/sambad/media/post_attachments/wp-content/uploads/2022/07/rusikulya.jpg)
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ର ଋଷିମାଳ ପର୍ବତରୁ ବାହାରି ଗଞ୍ଜାମ ଜିଲ୍ଲା ଦେଇ ସମୁଦ୍ରରେ ମିଶିଛି ଋଷିକୁଲ୍ୟା ନଦୀ ଋଷିକୁଲ୍ୟା ନଦୀର ଲମ୍ବ ପ୍ରାୟ ୧୬୫ କି.ମି ହେବ। ଗଞ୍ଜାମ ଜିଲ୍ଲାବାସୀ ପାଣି ପାଇଁ ଏହି ନଦୀ ଉପରେ ନିର୍ଭର କରିଥା’ନ୍ତି। ଗ୍ରୀଷ୍ମଦିନରେ ଋଷିକୁଲ୍ୟା ଶୁଖିଲା ପଡ଼ିଯାଉଥିବାରୁ ଗଞ୍ଜାମବାସୀ ପାଣି ପାଇଁ ଛଟପଟ ହେଉଛନ୍ତି। ନଦୀ ସଂଯୋଗୀକରଣ ଜରିଆରେ ଋଷିକୁଲ୍ୟାକୁ ଚିରସ୍ରୋତା କରିବା ପାଇଁ ଯୋଜନା କରାଯାଇଥିଲା। ଓଡ଼ିଶାର ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡାଙ୍କ ଉଦ୍ୟମ କ୍ରମେ ଋଷିକୁଲ୍ୟା ବଞ୍ଚାଓ ସମିତି ଜରିଆରେ ଆନ୍ଦୋଳନ କରାଯାଇଥିଲା। ହେଲେ, ଏହି ପ୍ରସ୍ତାବ ଉପରେ ରାଜ୍ୟ ସରକାର ଗଲା ଦୁଇ ଦଶନ୍ଧି ଭିତରେ ଆଉ ଚିନ୍ତା କରିନାହାନ୍ତି। ଏପରିକି ନଦୀରେ ପ୍ରବାହିତ ଜଳ ସଂରକ୍ଷଣ ଦିଗରେ ଆନ୍ତରିକ ଉଦ୍ୟମ ନାହିଁ।
ସେହିଭଳି, ଋଷିକୁଲ୍ୟା ନଦୀର ପାଣି ସଂରକ୍ଷିତ ରଖିବାପାଇଁ ସୋରଡ଼ା ବ୍ଲକ୍ ପିପଳପଙ୍କା ଠାରେ ଏକ ଡ୍ୟାମ୍ ନିର୍ମାଣ ପାଇଁ ପ୍ରସ୍ତାବ ୧୯୯୫ରୁ ରହିଛି। ଯାହାକି ସିଧାସଳଖ ଋଷିକୁଲ୍ୟା ନଦୀର ପାଣିକୁ ସଂରକ୍ଷିତ ରଖିବ। କିନ୍ତୁ ଏହି ପ୍ରସ୍ତାବ କେବେ କାର୍ଯ୍ୟକାରୀ ହେବ ସେ ଦିଗରେ କୌଣସି ସୂଚନା ମିଳୁ ନାହିଁ। ଅନ୍ୟପଟେ ରାଜ୍ୟ ସରକାର ନିକଟରେ ଅନ୍ତଃନଦୀ ଜଳାଶୟ ଯୋଜନାରେ ସୋରଡ଼ା ବ୍ଲକ୍ର ସିଙ୍ଗିପୁର ଏବଂ କଂସାରୀଗଣ୍ଡ ଠାରେ ଜଳ ସଂରକ୍ଷଣ ପାଇଁ ଜଳସମ୍ପଦ ବିଭାଗ ଜରିଆରେ କାମ ଆରମ୍ଭ କରିଛନ୍ତି। କିନ୍ତୁ ଆବଶ୍ୟକତା ଅନୁସାରେ ଜଳ ସଂରକ୍ଷଣ ପାଇଁ ଏହି ଯୋଜନା ଯଥେଷ୍ଟ ନୁହଁ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏଣୁ ଋଷିକୁଲ୍ୟା ନଦୀ ଜଳ ସଂରକ୍ଷଣ ପାଇଁ ନିହାତି ଭାବେ ଏକ ସ୍ବତନ୍ତ୍ର ଡ୍ୟାମ୍ର ଆବଶ୍ୟକତା ରହିଛି ବୋଲି ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ କହିଛନ୍ତି।