ସମ୍ବଲପୁର: ‘ସମ୍ବାଦ’ ଆୟୋଜିତ ଓଡ଼ିଶା-୫୦ କାର୍ଯ୍ୟକ୍ରମର ଦ୍ବିତୀୟ ସଂସ୍କରଣ ୧୬ ତାରିଖ ରବିବାର ସମ୍ବଲପୁରରୁ ଆରମ୍ଭ ହେଉଛି। ଏହାର ପ୍ରଥମ ଆଞ୍ଚଳିକ ସମାବେଶ ରବିବାର ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ବବିଦ୍ୟାଳୟ (ଭିସୁଟ୍)ରେ ଅନୁଷ୍ଠିତ ହେବ। ଏହି ‘ଗ୍ରାମୀଣ ମହିଳା ଉଦ୍ୟୋଗୀ ସମାବେଶ-୨୦୨୨’ରେ ପଶ୍ଚିମ ଓଡ଼ିଶାର ୧୦ଟି ଜିଲ୍ଲା ଅନ୍ତର୍ଗତ ସମସ୍ତ ୯୦ଟି ବ୍ଲକ୍ରୁ ୫୦୦ରୁ ଅଧିକ ମହିଳା ଉଦ୍ୟୋଗୀ ଭାଗ ନେବେ। ପ୍ରତି ବ୍ଲକ୍ରୁ ଦକ୍ଷତା ଓ ଉଦ୍ୟମ ଆଧାରରେ ଚୟନ କରାଯାଇ ଏହି ମହିଳା ଉଦ୍ୟୋଗୀ ମାନଙ୍କୁ ସମାବେଶକୁ ନିମନ୍ତ୍ରିତ କରାଯାଇଛି। ‘ସମ୍ବାଦ’ର ସଂପାଦକ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏହି ଅଭିନବ କାର୍ଯ୍ୟକ୍ରମକୁ ରାଜ୍ୟ ଉଚ୍ଚ ଶିକ୍ଷା ମନ୍ତ୍ରୀ ଇଂ ରୋହିତ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିବେ। ଏଥିରେ ‘ସମ୍ବାଦ’ର ପରିଚାଳନା ନିର୍ଦ୍ଦେଶିକା ମୋନିକା ନାୟର୍ ପଟ୍ଟନାୟକ ଯୋଗଦେଇ ମହିଳା ଉଦ୍ୟୋଗୀଙ୍କୁ ମାର୍ଗ ଦର୍ଶନ କରିବେ। ‘ସମ୍ବାଦ’ର ବାର୍ତ୍ତା ସଂପାଦକ ଅରବିନ୍ଦ ଦାସ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଜ୍ଞାପନ କରିବେ।
/sambad/media/post_attachments/wp-content/uploads/2022/10/odisha-diary.jpg)
ଦ୍ବିତୀୟ ଅଧିବେଶନରେ ‘ପ୍ରକଳ୍ପ ଚୟନ ଓ ବଜାର ବ୍ୟବସ୍ଥା’ ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହେବ। ଏଥିରେ ଓର୍ମାସ୍ର ଡେପୁଟି ସିଇଓ ଶ୍ରୀମନ୍ତ ହୋତା, ଆଞ୍ଚଳିକ ଶିଳ୍ପ କେନ୍ଦ୍ର ସମ୍ବଲପୁରର ଯୁଗ୍ମ ନିର୍ଦ୍ଦେଶକ କୃଷ୍ଣଚନ୍ଦ୍ର ନାୟକ ଏବଂ ଗଂଗାଧର ମେହେର ବିଶ୍ବବିଦ୍ୟାଳୟର ଏମ୍ବିଏ ବିଭାଗ ଅଧ୍ୟାପିକା ଡ. ଶ୍ରୁତିସୁଧା ମିଶ୍ର ବିଶେଷଜ୍ଞ ଆଲୋଚକଭାବେ ଯୋଗ ଦେବେ। ‘ସମ୍ବାଦ’ ସମ୍ବଲପୁର ସଂସ୍କରଣର ଉପମହାପ୍ରବନ୍ଧକ ସୁବ୍ରତ ନାୟକ ଏହା ସଂଯୋଜନା କରିବେ। ତୃତୀୟ ଅଧିବେଶନରେ ‘ପୁଞ୍ଜି ବ୍ୟବସ୍ଥା ଓ ପାରିବାରିକ ସହଯୋଗ’ ଶୀର୍ଷକ ଆଲୋଚନା ହେବ। ଏଥିରେ ଗଂଗାଧର ମେହେର ବିଶ୍ବବିଦ୍ୟାଳୟ ସମାଜବିଜ୍ଞାନ ବିଭାଗ ମୁଖ୍ୟ ତଥା ନୃତତ୍ତ୍ବର ଆସୋସିଏଟ୍ ପ୍ରଫେସର୍ ଡ. ମୀରା ସ୍ବାଇଁ, ଓଡ଼ିଶା ଜୀବିକା ମିସନର ସମ୍ବଲପୁର ଜିଲ୍ଲା ପ୍ରକଳ୍ପ ପରିଚାଳିକା ଡ. ପୁଷ୍ପଶ୍ରୀ ନାୟକ, ଭାରତୀୟ ଷ୍ଟେଟ୍ ବ୍ୟାଙ୍କର ଅବସରପ୍ରାପ୍ତ ଅଧିକାରୀ ତଥା ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନର ପୂର୍ବତନ ନିର୍ଦ୍ଦେଶକ ସୌରଭ ରାୟ ଆଲୋଚକଭାବେ ଯୋଗଦେବେ। ‘ସମ୍ବାଦ’ ରାଉରକେଲା ସଂସ୍କରଣର ଏଜିଏମ୍ ଆଶିଷ ଗଡ଼ନାୟକ ଏହାର ସଂଯୋଜନା କରିବେ। ସମ୍ବଲପୁର ପରେ କଟକ, ବାଲେଶ୍ବର ଓ ବ୍ରହ୍ମପୁରଠାରେ ମଧ୍ୟ ସମାନ ଢଙ୍ଗରେ ଆଞ୍ଚଳିକ ସମାବେଶ ଆୟୋଜିତ ହେବ। ଶେଷରେ ଭୁବନେଶ୍ବରଠାରେ ରାଜ୍ୟସ୍ତରୀୟ ସମାବେଶ ଆୟୋଜନ କରାଯିବ। ଗ୍ରାମୀଣ ମହିଳା ମାନଙ୍କୁ ଆତ୍ମନିର୍ଭରଶୀଳ ହେବା ପାଇଁ ପ୍ରୋତ୍ସାହିତ କରିବା ସହ ପରିବାର ପରିଚାଳନା ଓ ସାମାଜିକ ଅର୍ଥନୀତିରେ ସେମାନଙ୍କ ଭୂମିକାକୁ ଅଧିକ ବଳିଷ୍ଠ କରିବା ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି।