ବ୍ରହ୍ମପୁର: ପୂର୍ବ ଭଳି ଆଉ ମହିଳାମାନେ ପଛରେ ନାହାନ୍ତି। କ୍ରମଶଃ ଲିଙ୍ଗଗତ ବୈଷ୍ୟମତା ଦୂର ହେବାରେ ଲାଗିଛି। ପୁଅ-ଝିଅ ମଧ୍ୟରେ ଭେଦଭାବ ନାହିଁ। ମହିଳାମାନେ ଏବେ ସବୁ କିଛି କରି ପାରୁଛନ୍ତି। ରାଜନୀତିରେ ମଧ୍ୟ ମହିଳାଙ୍କ ଗୁରୁତ୍ବ ବଢ଼ିଛି। ଯାହାକି ମହିଳାଙ୍କୁ ସାମାଜିକ କ୍ଷେତ୍ରରେ ଏକ ସମ୍ମାନଜନକ ସ୍ଥିତିରେ ପହଞ୍ଚାଇଛି। ଏଣୁ ଯିଏ ଯେ କୌଣସି କ୍ଷେତ୍ରରେ କାମ କଲେ ମଧ୍ୟ ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ ବୋଲି ରାଜ୍ୟ ବାଣିଜ୍ୟ, ପରିବହନ, ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା କହିଛନ୍ତି।ବ୍ରହ୍ମପୁର ହିଲ୍ପାଟଣାସ୍ଥିତ ସଂସ୍କୃତି ଭବନରେ ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ସଭାପତିତ୍ବରେ ଆୟୋଜିତ ‘ଓଡ଼ିଶା-୫୦ ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ’ର ଚତୁର୍ଥ ସଂସ୍କରଣରେ ମୁଖ୍ୟଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଜେନା କହିଲେ, ଆଜି ହେଉଛି ପବିତ୍ର ଗୋଷ୍ଠାଷ୍ଟମୀ। ଆଜି ଗୋ’ ମାତାଙ୍କ ସେବା କରିବାର ସୌଭାଗ୍ୟ ମିଳିବା ସହ ମହିଳା ଉଦ୍ୟୋଗୀ ମା’ମାନଙ୍କ ସହିତ କିଛି ସମୟ ଅତିବାହିତ କରିବାର ସୁଯୋଗ ମିଳିଛି। ଏଥିପାଇଁ ସେ ‘ସମ୍ବାଦ’କୁ ପ୍ରଶଂସା କରିଥିଲେ। ବର୍ତ୍ତମାନର ସମାଜ ଆଉ ପୁରୁଷପ୍ରଧାନ ହୋଇ ରହିନାହିଁ। ମହିଳାମାନେ ମଧ୍ୟ ସମାନ ଭାବେ ଅଂଶୀଦାର ରହିଛନ୍ତି। ଏସ୍ଏଚ୍ଜି ସଦସ୍ୟାଙ୍କ ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାର ସୁବିଧା କରିଛନ୍ତି। ସବ୍ସିଡିରେ ଋଣ ବ୍ୟବସ୍ଥା ରହିଛି। ମାଛଚାଷ, କୁକୁଡ଼ାଚାଷ, ଛତୁଚାଷ ପାଇଁ ଋଣ ସୁବିଧା ରହିଛି। ସୁଭ୍ରଦା ଯୋଜନାରେ ମା’ମାନଙ୍କୁ ସ୍ବାବଲମ୍ବୀ କରିବା ପାଇଁ ଆର୍ଥିକ ସହାୟତା ଦିଆଯାଉଛି। ସେହି ଟଙ୍କା କିପରି ସୁବିନିଯୋଗ କରିବେ ସେ ଦିଗରେ ଧ୍ୟାନ ଦେବାକୁ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ। ବିଦ୍ୟୁତ ବିଲ୍ ଆଦାୟ, କୃଷି ମିତ୍ର, ବ୍ୟାଙ୍କ ମିତ୍ର ଭଳି ବିଭିନ୍ନ କାର୍ଯ୍ୟରେ ମହିଳାମାନେ ନିୟୋଜିତ ରହୁଛନ୍ତି। ଫଳରେ ସେମାନେ କିଛି ରୋଜଗାର କରି ସ୍ବାବଲମ୍ବୀ ହୋଇ ପାରୁଛନ୍ତି ବୋଲି ମନ୍ତ୍ରୀ କହିଥିଲେ।
ମୁଖ୍ୟବକ୍ତା ଭାବେ ବ୍ରହ୍ମପୁର ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଯୋଗଦେଇ ନାରୀ ବିନା ଆମ ସମାଜ ଅଧୁରା। ନାରୀକୁ ଛାଡ଼ି ବିକାଶର ପରିକଳ୍ପନା କରାଯାଇ ପାରିବ ନାହିଁ। ସାମାଜିକ ଓ ଆର୍ଥିକ ବିକାଶ କ୍ଷେତ୍ରରେ ନାରୀର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି ବୋଲି ପ୍ରଫେସର ଦାଶ କହିଛନ୍ତି। ରାଜ୍ୟ ସରକାରଙ୍କ ଯୋଜନାରେ ସାମିଲ ହୋଇ ମହିଳାମାନେ ଗ୍ରାମାଞ୍ଚଳରୁ ବିକାଶଧାରାକୁ ଆଗେଇ ନେବାକୁ ଆହ୍ବାନ ଦେଇଥିଲେ। ପାରିବାରିକ ହିଂସା ରୋକିବା ପାଇଁ ମହିଳାମାନଙ୍କୁ ଅଧିକ ସୁଦୃଢ଼ ହୋଇ ଅନ୍ୟାୟ ବିରୋଧରେ ସ୍ବର ଉଠାଇବା ସହ ବିକାଶ ପ୍ରକ୍ରିୟାରେ ସାମିଲ ହେବାକୁ ଆହ୍ବାନ ଦେଇଥିଲେ।
