅନୁପ ଶାହାଙ୍କ ଠାରୁ ପୁରସ୍କାର ନେବା ସହ ଭାଷଣରେ ଅନୁପ୍ରାଣିତ ହୋଇଥିବା କହିଛନ୍ତି ରୁପାଲି। ବାପା ପତିତ ପାବନ ଆଚାର୍ଯ୍ୟ ଜଣେ ଚାଷୀ, ମାଆ ରୁପଶ୍ରୀ ଆଚାର୍ଯ୍ୟ ଗୃହିଣୀ। ମାଆ ମଧ୍ୟ ଏନସିସି କ୍ୟାଡେଟ ହୋଇଥିବାରୁ ଏବଂ ନିଜକୁ ଶୃଙ୍ଖଳିତ କରି ରଖିବା ପାଇଁ ସେ ବି ଏନସିସି କ୍ୟାଡେଟ ଭାବେ ମହିଳା ୱିଙ୍ଗରେ ଯୋଗ ଦେଇଥିବା କହିଛନ୍ତି ରୁପାଲି। ରୁପାଲି ସେଲଫି ନେବା ପାଇଁ ଅତ୍ୟନ୍ତ ନମ୍ର ଭାବେ ଅନୁରୋଧ କରିବା ସହ ଜିଲ୍ଲାପାଳ ନେବାକୁ କହିବା ପରେ ସେଲଫି ନେଇଥିଲେ। ରୁପାଲିଙ୍କ ଦୃଢ଼ ମନୋବଳ , ଲକ୍ଷ୍ୟ ଓ ସ୍ବପ୍ନ ସଂପର୍କରେ ଶୁଣିବା ପରେ ଜିଲ୍ଲାପାଳ, ଏସପି, ନିର୍ବାହୀଅଧିକାରୀ ଜିଲ୍ଲାପରିଷଦ ଖୁସି ଜା‌ହିର କରିବା ସହ ଛାତ୍ରୀ ଜଣକ ନିଶ୍ଚିତ ସଫଳ ହେବ ବୋଲି କହିଥିଲେ।

ସମ୍ବନ୍ଧିତ ଖବର