ଋଷିକୁଲ୍ୟାରୁ ବାଲି ଚୋରି, ମାଡ଼ି ଚାଲିଛି କାଶତଣ୍ତି: ଆଲୋଚନାରେ ସୀମିତ ଆରଡ଼ିଏ ଗଠନ

ସମୁଦ୍ରକୁ ଚାଲିଯାଉଛି ପାଣି, ପ୍ରସ୍ତାବରେ ଅଟକିଛି ପିପଳପଙ୍କା ଡ୍ୟାମ୍‌

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଜୀବନ ରେଖା ଭାବେ ପରିଚିତ ଋଷିକୁଲ୍ୟା ନଦୀ ଏବେ ବିପଦରେ। ନଦୀ ଶଯ୍ୟା ଓ ପଠାରୁ ବେଆଇନ ବାଲି ଉତ୍ତୋଳନ ହେଉଛି। ଅନ୍ୟପକ୍ଷରେ ଋଷିକୁଲ୍ୟା ପାଇଁ ବଡ଼ବିପଦ ସୃଷ୍ଟି କରିଛି କାଶତଣ୍ତି, ବେଣା ଗଛ ଓ ବଣ ଆଖୁ ଭଳି ଅନାବନା ଗଛ। ନଦୀ ଶଯ୍ୟାର ଶହ ଶହ ଏକର ଇଲାକରେ ମାଡ଼ିଗଲାଣି କାଶତଣ୍ତି। ନଦୀର ଜଳ ନିଷ୍କାସନରେ ବାଧା ସୃଷ୍ଟି ହେବା ସହ ଜଳ ପ୍ରବାହର ବେଗ ହ୍ରାସ ପାଉଛି। ଫଳରେ ନଦୀବନ୍ଧ ଭାଙ୍ଗି ବନ୍ୟା ପରିସ୍ଥିତି ଉପୁଜିବାର ଆଶଙ୍କା ରହୁଛି।

ଅନ୍ୟପକ୍ଷରେ ଋଷିକୁଲ୍ୟା ନଦୀର ଜଳକୁ ସ˚ରକ୍ଷଣ କରି ରଖୃବାର ବ୍ୟବସ୍ଥା ନ ଥିବାରୁ ସବୁ ଜଳ ସମୁଦ୍ରକୁ ବୋହିଯାଉଛି। ଋଷିକୁଲ୍ୟାର ଉପରମୁଣ୍ତ ସୋରଡ଼ାର ପିପଳପଙ୍କା ଠାରେ ଏକ ଡ଼୍ୟାମ ନିର୍ମାଣ ଯୋଜନା ପ୍ରାୟ ୨୫ ବର୍ଷ ହେଲା ପ୍ରସ୍ତାବରେ ଅଟକି ରହିଛି। ଗଞ୍ଜାମ ଜିଲ୍ଲା ପରିଷଦ ବୈଠକରେ ଋଷିକୁଲ୍ୟା ଉନ୍ନୟନ କତ୍ତୃପକ୍ଷ(ଆରଡ଼ିଏ) ଗଠନ ଲାଗି ପ୍ରସ୍ତାବ ପାରିତ ହୋଇ ରାଜ୍ୟ ସରକାରଙ୍କୁ ପଠାଯାଇଛି। କିନ୍ତୁ ଏଯାବତ୍‌ ସେ ଦିଗରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇନାହିଁ।

