ଗାଁ ଆଲୁଅ କେଳେଙ୍କାରୀ : ବିନା ଟେଣ୍ଡର୍‌ରେ କୋଟି କୋଟି ଟଙ୍କାର କାମ

ଯାଜପୁର : କେନ୍ଦ୍ର ସରକାରଙ୍କର ଚତୁର୍ଦଶ ଓ ରାଜ୍ୟ ସରକାରଙ୍କ ୪ର୍ଥ ଅନୁଦାନ ଅର୍ଥରେ ଗ୍ରାମାଞ୍ଚାଳରେ ଆଲୋକୀକରଣ ନାମରେ ସମଗ୍ର ଓଡ଼ିଶାରେ ଶହଶହ କୋଟି ଟଙ୍କା ଖର୍ଚ୍ଚ ଚାଲିଛି। ପଞ୍ଚାୟତ ନିର୍ବାଚନ ପୂର୍ବରୁ ପଞ୍ଚାୟତରେ ପଡ଼ି ରହିିଥିବା ଏହି ଅର୍ଥକୁ ଏବେ ତରବରିଆ ଭାବେ ପଞ୍ଚାୟତଗୁଡ଼ିକରେ ବ୍ୟୟ କରାଯାଉଛିା ଅତି ନିମ୍ନମାନର କାମ କରାଯାଉଥିବା ବେଳେ ଜାଲ କାଗଜପତ୍ରରେ ବ୍ୟାପକ ଅନୁଦାନ ହଡ଼ପ ଚାଲିଛି। ବିନା ଟେଣ୍ଡର୍‌ରେ କୋଟି କୋଟି ଟଙ୍କା ଠିକା ସଂସ୍ଥାମାନେ ହାତେଇ ନେଉଛନ୍ତି। ଟେଣ୍ଡର ମୂଲ୍ୟ ଠାରୁ ଢେର୍‌ ଅଧିକ ଅର୍ଥ ପ୍ରଦାନ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ହୋଇଥିବା ତାଗିଦ ନୋଟିସ୍‌ ବିଭିନ୍ନ ମହଲରେ ଆଲୋଡ଼ନ ସୃଷ୍ଟି କରିଛି। ଖୋଦ୍‌ ଶାସକ ଦଳ ମୁଖ୍ୟ ସଚେତକ କ୍ଷୋଭ ପ୍ରକାଶ କରିବା ସହିତ ଏହାର ପ୍ରତିବାଦ ଜଣାଇଛନ୍ତି। କେବଳ ସେତିକି ନୁହେଁ ତଦନ୍ତ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦେଶ ଦେଇଛନ୍ତି। ଏହି ଘଟଣା ଏବେ ସମଗ୍ର ଜିଲ୍ଲାରେ ଚର୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି।

ସୂଚନାଯୋଗ୍ୟ, ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚତୁର୍ଦଶ ଅନୁଦାନ ଓ ରାଜ୍ୟ ୪ର୍ଥ ଅନୁଦାନ ବାବଦରେ ପ୍ରତି ପଞ୍ଚାୟତକୁ ବିଭିନ୍ନ ଜନହିତକର କାର୍ଯ୍ୟକ୍ରମ ପାଇଁ ପ୍ରାୟ ୫୦ ଲକ୍ଷ ଟଙ୍କା ଅନୁଦାନ ଯୋଗାଇ ଦିଆଯାଇଥିଲା। ଏହି ଅର୍ଥରେ ଗାଁ ଗହିଳରେ ସହରର ସୁବିଧା ସୁଯୋଗ ଯୋଗାଇ ଦେବା ପାଇଁ ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡା, ରାସ୍ତା, ପିଇବା ପାଣି ଓ ଆଲୋକ ବ୍ୟବସ୍ଥା ପ୍ରଭୃତି ବିକାଶର ଯୋଜନା ଥିଲା। ଏହି ଅର୍ଥକୁ ସେ ସମୟରେ ଖର୍ଚ୍ଚ ନକରି ପକାଇ ରଖାଯାଇଥିଲା। ପଞ୍ଚାୟତ ନିର୍ବାଚନ ପରେ ଏବେ ଏହି ଅର୍ଥକୁ ଖର୍ଚ୍ଚ ହେଉଥିବା ବେଳେ ଆଲୋକ ବ୍ୟବସ୍ଥାରେ ଅନେକ ପଞ୍ଚାୟତରେ ବ୍ୟାପକ ହରିଲୁଟ୍‌ ଚାଲିଛି। ଏହି ଯୋଜନାରେ ଅନୁଦାନ ସିଧାସଳଖ ପଞ୍ଚାୟତ ଆକାଉଣ୍ଟକୁ ଆସିଥିବା ବେଳେ ସରପଞ୍ଚ ଓ ପଞ୍ଚାୟତ ନିର୍ବାହୀ ଅଧିକାରୀମାନେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାଦେଶ ପ୍ରଦାନ କରିବା ସହିତ ବିଲ୍‌ ପୈଠ କରୁଛନ୍ତି। ଫଳରେ ଅନେକ ପଞ୍ଚାୟତରେ ବ୍ୟାପକ ଜାଲ କାଗଜପତ୍ର ଓ ନିମ୍ନ ମାନର କାମ କରାଯାଇ ଲକ୍ଷ ଲକ୍ଷ ଟଙ୍କା ହଡ଼ପ ଚାଲିଛି।

ଯାଜପୁର ଜିଲ୍ଲାରେ କୋଟି କୋଟି ଟଙ୍କାର ଗ୍ରାମାଞ୍ଚଳ ଲାଇଟ୍‌ ଠିକା କାମ କରିଥିବା ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌ ଟେଣ୍ଡର ପ୍ରକ୍ରିୟା, ନିର୍ମାଣ ଓ ବିଲ୍‌ ପୈଠ୍‌ ପର୍ଯ୍ୟନ୍ତ ବ୍ୟାପକ ହେରାଫେରି ହୋଇଛି ବୋଲି ଅଭିଯୋଗ ହେଉଛି। ଏପରିକି ଏହି ଠିକା ସଂସ୍ଥା ପୂର୍ବରୁ ଏହି କାମ କରିଥିବାର ଅଭିଜ୍ଞତା ପ୍ରମାଣପତ୍ର ଟେଣ୍ଡର୍‌ ପେପର୍‌ ସହିତ ପ୍ରଦାନ କରି ଚତୁରତା ସହିତ କୋଟି କୋଟି ଟଙ୍କାର କାମ ହାତେଇ ନେଇଛନ୍ତି ବୋଲି ଅଭିଯୋଗ ହୋଇଛିା ଏହି ସଂସ୍ଥାର ଅଭିଜ୍ଞତା ପ୍ରମାଣପତ୍ର ଜାଲ୍‌ ବୋଲି ଅଭିଯୋଗ କରାଯାଇଛି। ଟେଣ୍ଡର୍‌ରେ ଭାଗ ନେଇଥିବା ଅନ୍ୟ ଠିକାସଂସ୍ଥାମାନେ ଯେଉଁ ଠାରେ କାମ କରିଥିଲେ। ସଂପକ୍ତ ବିଭାଗ ଓ ଅଧିକାରୀଙ୍କ ଠାରୁ ଅଭିଜ୍ଞତା ପ୍ରମାଣପ୍ରତ ଦାଖଲ କରିିଥିବା ବେଳେ ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌ ସେପରି କରିନାହିଁ। ପ୍ରମାଣପତ୍ରରେ ସବିଶେଷ ତଥ୍ୟ ନାହିଁ। ଯାହାକି ଜାଲି ବୋଲି ପ୍ରତିଦ୍ଵନ୍ଦ୍ୱୀମାନେ ଅଭିଯୋଗ କରିଛନ୍ତି। ଅଭିଜ୍ଞତା ବିନା କିପରି ଓ କାହା ଚାପରେ ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌ ୫୬ ଲକ୍ଷ ଟଙ୍କାର ଟେଣ୍ଡର୍‌ ପାଇଲା। ଟେଣ୍ଡର୍‌ ମୂଲ୍ୟ ଠାରୁ ଅଧିକ କୋଟି କୋଟି କାମ କରି ବିଲ୍‌ ହାତେଇବାରେ ସକ୍ଷମ ହୋଇଛି। ଏପରିକି ଡିଆର୍‌ଡ଼ିଏ ପ୍ରକଳ୍ପ ନିର୍ଦେଶକ ବ୍ରଜଗୋପାଳ ଆଚାର୍ଯ୍ୟ ଟେଣ୍ଡର୍‌ ଠାରୁ ଅଧିକ ବିଲ୍‌ ପୈଠ କରିବାକୁ କରିଥିବା ତାଗିଦ୍‌ ଜିଲ୍ଲା ପ୍ରଶାସନକୁ ବିବାଦକୁ ଟାଣିଛି।

