ପେଟି ଠିକାଦାରଙ୍କ ହାତରେ ଗାଁର ଭାଗ୍ୟ : ଅନିଶ୍ଚିତତାରେ ଗ୍ରାମାଞ୍ଚଳକୁ ବିଜୁଳି ସେବା, ଗାଁ ପିଛା ଆଦାୟ ହେଉଛି ହଜାରେରୁ ୫ ହଜାର

ପୁରୀ : ବାତ୍ୟା ଫନିକୁ ଏହା ମଧ୍ୟରେ ଦେଢ଼ ମାସ ବିତିଥିବା ବେଳେ ଏବେ ବି ସ୍ବାଭାବିକ ହୋଇପାରିନି ସ୍ଥିତି। ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳର ଲୋକେ ବେଶୀ ଦହଗଞ୍ଜ ହେଉଛନ୍ତି। ଜରିପାଲ ତଳେ ଦିନରାତି କଟୁଛି। ଏଭଳି ପରିସ୍ଥିତିରେ ସବୁଠୁ ବଡ଼ ସମସ୍ୟା ଭାବେ ଠିଆ ହୋଇଛି ବିଜୁଳି ସେବା। ଆଜି ବି ଅନେକ ଗାଁ ବିଜୁଳି ସେବାରୁ ବଞ୍ଚିତ। କେବେ ଗ୍ରାମାଞ୍ଚଳ ଆଲୋକିତ ହେବ ତାହା ମଧ୍ୟ ସଠିକ୍ ଭାବେ କହି ପାରୁନାହାନ୍ତି ବିଭାଗୀୟ ଅଧିକାରୀ। ପରିସ୍ଥିତି ବର୍ତ୍ତମାନ ଏମିତି ଯେ, ମାସେ ଭିତରେ ସବୁ ଗାଁକୁ ବିଜୁଳି ସଂଯୋଗ ଦେବା ସ୍ବପ୍ନ ଭଳି ଜଣାପଡ଼ୁଛି। ତେଣେ ବିଜୁଳି ଯନ୍ତ୍ରଣାଠୁ ବଳିଯାଇଛି ପେଟି ଠିକାଦାର ଓ ବିଜୁଳି କର୍ମଚାରୀଙ୍କ ଉତ୍କୋଚ ମନୋବୃତ୍ତି। ମାସାଧିକ କାଳ ଅନ୍ଧକାରରେ ଥିବା ଗ୍ରାମାଞ୍ଚଳର ଲୋକେ ବିଜୁଳି ସଂଯୋଗ ପାଇବା ପାଇଁ କର୍ମଚାରୀଙ୍କୁ ଗାଁ ପିଛା ହଜାରେରୁ ୫ ହଜାର ପର୍ଯ୍ୟନ୍ତ ଟଙ୍କା ଗଣୁଛନ୍ତି।

ବାତ୍ୟାରେ ପୁରୀ ଜିଲ୍ଲାର ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ବିଜୁଳି ସେବା ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲା। ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସେବାକୁ ବାହାଲ୍‌ କରିବା ଲାଗି ରାଜ୍ୟ ସରକାର ବାହାର ରାଜ୍ୟରୁ କୁଶଳୀ ଓ ଅଣକୁଶଳୀ ଶ୍ରମିକଙ୍କୁ ଆଣି କାମରେ ଲଗାଇଲେ। ସେ ଯାହା ହେଉ, ଯୁଦ୍ଧକାଳୀନ ଭିତ୍ତିରେ କାମ ଯୋଗୁ ସହରାଞ୍ଚଳରେ ବିଜୁଳି ସେବା ଏହାମଧ୍ୟରେ ସ୍ବାଭାବିକ ହୋଇପାରିଛି। ଶତପ୍ରତିଶତ ଉପଭୋକ୍ତା ବିଜୁଳି ସଂଯୋଗ ପାଇ ସାରିଛନ୍ତି। କିନ୍ତୁ ଗ୍ରାମାଞ୍ଚଳକୁ ବିଜୁଳି ସଂଯୋଗ ଦେବା ବେଳକୁ ଯଥେଷ୍ଟ ଅବହେଳା ପ୍ରଦର୍ଶନ କରିଛି ବିଦ୍ୟୁତ୍ ବିଭାଗ। ପୁରୀ ସଦର ବ୍ଲକ୍ ଏହାର ଉଦାହରଣ ମାତ୍ର। ସଦର ବ୍ଲକର ଅଧାରୁ ଅଧିକ ଅଞ୍ଚଳ ଏବେ ବି ଅନ୍ଧକାର ଭିତରେ ରହିଛି।

