୫୬ ଲକ୍ଷ ଟଙ୍କା ଟେଣ୍ଡର୍‌, କୋଟି କୋଟି ଟଙ୍କା ବିଲ୍‌!

ଗାଁ ଆଲୁଅ ଟଙ୍କା ଖାଇଗଲେ

ମଣ୍ଡୁକାରେ ଲାଗିଛି ୨୦ ଲକ୍ଷର ଲାଇଟ୍‌

ଯାଜପୁର : ଗାଁ ଦାଣ୍ଡରେ ଜଳିବ ନିଅନ। ଗାଁ ହେବ ଆଲୋକିତ। ଏଥିପାଇଁ ସରକାର ଚତୁର୍ଥ ରାଜ୍ୟ ଅନୁଦାନ ଓ କେନ୍ଦ୍ରୀୟ ଚତୁର୍ଦଶ ଅନୁଦାନରେ ଏଲିଡି ଷ୍ଟ୍ରିଟ୍‌ ଲାଇଟ୍‌ ବ୍ୟବସ୍ଥା କରିଛନ୍ତି। ମାତ୍ର ଏହି ଲାଇଟ୍‌ କାରବାରରେ କୋଟି କୋଟି ଟଙ୍କା ଘୋଟାଲା ହୋଇଥିବା ତଥ୍ୟ ଏବେ ‘ସମ୍ବାଦ’ ଅନୁସଂଧାନ ଟିମ୍‌ ହାତରେ ଲାଗିଛି। ଏଭଳି ଚାଞ୍ଚଲ୍ୟକର ତଥ୍ୟ ପଦାକୁ ଆସିବା ପରେ ବିଭିନ୍ନ ମହଲରେ ଚାପା ଗୁଞ୍ଜରଣ ପ୍ରକାଶ ପାଇଛି।

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ପାଇଥିବା ଟେଣ୍ଡର୍‌ ନୋଟିସ୍‌ ନଂ ୨୪୩୨ ତା୧୭/୧୨/୨୦୧୬ରିଖରେ ଜିଲ୍ଲାର ସବୁ ଗ୍ରାମରେ ଏଲ୍‌ଡି ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇବା ପାଇଁ ୫୬ ଲକ୍ଷ ଟଙ୍କାର ଟେଣ୍ଡର୍‌ ଆହ୍ଵାନ କରାଯାଇଥିଲା। ୨୦୧୭ ମାର୍ଚ ୧୫ ତାରିଖରେ ଯାଜପୁରର ବିରଜା ଇଲେଷ୍ଟ୍ରି କନ୍‌ଷ୍ଟ୍ରକ୍‌ସନ ନାମକ କମ୍ପାନିକୁ ୫୬ଲକ୍ଷ ଟଙ୍କାର ଏଲ୍‌ଡି ଲାଇଟ୍‌ ଲଗାଇବା ପାଇଁ ପ୍ରଶାସନ ପକ୍ଷରୁ ସ୍ୱୀକୃତି ପ୍ରଦାନ କରାଯାଇଥିଲା। ମାତ୍ର ଏଥି ମଧ୍ୟରେ ବିନା ଟେଣ୍ଡର୍‌ରେ କୋଟି କୋଟି ଟଙ୍କାର ଲାଇଟ୍‌ ଲଗାଯାଇଛି। ବିରଜା ଇଲେକ୍ଟ୍ରି କନ୍‌ଷ୍ଟ୍ରକ୍‌ସନ ୫୬ ଲକ୍ଷ ଟଙ୍କାର ଟେଣ୍ଡର୍‌ ନେଇ କୋଟି କୋଟି ଟଙ୍କାର ଲାଇଟ୍‌ ଲଗାଇବାକୁ ପ୍ରଶାସନ କାହିଁକି ଓ କିପରି ଅନୁମତି ଦେଲେ, ସେନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ପ୍ରକାଶ ଥାଉକି ଡିଆର୍‌ଡ଼ିଏ ପ୍ରକଳ୍ପ ନିର୍ଦେଶକ ଚିଠି ନଂ ୨୯୬୦, ତା ୨୮/୧୧/୧୭ରିଖରେ ସମସ୍ତ ବିଡ଼ିଓଙ୍କୁ ନିର୍ଦେଶ ଦେଇଛନ୍ତି ବିରଜା କନଷ୍ଟ୍ରକ୍‌ସନ୍‌ କମ୍ପାନି ଠାରୁ ଲାଇଟ୍‌ ଲଗାଇବା ସହିତ ବିଲ୍‌ ପୈଠ୍‌ କରିବାକୁ ଦାଗିଦ କରିଛନ୍ତି। ଏପରିକି ଏଥିରେ ବ୍ୟତିକ୍ରମ କଲେ କାର୍ଯ୍ୟାନୁଷ୍ଠାନ ପାଇଁ ଡିିଆରଡ଼ିଏ ପିଡ଼ି ଚେତାବନୀ ଦେଇଛନ୍ତି। ଡିଆର୍‌ଡ଼ିଏ ପିଡ଼ିଙ୍କ ନିର୍ଦେଶ ପାଇବା ପରେ ବିରଜା ଇଲେକ୍ଟ୍ରିକାଲ ଯାଜପୁର ଜିଲ୍ଲାରେ ସବୁ ବ୍ଲକ୍‌ରେ ପ୍ରାୟ ୧୦ କୋଟି ଟଙ୍କାରୁ ଊର୍ଧ୍ୱ ଷ୍ଟ୍ରିଟ୍‌ ଲାଇଟ୍‌ ଲଗାଇ ଥିବାର ଅଭିଯୋଗ ହେଉଛି। ଠିକାଦାର ୫୬ ଲକ୍ଷ ଟଙ୍କାର ଟେଣ୍ଡର ନେଇ ୧୦ କୋଟି ଟଙ୍କାର ଷ୍ଟ୍ରିଟ୍‌ ଲାଇଟ୍‌ କେମିତି ଲଗାଇଲେ, ସେନେଇ ପ୍ରଶ୍ନ ଉଠୁଛି। ଜିଲ୍ଲା ପ୍ରଶାସନ କାହା ଚାପରେ ନା ପିସି କାରବାର ପାଇଁ ଏହି ବେନିୟମ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଆସିଛି!

