ନକଲି ଦସ୍ତାବିଜ ଦେଉଥିବା ଠିକାଦାରଙ୍କ ବିରୋଧରେ ତୁରନ୍ତ ମାମଲା ରୁଜୁ କର
ସଂପୃକ୍ତ ଠିକାଦାରଙ୍କୁ କଳାତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ
କେନ୍ଦୁଝର : କେନ୍ଦୁଝର ଜିଲ୍ଲାର ବହୁ ଚର୍ଚ୍ଚିତ ଗ୍ରାମ୍ୟ ଉନ୍ନୟନ ବିଭାଗ ଟେଣ୍ଡର ଦୁର୍ନୀତି ସଂପର୍କରେ ‘ସମ୍ବାଦ’ରେ ଲଗାତର ଅନୁସନ୍ଧାନମୂଳକ ଖବର ପ୍ରକାଶ ପାଇବା ପରେ ଚେତିଛି ବିଭାଗ। ରୁରାଲ ୱାର୍କସର ମୁଖ୍ୟଯନ୍ତ୍ରୀ ( ଇଞ୍ଜିନିୟର ଇନ-ଚିଫ୍) ଏଥିନେଇ ସମସ୍ତ ଜିଲ୍ଲାରେ କାର୍ଯ୍ୟରତ ନିର୍ବାହୀ ଯନ୍ତ୍ରୀ ଏବଂ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ଚିଠି ଲେଖି ଏଭଳି ନକଲି ଦସ୍ତାବିଜ ଦେଉଥିବା ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ କଳାତାଲିକା ଭୁକ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମୁଖ୍ୟଯନ୍ତ୍ରୀ ଚିଠି (ନଂ-୪୩୬୨ , ତା୧୧/୨/୨୧)ରେ ଲେଖିଛନ୍ତି ଯେ ଇ-ଟେଣ୍ଡର ଆବେଦନ ବେଳେ ଟେଣ୍ଡର ଆହ୍ବାନକାରୀ କର୍ତ୍ତୃପକ୍ଷ (ଟେଣ୍ଡର ଇନ୍ଭାଇଟିଂ ଅଥରିଟି) ଉପଯୁକ୍ତ ନିର୍ଦ୍ଦେଶାବଳୀ ଅନୁସରଣ କରୁ ନାହାନ୍ତି। ନିର୍ଦ୍ଦେଶାବଳୀରେ ସ୍ପଷ୍ଟ ଲେଖା ଅଛି ଯେ ଯଦି ଠିକାଦାର ଟେଣ୍ଡର ପ୍ରକ୍ରିୟାରେ ଦାଖଲ କରିଥିବା ଦସ୍ତାବିଜ୍ ନକଲି ବୋଲି ଜଣାପଡେ, ତେବେ ସଂପୃକ୍ତ ଠିକାଦାରଙ୍କୁ ଟେଣ୍ଡର ପ୍ରକ୍ରିୟାରୁ ବାଦ୍ ଦିଆଯିବ। ଖାଲି ସେତିକି ନୁହେଁ, ଏହି ଭଳି ଠିକାଦାରଙ୍କ ବିରୋଧରେ ମାମଲା ରୁଜୁ କରିବା ସହିତ ସେମାନଙ୍କୁ କଳାତାଲିକା ଭୁକ୍ତ କରାଯିବା ଦିଗରେ ପଦକ୍ଷେପ ନେବାକୁ ମୁଖ୍ୟ ଯନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଉଲ୍ଲେଖଯୋଗ୍ୟ ଯେ ବିଭିନ୍ନ ନିର୍ମାଣ କାମର ଟେଣ୍ଡର ଆବେଦନ ବେଳେ ଅଧିକାଂଶ ଠିକାଦାର ନକଲି ଦସ୍ତାବିଜ୍ ଦେଇ ଟେଣ୍ଡର ହାତେଇ ନେଉଥିଲେ। କେନ୍ଦୁଝର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ବିଭାଗରେ ୩୬ଟି ପ୍ୟାକେଜ୍ ପାଇଁ ପ୍ରାୟ ୩୩ ଜଣ ଠିକାଦାର ଆବେଦନ କରିଥିଲେ। ମାତ୍ର ଆଶ୍ଚର୍ଯ୍ୟର କଥା ଅଧିକାଂଶ ଠିକାଦାର ଜାଲ୍ ବାଲାନସ୍ ସିଟ୍ ଏବଂ ପ୍ରଫିଟ ଲସ୍ ଷ୍ଟେଟମେଣ୍ଟ ଦାଖଲ କରିଥିଲେ। ଏ ସଂପର୍କରେ ଜଣାପଡ଼ିବା ପରେ ‘ସମ୍ବାଦ’ରେ ବାରମ୍ବାର ପ୍ରକାଶ ପାଇବା ପରେ ଗ୍ରାମ୍ୟ ଉନ୍ନୟନ ବିଭାଗ ତତ୍ପର ହୋଇ ଉଠିଥିଲା। ଏମିତିକି ଅନିୟମିତତା ଜଣାପଡ଼ିବା ପରେ ତନାଘନା ଆରମ୍ଭ କରିଥିଲା। ଏହାର ଅନୁସନ୍ଧାନ କରି ତଥ୍ୟ ପ୍ରମାଣ ପାଇବା ପରେ କେନ୍ଦୁଝର ଟାଉନ ଥାନାରେ ଏତଲା ଦେଇଥିଲା ଗ୍ରାମ୍ୟ ଉନ୍ନୟନ ବିଭାଗ। ପ୍ରଥମେ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଗଦାଧର ନାୟକ ଏବଂ ସୁରେନ୍ଦ୍ର ଭୂୟାଁଙ୍କ ନାମରେ ମାମଲା ରୁଜୁ ହୋଇଥିଲା। କେନ୍ଦୁଝର ଟାଉନ ଥାନାରେ କେସ ନଂ- ୪୪/୨୧ ଏବଂ କେସ ନଂ ୪୫/୨୧ରେ ଗତ ଜାନୁଆରି ୨୯ ତାରିଖରେ ମାମଲା ରୁଜୁ ହୋଇଥିଲା। ଏହାପରେ ତୃତୀୟ ମାମଲା ଫେବ୍ରୁଆରି ୪ ତାରିଖରେ ରୁଜୁ କରାଯାଇ ସ୍ବତନ୍ତ୍ର ଶ୍ରେଣୀ ଠିକାଦାର ଦେବେନ୍ଦ୍ର ଜେନାଙ୍କୁ କେନ୍ଦୁଝର ଟାଉନ ଥାନା ପୁଲିସ ଗିରଫ କରିଥିଲା। ଦେବେନ୍ଦ୍ର ଜେନାଙ୍କ ନାମରେ କେସ୍ ନଂ-୬୦ରେ ମାମଲା ରୁଜ ହୋଇଥିଲା। ଇତିମଧ୍ୟରେ ମାମଲା ବଢ଼ି ବଢ଼ି ୮ଟିରେ ପହଞ୍ଚିଲାଣି। କେସ୍ ନଂ- ୭୪/୨୧ରେ ରବୀନ୍ଦ୍ର କୁମାର ସାହୁଙ୍କ ନାମରେ ମାମଲା ହୋଇଥିବା ବେଳେ କେସ୍ ନଂ-୭୫/୨୧ରେ ସହଦେବ ଦାସ, କେସ୍ ନଂ-୭୬/୨୧ରେ ସୁରେଶ ପରିଡା, କେସ୍ ନଂ-୭୭/୨୧ରେ ଅସିତ କୁମାର ଜେନା, କେସ୍ ନଂ-୭୮/୨୧ରେ ଜଗଦିଶ ବେହେରାଙ୍କ ନାମରେ କେନ୍ଦୁଝର ଟାଉନ ପୋଲିସ ଷ୍ଟେସନରେ ମାମଲା ରୁଜୁ ହୋଇଛି। ତେବେ ଜଣଙ୍କୁ ଗିରଫ ପରେ ପୁଲିସ କାର୍ଯ୍ୟାନୁଷ୍ଠାନ ସେଠାରେ ହିଁ ଅଟକି ଯାଇଛି।