ଭୁବନେଶ୍ବର: କରୋନାର ଦ୍ବିତୀୟ ଲହରରେ ରାଜ୍ୟର ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳରେ ସଂକ୍ରମଣ ବେଶି ମାଡ଼ିଛି। ଗତ ଜୁନ୍‌ ମାସରେ ଗ୍ରାମାଞ୍ଚଳରେ ସହରାଞ୍ଚଳ ଅପେକ୍ଷା ଦୁଇଗୁଣ ଅଧିକ ମାମଲା ସାମ୍ନାକୁ ଆସିଛି। ମୃତ୍ୟୁ ମଧ୍ୟ ଅଧିକ ହୋଇଛି। ସହରାଞ୍ଚଳରେ କମ୍ ସଂଖ୍ୟାରେ ଆକ୍ରାନ୍ତ ଚିହ୍ନଟ ହେବା ପଛରେ ବ୍ୟାପକ ଟିକାକରଣକୁ ମୁଖ୍ୟ କାରଣ କୁହାଯାଉଛି। ଭୁବନେଶ୍ବର ଜନସଂଖ୍ୟା ପ୍ରାୟତଃ ସଂପୂର୍ଣ୍ଣ ଟିକାକରଣ ସ୍ଥିତିରେ ପହଞ୍ଚି ଯାଇଥିବା ବେଳେ ଅଧିକ ସଂକ୍ରମଣ ହାର ଥିବା ମହାନଗର ନିଗମକୁ ରାଜ୍ୟ ସରକାର ଗୁରୁତ୍ବ ଦେଇଛନ୍ତି। ଗ୍ରାମାଞ୍ଚଳରେ ଟିକା ପାଇଁ ଲୋକମାନଙ୍କୁ ଏବେ ବି ସଂଘର୍ଷ କରିବାକୁ ପଡ଼ୁଛି।

Advertisment

ଜୁନ୍‌ ୨୯ ତାରିଖ ସୁଦ୍ଧା ରାଜ୍ୟରେ ୧ଲକ୍ଷ ୩୬ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିରେ ଗ୍ରାମାଞ୍ଚଳରେ ୧ଲକ୍ଷ ୯୬୦ଜଣ ଓ ସହରାଞ୍ଚଳରେ ୩୫,୧୦୮ଜଣ ଆକ୍ରାନ୍ତ ରହିଛନ୍ତି। ‌ସେହିପରି ଗ୍ରାମାଞ୍ଚଳରେ ୭୪୪ଜଣ ଓ ୪୮୩ ସହରାଞ୍ଚଳରେ ପ୍ରାଣ ହରାଇଛନ୍ତି। କୋଭିଡ୍‌ର ପ୍ରଥମ ଲହରରେ ସହରାଞ୍ଚଳର ଜନସଂଖ୍ୟା କରୋନାରେ ଅଧିକ ସଂଖ୍ୟାରେ ସଂକ୍ରମିତ ହୋଇଥିଲେ। ମାତ୍ର ଦ୍ବିତୀୟ ଲହରରେ ଏହାର ଓଲଟା ନଜରକୁ ଆସିଛି। ଆଇସିଏମ୍‌ଆର ପୂର୍ବତନ ଉପଦେଷ୍ଟା ଡା. ତ୍ରିଭୁବନ ମହାପାତ୍ରଙ୍କ ମତରେ ଗ୍ରାମାଞ୍ଚଳରେ ଟ୍ରେସିଂ, ଟ୍ରାକିଂ ଠିକ୍‌ ଭାବେ ହୋଇପାରିନି। ସଚେତନତା ଅଭାବରୁ ଅନେକ ଲକ୍ଷଣ ବିହୀନ ରୋଗୀଙ୍କୁ ସଂଗରୋଧ କରିବା ମଧ୍ୟ ସମ୍ଭବ ହୋଇପାରିନାହିଁ। ଏହାସହ ଗ୍ରାମାଞ୍ଚଳର ଲୋକମାନଙ୍କ ସହରାଞ୍ଚଳକୁ ବିଭିନ୍ନ କାରଣରୁ ଯିବା ଆସିବା ଲାଗି ରହିଛି। ଅପରପକ୍ଷରେ ଟିକାକରଣ ଦୃଷ୍ଟିରୁ ମଧ୍ୟ ସହରାଞ୍ଚଳ ଅପେକ୍ଷା ଗ୍ରାମାଞ୍ଚଳ ପଛୁଆ ରହିଛି। ଫଳରେ ଗ୍ରାମାଞ୍ଚଳରେ ସଂକ୍ରମଣ ଅଧିକ ହୋଇଥିବା ଡା. ମହାପାତ୍ର କହିଛନ୍ତି।