ଶ୍ରୀ ଆଚାର୍ଯ୍ୟ ସଫେଇ ଦେଇଛନ୍ତି ଯେଉଁ ପଞ୍ଚାୟତ ଲାଇଟ୍‌ ଲଗାଇବାକୁ ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌କୁ ୱାର୍କ ଅଡର୍‌ ଦେଇଥିଲେ। ସେମାନେ ଅର୍ଥ ପୈଠ କରିବାକୁ ସେ ତାଗିଦ କରିଛନ୍ତି। ମାତ୍ର ଏଠାରେ ପ୍ରଶ୍ନ ଉଠୁଛି ବଡ଼ଚଣା ବ୍ଲକ୍‌ ମାଣ୍ଡୁକା ପଞ୍ଚାୟତରେ ପ୍ରାୟ ୨୦ଲକ୍ଷ ଟଙ୍କା ଲାଇଟ୍‌ କେଳେଙ୍କାରୀରେ ବିନିଯୋଗ କରିଥିବା ଅଭିଯୋଗରେ ସରପଞ୍ଚ ସସ୍ମିତା ଦାସକୁ ନିଲମ୍ବିତ କରିଥିବା ବେଳେ ନିର୍ବାହୀ ଅଧିକାରୀ ଗଣପତି ସାହୁଙ୍କୁ ନିଲମ୍ବିତ କରାଯାଇଥିଲା। ଏହି ଦୁର୍ନୀତି ଚାପରେ ଥିବା ନିର୍ବାହୀ ଅଧିକାରୀ ଶ୍ରୀ ସାହୁ ମାନସିକ ଭାରସାମ୍ୟ ହରାଇ ହୃଦଘାତରେ ପ୍ରାଣ ହରାଇଲେ। ଅଥଚ ଅନ୍ୟ ପଞ୍ଚାୟତରେ ହୋଇଥିବା ଲାଇଟ୍‌ କେଳେଙ୍କାରୀ ଉପରେ କାର୍ଯ୍ୟାନୁଷ୍ଠାନ ଦୂର କଥା ତଦନ୍ତ ହେଉନାହିଁ। ଅପର ପକ୍ଷରେ ତଦନ୍ତ ନକରି ଠିକା ସଂସ୍ଥାକୁ ଅର୍ଥ ପୈଠ ପାଇଁ ଜିଲ୍ଲା ଅଧିକାରୀ କିପରି ଚାପ ପ୍ରୟୋଗ କରୁଛନ୍ତି, ସେ ନେଇ ସଂଦେହ ସୃଷ୍ଟି ହୋଇଛି।

ବିବାଦ ଘେରରେ ଛନ୍ଦି ହୋଇଥିବା ବିରଜା ଇଲେକ୍ଟ୍ରିକାଲ୍‌ କନ୍‌ଷ୍ଟ୍ରକ୍ସନ୍‌ର ମାଲିକ ଧରଣୀ ସାହୁ ସଫେଇ ଦେଇଛନ୍ତି ତାଙ୍କର ସମସ୍ତ କାଗଜପତ୍ର ଠିକ୍‌ ଅଛି। ବିଂଝାରପୁର ଓ ଦଶରଥପୁର ବ୍ଲକ୍‌ରେ ବିନା ଟେଣ୍ଡର୍‌ରେ ପ୍ରାୟ ୬୦ ପଞ୍ଚାୟତରେ କୋଟି କୋଟି ଟଙ୍କାର ଲାଇଟ୍‌ ଲାଗିଛି। ସେ ଟେଣ୍ଡର୍‌ ପାଇବା ସତ୍ତେ୍ଵ ତାଙ୍କୁ ଏହି ୨ଟି ବ୍ଲକ୍‌ରେ ଗୋଟିଏ ଲାଇଟ୍‌ ଲଗାଇ ଦେବାର ସୁଯୋଗ ଦିଆଗଲାନାହିଁ। ଜିଲ୍ଲା ପ୍ରଶାସନର ଟେଣ୍ଡର୍‌ କିଛି ମାନେ ନାହିଁ ବୋଲି ଶ୍ରୀ ସାହୁ ପାଲଟା ଅଭିଯୋଗ କରିଛନ୍ତି। ଏବେ ଟେଣ୍ଡର ପ୍ରକ୍ରିୟା ଚାଲିଛି। ଅଥଚ ଦଶରଥପୁର ଓ ବିଂଝାରପୁରରେ କାମ ଶେଷ ହୋଇଗଲାଣି। ଲାଇଟ୍‌ କେଳେଙ୍କାରୀର ଅନ୍ଧାରି କାରବାରର ଭିତିରି କଥା ଦିନକୁ ଦିନ ଲୋକଲୋଚନକୁ ଆସୁଛିା ଏହି କାରବାର ପଞ୍ଚାୟତ ଠାରୁ ଆରମ୍ଭ କରି ସଚିବାଳୟ ପର୍ଯ୍ୟନ୍ତ ଲମ୍ବିଛି ବୋଲି ଅଭିଜ୍ଞ ବ୍ୟକ୍ତିମାନେ ମତବ୍ୟକ୍ତ କରିଛନ୍ତି।

ସମ୍ବନ୍ଧିତ ଖବର