ପୁଣି ଆନ୍ଦୋଳନ କରିବ ଗ୍ରାମ୍ୟ କୃଷି କର୍ମଚାରୀ ସଂଘ : ଆଜି ଠାରୁ କଳାବ୍ୟାଜ୍‌, ୧୨ରୁ ସମୂହ ଛୁଟି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ଅଧୀନରେ କାର୍ଯ୍ୟରତ ଗ୍ରାମ୍ୟ ପୁରୁଷ ଓ ମହିଳା କୃଷି କର୍ମଚାରୀମାନେ ପୁଣି ଆନ୍ଦୋଳନ କରିବେ। ୪ ଦଫା ଦାବି ୪ ମାସ ଧରି ପୂରଣ ନ ହେବାରୁ ଆସନ୍ତାକାଲି (ଫେବ୍ରୁ୍ଆରି ୫ ତାରିଖ) ଠାରୁ କଳାବ୍ୟାଜ୍‌ ପିନ୍ଧି କାର୍ଯ୍ୟ କରିବେ। ଦାବି ପୂରଣ ନ ହେଲେ ୧୨ ତାରିଖରେ ସମସ୍ତ କର୍ମଚାରୀ ସମୂହ ଛୁଟିରେ ଯିବେ। ଏବେ କାଳିଆ ଯୋଜନା ପାଇଁ ପ୍ରକ୍ରିୟା ଜାରି ରହିଛି। ଏହି କାର୍ଯ୍ୟରେ ସମ୍ପୃକ୍ତ କର୍ମଚାରୀମାନେ ମୁଖ୍ୟ ଭୂମିକା ନିଭାଉଛନ୍ତି। ଏଣୁ ଏମାନେ ସମୂହ ଛୁଟିରେ ଗଲେ କାଳିଆ ଯୋଜନା ମଧ୍ୟ ପ୍ରଭାବିତ ହେବା ଆଶଙ୍କା ସୃଷ୍ଟି ହୋଇଛି। ତେବେ ଦାବି ପୂରଣ ନ ହେଲେ ସମୂହ ଛୁଟିରେ ଯିବୁ ବୋଲି ସଂଘର ସଭାପତି ଦିଲୀପ କୁମାର ସାମନ୍ତରାୟ ଓ ସମ୍ପାଦକ ଅମୟ କୁମାର ରାଉତ ଚେତାବନୀ ଦେଇଛନ୍ତି।

ଦାବି ମୁତାବକ, ପଦବିର ନାମ ଗ୍ରାମ୍ୟ କୃଷି କର୍ମଚାରୀରୁ ପରିବର୍ତ୍ତନ କରି ପଞ୍ଚାୟତ ଏଗ୍ରିକଲଚର ଅଫିସର କରିବା, କ୍ୟାଡର୍‌ ପୁନର୍ଗଠନ, କୃଷି ଓଭରସିୟର ପଦବିର ପୁନର୍ବିନ୍ୟାସ, ନିଯୁକ୍ତି କ୍ଷେତ୍ରରେ ସର୍ବନିମ୍ନ ଯୋଗ୍ୟତା ଯୁକ୍ତ ଦୁଇ ବିଜ୍ଞାନ ପରିବର୍ତ୍ତେ ସ୍ନାତକ ବା କୃଷି ଶିକ୍ଷାରେ ଡିପ୍ଲୋମା କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଦାବି ହୋଇଆସୁଛି। ଗତ ଅକ୍ଟୋବର ମାସରେ ସଂଘ ଆନ୍ଦୋଳନ ଚେତାବନୀ ଦେଇଥିଲା। ନଭେମ୍ବର ୩ ତାରିଖରେ ସରକାର ସଂଘ ସହ ଆଲୋଚନା କରି ଦାବି ପୂରଣ କରିବାକୁ ପ୍ରତିଶ୍ରୁତି ଦେଇଥିଲା। ଏଣୁ ସଂଘ ଆନ୍ଦୋଳନରୁ ନିବୃତ୍ତ ରହିଥିଲା।

ସମ୍ବନ୍ଧିତ ଖବର