ଅନ୍ୟପଟେ ଚିଠି ପାଇବା ପରେ ବଡଚଣା ବ୍ଲକରେ ୬ଟି ପଞ୍ଚାୟତରେ ଏଲଇଡି ଲାଇଟ ଲଗାଗଲା। ଲାଇଟ ଲାଗିବା ପରେ ଜିଲ୍ଲାପାଳଙ୍କୁ ଅଭିଯୋଗ ହେଲା। ଜିଲ୍ଲା ପ୍ରଶାସନ ଏହି ଘୋଟାଲାର ତଦନ୍ତ କଲେ। ମାଣ୍ଡୁକା ପଞ୍ଚାୟତ ପ୍ରଶାସନର ବିନା ଅନୁମତିରେ ୨୦ ଲକ୍ଷ ଟଙ୍କାର ଷ୍ଟ୍ରିଟ ଲାଇଟ ଲଗାଇଛି। ଜିଲ୍ଲା ପ୍ରଶାସନର ଏହି ରିପୋର୍ଟରେ ପଞ୍ଚାୟତ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କୁ କାର୍ଯ୍ୟରୁ ନିଲମ୍ବନ କରାଗଲା। ବଡଚଣା ବ୍ଲକର ଅନ୍ୟ୫ଟି ପଞ୍ଚାୟତରେ ବିରଜା ଇଲେକ୍ଟ୍ରିକାଲ ଲାଇଟ ଲାଗଇଛି। ଏହି ସଂପର୍କରେ ବିଡିଓ ଓ ସରପଞ୍ଚ କୁହନ୍ତି ଲାଇଟ କିଏ ଲଗାଇଛି? ଆମେ ଜାଣିନୁ। କି ଏବାବଦରେ ଅର୍ଥ ବରାଦ କରାଯାଇନାହିଁ। କିନ୍ତୁ ପ୍ରକଳ୍ପ ନିର୍ଦ୍ଦେଶକ ଚିଠି ନଂ ୪୦୫୮/୧୮/୧୨/୧୭ରେ ବିଡିଓ ବଡଚଣାଙ୍କୁ ଜଣାଇଛନ୍ତି ୧୬ଟି ପଞ୍ଚାୟତର ୱାର୍କ ଅଡର୍‌ ବିରଜା ଇଲେକ୍ଟ୍ରିକାଲ୍‌ ପାଇଛିା। ୫ଟି ପଞ୍ଚାୟତରେ ଲାଇଟ୍‌ ସଂଯୋଗ କରିସାରିଛି। ତୁରନ୍ତ ବିରଜା ଇଲେକ୍ଟ୍ରିକାଲକୁ ବିଲ ପୈଠ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି। ଲାଇଟ ଲାଗିଛି, ବିଲ ପୈଠ ପାଇଁ ପ୍ରକଳ୍ପ ନିର୍ଦ୍ଦେଶକ ତାଗିଦ କରୁଛନ୍ତି। କିନ୍ତୁ ପଞ୍ଚାୟତର ସରପଞ୍ଚମାନେ କହୁଛନ୍ତି ଲାଇଟ ବିଷୟରେ ଆମେ ଜାଣିନୁ। ଏବାବଦରେ କୌଣସି ଫାଇଲ ଖୋଲିନୁ। ବ୍ଲକ୍‌ ପ୍ରଶାସନ ମଧ୍ୟ ସମାନ କଥା କହୁଛନ୍ତି। ଏହି ଘୋଟାଲାକୁ ନେଇ ବଡ଼ଚଣା ବ୍ଲକ୍‌ର କୋଲଣଗିରି ପଞ୍ଚାୟତବାସୀ ବିଧାୟକ ତଥା ଶାସକ ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀଙ୍କ ନିକଟରେ ଅଭିଯୋଗ କରିବା ପରେ ତଦନ୍ତ କରିବାକୁ ସେ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି।

ଏ ସଂପର୍କରେ ଡ଼ିଆରଡ଼ିଏ ପିଡି ବ୍ରଜଗୋପାଳ ଆଚାର୍ଯ୍ୟକୁ ପଚାରିବାରେ ସେ କହିଛନ୍ତି ଯେଉଁ ପଞ୍ଚାୟତ ଗ୍ରାମସଭା ଓ ଆଇନ୍‌ ଅନୁଯାଇ ଲାଇଟ୍‌ ଲଗାଇଛନ୍ତି ସେମାନେ ଠିକା କମ୍ପାନିର ଅର୍ଥ ପୈଠ କରିବାକୁ ନିର୍ଦେଶ ଦେଇଛନ୍ତି। ଏବେ ଯେଉଁ ଟେଣ୍ଡର୍‌ ହେଉଛି। ସେଥିରେ ସ୍ୱଚ୍ଛତା ଅବଲମ୍ବନ କରାଯାଇଛି ବୋଲି ଶ୍ରୀ ଆଚାର୍ଯ୍ୟ କହିନ୍ତି।

ସମ୍ବନ୍ଧିତ ଖବର