ସ୍ୱାସ୍ଥ୍ୟ ସେବାର ବିକଳ ଚିତ୍ର

୫ କିମି ଚାଲିଲେ, ଡଙ୍ଗାରେ ଗଲେ

ମାଲକାନଗିରି/ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲାରେ ଥମୁନି ଜନନୀ ଯନ୍ତ୍ରଣା। ଗାଁକୁ ପକ୍କା ରାସ୍ତା ନଥିବାରୁ ଆଜି ପୁଣି ଜଣେ ଗର୍ଭବତୀ କାଦୁଅରେ ପଶି ୫କିଲୋମିଟର ଚାଲିଲେ। ପୁଣି ଦେଶୀ ଡଙ୍ଗାରେ ବିପଦ ସଂକୁଳ ଅବସ୍ଥାରେ ନଦୀ ପାର ହେଲେ। ବହୁ କଷ୍ଟରେ ମେଡିକାଲରେ ପହଞ୍ଚି ଶିଶୁ ପୁତ୍ର ପ୍ରସବ କରିଛନ୍ତି। ଉଭୟ ମା’ ଓ ନଜବାତ ଶିଶୁ ସୁସ୍ଥ ଅଛନ୍ତି। କିନ୍ତୁ ଗର୍ଭବତୀଙ୍କ ପ୍ରସବ ପୂର୍ବର ଦୁର୍ଦଶା ସରକାରୀ ଯୋଜନାର ବାସ୍ତବତାକୁ ପଦାରେ ପକାଇ ଦେଇଛି।

ସୂଚନା ଅନୁଯାୟୀ, ଚିତ୍ରକୋଣ୍ଡା ବ୍ଲକ ପେପରମେଟଲା ପଞ୍ଚାୟତ ଅନ୍ତର୍ଗତ ସିରିଆଗୁଡା ଗାଁର ଫୁଲମତି ସେଠୀ ଆଜି ସକାଳେ ପ୍ରସବ ବେଦନା ଅନୁଭବ କରିଥିଲେ। ବର୍ଷା ଲାଗି ରହିଥିବା ବେଳେ ରାସ୍ତାଘାଟର ଯାହା ଅବସ୍ଥା ରହିଛି ସେଥିରେ ମେଡିକାଲ ନେବାକୁ ସାହସ ଜୁଟାଇ ପାରି ନଥିଲେ ପରିବାର ଲୋକ। ଏହି ଖବର ପାଇ ଆଶା କର୍ମୀ ସୁମିତ୍ରା ସେଠୀ ଗାଁରେ ପହଞ୍ଚିଥିଲେ। ଫୁଲମତିଙ୍କ ଅବସ୍ଥା ଦେଖି ଚିନ୍ତା ପ୍ରକଟ କରି ତୁରନ୍ତ ମେଡିକାଲ ନେବାକୁ ବାଧ୍ୟ କରିଥିଲେ। ଖଟିଆ କିମ୍ବା କାଉଡି କରି ନେବାକୁ କୌଣସି ସୁବିଧା ନଥିବାରୁ ପରିବାର ଲୋକ ବାଧ୍ୟ ହୋଇ ଘରୁ ଗର୍ଭବତୀଙ୍କୁ ଚଲାଇ ଚଲାଇ ୩କିଲୋମିଟର ଦୂର ମାଳିଗୁଡା ନାଳ ନିକଟକୁ ଆଣିଥିଲେ। ସେଠାରୁ ଗୋଟିଏ ଦେଶୀ ଡଙ୍ଗାରେ ନାଳକୁ ପାର କରି ପୁଣି ୨କିଲୋମିଟର ଗର୍ଭବତୀଙ୍କୁ ଚଲାଇଥିଲେ। ୫କିଲୋମିଟର ଚାଲିବା ସହ ଡଙ୍ଗାରେ ଯାତ୍ରା କରି ବହୁ କଷ୍ଟରେ ଫୁଲମତି ମୁଖ୍ୟ ଛକରେ ପହଞ୍ଚିଥିଲେ। ସେଠାରୁ ଆରୋଗ୍ୟ ପ୍ଲସ ଆମ୍ବୁଲେନସ ଯୋଗେ ତାଂକୁ ଚିତ୍ରକୋଣ୍ଡା ମେଡିକାଲକୁ ନିଆଯାଇଥିଲା। ଚିତ୍ରକୋଣ୍ଡା ଡାକ୍ତରଖାନାରେ ଫୁଲମତି ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇଛନ୍ତି। ଡାକ୍ତରଙ୍କ କହିବା ଅନୁଯାୟୀ ମା’ ଓ ଶିଶୁପୁତ୍ର ସୁସ୍ଥ ରହିଛନ୍ତି।

