ସମ୍ବଲପୁର: ମା’ଙ୍କ ବିନା ଆଶୀର୍ବାଦରେ ଦୁନିଆରେ କେହି ବଡ଼ ଲୋକ ହୋଇପାରିବ ନାହିଁ। ସେଥିପାଇଁ ମା’ଙ୍କୁ କହିବି ସନ୍ତାନମାନଙ୍କୁ ଆଶୀର୍ବାଦ ଦିଅନ୍ତୁ। ମା’ର ଏତେ ଶକ୍ତି ଅଛି ଯେ ତାର ପଣତକାନି ଛାୟାରେ ଅସୁସ୍ଥ ପୁତ୍ର ମଧ୍ୟ ସୁସ୍ଥ ହୋଇପାରେ। ବୁଧବାର ସମ୍ବଲପୁର ତପସ୍ବିନୀ ହଲ୍‌ରେ ଆୟୋଜିତ ଗ୍ରାମୀଣ ଆତ୍ମନିର୍ଭରଶୀଳ ମହିଳା ସମାବେଶ ‘ଓଡ଼ିଶା-୫୦’ରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ବରଗଡ଼ ସାଂସଦ ପ୍ରଦୀପ ପୁରୋହିତ। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ଏହି ସମାବେଶରେ ସାମିଲ ମହିଳାମାନଙ୍କ ଉଦ୍ଦେଶ୍ୟରେ ଶ୍ରୀ ପୁରୋହିତ କହିଥିଲେ ଯେ ଏହି କାର୍ଯ୍ୟକ୍ରମ କେବଳ ସେମାନଙ୍କୁ ରୋଜଗାରକ୍ଷମ ହେବା ପାଇଁ ସହାୟକ ହେବ ତାହା ନୁହେଁ, ନିଜ ଗାଁ ଓ ପଞ୍ଚାୟତର ଅନ୍ୟ ମା’ମାନଙ୍କୁ ପ୍ରେରିତ କରିବା ପାଇଁ ଆବଶ୍ୟକ ଦକ୍ଷତା ଓ ସାମର୍ଥ୍ୟ ପ୍ରଦାନ କରିବ। ନୂଆ କିଛି କରିବା ପାଇଁ ଯୋଜନା କରୁଥିବା ଏସ୍‌ଏ୍‌ଚଜି ମା’ମାନେ ଏହି ସମାବେଶ ଜରିଆରେ ଅନେକ କିଛି ଜାଣି ପାରିବେ ବୋଲି ସେ ଆଶା ପୋଷଣ କରିଥିଲେ।

Advertisment

ସମାବେଶରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଶ୍ୟାମସୁନ୍ଦର ପଟ୍ଟନାୟକ କହିଲେ, ଉଦ୍ୟୋଗକୁ ହାତ ଧରି ନ ଚଳାଇଲେ ବଣମଲ୍ଲୀ ପରି ବଣରେ ହଜିଯିବ। ଉଦ୍ୟୋଗ କ୍ଷେତ୍ରରେ ସଫଳତା ପାଇଁ ଉପଯୁକ୍ତ ଡିଜିଟାଲ ମାର୍କେଟିଂ, କମ୍ପ୍ୟୁଟର ସାକ୍ଷରତା ଓ ଶିକ୍ଷାଗତ ପ୍ରମାଣପତ୍ର ଜରୁରୀ। ଏହାକୁ ଦୃଷ୍ଟିରେ ରଖି ଆସନ୍ତା ଜୁଲାଇ ମାସରୁ ଉଦ୍ୟୋଗୀମାନଙ୍କ ପାଇଁ ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ପକ୍ଷରୁ ‘ଟ୍ରେନିଂ ଟୁ ଡିଗ୍ରି’ ଅଭିଯାନ ଆରମ୍ଭ ହେବ। ଏଥିରେ ନିୟମିତ ପାଠର ଆବଶ୍ୟକତା ନାହିଁ। ଉଦ୍ୟୋଗୀମାନେ କରୁଥିବା କାର୍ଯ୍ୟର ପ୍ରଶିକ୍ଷଣ ଦେଇ ଡିଗ୍ରି ଦିଆଯିବ। ଏଥିରେ ସେମାନେ ୟୁଜି ସାର୍ଟିଫିକେଟ୍‌ଠାରୁ ଆରମ୍ଭ କରି ମାଷ୍ଟର ଡିଗ୍ରି ପର୍ଯ୍ୟନ୍ତ ପ୍ରମାଣପତ୍ର ପାଇବେ। ଯାହା ସେମାନଙ୍କ ଦକ୍ଷତା ବଢ଼ାଇବା ସହିତ ଅନୁଦାନ ପାଇବାରେ ସହାୟକ ହେବ। ଖୁବଶୀଘ୍ର ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟ ଡିଜିଟାଲ୍‌ ବିଶ୍ବବିଦ୍ୟାଳୟରେ ପରିଣତ ହେବ ବୋଲି ସେ ଘୋଷଣା କରିଥିଲେ।

