କେନ୍ଦୁଝର : ଟେଣ୍ଡର ପ୍ରକ୍ରିୟାରେ ନକଲି ଦସ୍ତାବିଜ୍ ଦେଇ ସୁରେନ୍ଦ୍ର ଫସିଥିବା ବେଳେ ଗଦାଧର ଖସି ଯାଇଛନ୍ତି। 'ଟେଣ୍ଡର ହାତଇବାକୁ ନକଲି ଦସ୍ତାବିଜ୍' ଖବର ତଥ୍ୟ ପ୍ରମାଣ ସହିତ ପ୍ରକାଶ ପାଇବା ପରେ ବିଭାଗ ତନାଘନା କରି ଅନେକ ରୋଚକ ତଥ୍ୟ ହାସଲ କରିଛି। ଏହି କାରଣରୁ ଗତକାଲି ସୁପରକ୍ଲାସ କଣ୍ଟ୍ରାକ୍ଟର ସୁରେନ୍ଦ୍ର ଭୂୟାଁଙ୍କୁ ଅଯୋଗ୍ୟ ଘୋଷଣା କରି ଏହି ଟେଣ୍ଡର ପ୍ରକ୍ରିୟାରୁ ବାଦ ଦେଇଛି ଗ୍ରାମ୍ୟ ଉନ୍ନୟନ ବିଭାଗ। ମାତ୍ର ସମାନ ଢଙ୍ଗରେ ବାଲାନସ୍ ସିଟ୍ ଏବଂ ଲସ୍ ଆଣ୍ଡ ପ୍ରଫିଟ୍ ଷ୍ଟେଟମେଣ୍ଟ ସଂପର୍କିତ ନକଲି ଦସ୍ତାବିଜ୍ ଦେଇ ଟେଣ୍ଡର ହାତେଇବାରେ ସଫଳ ହୋଇଛନ୍ତି ଆଉ ଜଣେ ସୁପର କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ। ସେ ଖସି ଯାଇଛନ୍ତି।
ମିଳିଥିବା ସୂଚନା ଅନୁସାରେ, ଗ୍ରାମ୍ୟ ଉନ୍ନୟନ ବିଭାଗର ପ୍ୟାକେଜ ନଂ-ଓଆର-୧୭-୬୪୨ ଅର୍ଥାତ ହାଟଡିହି ଠାରୁ ରୁଗୁଡି ସାହି ପର୍ଯ୍ୟନ୍ତ ରାସ୍ତା କାମ ପାଇଁ ଟେଣ୍ଡର ପ୍ରକ୍ରିୟାରେ ସୁପର କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ ଆବେଦନ କରି ସଫଳ ହୋଇଥିଲେ। ସବୁଠୁ ବଡ଼ କଥା ହେଉଛି ଗଦାଧର ନାୟକ ଟେଣ୍ଡର ପ୍ରକ୍ରିୟାରେ ଦାଖଲ କରିଥିବା ବାଲାନସ୍ ସିଟ୍ ଏବଂ ଲସ୍ ଆଣ୍ଡ ପ୍ରଫିଟ୍ ଷ୍ଟେଟମେଣ୍ଟ ନକଲି ବୋଲି ଜଣାଯାଇଛି। ଏହି ଅନୁସାରେ ୨୦୧୯ ମସିହା ପାଇଁ ଗଦାଧର ନାୟକ ନିଜର ଲସ୍ ଆଣ୍ଡ ପ୍ରଫିଟ୍ ଷ୍ଟେଟମେଣ୍ଟ ବିବରଣୀରେ ନିଜର କାରବାର ୧୫ କୋଟି ୨ ଲକ୍ଷ ୩୪ ହଜାର ୩୮୦ ଟଙ୍କା ଦର୍ଶାଇଥିବା ବେଳେ ୨୦୨୦ ମସିହା ପାଇଁ ନିଜର ଲସ୍ ଆଣ୍ଡ ପ୍ରଫିଟ୍ ଷ୍ଟେଟ୍ମେଣ୍ଟ ବିବରଣୀରେ ନିଜର କାରବାର ୧୯ କୋଟି, ୮୦ ଲକ୍ଷ ୩୫,୬୭୦ ବୋଲି ଦର୍ଶାଇଛନ୍ତି।