ରାଜ୍ୟରେ ଲଗାତାର ଦ୍ବିତୀୟ ଦିନ ଲାଗି ୫୦ରୁ ଅଧିକ କରୋନାରେ ପ୍ରାଣ ହରାଇଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆଜି ସୂଚନା ଦିଆଯାଇଛି। ଯଦିଓ ଏହି ମୃତ୍ୟୁ ସଂଖ୍ୟା ସହିତ ଆଜିର କରୋନା ସଂକ୍ରମଣର କୌଣସି ସଂପର୍କ ନାହିଁ। ପୂର୍ବରୁ ହୋଇଥିବା ମୃତ୍ୟୁର ସମୀକ୍ଷା ପରେ ଏହାର ଘୋଷଣା କରାଯାଉଥିବା ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ପଷ୍ଟ କରାଯାଇଛି। ମାତ୍ର ବଳକା ମୃତ୍ୟୁ ସଂଖ୍ୟା ଯୋଗୁଁ ରାଜ୍ୟରେ ଦିନକୁ ଦିନ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ମୃତକଙ୍କ ମଧ୍ୟରେ ଖୋର୍ଧା ୯, ବରଗଡ଼, ଢେଙ୍କାନାଳ ଓ ମୟୂରଭଞ୍ଜରେ ୫ ଲେଖାଏଁ, ସୁନ୍ଦରଗଡ଼, ପୁରୀ, ନୟାଗଡ଼, ଯାଜପୁର ଓ କଟକରେ ୩ ଲେଖାଏଁ, ଭଦ୍ରକ, ଦେବଗଡ଼, ଗଞ୍ଜାମ ଓ ଜଗତସିଂହପୁରରେ ୨ଲେଖାଏଁ, ନବରଙ୍ଗପୁର, କେନ୍ଦୁଝର, କେନ୍ଦ୍ରାପଡ଼ା, କନ୍ଧମାଳରେ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି। ରାଜ୍ୟରେ ସମୁଦାୟ ମୃତ୍ୟୁ ସଂଖ୍ୟା ୪୨୯୯କୁ ବୃଦ୍ଧି ପାଇଛି।

ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ପୂର୍ବରୁ କୋଭିଡ୍‌ ଓ ଅଣ କୋଭିଡ୍ ମୃତ୍ୟୁକୁ ନେଇ ସଂଶୟ ସୃଷ୍ଟି ହୋଇଥିଲା। କେଉଁ ବର୍ଗରେ କେଉଁ ମୃତ୍ୟୁକୁ ସ୍ଥାନିତ କରାଯିବ, ସେ ନେଇ ସରକାରଙ୍କ ନିର୍ଦ୍ଦେଶ ମିଳିବା ପରେ ମୃତ୍ୟୁର ଅଡିଟ୍ କରାଯାଇଛି। ରାଜ୍ୟରେ ସଂକ୍ରମଣ ଶୀର୍ଷରେ ଥିବା ସମୟରେ ଡାକ୍ତରମାନେ ରୋଗୀଙ୍କ ଚିକିତ୍ସାରେ ବ୍ୟସ୍ତ ରହିଥିଲେ। ଏବେ ରୋଗୀଙ୍କ ସଂଖ୍ୟା କମିବା ପରେ ଅଡିଟ୍‌ କରାଯାଇ ତଥ୍ୟ ଆସୁଛି। ଅପରପକ୍ଷେ ଭୁବନେଶ୍ବର, କଟକରେ ସଂକ୍ରମଣ ଗତ ୧୦ଦିନ ତୁଳନାରେ କମିଛି। ମାତ୍ର ଏବେ ବି ଅନ୍ୟ ଜିଲ୍ଲାମାନଙ୍କ ତୁଳନାରେ ଅଧିକ ରହିଛି। ଟେଷ୍ଟିଂ, ଟ୍ରେସିଂ ଓ ସର୍ଭେଲାନ୍‌ସକୁ ଗୁରୁତ୍ବ ଦିଆଯାଇଥିବା ଅଧିକାରୀ ଜଣକ ସୂଚନା ଦେଇଛନ୍ତି। ରାଜ୍ୟରେ ଦୈନିକ ସଂକ୍ରମଣ ଅଢ଼େଇ ହଜାର ତଳକୁ ଖସି ଆସିଛି। ଗତ ଏପ୍ରିଲ ୧୩ ତାରିଖରେ ରାଜ୍ୟରେ ଅଢ଼େଇ ହଜାରରୁ କମ୍ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗତ ୨୪ ଘଣ୍ଟାରେ କଟକରେ ସର୍ବାଧିକ ୪୨୨, ଖୋର୍ଧା ୪୦୭, ଯାଜପୁର ୨୦୨, ବାଲେଶ୍ବର ୧୫୭, ପୁରୀ ୧୫୪, ଜଗତସିଂହପୁର ୧୨୬, ଭଦ୍ରକ ୧୧୩, ମୟୂରଭଞ୍ଜରେ ୧୦୩ ଓ ଷ୍ଟେଟ୍‌ ପୁଲ ୭୬ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ୨୨ଟି ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ଶହେ ତଳେ ରହିଛି। ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୯ଲକ୍ଷ ୨୭ହଜାର ୧୮୬ରେ ପହଞ୍ଚିଛି।

ଏହାସହ ରାଜ୍ୟର ସଂକ୍ରମଣ ହାର ୩.୯୪କୁ ଖସି ଆସିଛି। ମାତ୍ର କଟକ ଜିଲ୍ଲାରେ ହଠାତ୍ ସଂକ୍ରମଣ ହାର ୧୫ପ୍ରତିଶତ ଟପି ଯାଇଛି। ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରରେ ଏହା ୪ ପ୍ରତିଶତ ଉପରେ ରହିଛି। ଆଜି ରାଜ୍ୟରେ ୩୨୫୮ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ସୁସ୍ଥ ରୋଗୀଙ୍କ ସଂଖ୍ୟା ୮ଲକ୍ଷ ୯୭ହଜାର ୩୬୨କୁ ବୃଦ୍ଧି ପାଇଛି। ଏହାସହ ଚିକିତ୍ସାଧୀନ ରୋଗୀଙ୍କ ସଂଖ୍ୟା ୨୫,୪୭୨କୁ ଖସି ଆସିଛି। ଖୋର୍ଧା, କଟକ ଓ ବାଲେଶ୍ବର ଜିଲ୍ଲାରେ ଅଢ଼େଇ ହଜାରରୁ ଅଧିକ ଚିକିତ୍ସାଧୀନ ରୋଗୀ ରହିଛନ୍ତି।