ଗ୍ରାମୀଣ ଘର ଯୋଜନାରେ ଟଙ୍କା ପାଇଥିବା ହିତାଧିକାରୀ ଘର କରିନଥିଲେ ଫେରାଇବେ ଟଙ୍କା

ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ମିଳିବ

ଭୁବନେଶ୍ବର : ପଞ୍ଚାୟତିରାଜ ବିଭାଗର ଗ୍ରାମୀଣ ଘର ଯୋଜନାରେ ଯେଉଁମାନେ ୨୦୧୬-୧୭ ମସିହା ପୂର୍ବରୁ ଘର ନିର୍ମାଣ ପାଇଁ ସରକାରଙ୍କ ଠାରୁ ଟଙ୍କା ନେଇଥିଲେ କିନ୍ତୁ ଘର କରିପାରିନାହାନ୍ତି ସେମାନେ ଏବେ ପାଇଥିବା ଟଙ୍କା ଫେରାଇବେ। ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଟଙ୍କା ଫେରାଇଥିବା ହିତାଧିକାରୀଙ୍କୁ ସ୍ଥାୟୀ ପ୍ରତୀକ୍ଷା ତାଲିକାରେ ରଖାଯିବ। ଆଉ ପରବର୍ତ୍ତୀ ସମୟରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଅନୁଯାୟୀ ସହାୟତା ପ୍ରଦାନ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କୁହାଯାଇଛି।

ପଞ୍ଚାୟତିରାଜ ବିଭାଗର ସ୍ବତନ୍ତ୍ର ପ୍ରକଳ୍ପ ନିର୍ଦ୍ଦେଶକ ରାଜେଶ ପ୍ରଭାକର ପାଟିଲ ସମସ୍ତ ଡିଆରଡିଏର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ଚିଠି ଲେଖିଛନ୍ତି ଯେ, ୨୦୧୬-୧୭ ମସିହା ପୂର୍ବରୁ ଯେଉଁମାନେ ଗ୍ରାମୀଣ ଘର ଯୋଜନାରେ କୋଠା ଘର ନିର୍ମାଣ କରିବାକୁ ଟଙ୍କା ପାଇଛନ୍ତି କିନ୍ତୁ ଘର ସମ୍ପୂର୍ଣ୍ଣ କରିପାରୁ ନାହାନ୍ତି ସେମାନେ ଟଙ୍କା ଫେରାଇବେ। ହିତାଧିକାରୀମାନେ ପୁଣି ଟଙ୍କା ଫେରିପାଇବେ ଏବଂ ଭବିଷ୍ୟତରେ ଘର ମିଳିବ ବୋଲି ବିଡିଓମାନେ ହିତାଧିକାରୀଙ୍କୁ ବ୍ୟାପକ ସ‌େଚତନ କରିବେ।

ହିତାଧିକାରୀମାନେ ଟଙ୍କା ଫେରାଇବେ କି ନାହିଁ ସେ‌ ନିଷ୍ପତ୍ତି ସେମାନେ ନେବେ। ଯେଉଁମାନେ ଟଙ୍କା ଫେରାଇବେ ତାଙ୍କ ନାମ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସ୍ଥାୟୀ ପ୍ରତୀକ୍ଷା ତାଲିକାରେ ପ୍ରକାଶ ପାଇବ। ଏହାପରେ ସେମାନଙ୍କୁ କ୍ରମାନୁଯାୟୀ ଗୃହ ନିର୍ମାଣ ପାଇଁ ସହାୟତା ପ୍ରଦାନ କରାଯିବ। ବିଡିଓମାନେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପାଇଁ ଥିବା ବ୍ଲକ କଣ୍ଟିଜେନ୍ସି ଫଣ୍ଡରେ ଟଙ୍କା ଜମା କରିବେ। ପରେ ତାହାକୁ ରାଜ୍ୟ ନୋଡାଲ ଆକାଉଣ୍ଟକୁ ପଠାଇବେ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ନେଇ ଲୋକଙ୍କ ମଧ୍ୟରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରାଯିବ। ଏଥିପାଇଁ ସ୍ବୟଂ ସହାୟିକା ଗୋଷ୍ଠୀଗୁଡ଼ିକୁ ସାମିଲ୍‌ କରାଯିବ। ସେମାନେ ଘରକୁ ଘୁର ବୁଲି ଏନେଇ ସଚେତନ କରିବେ। ସମସ୍ତଙ୍କର ଯେପରି ଆଶ୍ରୟ ନେବାକୁ ଘର ହେବ ସେନେଇ ବ୍ୟାପକ ପଦକ୍ଷେପ ନେବାକୁ କୁହାଯାଇଛି।

ସମ୍ବନ୍ଧିତ ଖବର