ବିଦ୍ୟୁତ୍ ବିଭାଗର ସୂଚନା ଅନୁସାରେ, ବାତ୍ୟା ଯୋଗୁ ପୁରୀ ଡିଭିଜନ୍ ଅଧୀନରେ ୧.୬୦ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତ ପ୍ରଭାବିତ ହୋଇଥିଲେ। ତନ୍ମଧ୍ୟରୁ ସହରାଞ୍ଚଳ ଉପଭୋକ୍ତାଙ୍କ ସଂଖ୍ୟା ୬୫ ହଜାର ଥିବା ବେଳେ ବାକି ସବୁ ଗ୍ରାମାଞ୍ଚଳର ଉପଭୋକ୍ତା ଥିଲେ। ଗ୍ରାମାଞ୍ଚଳ ଉପଭୋକ୍ତାଙ୍କ ମଧ୍ୟରୁ ୫୦ ପ୍ରତିଶତ ଅର୍ଧାତ୍ ପ୍ରାୟ ୪୫ ହଜାର ଉପଭୋକ୍ତଙ୍କୁ ବିଜୁଳି ସଂଯୋଗ ଦିଆସରିଥିବା ସେସୁ ଦାବି କରୁଛି। ଏବେ ବି ବିଦ୍ୟୁତ୍ ବିଭାଗ ପେଟି ଠିକାଦାରଙ୍କ ଜରିଆରେ ଗ୍ରାମାଞ୍ଚଳରେ କାମ ଜାରି ରଖିଛି। ଯେଉଁଠି ପେଟି ଠିକାଦାରମାନେ ନାହାନ୍ତି ସେଠାରେ ନିଜେ କର୍ମଚାରୀ ଲଗାଇ ସେସୁ କାମ କରୁଛି। ଗାଁ ଲୋକେ ବି ବିଜୁଳି ଖୁଣ୍ଟ‌ ପୋତିବାଠୁ ଆରମ୍ଭ କରି ତାର ଟାଣିବା ଯାଏ ସବୁ କାମରେ ସହଯୋଗ କରୁଛନ୍ତି। କିନ୍ତୁ ଗାଁ ଗହଳିରେ ବିଜୁଳି ସଂଯୋଗ ଦେବାରେ ପାତରଅନ୍ତର ଆରମ୍ଭ ହୋଇଯାଇଛି। ପ୍ରତାପରାମଚନ୍ଦ୍ରପୁର ପଞ୍ଚାୟତରେ ବିଜୁଳି ସଂଯୋଗ ଦେବା ଲାଗି କର୍ମଚାରୀମାନେ ଗାଁ ଲୋକଙ୍କଠାରୁ ଟଙ୍କା ଦାବି କରୁଥିବା ଗୁରୁତର ଅଭିଯୋଗ ହୋଇଛି। ଗାଁ ଲୋକଙ୍କୁ ନିଜସ୍ବ ଖର୍ଚ୍ଚରେ ଟ୍ରାକ୍ଟର ଲଗାଇ ଅବା ଅନ୍ୟ କିଛି ଗାଡ଼ି ବ୍ୟବସ୍ଥା କରି ବିଜୁଳି ଖୁଣ୍ଟ ନେବାକୁ ବାଧ୍ୟ କରାଯାଉଛି। ଏହାକୁ ନେଇ ଗାଁ ଗାଁରେ ଅସନ୍ତୋଷ ଦେଖାଦେଇଛି। ଏ ସଂପର୍କରେ ସେସୁ ନିର୍ବାହୀ ଯନ୍ତ୍ରୀ କହିଛନ୍ତି, ସେମିତି କିଛି ଅଭିଯୋଗ ମୋ ପାଖରେ ପହଞ୍ଚିନାହିଁ। ଯଦି ଅଭିଯୋଗ ହୁଏ, ତେବେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ହେବ। ଯଦି କେହି କର୍ମଚାରୀ ବିଜୁଳି ସଂଯୋଗ ପାଇଁ ଟଙ୍କା ମାଗୁଛନ୍ତି, ସେମାନଙ୍କୁ ପୁଲିସରେ ଦେବାକୁ ନିର୍ବାହୀ ଯନ୍ତ୍ରୀ କହିଛନ୍ତି।

ସମ୍ବନ୍ଧିତ ଖବର