ସମୁଦ୍ର ପତ୍ତନ ଠାରୁ ୧ହଜାର ମିଟର ଉଚ୍ଚ କନ୍ଧମାଳ ଜିଲ୍ଲାର ଋଷିମାଳ ପର୍ବତରୁ ଋଷିକୂଲ୍ୟା ନଦୀ ବାହାରି କନ୍ଧମାଳ ଓ ଗଞ୍ଜାମ ଜିଲ୍ଲାର ୧୬୫ କିମି ଅତିକ୍ରମ କରି ଗଞ୍ଜାମ ସହର ନିକଟବର୍ତ୍ତୀ ବଙ୍ଗୋପସାଗରରେ ମିଶିଛ। ଏହି ନଦୀର କ୍ୟାଚ୍‌ମେଣ୍ଟ ଇଲାକା ୭୭୦୦ ବର୍ଗ କିମି। ଜଳସେଚନ ଓ ପାନୀୟ ଜଳ ପାଇଁ ଗଞ୍ଜାମ ବାସୀ ଋଷିକୁଲ୍ୟା ଜଳକୁ  ବ୍ୟବହାର କରୁଛନ୍ତି।  ଜିଲ୍ଲାର ଜୀବନ ରେଖାର ଜୀବନ ଏବେ ବିପଦରେ ରହିଛି। ଏହି ନଦୀରୁ ଅନବରତ ବେଆଇନ ବାଲି ଉତ୍ତୋଳନ ହେଉଛି। ମାଫିଆମାନେ ନଦୀ ଶଯ୍ୟାରୁ ବାଲି ଉତ୍ତୋଳନ କରିବା ସହିତ ନଦୀ ପଠାକୁ ଛାଡ଼ୁନାହାନ୍ତି। ପଠା ରୁ ବାଲି କାଢି ନେବା ଦ୍ବାର ନଦୀବନ୍ଧ ଦୁର୍ବଳ ହେଉଛି।

ପ୍ରତ୍ୟେହ ଋଷିକୁଲ୍ୟାରୁ ହଜାର ହାଜର ଟ୍ରକ ବାଲି ଉତ୍ତୋଳନ ହୋଇ ଚାଲାଣ ହେଉଛି। ଦ୍ବିତୀୟରେ ଋଷିକୂଲ୍ୟା ନଦୀ ଶଯ୍ୟାକୁ କାଶତଣ୍ତି, ବଣ ଆଖୁ ଓ ବେଣା ଭଳି ଅନବନା ଗଛ କବଜ୍‌ା କରିବାକୁ ବସିଲେଣି। ଗଞ୍ଜାମ ଜିଲ୍ଲାର ଧରାକୋଟ, ଆସିକା, ପୁରୁଷୋତ୍ତମ ଠାରୁ ଗଞ୍ଜାମ ପର୍ଯ୍ୟନ୍ତ ନଦୀ ଶଯ୍ୟାରେ କାଶତଣ୍ତି ଓ ବେଣା ମାଡ଼ିଗଲାଣି। ଏହି ସବୁ ଅନାବନା ଗଛ ମାଡ଼ିବା ଫଳରେ ଜଳର ବେଗ କମୁଛି। ଜଳ ନିଷ୍କାସନ ହୋଇ ନ ପାରି କୃତିମ ବନ୍ୟା ପରିସ୍ଥିିତିି ସୃଷ୍ଟି ହେବାର ଆଶଙ୍କା ରହୁଛି। ଋଷିକୂଲ୍ୟା ନଦୀ ଶଯ୍ୟାରୁ ଯୁଦ୍ଧକାଳୀନ ଭିତ୍ତିରେ କାଶତଣ୍ତି ଓ ଅନ୍ୟାନ ଅନାବନା ଗଛର ମୂଳୋତ୍ପାଟନ କରିବା ଜରୁରୀ ହୋଇପଡ଼ିଛି। ନ ଚେତ ଏହା ଆଗାମୀ ଦିନରେ ଜିଲ୍ଲା ପାଇଁ ବଡ଼ ବିପଦ ସୃଷ୍ଟି କରିବାର ଆଶଙ୍କା ରହୁଛି।

ଜିଲ୍ଲାର ୧ଲକ୍ଷ ୧୮ହଜାର ୦୫୪ ହେକ୍ଟର ଚାଷ ଜମିକୁ ଖରିଫ୍‌ରେ ଏହି ନଦୀ ଦ୍ବାରା ଜଳସେଚିତ ହୋଇପାରୁଛି। ଋଷିକୁଲ୍ୟାର ଜଳକୁ ସ˚ରକ୍ଷଣ କରି ରଖୃ ବର୍ଷତମାମ ବିନିଯୋଗ କରିବାର ବ୍ୟବସ୍ଥା ନାହିଁ। ଏହି ନଦୀରେ ବ୍ୟାରେଜ ନାହିଁ କି ସ˚ରକ୍ଷଣ କରି ରଖିବା ଲାଗି ଡ୍ୟାମ ନାହିଁ। ଏହି ନଦୀର ସବୁ ଜଳ ସମୁଦ୍ରକୁ ବୋହିଯାଉଛି। ରବିଋତୁରେ ଋଷିକୁଲ୍ୟା ଭଳି ନଦୀ ଥାଇ ଜଳସେଚନ ପାଇଁ ପାଣି ଟୋପଏ ମିଳୁ ନାହିଁ।  ରବିରେ ଋଷିକୁଲ୍ୟା ଦ୍ବାରା ମାତ୍ର ୭୧୪୫ ହେକ୍ଟର ଜମିକୁ  ଜଳସେଚିତ ହୋଇପାରୁଛି। ୧୯୯୫ ମସିହାରେ ଋଷିକୁଲ୍ୟାର ଉପରମୁଣ୍ତ ସୋରଡ଼ାର ପିପିଳପଙ୍କା ଠାରେ ଡ୍ୟାମ୍‌ କରିବା ଲାଗି ଯୋଜନା ପ୍ରସ୍ତୁତ ହୋଇଥିଲା। ଏଥିଲାଗି ୫୫୧.୯୮କୋଟି ଟଙ୍କାର ବ୍ୟୟ ଅଟ୍ଟକଳ କରାଯାଇ ଡିପିଆର ପ୍ରସ୍ତୁତ ହୋଇଥିଲା। ପ୍ରସ୍ତାବିତ ଟାଟା ଷ୍ଟିଲକୁ ଜଳଯୋଗାଣ ସହ ବ୍ରହ୍ମପୁର ସହରକୁ ପାନୀୟ ଜଳ ଯୋଗାଣ ଲକ୍ଷ୍ୟ ରହିଥିଲା। ଏଥିସହିତ ଜଳସେଚନର ବି ସୁବିଧା ହୋଇପାରିଥାନ୍ତି। ଟାଟା ଷ୍ଟିଲ  ପ୍ରକଳ୍ପରୁ ଓହରିବା ପରେ ସରକାର ପିପଳପଙ୍କା ଡ୍ୟାମ ପ୍ରକଳ୍ପକୁ ଭୁଲିଗଲେ। ଏହାପର ଠାରୁ ପ୍ରସ୍ତାବରେ ରହିଯାଇଛି ପିପଳପଙ୍କା ଡ୍ୟାମ୍‌।

ଅନ୍ୟପକ୍ଷରେ ଜନସ˚ଖ୍ୟା ବୃଦ୍ଧି ଓ ଗମନାଗମନର ସୁବିଧାକୁ ଦୃଷ୍ଟିରେ ରଖୃ ଋଷିକୁଲ୍ୟା ନଦୀ ଉପରେ ଗୋଟିଏ ପରେ ଗୋଟିଏ ବ୍ରିଜ ନିର୍ମାଣ ହେଉଛି। ଗଞ୍ଜାମ ଜିଲ୍ଲାର ଆସିକା, ପୁରୋଷତ୍ତମପୁର, ଗଞ୍ଜାମ, ବ୍ରାହ୍ମଣଛାଇ ଆଦି ୭ରୁ ଅଧୃକ ସ୍ଥାନରେ ଋଷିକୁଲ୍ୟା ନଦୀ ଉପରେ ବ୍ରିଜ ରହିଛି। ଏବେ ଆଛୁଲି ନିକଟରେ ପ୍ରାୟ ୨୪କୋଟି ଟଙ୍କା ବ୍ୟୟ ଏକ ବ୍ରିଜ ନିର୍ମାଣଧୀନ ରହିଛି। ଛତ୍ରପୁର ବ୍ଲକର କସା˚ରୀ ଗଣ୍ତ ନିକଟବର୍ତ୍ତୀ ଇଲାକରେ ଆଉ ଏକ ବ୍ରିଜ ନିର୍ମାଣ ଲାଗି ଗ୍ରାମ୍ୟ ଉନ୍ନୟନ ବିଭାଗ ସର୍ଭେ କରୁଥିବା ଜଣାପଡ଼ିଛି। ଗୋଟିଏ ପରେ ଗୋଟିଏ ବ୍ରିଜ ନିର୍ମାଣ ହେଉଥିଲେ ହେଁ ସେଠାରେ ବ୍ୟାରେଜ ନିର୍ମାଣ ଲାଗି ଦୃଷ୍ଟି ଦିଆଯାଉନାହିଁ। ଯଦି ବ୍ୟାରେଜ ନିର୍ମାଣ ହୁଅନ୍ତା ତେବେ କମ୍‌ ଖର୍ଚ୍ଚରେ ଜଳ ସ˚ରକ୍ଷିତ ହୋଇ ରହିପାରିଥାନ୍ତି। କୃଷି ଓ ପାନୀୟ ଜଳ ଲାଗି ଉକ୍ତ ଜଳକୁ ବିନିଯୋଗ କରାଯାଇପାରିଥାନ୍ତି। ଆଛୁଲି ନିକଟରେ ନିର୍ମାଣଧୀନ ଥିବା ଋଷିକୁଲ୍ୟା ବ୍ରିଜ ଠାରେ ବ୍ୟାରେଜ ନିର୍ମାଣ ଲାଗି ଏବେ ଜଳସେଚନ ବିଭାଗ ଯୋଜନା ପ୍ରସ୍ତୁତ କରୁଥିବା ଜଣାପଡ଼ିଛି।  ଋଷିକୁଲ୍ୟା ଉପରେ ବ୍ରିଜ ନିର୍ମାଣ ସମୟରେ ଗ୍ରାମ୍ୟ ଉନ୍ନୟନ ବିଭାଗ ଜଳସେଚନ ବିଭାଗ ଠାରୁ ପରାମର୍ଶ ନେଉନାହିଁ। ଉଭୟ ବିଭାଗ ମଧ୍ୟ ସମନ୍ବୟ ରହୁନାହିଁ। ଫଳରେ ନାନା ସମସ୍ୟା ଉପୁଜୁଛି। ବ୍ରାହ୍ମଣଛାଇ ଠାରେ ନିର୍ମିତ ଋଷିକୁଲ୍ୟା ବ୍ରିଜ ଠିକ୍‌ଭାବେ ନିର୍ମାଣ ହୋଇ ନ ଥିବାରୁ ଅର୍ଥାତ ବ୍ରିଜର ଉଚ୍ଚତା କମ ଯୋଗୁ ବନ୍ୟାପାଣି ଆସିଲେ ନିଷ୍କାସନରେ ସମସ୍ୟା ଉପୁଜୁଛି।

୨୦୧୯ ମସିହାରେ ଅନୁଷ୍ଠିତ ଗଞ୍ଜାମ ଜିଲ୍ଲାର ଜିଲ୍ଲା ପରିଷଦ ବୈଠକ ଋଷିକୂଲ୍ୟା ନଦୀର ସ୍ଥିତିକୁ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିଲା। ଋଷିକୁଲ୍ୟା ନଦୀ ଜଳ ପରିଚାଳନା, ଋଷିକୁଲ୍ୟା ନଦୀ ସ୍ଥିତି ଉପରେ ପୁଙ୍ଖାନୁପୁଙ୍ଖ ଚର୍ଚ୍ଚା କରାଯାଇଥିଲା ଏହି ନଦୀ ଜିଲ୍ଲାର ଜୀବନ ରେଖା ହୋଇଥବାରୁ ଏହାର ବିକାଶ ଓ ସୁପରିଚାଳନା ଲାଗି ଋଷିକୁଲ୍ୟା ଉନ୍ନୟନ କତ୍ତୃପକ୍ଷ ଗଠନ କରିବା ଲାଗି ବୈଠକରେ ଉପସ୍ଥିତ ଲୋକ ପ୍ରତିନିଧୃମାନେ ପ୍ରସ୍ତାବ ଦେଇଥିଲେ। ଏହି ପ୍ରସ୍ତାବ ସର୍ବସମ୍ମିତ କ୍ରମେ ବୈଠକରେ ପାରିତ ହୋଇ ରାଜ୍ୟ ସରକାରଙ୍କୁ ଦିଆଯାଇଥିଲା। ଏହାପରେ କୌଣସି କାର୍ଯ୍ୟକାରୀ ହୋଇପାରିନାହିଁ।

ସମ୍ବନ୍ଧିତ ଖବର