ନାରୀ ବିନା ବିକାଶ ହେବ ନାହିଁ: କୁଳପତି
ରୋଜଗାର କଲେ ସମ୍ମାନ ମିଳେ: ସୌମ୍ୟରଂଜନ
କାର୍ଯ୍ୟକ୍ରମର ସଭାପତି ତଥା ‘ସମ୍ବାଦ’ ଗ୍ରୁପ୍ର ଅଧ୍ୟକ୍ଷ ଶ୍ରୀ ପଟ୍ଟନାୟକ ମହିଳାମାନେ ଆଉ ଛୋଟ ହୋଇ ରହି ନାହାନ୍ତି ବୋଲି କହିବା ସହ ପ୍ରତ୍ୟେକ କ୍ଷେତ୍ରରେ ମହିଳାମାନେ ନିଜର ପାରଦର୍ଶିତା ଦେଖାଇ ସାରିଲେଣି। ଏଣୁ ମା’କୁ ଛୋଟ ଭାବିବା ଭୁଲ୍। ସମାଜରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଦୁଇଟି ପନ୍ଥା ଅବଲମ୍ବନ କରିବାକୁ ପଡ଼ିବ। ଗୋଟିଏ ହେଲା ଶିକ୍ଷା। ପ୍ରତ୍ୟେକ ଝିଅ ପାଠପଢ଼ି ଶିକ୍ଷିତ ହୁଅନ୍ତୁ। ସବୁକିଛି ଜାଣନ୍ତୁ, ନିଜ ନିଷ୍ପତ୍ତି ନିଜେ ନିଅନ୍ତୁ। ଅନ୍ୟ ଉପରେ ନିର୍ଭର କରନ୍ତୁ ନାହିଁ। ଦ୍ବିତୀୟଟି ହେଉଛି ରୋଜଗାର। ରୋଜଗାର କଲେ ଆମର ଆର୍ଥିକ ଅଭିବୃଦ୍ଧି ଘଟିବା ସହିତ ଆମେ ଆଗକୁ ବଢ଼ି ପାରିବା। ବର୍ତ୍ତମାନର ସମାଜରେ ରୋଜଗାର କଲେ ସମ୍ମାନ ମିଳେ। ଏଣୁ କିଛି ନା କିଛି ରୋଜଗାର କରି ସ୍ବାବଲମ୍ବୀ ହେବାକୁ ସମସ୍ତେ ଉଦ୍ୟମ କରନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ। କାର୍ଯ୍ୟକ୍ରମରେ ଗଞ୍ଜାମ, ଗଜପତି ଓ କନ୍ଧମାଳ ଜିଲ୍ଲାର ସଫଳ ମହିଳା ଉଦ୍ୟୋଗୀମାନେ ସାମିଲ ହୋଇଥିଲେ।
ପ୍ରାରମ୍ଭରେ ‘ସମ୍ବାଦ’ ଗ୍ରୁପ୍ର ପରିଚାଳନା ନିର୍ଦ୍ଦେଶିକା ଡ. ମୋନିକା ନୈୟାର ପଟ୍ଟନାୟକ ସ୍ବାଗତ ଭାଷଣ ଦେଇ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଓଡ଼ିଶା-୫୦ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ ହେଉଛି ମହିଳାଙ୍କୁ ସ୍ବାବଲମ୍ବୀ କରିବା। ମହିଳାମାନେ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ‘ସମ୍ବାଦ’ ଜରିଆରେ ଖବର ପରିବେଷଣ କରି ତା’ର ସମାଧାନ ପାଇଁ ଉଦ୍ୟମ କରାଯାଉଛି। ଠିକ୍ ସେହିପରି ସଫଳତା ଛୁଇଁଥିବା ମହିଳାଙ୍କ କାହାଣୀ ମଧ୍ୟ ‘ସମ୍ବାଦ’ରେ ପ୍ରକାଶ ପାଇଛି। ମହିଳାମାନଙ୍କୁ ଆଗକୁ ନେବା ହେଉଛି ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ ବୋଲି କହିଥିଲେ। ‘ସମ୍ବାଦ’ ବ୍ରହ୍ମପୁର ସଂସ୍କରଣ ଶାଖା ପରିଚାଳକ ସୁଶୀଲ କୁମାର ପ୍ରଧାନ ଅତିଥିଙ୍କୁ ମଞ୍ଚକୁ ଆମନ୍ତ୍ରଣ କରିଥିବା ବେଳେ ବରିଷ୍ଠ ସହସମ୍ପାଦକ ଦୁର୍ଗାମାଧବ ବେହେରା ଅତିଥି ପରିଚୟ ଦେଇଥିଲେ। ବାର୍ତ୍ତା ବିଭାଗ ମୁଖ୍ୟ ପ୍ରଶାନ୍ତ ପଣ୍ଡା ଧନ୍ୟବାଦ ଦେଇଥିଲେ।