ଗଞ୍ଜାମ ଜିଲ୍ଲାରେ ଆକ୍ଟିଭେସନ୍‌ ହୋଇପାରିଲାନି ଲକ୍ଷାଧିକ ରୁପେ କିଷାନ ଡ଼େବିଟ୍‌ କାର୍ଡ଼, ୨୦୨୦ ଜାନୁଆରିରେ ପୁରିବ ମିଆଦ

ବ୍ରହ୍ମପୁର, (ପ୍ରଦୀପ କିଶୋର ସାହୁ) : ସହଜ, ସୁବିଧା ଓ ହାତ ପଆନ୍ତାରେ ଟଙ୍କା ଉଠାଇବା ଲାଗି ଚାଷୀଙ୍କ ପାଇଁ ରୁପେ କିଷାନ ଡ଼େବିଟ୍‌ କାର୍ଡ଼ ପ୍ରଚଳନ କରାଯାଇଥିଲା। କାଗଜବିହୀନ କାରବାର ଲାଗି ଏଟିଏମ୍‌ କାର୍ଡ଼ ଭଳି ରୁପେ କିଷାନ କାର୍ଡ଼ ଜରିଆରେ ଚାଷୀ କୃଷି ଋଣ ଆଦି ଉଠାଇବା ସୁବିଧା ଥିଲା। ଗଞ୍ଜାମ ଜିଲ୍ଲାକୁ ୧ଲକ୍ଷ ୧୯ହଜାର ୧୧୪ଟି ରୁପେ କାର୍ଡ଼ ଯୋଗାଇ ଦିଆ ଯାଇଥିଲା। ୨୦୨୦ ଜାନୁଆରିରେ ରୁପେ କାର୍ଡ଼ର ମିଆଦ ପୁରୁଥିବା ବେଳେ ଏଯାଏ କାର୍ଡ଼ ଗୁଡ଼ିକ ଆକ୍ଟିଭେସନ୍‌ କରାଯାଇ ନାହିଁ। ଚାଷୀ ଉକ୍ତ କାର୍ଡ଼କୁ ନେଇ ବ୍ୟବହାର ନ କରି କେବଳ ସାଇତି ରଖିବା ସାର ହୋଇଛି। ଅନ୍ୟପକ୍ଷରେ ଜିଲ୍ଲାର ପ୍ରାଥମିକ କୃଷି ସମବାୟ ସମିତି(ପ୍ୟାକ୍ସ) ଗୁଡ଼ିକୁ ଦିଆଯାଇଥିବା ମାଇକ୍ରୋ ଏଟିଏମ୍‌ ରୁପେ କାର୍ଡ଼ ମଧ୍ୟ କାମ କରୁନି।

ଚାଷୀଙ୍କୁ କାଗଜବିହୀନ କାରିବା ପାଇଁ ଉତ୍ସାହିତ କରିବା ଓ ଜମାଖାତା ଓ ଚେକ୍‌ ବହି ବ୍ୟବହାର ନ କରି ଚାଷୀ କୃଷିଋଣ ଓ ପ୍ରୋତ୍ସାହନ ଅର୍ଥ ନିକଟସ୍ଥ ବ୍ୟାଙ୍କରୁ ଉଠାଇବା ସୁବିଧା ପାଇବା ଥିଲା ରୁପେ କାର୍ଡ଼ ପ୍ରଚଳନର ଲକ୍ଷ୍ୟ। କେନ୍ଦ୍ରର ନିର୍ଦ୍ଦେଶରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ରୁପେ କିଷାନ ଡେବିଟ୍‌ କାର୍ଡ଼ ବ୍ୟବସ୍ଥା ଆରମ୍ଭ ହୋଇଥିଲା। ଏହି କାର୍ଡ଼ରେ ଚାଷୀ ଯେକୌଣସି ବ୍ୟାଙ୍କ ଏଟିଏମ୍‌ରୁ ଟଙ୍କା ଉଠାଇପାରିବା ସୁବିଧା ରହିଛି। ଗୋଟିଏ କାର୍ଡ଼ ପ୍ରସ୍ତୁତିରେ ପ୍ରାୟ ୫୩ ଟଙ୍କା ଖର୍ଚ୍ଚ ହୋଇଛି। ସେଥିରୁ ୨୫ଟଙ୍କା ନାବାର୍ଡ଼ ଓ ବାକି ଅର୍ଥ ରାଷ୍ଟ୍ରୀୟ କୃଷି ବିକାଶ ଯୋଜନା(ଆରକେଭିୱାଇ)ରୁ ଖର୍ଚ୍ଚ ହୋଇଛି।

