ଭଦ୍ରକ: ବେଆଇନ୍‌ ମଦ କାରବାର ମାମଲାରେ ଜବତ ହୋଇଥିବା ପିକ୍‌ଅପ୍‌ ଭ୍ୟାନ୍‌ ସଂପର୍କରେ ଆସନ୍ତାକାଲି ବିଚାର ହେବାକୁ ଥିବା ବେଳେ ‌ଆଜି ନୋଟିସ୍‌ ଦେବାକୁ ଯାଇଥିବା ଅବକାରୀ ଟିମ୍‌କୁ ହଟହଟା ହେବାକୁ ପଡ଼ିଛି। ଅବକାରୀ ବିଭାଗ ଅଧିକାରୀ ଓ କର୍ମଚାରୀଙ୍କୁ ଧସ୍ତାଧସ୍ତି ସହ ପ୍ରାୟ ୧ ଘଣ୍ଟା ଅଟକ ରଖାଯାଇଥିଲା। ଏଭଳି ଘଟଣା ଘଟିଛି ଭଦ୍ରକରେ। ସୂଚନା ଅନୁସାରେ; ଗତ ନଭେମ୍ବର ମାସରେ ମଦ କାରବାର ମାମଲାରେ ଭଦ୍ରକ ଅବକାରୀ ବିଭାଗ ଏକ ପିକ୍‌ଅପ୍‌ ଭ୍ୟାନ୍‌ ଜବତ କରିଥିଲା। ତେବେ ସେହି ପିକ୍‌ଅପ୍‌ଟି କୋଇଲା କାରବାରରେ ବ୍ୟବହାର ହେଉଥିବା ନେଇ ମାଲିକ ଏସ୍‌କେ ତବରେଜ୍‌ ଭଦ୍ରକ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ କରିଥିଲେ। ଫଳରେ ପୁଲିସ ପିକ୍‌ଅପ୍‌ଟିକୁ ଜବତ କରି ଆଣିଥିଲା। ଏହି ଘଟଣାକୁ ନେଇ ଅବକାରୀ ବିଭାଗ ଓ ପିକ୍‌ଅପ୍‌ ଭ୍ୟାନ୍‌ ମାଲିକଙ୍କ ମଧ୍ୟରେ ଏକପ୍ରକାର ଶୀତଳଯୁଦ୍ଧ ଚାଲିଥିଲା। ଏପରି ସମୟରେ ଆସନ୍ତାକାଲି ଅତିରିକ୍ତ ଅବକାରୀ କମିସନର୍‌ଙ୍କ ଦ୍ବାରା ଗାଡ଼ି ଜବତ ମାମଲାର ବିଚାର ହେବାର ଥିଲା। ଫଳରେ ଆଜି ଅବକାରୀ ବିଭାଗର ୫ ଜଣ କର୍ମଚାରୀ ନୋଟିସ୍‌ ଦେବା ପାଇଁ ପିକ୍‌ଅପ୍‌ ଭ୍ୟାନ୍‌ ମାଲିକ ଏସ୍‌କେ ତବରେଜ୍‌ଙ୍କ ଘରକୁ ଯାଇଥିଲେ। ହେଲେ ତାଙ୍କ ପରିବାର ଲୋକ ନୋଟିସ୍‌ ରଖି ନଥିଲେ।

Advertisment

ଓଲଟା ଗାଳିଗୁଲଜ କରିଥିଲେ। ଫଳରେ ମୋବାଇଲ୍‌ ସ୍କ୍ବାଡ୍‌ ଏସ୍‌ଆଇ ରବି ବେହେରା ଏସ୍‌କେ ତବରେଜ୍‌ଙ୍କ ଘରେ ପହଞ୍ଚିଥିଲେ। ସେ ଯେତେ ବୁଝାଇଲେ ମଧ୍ୟ ଘରଲୋକ ନୋଟିସ୍‌ ରଖି ନଥିଲେ। ଫଳରେ ଅବକାରୀ ବିଭାଗ ପକ୍ଷରୁ ଘର କାନ୍ଥରେ ନୋଟିସ୍‌ ଲଗାଯିବା ସହ ପ୍ରମାଣ ସ୍ବରୂପ ଭିଡିଓ ରେକର୍ଡିଂ କରାଯାଉଥିଲା। ଏହା ଦେଖି ପରିବାର ଲୋକ ତାତିଥିଲେ। ସେମାନେ ଅବକାରୀ ଅଧିକାରୀ ଶ୍ରୀ ବେହେରା ଓ କର୍ମଚାରୀମାନଙ୍କୁ ଠେଲାପେଲା କରିବା ସହ ୧ ଘଣ୍ଟା ଅଟକ ରଖିଥିଲେ। ଖବର ପାଇ ପୁରୁଣା ବଜାର ପୁଲିସ ପହଞ୍ଚିଥିଲା। ଏସ୍‌ଆଇ ଶ୍ରୀ ବେହେରା, କର୍ମଚାରୀ ଓ ଏସ୍‌କେ ତବରେଜ୍‌ଙ୍କ ପରିବାର ଲୋକଙ୍କୁ ଥାନା ନେଇଯାଇଥିଲା। ସେଠାରେ ଉଭୟ ପକ୍ଷ ମଧ୍ୟରେ ବୁଝାମଣା ହୋଇଥିବା ବେଳେ ଏସ୍‌କେ ତବରେଜ୍‌ଙ୍କ ପରିବାର ଲୋକ ନୋଟିସ୍‌ ଗ୍ରହଣ କରିଥିଲେ। ଏନେଇ ମୋବାଇଲ୍‌ ସ୍କ୍ବାଡ୍‌ ଏସ୍‌ଆଇ ଶ୍ରୀ ବେହେରାଙ୍କ ମତାମତ ନିଆଯାଇଥିଲା। ସେ କହିଛନ୍ତି, ଏସ୍‌କେ ତବରେଜ୍‌ଙ୍କ ପରିବାର ଲୋକ ନୋଟିସ୍‌ ରଖି ନଥିଲେ। ତେଣୁ ନିୟମ ଅନୁସାରେ ଆମେ ଘର କାନ୍ଥରେ ନୋଟିସ୍‌ ଲଗାଇବା ସହ ଭିଡିଓ ରେକର୍ଡିଂ କରୁଥିଲୁ। ହେଲେ ଏସ୍‌କେ ତବରେଜ୍‌ଙ୍କ ପରିବାର ଲୋକ ଏହାକୁ ବିରୋଧ କରିବା ସହ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲେ। ଅନ୍ୟପଟେ ଘଟଣା ବାବଦରେ ସ୍ଥାନୀୟ ବାସିନ୍ଦା ଏସ୍‌ ସମଦାନୀଙ୍କୁ ପଚରାଯାଇଥିଲା। ସେ କହିଛନ୍ତି, ଅବକାରୀ ବିଭାଗ ପକ୍ଷରୁ ଜଣେ କି ଦୁଇଜଣ ଆସି ନୋଟିସ୍‌ ଦେଇ ପାରନ୍ତେ। ହେଲେ ନୋଟିସ୍‌ ଦେବାକୁ ବିଭାଗୀୟ କମର୍ଚାରୀମାନେ ଫୋର୍ସ ନେଇ ଆସିଥିଲେ। ଅଯଥାରେ ଧମକଚମକ ଦେଉଥିଲେ। ଫଳରେ ଗଣ୍ଡଗୋଳର ସୂତ୍ରପାତ ହୋଇଥିଲା।