ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଅନିୟମିତତା : ତଥ୍ୟ ଲୁଚାଇ ଟେଣ୍ଡର ହାତେଇଲେ

କେନ୍ଦୁଝର : ଗ୍ରାମ୍ୟ ଉନ୍ନୟନ ବିଭାଗ ରାସ୍ତା କାମ ଟେଣ୍ଡର ପ୍ରକ୍ରିୟାରେ ଏକାଧିକ ଠିକାଦାର ବାଲାନସ୍‌ ସିଟ୍‌ ଜାଲିଆତି କରି ଧରାପଡ଼ିବା ଘଟଣା ପ‌ରେ ଏବେ ମହାବୀର ଇନଫ୍ରା ଡେଭଲପର ପ୍ରାଇଭେଟ ଲିମିଟେଡ ନାମକ ଠିକା ସଂସ୍ଥା ତଥ୍ୟ ଲୁଚାଇ ଟେଣ୍ଡର ହାତେଇଥିବା ଘଟଣା ପଦାକୁ ଆସିଛି। ଏଭଳି ଗୋଟିଏ ପରେ ଗୋଟିଏ ଘଟଣା ପଦାକୁ ଆସୁଥିବ‌ାରୁ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗର ଟେଣ୍ଡର ପ୍ରକ୍ରିୟାରେ ବ୍ୟାପକ ଅନିୟମିତତା ହେଉଥିବା ଆଶଙ୍କା କରାଯାଉଛି।

କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଆନନ୍ଦପୁର ଡିଭିଜନର ଝଲକାଣୀଠୁ ଜିରାଙ୍ଗ ରାସ୍ତା ପ୍ୟାକେଜ ନଂ-ଓଆର-୧୭-୬୪୪ ଏବଂ କେନ୍ଦୁଝର ଡିଭିଜନର କାଞ୍ଜିପାଣିଠାରୁ ଗୁପ୍ତଗଙ୍ଗା ରାସ୍ତା ପ୍ୟାକେଜ ନଂ-ଓଆର-୧୭-୬୨୩ ଏବଂ କେନ୍ଦୁଝର ଡିଭିଜନର ଗୋପିନାଥପୁରରୁ ଗୋନାସିକା ରାସ୍ତା ପ୍ୟାକେଜ୍‌ ନଂ-ଓଆର-୧୭-୬୨୪ରେ ହୋଇଥିବା ଟେଣ୍ଡର ପ୍ରକ୍ରିୟାରେ ଯୋଗ୍ୟତା ହାସଲ କରିଛି ମହାବୀର ଇନଫ୍ରା ନାମକ ଏକ ଠିକା ସଂସ୍ଥା। ତିନୋଟି ପ୍ୟାଜେକ୍‌ ପାଇଁ ମୋଟ ୧୭ କୋଟି ୯୬ ଲକ୍ଷ ୩୭ ହଜାର ଟଙ୍କାର ଟେଣ୍ଡରରେ ମହାବୀର ଇନ୍‌ଫ୍ରା ଯୋଗ୍ୟତା ହାସଲ କରିଛି। ତେବେ ଟେଣ୍ଡର ନିୟମ ଅନୁସାରେ, ମହାବୀର ଇନ୍‌ଫ୍ରା ଏହି ତିନୋଟି ପ୍ୟା‌କେଜ ମଧ୍ୟରୁ କୌଣସି ଗୋଟିଏ ବି ଟେଣ୍ଡର ପାଇବା ପାଇଁ ଯୋଗ୍ୟତା ହାସଲ କରିବା କଥା ନୁହେଁ। ଅର୍ଥାତ ଟେଣ୍ଡର ଆବେଦନ ବେଳେ ଯେଉଁ ସବୁ ତଥ୍ୟ ଦେବା କଥା ତାହା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ଉଦ୍ଦେଶ୍ୟ ମୂଳକ ଭାବେ ନ ଜଣାଇ ଏହି ତିନୋଟି ପ୍ୟାକେଜ ଟେଣ୍ଡର ହାତେଇଥିବା ଜଣାପଡିଛି।

