ରୁସା ପାଣ୍ଠି ବିନିଯୋଗର ହେବ ସମୀକ୍ଷା: ୨୧ରେ ଧର୍ମେନ୍ଦ୍ର-ଅରୁଣ ଆଲୋଚନା

ଭୁବନେଶ୍ବର : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୧୯ ତାରିଖଠାରୁ ଓଡ଼ିଶା ଗସ୍ତରେ ଆସୁଛନ୍ତି। ୪ ଦିନିଆ ଏହି ଗସ୍ତ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶାର ଉଚ୍ଚଶିକ୍ଷା ସମ୍ପର୍କରେ ସମୀକ୍ଷା କରିବେ। ଓଡ଼ିଶାରେ ରାଷ୍ଟ୍ରୀୟ ଉଚ୍ଚତର ଶିକ୍ଷା ଅଭିଯାନ(ରୁସା) ପାଣ୍ଠି ବିନିଯୋଗ ନେଇ ଅଗଷ୍ଟ ୨୧ରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ କୁମାର ସାହୁଙ୍କର ଆଲୋଚନା ହେବ। ସମୟ ଧାର୍ଯ୍ୟ ହୋଇ ନ ଥିଲେ ମଧ୍ୟ ଉଭୟ କେନ୍ଦ୍ର ଓ ରାଜ୍ୟ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଆଲୋଚନା ଓଡ଼ିଶାର ଶିକ୍ଷା ବ୍ୟବସ୍ଥାରେ ପରିବର୍ତନ ଆଣିବ ବୋଲି ଶିକ୍ଷାବିତ୍‌ମାନେ ଆକଳନ କରିଛନ୍ତି।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ସହ ଶିକ୍ଷା ମନ୍ତ୍ରଣାଳୟର ଉଚ୍ଚଶିକ୍ଷା ବିଭାଗ ଯୁଗ୍ମ ସଚିବ କାମିନି ରତନ ଚୌହାନ, ନିର୍ଦେଶକ ବିଶ୍ବଜିତ୍‌ କୁମାର ମଧ୍ୟ ଆସିବାର କାର୍ଯ୍ୟକ୍ରମ ରହିଛି। ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ସମୟରେ ଉକ୍ତ ଦୁଇ ଅଧିକାରୀ ମଧ୍ୟ ସାମିଲ ହେବେ। ଓଡ଼ିଶାର ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର, ଅତିରିକ୍ତ ସଚିବ ତଥା ରୁସା ଅଧିକାରୀ ରାଜଶ୍ରୀ ମହାନ୍ତିଙ୍କ ସମେତ ଅନ୍ୟାନ୍ୟ ଅଧିକାରୀମାନେ ଏହି ବୈଠକ‌ରେ ଉପସ୍ଥିତ ରହିବେ। କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ପୂର୍ବରୁ ବୈଠକର ରୂପରେଖ ପ୍ରସ୍ତୁତ ଲାଗି ମନ୍ତ୍ରଣାଳୟର ଅଧିକାରୀ ଆଶିକ୍‌ ଅଲ୍ଲି ୧୭ ତାରିଖ ତଥା ମଙ୍ଗଳବାର ଆଗୁଆ ଆସିବାର କାର୍ଯ୍ୟକ୍ରମ ରହିଛି। ସେ ୨୨ ତାରିଖ ସନ୍ଧ୍ୟା ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ। ଶିକ୍ଷା ମନ୍ତ୍ରଣାଳୟର ୩ ଜଣ ବରିଷ୍ଠ ଅଧିକାରୀଙ୍କ ଲାଗି ରାଜ୍ୟ ଅତିଥି ଭବନରେ ରହିବାର ବନ୍ଦୋବସ୍ତ କରିବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଛି।

ବିଭାଗର ଜଣେ ଅଧିକାରୀ କହିଛନ୍ତି ଯେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଥମ ଥର ଲାଗି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏହି ଗସ୍ତରେ ଓଡ଼ିଶାରେ ରୁସା ପାଣ୍ଠି ବିନିଯୋଗର ସମୀକ୍ଷା ହେବ। ବିଶ୍ବବିଦ୍ୟାଳୟଗୁଡ଼ିକ ରୁସା ଅର୍ଥ ଖର୍ଚ୍ଚ କରୁ ନ ଥିବା ନେଇ ବାରମ୍ବାର ଅଭିଯୋଗ ହେଉଛି। ଏମିତିକି ଦିଆଯାଇଥିବା ଅର୍ଥ ଖର୍ଚ୍ଚ କଲେ ମଧ୍ୟ ବିନିଯୋଗ ବିଶ୍ବବିଦ୍ୟାଳୟଗୁଡ଼ିକ ପ୍ରମାଣପତ୍ର ଦେଉ ନ ଥିବା‌ ଦେଖିବାକୁ ମିଳୁଛି। ସେହି ଦୃଷ୍ଟିରୁ ଏହି ଆଲୋଚନା ଅଧିକ ଗୁରୁତ୍ବ ବହନ କରୁଛି। ଏଥିସହ ଜାତୀୟ ଶିକ୍ଷା ନୀତି-୨୦୨୦ର ରୂପରେଖ ନେଇ ମଧ୍ୟ ଉଭୟ ମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇପାରେ।

ସମ୍ବନ୍ଧିତ ଖବର