ଦଶପଲ୍ଲା : ସ୍ବାଧୀନତାର ଦୀର୍ଘ ୭୨ ବର୍ଷ ପରେ ଦଶପଲ୍ଲା ବ୍ଲକ୍ର ଅନେକ ଆଦିବାସୀ ଗ୍ରାମକୁ ଆଜି ବି ବିଜୁଳି ଆଲୋକ ଅପହଞ୍ଚ ହୋଇ ରହିଛି। ପ୍ରତି ଘରକୁ ବିଜୁଳି ଆଲୋକ ସଂଯୋଗ ନେଇ କେନ୍ଦ୍ର ସରକାରଙ୍କଠାରୁ ଆରମ୍ଭ କରି ରାଜ୍ୟ ସରକାରଙ୍କ ପର୍ଯ୍ୟନ୍ତ ବହୁ ଯୋଜନା କାର୍ଯ୍ୟକାରୀ ହୋଇଥିବା ବେଳେ ଅନେକ ଆଦିବାସୀ ପରିବାରଙ୍କ ପାଇଁ ଡିବିରି ଆଲୋକ ସାହାରା ସାଜିଛି। କେଉଁଠାରେ ଟ୍ରାନ୍ସଫରମର୍ ବସିଛି ତ ପୁଣି କେଉଁଠି ଲୋକଙ୍କ ଘର ଓୟାରିଂ କାର୍ଯ୍ୟ ସରିଛି। ଆଉ କେଉଁଠି ଗାଁରେ କେବଳ ବିତ୍ ଖୁଂଟ ପୋତାଯାଇଛି ତ ଆଉ କେଉଁ ଗାଁରେ ଆଦୌ ଖୁଂଟ ପଡ଼ି ନଥିବା ଦେଖିବାକୁ ମିଳିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଦଶପଲ୍ଲା ବ୍ଲକ୍ ଅନ୍ତର୍ଗତ ଉପାନ୍ତ ନୂଆଗାଁ, କଳସାଖମଣ ଏବଂ ଦୁଡ଼ା ପଞ୍ଚାୟତର ଅନେକ ଆଦିବାସୀ ପରିବାର ଏଭଳି ଦୁର୍ଦ୍ଦଶା ମଧ୍ୟରେ ଗତି କରୁଥିବା ଅଭିଯୋଗ ହେଉଛି। ନୂଆଗାଁ ପଞ୍ଚାୟତର ସରଝୋଳା, ବାଘସାହି, ଦୁଆରୀ ସାହି, ଅଧିକାରୀ ସାହି ଏବଂ କୁସୁମ ସାହି ପ୍ରଭୃତି ଗ୍ରାମ ପାଇଁ ଟ୍ରାନ୍ସଫର୍ମର୍ ବସିଥିବା ବେଳେ ପ୍ରତି ଘରେ ଓୟାରିଂ କାର୍ଯ୍ୟ ଶେଷ ହୋଇଯାଇଛି। ହେଲେ ଦୀର୍ଘ ୪ ମାସ ହେଲା କୌଣସି ବିଦ୍ୟୁତ୍ କର୍ମଚାରୀ କିମ୍ବା ଠିକା କର୍ମଚାରୀଙ୍କ ଦେଖା ମିଳୁନଥିବା ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କିଶୋର ଚନ୍ଦ୍ର ଦଳବେହେରା ଅଭିଯୋଗ କରିଛନ୍ତି। ସେହିପରି କଳସାଖମଣ ପଞ୍ଚାୟତର ଭୋଗବାଡି ଏବଂ ଦୁଡା ପଂଚାୟତର ଗୋଛାବାରୀ ଗ୍ରାମରେ ଆଜି ପର୍ଯ୍ୟନ୍ତ ବିଦ୍ୟୁତ୍ ଖୁଂଟଟିଏ ପୋତା ଯାଇପାରି ନଥିବା ସେ ପ୍ରକାଶ କରିଛନ୍ତି। ବିଦ୍ୟୁତ୍ ସଂଯୋଗ ପାଇଁ ଅଂଚଳବାସୀ ବହୁ ଦାବି ଏବଂ ଆନ୍ଦୋଳନ କରିବା ପରେ ଆଜି ପର୍ଯ୍ୟନ୍ତ ସେମାନଙ୍କ ପାଇଁ ବିଜୁଳି ଆଲୋକ ସାତସପନ ପାଲଟିଛି। କିନ୍ତୁ ଏ ସମ୍ପର୍କରେ ବିଦ୍ୟୁତ୍ ବିଭାଗ (ସେସୁ)ର ନୂଆଗାଁ ସେକ୍ସନ କନିଷ୍ଠ ଯନ୍ତ୍ରୀ ଏମ୍. ଶ୍ରୀନିବାସ ରାଓ କହିଛନ୍ତି, ସେସବୁ ଗାଁରେ କାମ ଚାଲିଥିବା ବେଳେ ଫନି ବାତ୍ୟା ପରେ ଠିକାଦାର ପଳାଇଛନ୍ତି ଏବଂ ଖୁବ୍ ଶୀଘ୍ର ବିଦ୍ୟୁତ୍ ସଂଯୋଗ କରାଯିବ।