ମିସେସ୍‍ ଇଣ୍ଡିଆ ଟାଇଟଲ ଜିତିଲେ ବାଲେଶ୍ବରର ରୁପ୍‍ସା

ବା‌ଲେଶ୍ବର: ମୁମ୍ବାଇରେ ଗ୍ଲାମର୍‍ ୱାର୍ଲ୍ଡ ପକ୍ଷରୁ ଆୟୋଜିତ ‘ମିସେସ୍‍ ଇଣ୍ଡିଆ-୨୦୨୨’ ର ଟାଇଟଲ୍‍ ଜିତିଛନ୍ତି ବାଲେଶ୍ବରର ଝିଅ ରୁପ୍‍ସା ନାୟକ(୨୬)। ଏହି ପ୍ରତିଯୋଗିତାରେ ଦେଶର ୨୦୦ ପ୍ରତିଯୋଗୀ ଭାଗ ନେଇଥିବା ବେଳେ ସମସ୍ତଙ୍କୁ ପଛରେ ପକାଇ ରୁପ୍‌ସା ‘ମିସେସ୍‍ ଇଣ୍ଡିଆ’ର ବିଜେତା ହୋଇଛନ୍ତି। ପ୍ରତିଯୋଗିତାର ବିଭିନ୍ନ ପର୍ଯ୍ୟାୟରେ ପରିଧାନଠୁ ଆରମ୍ଭ କରି ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମରେ ନିଜର ଅଭିଜ୍ଞତାକୁ ଦେଖାଇଥିଲେ। ତାଙ୍କର ଏହି ସଫଳତା ପାଇଁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି।

ବାଲେଶ୍ବର ସହର ତାମୁଳିଆ ଅଞ୍ଚଳର ଦୀନବନ୍ଧୁ ନାୟକ(ସ୍ବର୍ଗତ) ଓ ମା’ ସତ୍ୟଭାମା ନାୟକଙ୍କ ସାନଝିଅ ହେଉଛନ୍ତି ରୁପ୍‌ସା। ବାଲେଶ୍ବର ଜିଲ୍ଲା ସ୍କୁଲରୁ ‌ମାଟ୍ରିକ୍‌ ପାସ୍‌ କରିବା ପରେ ଇଞ୍ଜିନିଅରିଂ କରି ମୁମ୍ବାଇର ଏକ ବ୍ୟାଙ୍କରେ ଚାକିରି କରିଛନ୍ତି। ରୁପ୍‌ସା ସ୍ବାମୀ ପ୍ରୀତେଶ ମାନସଙ୍କ ସହ ସେଠାରେ ରହୁଛନ୍ତି। ତେବେ ପିଲାଟି ଦିନରୁ ମଡେଲିଂ ପ୍ରତି ରୁପ୍‌ସାର ରୁଚି ରହିଥିଲା। ଚାକିରି ଓ ପରିବାରକୁ ସମୟ ଦେବା ପରେ ବାକି ସମୟ ମଡେଲିଂରେ ଦେଇଥାନ୍ତି। ଯଦିଓ ଏହା କଷ୍ଟ ହେଲେ ରୁପ୍‌ସା ଏହାକୁ ପ୍ରମାଣିତ କରି ଦେଖାଇଛନ୍ତି। କର୍ମଜୀବୀ ଓ ବିବାହିତ ମହିଳାଙ୍କ ପାଇଁ ସେ ପ୍ରେରଣା ସାଜିଛନ୍ତି। ଏହା ପୂର୍ବରୁ ରୁପ୍‌ସା ୩୨ରୁ ଅଧିକ ମଡେଲ ସୋ’ରେ ଅଂଶଗ୍ରହଣ କରି ସଫଳତା ହାସଲ କରିଛନ୍ତି। ଚାକିରି ସହ ମଡେଲିଂକୁ ସେ ସମାନ ଗୁରୁତ୍ବ ଦେଉଥିବା ରୁପ୍‌ସା କହିଛନ୍ତି। ତାଙ୍କର ସଫଳତାର ଶ୍ରେୟ ଶ୍ରେୟ ସ୍ୱାମୀ ପ୍ରୀତେଶ ଓ ପରିବାରକୁ ଦେଇଛନ୍ତି।

ସମ୍ବନ୍ଧିତ ଖବର