ଏହା ଏକ ଜାଲ୍ ବାଲାନସ୍ ସିଟ୍ ଏବଂ ପ୍ରଫିଟ୍ ଆଣ୍ଡ ଲସ୍ ବିବରଣୀ ବୋଲି ପ୍ରଶ୍ନ ଉଠିଛି। ଆୟକର ନିୟମ ଅନୁସାରେ, ୨୦୧୯ ମସିହା ପରଠାରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ପାଖରୁ ଯେଉଁ ଲସ୍ ଆଣ୍ଡ ପ୍ରଫିଟ୍ ବିବରଣୀ ସଂଗ୍ରହ କରାଯାଏ, ସେଥିରେ ୟୁଡିଆଇଏନ୍ ନମ୍ବର (ୟୁନିକ୍ ଡକୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର) ନିଶ୍ଚିତ ଭାବେ ରହିଥାଏ। ଏହା ଯଦି ନ ଥାଏ, ତେବେ ସେଭଳି ପ୍ରଫିଟ୍ ଆଣ୍ଡ ଲସ୍ ବିବରଣୀ ଗ୍ରହଣୀୟ ହେବା କଥା ନୁହେଁ। ମାତ୍ର ସୁପର କ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ ଯେଉଁ ପ୍ରଫିଟ୍ ଆଣ୍ଡ ଲସ୍ ବିବରଣୀ ଦେଇଛନ୍ତି, ସେଥିରେ ୟୁଡିଆଇଏନ୍ ନମ୍ବର ନାହିଁ। ଦ୍ବିତୀୟତଃ ଏହି ପ୍ରଫିଟ୍ ଆଣ୍ଡ ଲସ୍ ବିବରଣୀ ଏବଂ ବାଲାନସ୍ ସିଟ୍ରେ ଯେଉଁ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ସ୍ବାକ୍ଷର ରହିଛି ତାହା କେନ୍ଦୁଝରର ସାମଲ ଆସୋସିଏଟସ୍ ପକ୍ଷରୁ ଚାଟାର୍ଡ ଆକାଉଣ୍ଟାଣ୍ଟ ପ୍ରଦୀପ ଜେନାଙ୍କ । ତେବେ ଏହି ଫାର୍ମ ପାଇଁ ସାମଲ ଆସୋସିଏଏଟସ୍ ବାଲାନସ୍ ସିଟ୍ ପ୍ରସ୍ତୁତ କରି ନାହାନ୍ତି ବୋଲି ସେ କହିଥିଲେ। ଏହା ଏକ ନକଲି ବାଲାନସ୍ ସିଟ୍ ଏବଂ ଲସ୍ ଆଣ୍ଡ ପ୍ରଫିଟ୍ ବିବରଣୀ ବୋଲି ସେ ସ୍ପଷ୍ଟ କରିଥିଲେ।
ଠିକ୍ ଏଭଳି ଢ଼ଙ୍ଗରେ ପୂର୍ବରୁ ଗୋପୀନାଥପୁର-ଗୋନାସିକା (ଓଆର ୧୭-୬୨୪)ରାସ୍ତା ପାଇଁ ନକଲି ଦସ୍ତାବିଜ୍ ଦାଖଲ କରିଥିଲେ ସୁପର କ୍ଲାସ କଣ୍ଟ୍ରାକ୍ଟର ସୁରେନ୍ଦ୍ର ଭୂୟାଁ। 'ସମ୍ବାଦ'ର ଅନୁସନ୍ଧାନ ଅନୁସାରେ, ୨୦୧୯ ମସିହା ଶ୍ରୀ ଭୂୟାଁ ନିଜର ଲସ୍ଆଣ୍ଡ ପ୍ରଫିଟ୍ ବିବରଣୀରେ କାରବାର ୧୫ କୋଟି ୮୦ ଲକ୍ଷ ୩୬ ହଜାର ୯୮୦ ବୋଲି ଦର୍ଶାଇବା ସହିତ ୨୦୨୦ ମସିହା ପାଇଁ ନିଜର ପ୍ରଫିଟ୍ ଆଣ୍ଡ ଲସ୍ ବିବରଣୀରେ ନିଜର କାରବାର ୧୬ କୋଟି ୪୧ ଲକ୍ଷ ୧୫ ହଜାର ୯୫୦ ବୋଲି ଦର୍ଶାଯାଇଥିଲେ। ଏଥିରେ ୟୁଡିଆଇଏନ୍ ନମ୍ବର (ୟୁନିକ୍ ଡକୁମେଣ୍ଟ ଆଇଡେଣ୍ଟିଫିକେସନ ନମ୍ବର) ନଥିଲା। ସେହିପରି ସାମଲ ଆସସୋସିଏଟ୍ ପକ୍ଷରୁ ଏହି ବାଲାନସ୍ ସିଟ୍ ପ୍ରସ୍ତୁତ କରାଯାଇଛି ବୋଲି ଦର୍ଶାଯାଇଥିବା ବେଳେ ସାମଲ ଆସୋସିଏଟ୍ ଏହା ଏକ ନକଲି ବାଲାନସ୍ ସିଟ୍ ବୋଲି ସ୍ପଷ୍ଟ କରିଥିଲେ। ଏ ସଂପର୍କରେ ସମ୍ବାଦରେ ଗତ ୧୬ ତାରିଖରେ ଖବର 'ରାସ୍ତା କାମ ହାତେଇବାକୁ ନକଲି ଦସ୍ତାବିଜ୍' ଶୀର୍ଷକ ଖବର ପ୍ରକାଶ ପାଇଥିଲା। ଏହି ଖବର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ତନାଘନା ହୋଇଥିଲା। ଏମିତିକି ସଂପୃକ୍ତ ଚାଟାର୍ଡ ଆକାଉଣ୍ଟାଣ୍ଟ ଫାର୍ମ 'ସାମଲ ଆସୋସିଏଟ୍'କୁ ସ୍ବତନ୍ତ୍ର ଚିଠି କରାଯାଇ ସୁରେନ୍ଦ୍ର ଭୂୟାଁଙ୍କ ବାଲାନସ୍ ସିଟ୍ ଅସଲି କି ନକଲି ଜାଣିବାକୁ ବିଭାଗ ଚାହିଁଥିଲା। ଏହା ଏକ ନକଲି ବାଲାନସ୍ ସିଟ୍ ବୋଲି ସାମଲ ଆସୋସିଲଏଟ୍ ପକ୍ଷରୁ ଲିଖିତ ଭାବେ ସ୍ପଷ୍ଟ କରାଯିବା ପରେ ଗତକାଲି ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ଅର୍ଡ ନଂ-୨୩୭, ୨୨/୧/୨୦୨୧ରେ ସୁରେନ୍ଦ୍ର ଭୂୟାଁଙ୍କୁ ଏହି ରାସ୍ତା କାମ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ଦିଆଯାଇଛି।
ସୁପରକ୍ଲାସ କଣ୍ଟ୍ରାକ୍ଟର ସୁରେନ୍ଦ୍ର ଭୂୟାଁ ନକଲି ଦସ୍ତାବିଜ୍ ଦାଖଲ କରି ଅଯୋଗ୍ୟ ହୋଇଥିବା ବେଳେ ଅନ୍ୟ ଜଣେ ସୁପରକ୍ଲାସ କଣ୍ଟ୍ରାକ୍ଟର ଗଦାଧର ନାୟକ ସମାନ ଧରଣର ନକଲି ଦସ୍ତାବିଜ୍ ଦେଇ କିଭଳି ଟେଣ୍ଡରରେ ସଫଳ ହେଲେ ବୋଲି ପ୍ରଶ୍ନ ଉଠିଛି। ଏ ସଂପର୍କରେ ତଦନ୍ତ କରାଗଲେ ଆହୁରି ଅନେକ ନକଲି ଦସ୍ତାବିଜ୍ ଦାଖଲକାରୀଙ୍କ ସଂପର୍କରେ ତଥ୍ୟ ଲୋକଲୋଚନକୁ ଆସିବ ବୋଲି କୁହାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/01/rural-development.jpeg)