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ରାଜ୍ୟ ଏମ୍‌ଏସ୍‌ଏମ୍‌ଇ ବିଭାଗର ସ୍ବତନ୍ତ୍ର ସଚିବ ନୀହାର ରଞ୍ଜନ ଦାଶ କହିଲେ, ଆଜି ପଶ୍ଚିମ ଓଡ଼ିଶାର ମା’ମାନେ ଖେଦୋକ୍ତି ପ୍ରକାଶ କରି କହୁଛନ୍ତି, ‘ବାବୁରେ ଦୁନିଆଁ ଯାକ ହୁରି ପଡ଼ୁଛେ, ଯହ କରି ତୋର ଟୁଣୁ ଯାହା ଶୁନୁଛେ, ହେଲେ ଭୋକର ଲାଗି ନାଇଁସେ କି ଶୋଷର ଲାଗି ନାଇଁସେ, ମୁଇଁ ତୋର ହୀନମନିଆପନ୍‌ ଲାଗି ଯାହା କାନ୍ଦୁଛେଁ’। ଆଜି ଭୋକର ଭୂଗୋଳରୁ ବିକାଶର ନକ୍ସାରେ ପଶ୍ଚିମ ଓଡ଼ିଶା ସାମିଲ ହୋଇଛି। ଏଥିରେ ମହିଳାମାନଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ମା’ମାନଙ୍କୁ ଆର୍ଥିକ ଓ ସାମାଜିକ ଭାବରେ ଏସ୍‌ଏଚ୍‌ଜି କାର୍ଯ୍ୟକ୍ରମ ହିଁ ପରିପୁଷ୍ଟ କରିଛି। ଓଡ଼ିଶାରେ ଏସ୍‌ଏଚ୍‌ଜିର ସଫଳତା ଆକାଶକୁ ଛୁଇଁଥିବାବେଳେ ଷ୍ଟାର୍ଟଅପ୍‌ରେ ମଧ୍ୟ ମହିଳାଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ। ଓଡ଼ିଶାରେ କାର୍ଯ୍ୟ କରୁଥିବା ୧୭୦୦ ଷ୍ଟାର୍ଟଅପ୍‌ରେ ୪୦ ପ୍ରତିଶତ ମହିଳା ଉଦ୍ୟୋଗୀମାନେ ଅଛନ୍ତି। ବିନା ସଂରକ୍ଷଣରେ ହିଁ ସେମାନେ ଏହି ସଫଳତା ହାସଲ କରିଛନ୍ତି ବୋଲି ଶ୍ରୀ ଦାଶ କହିଥିଲେ।

ମହିଳାଙ୍କ ବିନା କୌଣସି ବିପ୍ଲବର ସଫଳତା ଅସମ୍ଭବ
ଓଡ଼ିଶା ମୁକ୍ତ ବିଶ୍ବବିଦ୍ୟାଳୟରେ ଆରମ୍ଭ ହେବ ‘ଟ୍ରେନିଂ ଟୁ ଡିଗ୍ରି’
ରାଜ୍ୟର ୧୭୦୦ ଷ୍ଟାର୍ଟଅପ୍‌ରେ ୪୦% ମହିଳା

ସମାବେଶରେ ସଭାପତିତ୍ବ କରି ‘ସମ୍ବାଦ’ ଗ୍ରୁପ୍‌ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକ କହିଲେ, ମନ ଠିକ୍‌ ନ ରହିଲେ କିଛି କରି ହେବନାହିଁ। ଉଭୟ ‘ମ’ ଏବଂ ‘ନ’ ପାଇଁ ୫ଟି ଲେଖାଏଁ ସୂତ୍ର ରହିଛି। ‘ମ’ରୁ ମା, ମାଟି, ମାତୃଭାଷା ପ୍ରତି ଭଲପାଇବା, ମୋବାଇଲର ସୁବିନିଯୋଗ ଓ ମଦମୁକ୍ତ ଓଡ଼ିଶା ଗଠନ। ‘ନ’ରୁ ନିରୋଗ, ନିରାଡ଼ମ୍ବର, ନିରଅହଙ୍କାର, ନିର୍ଭୀକ ହେବା ସହ ନିଶାମୁକ୍ତ ପରିବେଶ ସୃଷ୍ଟି ପାଇଁ ସଂକଳ୍ପ ନେବାକୁ ସେ ଆହ୍ବାନ ଦେଇଥିଲେ। ଯେ କୌଣସି ବିପ୍ଳବରେ ଅଧା ବିଶ୍ବ ଅର୍ଥାତ୍‌ ମହିଳାମାନେ ସାମିଲ ନହେଲେ ଏହା ସଫଳ ହୋଇ ପାରିବ ନାହିଁ। ସାମାଜିକ ଓ ପାରିବାରିକ ନିର୍ଯାତନା ବିରୋଧରେ ଲଢ଼େଇ କରିବା ସହ ମହିଳାମାନେ ଶିକ୍ଷିତ ଓ ରୋଜଗାରକ୍ଷମ ହୋଇପାରିଲେ ଅଧା ବିଶ୍ବ ସଶକ୍ତ ଓ ସୁରକ୍ଷିତ ହୋଇପାରିବ ବୋଲି ଶ୍ରୀ ପଟ୍ଟନାୟକ ମତପ୍ରକାଶ କରିଥିଲେ।