‘ସମ୍ବାଦ’ ଅନୁସନ୍ଧାନ ଅନୁସାରେ, କେନ୍ଦୁଝର ପୂର୍ତ୍ତ ବିଭାଗରେ ମହାବୀର ଇନ୍‌ଫ୍ରା କୁଶକଳା –ସିଂପୁର ରାସ୍ତାର ପଞ୍ଚକୂଳ ନାଳ ଉପରେ ଗୋଟିଏ ବ୍ରିଜ୍‌ କରୁଛି। ଏହି ବ୍ରିଜ୍‌ର ମୋଟ ଅଟକଳ ୪ କୋଟି ୯୮ ଲକ୍ଷ ୬୧ ହଜାର ଟଙ୍କାରୁ ମାତ୍ର ୧ କୋଟି ୨୯ ଲକ୍ଷ ୨୯ ହଜାର ଟଙ୍କାର କାମ ଶେଷ ହୋଇଛି। ସେହିପରି କୁଶକଳା-ସିଂପୁର ରାସ୍ତାର ମଡପଡା ନାଳ ଉପରେ ବ୍ରିଜ୍‌ କାମ ଏହି ସଂସ୍ଥା କରୁଛି। ଏଠାରେ ମୋଟ ୪ କୋଟି ୨୫ ଲକ୍ଷ ୫୦ ହଜାର ଟଙ୍କା ଅଟକଳ ମୂଲ୍ୟରୁ ମାତ୍ର ୧ କୋଟି ୩୧ ଲକ୍ଷ ୬୦ ହଜାର ଟଙ୍କାର କାମ ଶେଷ ହୋଇଛି। ସେହିପରି ବକ୍ସିବାରିଗାଁ-ବାୟାପଣ୍ଡାଦର ରାସ୍ତାର କାଇଁଝରୀ ନାଳ ଉପରେ ବ୍ରିଜ୍‌ କାମର ମୋଟ ୪ କୋଟି ୨୩ ଲକ୍ଷ ୪ ହଜାର ଅଟକଳରୁ ଅଦ୍ୟାବଧି ୧ କୋଟି ୪୩ ଲକ୍ଷ ୯ ହଜାର ଟଙ୍କାର ନିର୍ମାଣ କରିଛି। ଏହି କାମ ମଧ୍ୟ ଅଧାପନ୍ତରିଆ ରହିଛି। ସେହିପରି ପୁରୀ ଜିଲ୍ଲା ପୂର୍ତ୍ତ ବିଭାଗରେ ଗୋପ- କୋଣାର୍କ ରାସ୍ତାରେ ୫ କୋଟି ୨୧ ଲକ୍ଷ ଟଙ୍କାର ବ୍ରିଜ ନିର୍ମାଣ କରୁଛି ମହାବୀର ଇନଫ୍ରା। ପୁରୀ ଗ୍ରାମ୍ୟ ଉନ୍ନୟନ ବିଭାଗର ଅଧୀନରେ ଖୁରୁଣ୍ଟି –କପିଳେଶ୍ବର ରାସ୍ତରାରେ ଭାର୍ଗବୀ ନଦୀ ଉପରେ ୩ କୋଟି ୫୪ ଲକ୍ଷ ୬୫ ହଜାର ଟଙ୍କାର ବ୍ରିଜ୍‌ ସହ‌ ପୁରୀ, ନୟାଗଡ ଏବଂ କେନ୍ଦୁଝର ଜିଲ୍ଲାରେ ମଧ୍ୟ ଏକାଧିକ ନିର୍ମାଣ କାମ ଜାରି ରଖିଛି ମହାବୀର ଇନଫ୍ରା। ତେବେ କେନ୍ଦୁଝର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ହୋଇଥିବା ତିନୋଟି ପ୍ୟାକେଜ ଟେଣ୍ଡର ପ୍ରକ୍ରିୟାରେ ଆବେଦନ ବେଳେ ଉଦ୍ଦେଶ୍ୟ ମୂଳକ ଭାବେ ଏହି ସବୁ ତଥ୍ୟ ଜଣାଇ ନ ଥିବାରୁ ତାଙ୍କୁ ତିନୋଟି ପ୍ୟାକେଜ୍‌ରେ ଯୋଗ୍ୟ ଘୋଷଣା କରାଯାଇଛି।

ଟେଣ୍ଡର ପ୍ରକ୍ରିୟାର ନିୟମ ଅନୁସାରେ, ‌ପ୍ରଥମତଃ ଆବେଦନକାରୀ ବର୍ତ୍ତମାନ କେଉଁ କେଉଁ କାମ କରୁଛନ୍ତି, ତାହାର ଅଟକଳ ମୂଲ୍ୟ କେତେ ଏବଂ କେତେ ପରିମାଣର କାମ ଶେଷ କରିଛନ୍ତି ତାହା ଉପରେ ପରବର୍ତ୍ତୀ ଟେଣ୍ଡରରେ ଯୋଗ୍ୟତା ଅର୍ଜନ କରିବେ କି ନାହିଁ ନିର୍ଭର କରିଥାଏ। ତେଣୁ ଏହି ଠିକାସଂସ୍ଥାର ଟେଣ୍ଡର ପ୍ରକ୍ରିୟାରେ ସାମିଲ ହେବାର ଯୋଗ୍ୟତା ନାହିଁ। ମାତ୍ର ତଥ୍ୟ ଲୁଚାଇ ଏହି ଠିକା ସଂସ୍ଥା ମୋଟ ୧୭ କୋଟି ୯୬ ଲକ୍ଷ ୩୭ ହଜାର ଟଙ୍କାର ରାସ୍ତା କାମ ଟେଣ୍ଡରରେ ଯୋଗ୍ୟତା ଅର୍ଜନ କରିଛି। ମହାବୀର ଇନ୍‌ଫ୍ରା ଏଭଳି ତଥ୍ୟ ଲୁଚାଇ ଟେଣ୍ଡରରେ ଯୋଗ୍ୟତା ହାସଲ କରିଥିବା ସଂପର୍କରେ ଅଧୀକ୍ଷଣ ଯନ୍ତ୍ରୀ ପି.କେ.ମିଶ୍ରଙ୍କୁ ପଚରାଯିବବାରେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟାର ସମସ୍ତ କାଗଜପତ୍ର ଇଞ୍ଜିନିୟର ଇନ୍‌ ଚିଫ୍‌(ଇଆଇସି)ଙ୍କ ପାଖକୁ ଯାଇଛି। ତେଣୁ ଏବେ କିଛି କହିବା ଠିକ୍‌ ହେବ ନାହିଁ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର