ରୂପେଶରୁ ରୂପବତୀ ହେବାର ରହସ୍ୟ କଣ? କାହିଁକି ଲୁଟ ଉଦ୍ୟମ କରୁଥିଲେ ଦୁଇ ସାଙ୍ଗ ?

ଭୁବନେଶ୍ୱର: ରାଜଧାନୀର ଶୈଳଶ୍ରୀ ବିହାର ଅଞ୍ଚଳରେ ଛୁରାମାଡ ଘଟଣାରେ ଅଭିଯୁକ୍ତ ରୂପେଶ ପଣ୍ଡା ଓ ସଂଜୟ ପଣ୍ଡାଙ୍କୁ ଜେଲ ପଠାଇ ଦେଇଛି କମିଶନରେଟ ପୁଲିସ । ଆଉ ଏହି ଘଟଣା ପରେ ମାଆ ଓ ଝିଅଙ୍କୁ ସମ୍ମାନିତ କରାଯାଇଛି । ତେବେ ଲୋନ ପାଇଁ ରୂପେଶ ଓ ସଂଜୟ ପଣ୍ଡାଙ୍କ ଏହି ଆକ୍ରମଣ ସେମାନଙ୍କୁ ଖୁବ ମହଙ୍ଗା ପଡିଛି । ତେବେ ପଢନ୍ତୁ, କେମିତି ଓ କାହିଁକି ଏହି ଆକ୍ରମଣ ଯୋଜନା କରିଥିଲେ ରୂପେଶ ପଣ୍ଡା | ଖେଳଣା ବନ୍ଧୁକ କିଣି ଭୁବନେଶ୍ୱର ଶୈଳେଶ୍ରୀ ବିହାରରେ ପଡୋଶୀଙ୍କୁ ଲୁଟିବାର ବ୍ଲୁ-ପ୍ରିଂଟ ପ୍ରସ୍ତୁତ କରିଥିଲେ ରୂପେଶ ପଣ୍ଡା । ଆଉ ବୁଦ୍ଧି ଦେଉଥିଲେ ସହଯୋଗୀ ସଂଜୟ । ଆଉ ଦୁହେଁ ମିଶି ବଡଧରଣର ଲୁଟ୍ ପାଇଁ ଯୋଜନା ବନାଉଥିଲେ । ଏଥିପାଇଁ ବାରମ୍ବାର ବଜାରକୁ ଯାଇ କିଣି ଆଣିଥିଲେ ଛୁରି, ଦଉଡି, ଖେଳଣା ବନ୍ଧୁକ, ସେଲୋ ଟେପ୍ ଓ ମହିଳା ପୋଷାକ ।

ରୂପେଶ ଓ ସଂଜୟ ଉଭୟ ଭୁବନେଶ୍ୱର ୧ ନମ୍ବର ମାର୍କେଟରୁ ଆରମ୍ଭ କରି ପଟିଆ ବଜାରରେ ଯେଉଁ ଦୋକାନରୁ ଏସବୁ ସାମଗ୍ରୀ କିଣାକିଣି କରିଥିଲେ ସେଗୁଡିକୁ ଚିହ୍ନଟ କରିସାରିଛି ପୁଲିସ । ଏପରିକି ସେମାନଙ୍କ ବୟାନକୁ ପ୍ରମାଣ ଆକାରରେ ବ୍ୟବହାର କରିବ କମିଶନରେଟ ପୁଲିସ । ମାଆ, ଝିଅଙ୍କୁ ଆକ୍ରମଣ କରି ଲୁଟ ଉଦ୍ୟମ ଘଟଣାରେ ପୁଲିସ ଆଜି ଆଉ ଏକ ସୂଚନା ଦେଇଛି । ଗ୍ରାଫିକ୍ସ ଡିଜାଇନର ଭାବେ କାମ କରୁଥିବା ରୂପେଶ ବିଭିନ୍ନ ଆଡୁ କାମ ଧରି ଟଙ୍କା ଉଠାଇଥିଲେ । ହେଲେ କାମ ସାରିନପାରିବା ଓ ଟଙ୍କା ଫେରସ୍ତ ଦେବାରେ ଅସମର୍ଥ ହେଉଥିବାରୁ ପ୍ରବଳ ମାନସିକ ଚାପରେ ରହିଥିଲେ । ଯେଉଁଥିପାଇଁ ପଡୋଶୀଙ୍କୁ ଲୁଟି ରାତାରାତି ମାଲାମାଲ ହୋଇଯିବାର ନିଶା ତାଙ୍କୁ ଘାରିଥିଲା । ଆଉ ସେଇଥିପାଇଁ ସାଥୀ ସଂଜୟଙ୍କ ସହ ମିଶି କରିଥିଲେ ଏହି ଲୁଟ୍ ଯୋଜନା ।

ସଂଜୟ ଘଟଣାସ୍ଥଳକୁ ଆସିନଥିଲେ ବି ନିୟମିତ ଫୋନରେ ଯୋଗାଯୋଗ ରଖିଥିଲେ । ଆଜି ଦୁହିଁଙ୍କୁ କୋର୍ଟ ଚାଲାଣ କରି ଜେଲକୁ ପଠାଇ ଦିଆଯାଇଛି । ପୁରା ଫିଲ୍ମ ଶୈଳୀରେ ଲୁଟ ପାଇଁ ପ୍ରସ୍ତୁତ ହୋଇଥିଲା ବ୍ଲୁ-ପ୍ରିଂଟ୍ । ମହିଳା ବେଶରେ ଘରକୁ ପ୍ରବେଶ କରିବା ପରେ ଖେଳଣା ବନ୍ଧୁକ ଦେଖାଇ ସମସ୍ତଙ୍କୁ ଦଉଡିରେ ବାନ୍ଧି ପକାଇବା ସହ ମୁହଁରେ ସେଲୋଟେପ୍ ଦେଇ ଚୁପ କରି ଦେଇଥାନ୍ତେ ରୂପେଶ । ଆଉ ଟଙ୍କା, ପଇସା ଓ ସୁନା ଗହଣା ଲୁଟ କରି ଚମ୍ପଟ ମାରିଥାନ୍ତେ । ପୁଲିସ ଅଜଣା ଯୁବତୀଙ୍କ ପଛରେ ଲାଗିଥାନ୍ତା ଆଉ ପଡୋଶୀ ଘରେ ଥାଇ ରୂପେଶ ମଉଜ କରିଥାନ୍ତେ । ହେଲେ ମାଆ, ଝିଅଙ୍କ ସାହସିକତା ପାଇଁ ସବୁ ଯୋଜନା ପଣ୍ଡ ହୋଇଗଲା ବୋଲି ପୁଲିସ କହିଛି ।

 

ସମ୍ବନ୍ଧିତ ଖବର