ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଜୀବନରେଖା ଚିରସ୍ରୋତା ଋଷିକୁଲ୍ୟା ନଦୀଶଯ୍ୟା ଏବେ ଶୁଷ୍କ। ନଦୀରେ ପାଣି ଟୋପାଏ ନାହିଁ। ନଦୀ ଜଳ ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଋଷିକୁଲ୍ୟାର ପ୍ରାୟ ୭୫/୮୦ ପ୍ରତିଶତ ପାଣି ସମୁଦ୍ରକୁ ଚାଲିଯାଉଛି। ଫଳରେ, ଖରାଦିନରେ ପାଣିର ଉତ୍କଟ ସମସ୍ୟା ଦେଖାଦେଉଛି। ଏବର୍ଷ ଏବେଠାରୁ ନଦୀ ଶୁଖିଲା ପଡ଼ି ରହିଥିବାରୁ ଖରିଫ୍ ଆରମ୍ଭରୁ ଚାଷୀଙ୍କୁ ଜଳସେଚନ ଚିନ୍ତା ଘାରିଛି। ସେପଟେ ଆଗାମୀ ଦିନରେ ଛତ୍ରପୁର ଓ ବ୍ରହ୍ମପୁର ସହର ସମେତ ଆଇଆର୍ଇ, ଗୋପାଳପୁର ବନ୍ଦର, ଟାଟା ଏସ୍ଇଜେଡ୍ ଶିଳ୍ପାଞ୍ଚଳରେ ପାନୀୟଜଳ ସମସ୍ୟା ଉତ୍କଟ ହେବ ବୋଲି ଆଶଙ୍କା ଦେଖାଦେଇଛି। କାରଣ ଗଞ୍ଜାମ ଜିଲ୍ଲାର ଅଧିକାଂଶ ଜଳପ୍ରକଳ୍ପ ଋଷିକୁଲ୍ୟା ନଦୀ ପାଣି ଉପରେ ନିର୍ଭରଶୀଳ।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ର ଋଷିମାଳ ପର୍ବତମାଳାରୁ ଉତ୍ପତ୍ତିଲାଭ କରିଥିବା ଋଷିକୁଲ୍ୟା ନଦୀ ମୁଖ୍ୟତଃ ଗଞ୍ଜାମ ଜିଲ୍ଲା ଦେଇ ୧୬୫ କିଲୋମିଟର ପର୍ଯ୍ୟନ୍ତ ପ୍ରବାହିତ ହୋଇ ସମୁଦ୍ରରେ ମିଶିଛି। ଗଞ୍ଜାମ ଜିଲ୍ଲାବାସୀ ଜଳସେଚନ ସହିତ ପାନୀୟଜଳ ପାଇଁ ଏହି ନଦୀ ଉପରେ ପ୍ରାୟତଃ ନିର୍ଭର କରିଥା’ନ୍ତି। ଗ୍ରୀଷ୍ଣଦିନରେ ଋଷିକୁଲ୍ୟା ଶୁଖିଲା ପଡ଼ି ଯାଉଥିବାରୁ ଗଞ୍ଜାମବାସୀ ପାଣି ପାଇଁ ଛଟପଟ ହେଉଛନ୍ତି। ନଦୀ ସଂଯୋଗୀକରଣ ଜରିଆରେ ଋଷିକୁଲ୍ୟାକୁ ଚିରସ୍ରୋତା କରିବାପାଇଁ ଯୋଜନା କରାଯାଇଥିଲା। ଓଡ଼ିଶାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ କ୍ରମେ ଋଷିକୁଲ୍ୟା ବଞ୍ଚାଅ ସମିତି ଜରିଆରେ ଆନ୍ଦୋଳନ ହୋଇଥିଲା। ହେଲେ, ଏହି ପ୍ରସ୍ତାବ ଆଗେଇ ପାରୁନାହିଁ। ଏପରିକି ଗତ ଚାରି ଦଶନ୍ଧି ଭିତରେ ନଦୀ ଜଳ ସଂରକ୍ଷଣ ଦିଗରେ ଅନେକ ଯୋଜନା ହୋଇଛି, କୌଣସି ଉଦ୍ୟମ କରାଯାଇ ନାହିଁ।
scoutmytrip.comବ୍ରିଟିସ୍ ଅମଳରେ ୧୮୯୪ ମସିହାରେ ଋଷିକୁଲ୍ୟା ନଦୀର ପାଣିକୁ ଜଳସଚେନ ନିମନ୍ତେ ପ୍ରଥମେ ବ୍ୟବହାର କରାଯାଇଥିଲା। ଋଷିକୁଲ୍ୟା ସିଷ୍ଟମ୍ରୁ କେନାଲ ଯୋଗେ ଗଞ୍ଜାମ ଜିଲ୍ଲାର ମାତ୍ର ୬୦ହଜାର ୩୫୫ ହେକ୍ଟର୍ ଜମିକୁ ଜଳସେଚନ ବ୍ୟବସ୍ଥା ରହିଥିବା ଜଳସମ୍ପଦ ବିଭାଗ ତଥ୍ୟରୁ ଜଣାଯାଇଛି। ତେବେ ଋଷିକୁଲ୍ୟା ନଦୀଜଳକୁ ସଂରକ୍ଷିତ ରଖିବା ପାଇଁ ଗତବର୍ଷ ରାଜ୍ୟ ସରକାର ଅନ୍ତଃନଦୀ ଜଳାଶୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ଏହି ଯୋଜନା ଅନୁସାରେ ଋଷିକୁଲ୍ୟା ନଦୀର ସୋରଡ଼ା ନିକଟସ୍ଥ ସିଙ୍ଗିପୁରଠାରେ ହେବାକୁ ଥିବା ପ୍ରକଳ୍ପ ପାଇଁ ୩୫ କୋଟି ୯୦ ଲକ୍ଷ ଟଙ୍କା ବଜେଟ୍ ରଖାଯାଇଛି। ସେଭଳି ବହୁବର୍ଷ ତଳୁ ପ୍ରସ୍ତାବିତ କଂସାରୀଗଣ୍ଡ ବ୍ୟାରେଜ୍ ପାଇଁ ୨୪୦ କୋଟି ୭୦ ଲକ୍ଷ ଟଙ୍କାର ବଜେଟ୍ ରଖାଯାଇଛି। ଏହି ପ୍ରକଳ୍ପର ଟେଣ୍ଡର୍ ପ୍ରକ୍ରିୟା ମଧ୍ୟ ସରିଛି। ଖୁବ୍ଶୀଘ୍ର କାମ ଆରମ୍ଭ ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ।
ଋଷିକୁଲ୍ୟାରେ ୬ଟି ନଦୀର ପାଣି ମିଶୁଛି। ତଥାପି ସେହି ପାଣିର ସଦ୍ବିନିଯୋଗ କରାଯାଇ ପାରୁନାହିଁ। ଖରାଦିନରେ ପାଣିର ସମସ୍ୟା ଲାଗି ରହୁଛି। ଜିଲ୍ଲାରେ ଉଠାସେଚ ପ୍ରକଳ୍ପ ମଧ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ଏଣୁ ଋଷିକୁଲ୍ୟା ନଦୀ ଉପରେ ସମସ୍ତେ ନିର୍ଭର କରୁଛନ୍ତି। ଋଷିକୁଲ୍ୟା ଜଳର ସୁପରିଚାଳନା ପାଇଁ ଋଷିକୁଲ୍ୟା ଉନ୍ନୟନ ପରିଷଦ ଗଠନ କରିବାକୁ ବାରମ୍ବାର ପ୍ରସ୍ତାବ ଦିଆଯାଇଛି। ହେଲେ ଏ ଦିଗରେ ରାଜ୍ୟ ପ୍ରଶାସନ କୌଣସି ପଦକ୍ଷେପ ଗ୍ରହଣ କରୁ ନଥିବା ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି। ଋଷିକୁଲ୍ୟାର ପାଣି ସଂଚୟ କରି ରଖିଲେ ଗଞ୍ଜାମ ଜିଲ୍ଲାରେ ଦୋ-ଫସଲି ସମ୍ଭବ ହେବା ସହିତ ଜଳସଂକଟ ଦୂର ହୋଇ ପାରିବ ବୋଲି ଶ୍ରୀ ନାହାକ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/rusikulya-ganjam.jpg)