ଗାଁକୁ ପଶି ପାରିଲାନି ଆମ୍ବୁଲାନ୍ସ : ଖଟିଆରେ ପ୍ରସବ କଲେ ଗର୍ଭବତୀ

ବାଲେଶ୍ୱର/ରେମୁଣା : ରେମୁଣା ବ୍ଲକ ବିରୁଅାଁ ପଞ୍ଚାୟତ ପୋଖରୀସାହିର ବାପୁନ ସିଂଙ୍କ ପତ୍ନୀ ମୀନାଙ୍କ ପ୍ରସବ ଯନ୍ତ୍ରଣା ଆରମ୍ଭ ହେବାରୁ ପରିବାର ଲୋକେ ମେଡିକାଲ ନେବାପାଇଁ ଆମ୍ବୁଲାନ୍ସକୁ ଫୋନ୍‌ କଲେ। ଆମ୍ବୁଲାନ୍ସ ଆସିଲା ହେଲେ ଦାଉ ସାଧିଲା ରାସ୍ତା। ଗାଁ ଭିତରକୁ ପଶି ପାରିଲାନି ଆମ୍ବୁଲାନ୍ସ। ସେପଟେ ମୀନା ପ୍ରସବ ଯନ୍ତ୍ରଣାରେ ଛଟପଟ ହେଉଥାନ୍ତି। ନିରୁପାୟ ହୋଇ ପରିବାର ଲୋକେ ତାଙ୍କୁ ଖଟିଆରେ ବୋହି ଆମ୍ବୁଲାନ୍ସ ପର୍ଯ୍ୟନ୍ତ ଆଣିବା ବାଟରେ ଜନ୍ମନେଲା ଏକ କନ୍ୟାସନ୍ତାନ। ଛକମୁଣ୍ଡରେ ଅଟକି ଥିବା ଆମ୍ବୁଲାନ୍ସ ଓ ଆଶାକର୍ମୀଙ୍କ ସାହାଯ୍ୟରେ ମୀନାଙ୍କୁ ରେମୁଣା ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ସେ ଆଉ ଏକ ଶିଶୁକନ୍ୟାକୁ ଜନ୍ମ ଦେଇଛନ୍ତି।

ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ଅଭିଯୋଗ; ଉଦଳାରେ ଉତ୍ତେଜନା

ଉଦଳା (୧) : ଉଦଳା ଡାକ୍ତରଖାନାରେ ଚିକିତ୍ସା ଅବହେଳାରୁ ପ୍ରସୂତିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ନେଇ ଆଜି ଉତ୍ତେଜନା ସୃଷ୍ଟି ହୋଇଛି। ଡାକ୍ତରଙ୍କ ଅବହେଳାକୁ ଦାୟୀ କରି ପ୍ରଥମେ ଡାକ୍ତରଖାନା ସାମ୍ନାରେ ଓ ପରେ ଥାନା ଛକରେ ୧୧ ଘଣ୍ଟା ଧରି ଶବ ରଖି ଧାରଣା ଦେଇଛନ୍ତି ପରିବାରବର୍ଗ। ଧାରଣାକାରୀଙ୍କୁ ହଟାଇବାକୁ ଯାଇ ପୁଲିସ ଓ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଛି।

ଖବର ଅନୁଯାୟୀ, କପ୍ତିପଦା ଥାନା ପଦ୍ମପୋଖରୀ ଗ୍ରାମର ତପନ ମହାପାତ୍ରଙ୍କ ପତ୍ନୀ ରଶ୍ମିତାଙ୍କର ଶୁକ୍ରବାର ସକାଳେ ପ୍ରସବ ଯନ୍ତ୍ରଣା ହେବାରୁ ପରିବାର ଲୋକେ ତାଙ୍କୁ ଉଦଳା ଡାକ୍ତରଖାନାର ସ୍ତ୍ରୀ ଏବଂ ପ୍ରସୂତି ବିଭାଗରେ ଭର୍ତ୍ତି କରିଥିଲେ। ସେଠାରେ ସେ ଦିନ ୧୨ଟାରେ ଏକ ଶିଶୁ କନ୍ୟା ଜନ୍ମ ଦେବାପରେ ସମ୍ପୃକ୍ତ ଓ୍ଵାର୍ଡର ଏକ କେବିନ୍‌ରେ ଚିକିତ୍ସିତ ହେଉଥିଲେ। ତେବେ ରାତି ପ୍ରାୟ ୧୧ଟାରେ ତାଙ୍କର ଯନ୍ତ୍ରଣା ବଢ଼ିବା ସହ ରକ୍ତସ୍ରାବ ହେବାରୁ ରଶ୍ମିତାଙ୍କ ମାଆ ରଜନୀ ଡାକ୍ତରଙ୍କୁ ଡାକିବାକୁ କହିଥିଲେ। ହେଲେ ଡାକ୍ତର ଅନୁପସ୍ଥିତ ଥିବା ବେଳେ କାର୍ଯ୍ୟରତ ନର୍ସମାନେ ମଧ୍ୟ ଘଟଣାକୁ ଗୁରୁତ୍ୱ ନ ଦେଇ ଚିକିତ୍ସା ପାଇଁ ଆସିନଥିଲେ। ଯନ୍ତ୍ରଣାରେ ଛଟପଟ ହୋଇ ଶେଷରେ ମଧ୍ୟରାତ୍ରିରେ ରଶ୍ମିତାଙ୍କ ମୃତ୍ୟୁ ହୋଇଯାଇଥିଲା।