ରୁପେ କାର୍ଡ଼ର ମିଆଦ ୫ବର୍ଷ ରହିଛି। ଏହି କାର୍ଡ଼ ବ୍ୟବସ୍ଥା ୨୦୧୭ ଜୁଲାଇ ୧ ତାରିଖ ମୁଖ୍ୟମନ୍ତ୍ରୀ ରାଜ୍ୟସ୍ତରରେ ଆରମ୍ଭ କରିଥିଲେ। ଏହାପରେ ବିଭିନ୍ନ ଜିଲ୍ଲାରେ ଆରମ୍ଭ ହୋଇଥିଲା। ଚାଷୀଙ୍କୁ ୭୦ ପ୍ରତିଶତ କୃଷି ଋଣ ସାଧାରଣତଃ ସମବାୟ ବ୍ୟାଙ୍କମାନେ ପ୍ରଦାନ କରିଥାନ୍ତି। ଗଞ୍ଜାମ ଜିଲ୍ଲାରେ ବ୍ରହ୍ମପୁର ସମବାୟ କେନ୍ଦ୍ରବ୍ୟାଙ୍କ ଏବଂ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କ କୃଷି ଋଣ ପ୍ରଦାନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛନ୍ତି। ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କକୁ ୭୪୨୯୮ଟି ଏବଂ ଆସିକା କେନ୍ଦ୍ର ସମବାୟ ବ୍ୟାଙ୍କକୁ ୪୪୮୧୬ ରୁପେ କାର୍ଡ଼ ଦିଆ ଯାଇଥିଲା। ସୋସଇଟି ଜରିଆରେ ଚାଷୀଙ୍କୁ ବଣ୍ଟନ କରିବା ଲକ୍ଷ୍ୟ ଥିଲା। ବ୍ୟାଙ୍କ ଦ୍ଵୟ ସୋସାଇଟି ଗୁଡିକୁ ଉକ୍ତ କାର୍ଡ଼ ପ୍ରଦାନ କରିଥିଲେ। କିଛି ସୋସାଇଟି ଚାଷୀଙ୍କୁ କାର୍ଡ ବଣ୍ଟନ କରିଥିବା ବେଳେ କିଛି ନ ବାଣ୍ଟି ତାହାକୁ ପକାଇ ରଖିଛନ୍ତି।

ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଯୋଗାଇ ଦିଆଯାଇଥିବା ରୁପେ କାର୍ଡ଼ର ମିଆଦ ଜାନୁଆରି ୨୦୧୫ ଠାରୁ ଜାନୁଆରି ୨୦୨୦ ଯାଏଁ ରହିଛି। ୨୦୧୭ରେ ଓଡ଼ିଶା ରାଜ୍ୟ ସମବାୟ ବ୍ୟାଙ୍କ ପକ୍ଷରୁ ଯୋଗାଇ ଏହା ଚାଷୀଙ୍କୁ ଯୋଗାଇ ଦିଆଗଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଓଡିଶା ରାଜ୍ୟ ସମବାୟ ବ୍ୟାଙ୍କ ଉକ୍ତ କାର୍ଡ଼ ଗୁଡ଼ିକ ଅଦ୍ୟାବଧି ଆକ୍ଟିଭେସନ୍‌ କରିନାହିଁ। ଚାଷୀଙ୍କୁ ବାଣ୍ଟିବାର ୩ ବର୍ଷ ପରେ ବି ଉକ୍ତ କାର୍ଡ଼ ଗୁଡିକୁ ଏ ପର୍ଯ୍ୟନ୍ତ ଆକ୍ଟିଭେସନ କରାଗଲା ନାହିଁ। ଫଳରେ ରୂପେ କାର୍ଡ ଚାଷୀଙ୍କୁ ଲଲିପପ୍‌ ସଦୃଶ ହୋଇଛି। ଦିନକ ପାଇଁ ମଧ୍ୟ ଉକ୍ତ କାର୍ଡ଼ ଚାଷୀ ବ୍ୟବହାର କରି ନଥିବା ବେଳେ ତାହାର ମିଆଦ ଆଉ ମାସକରେ ପୂରିବାକୁ ଯାଉଛି। ଗୁରୁବାର ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବ୍ରହ୍ମପୁରରେ ବ୍ରହ୍ମପୁର, ଆସିକା ଓ କୋରାପୁଟ କେନ୍ଦ୍ର ସମବାୟ ବ୍ୟାଙ୍କର ସମୀକ୍ଷା କରିଥିଲେ। ଏଜେଣ୍ଡା ଅନୁଯାୟୀ ଗୋଟିଏ ପରେ ଗୋଟିଏ ବିଷୟ ଆଲୋଚନା ହେଲା। ରୁପେ କାର୍ଡ଼ ପ୍ରସଙ୍ଗ ଆସିବାରୁ ଏହା ଆଲୋଚନା କରି ମୂଲ୍ୟ ନାହିଁ କହି ମନ୍ତ୍ରୀ ଆଗକୁ ବଢ଼ିଥିଲେ।