କାର୍ଯ୍ୟକ୍ରମ ଆରମ୍ଭରୁ ‘ସମ୍ବାଦ’ ଗ୍ରୁପ୍‌ର ପରିଚାଳନା ନିର୍ଦେଶିକା ଡ. ମୋନିକା ନୈୟର ପଟ୍ଟନାୟକ ଓଡ଼ିଶା-୫୦ କାର୍ଯ୍ୟକ୍ରମ ବିଷୟରେ ସୂଚନା ଦେଇ କହିଲେ, ମହିଳାମାନେ ଆତ୍ମନିର୍ଭରଶୀଳ ହେବା ପାଇଁ ଲଢ଼େଇ କରୁଛନ୍ତି। କଠିନ ପରିଶ୍ରମ ସତ୍ତ୍ବେ ଅନେକ କ୍ଷେତ୍ରରେ ଉପଯୁକ୍ତ ଲାଭ ମିଳେ ନାହିଁ। ଏହି କାର୍ଯ୍ୟକ୍ରମ ସେମାନଙ୍କ ପାଇଁ ସହାୟକ ହେବ ବୋଲି ସେ ଆଶାବ୍ୟକ୍ତ କରିଥିଲେ। ଏଥିସହ ପ୍ରତିଟି ମହିଳାଙ୍କ ସଫଳ କାହାଣୀ ଅନ୍ୟମାନଙ୍କୁ ପ୍ରେରିତ କରିବ ବୋଲି କହିଥିଲେ। ‘ସମ୍ବାଦ’ର ଅଧ୍ୟକ୍ଷ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଂଯୋଜନାରେ ପରିଚାଳିତ ଦ୍ବିତୀୟ ଅଧିବେଶନରେ ଓରମାସ୍ ସମ୍ବଲପୁରର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଓଡ଼ିଶା ଜୀବିକା ମିସନ୍ ଝାରସୁଗୁଡ଼ାର ଜିଲ୍ଲା ପ୍ରକଳ୍ପ ପରିଚାଳକ ଡ.ପୁଷ୍ପଶ୍ରୀ ନାୟକ, ଷ୍ଟେଟ୍ ବ୍ୟାଙ୍କ କଣ୍ଟାବାଞ୍ଜିର ମୁଖ୍ୟ ପରିଚାଳକ ମୁକେଶ କୁମାର, ଜିଏମ୍ ବିଶ୍ବବିଦ୍ୟାଳୟ ସମାଜବିଜ୍ଞାନ ବିଭାଗର ମୁଖ୍ୟ ଡ.ମୀରା ସ୍ବାଇଁ ବିଶେଷଜ୍ଞ ବକ୍ତା ଭାବେ ଯୋଗଦେଇ ଉପସ୍ଥିତ ଉଦ୍ୟୋଗୀଙ୍କ ବିଭିନ୍ନ ପ୍ରଶ୍ନର ଉତ୍ତର ଦେଇଥିଲେ। ‘ସମ୍ବାଦ’ର ଉପ ମହାପ୍ରବନ୍ଧକ (ବାର୍ତ୍ତା) ସୁବ୍ରତ ନାୟକ ସ୍ବାଗତ ଅଭିଭାଷଣ ଓ ଅତିଥି ପରିଚୟ ସହ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲାର ସମସ୍ତ ବ୍ଲକ୍‌ରୁ ୩୦୦ରୁ ଅଧିକ ଗ୍ରାମୀଣ ମହିଳା ଉଦ୍ୟୋଗୀ ସାମିଲ ହୋଇଥିଲେ।