ଶନିବାର ସକାଳେ ଏହି ଘଟଣା ପ୍ରଚାର ହୋଇଯିବା ପରଠୁ ଦେଖା ଦେଇଥିଲା ଉତ୍ତେଜନା। ମୃତକଙ୍କ ସ୍ୱାମୀ ଦାୟିତ୍ୱରେ ଥିବା ଡାକ୍ତର କମଳ ଲୋଚନ ସାହୁ ଓ ନର୍ସଙ୍କ ବିରୋଧରେ ଥାନାରେ ଅଭିଯୋଗ କରିଥିଲେ। ଏଥିସହ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଦାବି କରି ପରିବାର ଲୋକେ ପ୍ରଥମେ ମୃତଦେହକୁ ଡାକ୍ତରଖାନା ମୁଖ୍ୟ ଫାଟକ ସାମ୍ନାରେ ରଖି ବିକ୍ଷୋଭ ପ୍ରଦର୍ଶନ କରିବା ସହିତ କ୍ଷତିପୂରଣ ଦାବି କରିଥିଲେ।ପରେ ଉତ୍ତ୍ୟକ୍ତ ଲୋକେ ମୃତଦେହକୁ ଉଦଳା ଥାନା ଛକ ପାଖ ବସ୍‌ଷ୍ଟାଣ୍ଡ ନିକଟରେ ରଖି ଧାରଣା ଦେବା ସହ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ। ରାସ୍ତା ଅବରୋଧ ଯୋଗୁ ଉଦଳା-ବାରିପଦା, ବାରିପଦା-ଭୁବନେଶ୍ୱର ଭାୟା ଉଦଳା ଏବଂ ବାଲେଶ୍ୱର-ବାରିପଦା ଗାଡ଼ି ଚଳାଚଳ ପ୍ରଭାବିତ ହୋଇଥିଲା।

ରାସ୍ତାରେ ଶିଶୁପୁତ୍ର ପ୍ରସବ

ଝରିଗାଁ : କାଦୁଅରେ ଭର୍ତି ହୋଇଯାଇଥିଲା ରାସ୍ତା। ତେଣୁ ଗାଁରେ ପହଞ୍ଚି ପାରିଲା ନାହିଁ ଆମ୍ବୁଲାନ୍‌ସ। ପରିବାର ଲୋକ ଓ ସଂପର୍କୀୟ ଖଟିଆରେ ଭାର କରି ବୋହି ଆଣୁଥିଲେ ଗର୍ଭବତୀଙ୍କୁ। କିନ୍ତୁ ମେଡିକାଲରେ ପହଞ୍ଚିବା ପୂର୍ବରୁ ମଝି ରାସ୍ତାରେ ଖଟିଆରେ ହିଁ ଏକ ଶିଶୁପୁତ୍ର ଜନ୍ମ ଦେଲେ ମହିଳା। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ସଦର ମହକୁମା ଠାରୁ ମାତ୍ର ୪କିଲୋମିଟର ଦୂର ବାଗବେଡା ଗାଁରେ। ଆଜିର ଘଟଣାକୁ ମିଶାଇ ଗତ ୨ସପ୍ତାହ ମଧ୍ୟରେ ଏହି ଝରିଗାଁ ବ୍ଲକର ୫ଜଣ ଗର୍ଭବତୀ ଓ ପ୍ରସୂତିଙ୍କୁ ଖଟିଆ, ସାଇକଲ ଓ ବାଇକ୍‌ରେ ବୁହା ହୋଇ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରାଗଲାଣି। ପ୍ରତିବର୍ଷ ଝରିଗାଁ ଅଞ୍ଚଳରେ ଏଭଳି ଘଟଣା ଘଟୁଥିଲେ ହେଁ ପ୍ରଶାସନ ରାସ୍ତା ନିର୍ମାଣ ଦୃଷ୍ଟି ନଦେବା ପରିତାପର ବିଷୟ ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚା ହେଉଛି।

ସମ୍ବନ୍ଧିତ ଖବର