ଆଉ ଏକ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଚାଷୀ ଅର୍ଥ ଉଠାଣ ନିମନ୍ତେ ସହରକୁ ନ ଯାଇ ହାତ ପଆନ୍ତାରେ ନିଜ ସୋସଇଟିରୁ ଅର୍ଥ ଉଠାଇପାରିବା ଲାଗି ମାଇକ୍ରୋ ଏଟିଏମ୍‌ ବ୍ୟବସ୍ଥା କରିଛନ୍ତି। ବ୍ୟାଙ୍କ ପକ୍ଷରୁ ସୋସାଇଟି ଗୁଡ଼ିକୁ ମାଇକ୍ରୋ ଏଟିଏମ୍‌ ଯୋଗାଇ ଦିଆଯାଇଛି। ଏହି ବ୍ୟବସ୍ଥା ଅନୁଯାୟୀ ପ୍ରତି ସୋସାଇଟି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା ରଖିବେ। ଜଣେ ଚାଷୀ ଦିନକୁ ସର୍ବାଧିକ ୫ହଜାର ଟଙ୍କା ପର୍ଯ୍ୟନ୍ତ ଉଠାଇପାରିବେ। ସୋସାଇଟିକୁ ମାଇକ୍ରୋ ଏଟିଏମ୍‌ ମେସିନ୍‌ ଯୋଗାଣ ହେଲା, କିନ୍ତୁ ରୁପେ କାର୍ଡ଼ ଆକ୍ଟିଭେସନ ହୋଇନାହିଁ। ଫଳରେ ଏହି ମାଇକ୍ରୋ ଏଟିଏମ୍‌ ଚାଷୀଙ୍କ କାମରେ ଲାଗିପାରିଲା ନାହିଁ।

ଏ ସମ୍ପର୍କରେ ବ୍ରହ୍ମପୁର ସମବାୟ କେନ୍ଦ୍ର ବ୍ୟାଙ୍କ ସମ୍ପାଦକ ଭି.ତାରକାନଧମ୍‌ ନାଦ୍‌ଙ୍କୁ ପଚାରିବାରୁ ସେ କହିଥିଲେ, ରାଜ୍ୟ ସମବାୟ ବ୍ୟାଙ୍କ ରୁପେ କାର୍ଡ଼ ଆକ୍ଟିଭେସନ କରିବା କଥା। ଆମେ ବର୍ତ୍ତମାନ ସୋସାଇଟି ଗୁଡ଼ିକୁ ମାଇକ୍ରୋ ଏଟିଏମ୍‌ ଯୋଗାଇ ଦେଇଛୁ। ଆସନ୍ତା ଏକ ମାସରେ ଏହି ବ୍ୟବସ୍ଥା ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ପଦକ୍ଷେପ ନିଆଯାଉଛି।

ସମ୍ବନ୍ଧିତ ଖବର