ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀ ମୁହାଣ ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଛି। ଏହାର ଜୈବ ବିବିଧତା ସାମୁଦ୍ରିକ ଜୀବ ତଥା ଦେଶୀବିଦେଶୀ ପକ୍ଷୀଙ୍କୁ ଆକୃଷ୍ଟ କରିବାରେ ସକ୍ଷମ ହୋଇଛି। ବିରଳ ଅଲିଭ୍ ରିଡ୍ଲେ କଇଁଛଙ୍କ ନିମନ୍ତେ ଋଷିକୁଲ୍ୟା ମୁହାଣ ବିଶ୍ବର ସର୍ବବୃହତ୍ ଗଣଅଣ୍ଡାଦାନସ୍ଥଳୀ ମାନ୍ୟତା ପାଇଛି। ଏହି ମୁହାଣକୁ ପ୍ରତିବର୍ଷ ଆସୁଥିବା ଅଲିଭ୍ ରିଡ୍ଲେ ଓ ଧ୍ରୁବହଂସ (ବାର୍ ହେଡେଡ୍ ଗୁସ୍) ଅନ୍ୟତମ ଆକର୍ଷଣ ପାଲଟିଛନ୍ତି। ଏହି ଦୁଇଟି ଜୀବ ଋଷିକୁଲ୍ୟା ମୁହାଣକୁ ଅନ୍ତର୍ଜାତୀୟ ସ୍ତରରେ ଏକ ସ୍ବତନ୍ତ୍ର ପରିଚୟ ଦେଇଛନ୍ତି। ସେହିପରି ଚଳିତ ବର୍ଷ ପ୍ରଥମ ଥର ଲାଗି ମୁହାଣର ଉଭୟ ଦିଗରେ ସମୁଦ୍ର ଭିତରେ ୧୩ଟି ହମ୍ପବେକ୍ ଡଲଫିନ୍ ଚିହ୍ନଟ କରାଯାଇଛି। ଓଡ଼ିଶା ଉପକୂଳରେ ଋଷିକୁଲ୍ୟା ମୁହାଣ ସଂଲଗ୍ନ ବେଳାଭୂମିରେ ସର୍ବାଧିକ ଅଲିଭ୍ ରିଡ୍ଲେ ଗଣଅଣ୍ଡାଦାନ କରିଥା’ନ୍ତି। ଏଣୁ ସେଠାରେ ରାଜ୍ୟ ସରକାରଙ୍କ ତରଫରୁ ଏକ କଇଁଛ ଗବେଷଣା କେନ୍ଦ୍ର ପ୍ରତିଷ୍ଠା କରାଯିବ ବୋଲି ନିଷ୍ପତ୍ତି ହୋଇଛି।
କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ୍ର ଋଷିମାଳ ପର୍ବତରୁ ଉତ୍ପତ୍ତି ଲାଭ କରିଥିବା ଋଷିକୁଲ୍ୟା ନଦୀ ଗଞ୍ଜାମ ଜିଲ୍ଲା ଦେଇ ବଙ୍ଗୋପସାଗରରେ ମିଶିଛି। ଋଷିକୁଲ୍ୟା ମୁହାଣ ଅନ୍ୟ ନଦୀଠାରୁ ଭିନ୍ନ। ଏହା ହେଉଛି ଏକ ଡାଇନାମିକ୍ (ପରିବର୍ତ୍ତନଶୀଳ) ମୁହାଣ। ଏହି ମୁହାଣର ଜଳଧାରା ବିଭିନ୍ନ ସମୟରେ ତା’ର ଗତିପଥ ବଦଳାଇଥାଏ। ବର୍ଷାଦିନରେ ନଦୀରେ ଅଧିକ ଜଳ ପ୍ରବାହିତ ହେବା ସମୟରେ ମୁହାଣ ସିଧା ହୋଇ ପୋତାଗଡ଼ ଦେଇ ସମୁଦ୍ରରେ ମିଶିଥାଏ। କିନ୍ତୁ ନଦୀରେ ଜଳର ସ୍ରୋତ କମିଲେ ମୁହାଣର ଦିଗ ପରିବର୍ତ୍ତନ ହୋଇ ଦକ୍ଷିଣରୁ ଉତ୍ତର ଦିଗକୁ ଘୁଞ୍ଚିଥାଏ ବୋଲି ଋଷିକୁଲ୍ୟା ସମୁଦ୍ର କଇଁଛ ସୁରକ୍ଷା ସମିତିର ସମ୍ପାଦକ ରବୀନ୍ଦ୍ରନାଥ ସାହୁ କହିଛନ୍ତି। ଜଳଧାରା ଦିଗ ପରିବର୍ତ୍ତନ ଯୋଗୁଁ ପ୍ରତିବର୍ଷ ନୂତନ ବେଳାଭୂମି ସୃଷ୍ଟି ହୋଇଥାଏ।
ପ୍ରଥମଥର ଚିହ୍ନଟ ହୋଇଛନ୍ତି ୧୩ ହମ୍ପ୍ବେକ୍ ଡଲ୍ଫିନ୍
ଏହାକୁ ଡାଇନାମିକ୍ ବିଚ୍ କୁହାଯାଏ। ନୂଆ ବେଳାଭୂମି ସୃଷ୍ଟି ହେବା ଯୋଗୁଁ ତା’ର ବାଲି ଫୁସ୍ଫୁସିଆ ରହିଥାଏ। ଏଣୁ ଗଣଅଣ୍ଡାଦାନ ସମୟରେ ଅଲିଭ୍ ରିଡ୍ଲେ କଇଁଛ ସହଜରେ ଖୋଳି ଗାତରେ ଅଣ୍ଡା ଦେଇ ଫେରିଥା’ନ୍ତି। ତିନି ଦଶନ୍ଧି ଧରି ଋଷିକୁଲ୍ୟା ମୁହାଣରେ କଇଁଛଙ୍କ ଗଣଅଣ୍ଡାଦାନ ଚାଲିଛି। ଚଳିତ ବର୍ଷ ପ୍ରାୟ ୬ଲକ୍ଷ ୯୮ହଜାର କଇଁଛ ଗଣଅଣ୍ଡାଦାନ କରି ସର୍ବକାଳୀନ ରେକର୍ଡ ସୃଷ୍ଟି କରିଛନ୍ତି। ଅଣ୍ଡା ଫୁଟି ଛୁଆ ବାହାରିବା ପରେ ଖୋଳପା ବେଳାଭୂମିରେ ପଡ଼ି ରହିଥାଏ। ତାହା ବାଲିରେ ମିଶିବା ପାଇଁ ବହୁବର୍ଷ ଲାଗିଥାଏ। ମୁହାଣର ଦିଗ ପରିବର୍ତ୍ତନ ହେଲେ ସେହି ବେଳାଭୂମି ଧୋଇଯାଇ ଅନ୍ୟସ୍ଥାନରେ ପୁଣି ଏକ ବେଳାଭୂମି ସୃଷ୍ଟି ହେଇଥାଏ। ଯାହାକି କଇଁଛଙ୍କ ଗଣଅଣ୍ଡାଦାନସ୍ଥଳୀ ହୋଇଥାଏ।
ସେହିପରି ଋଷିକୁଲ୍ୟା ମୁହାଣକୁ ପ୍ରତିବର୍ଷ ବିଦେଶାଗତ ପକ୍ଷୀ ଆସିଥାନ୍ତି। ସୁଦୂର ମଙ୍ଗୋଲିଆରୁ ହଜାର ହଜାର ସଂଖ୍ୟାରେ ଧ୍ରୁବହଂସ ଆସି ଋଷିକୁଲ୍ୟା ମୁହାଣର ଶୋଭ ବର୍ଦ୍ଧନ କରିଥାନ୍ତି। ନଭେମ୍ବରରୁ ଫେବ୍ରୁଆରି ପର୍ଯ୍ୟନ୍ତ ଏହି ପକ୍ଷୀଙ୍କୁ ଋଷିକୁଲ୍ୟା ମୁହାଣ ନଦୀପଠାରେ ଦେଖିବାକୁ ମିଳିଥାଏ। ତାପମାତ୍ରା ବଢ଼ିବା ପରେ ମାର୍ଚ୍ଚ ମାସରେ ଚାଲିଯାଆନ୍ତି। ଗଞ୍ଜାମ ଜିଲ୍ଲାର ବାହୁଦା ନଦୀ ମଧ୍ୟ ସୁନାପୁର ନିକଟରେ ବଙ୍ଗୋପସାଗରରେ ମିଶିଛି। କିନ୍ତୁ ବାହୁଦା ମୁହାଣ ଏହି ସାମୁଦ୍ରିକ ଜୀବ ଓ ପକ୍ଷୀମାନଙ୍କୁ ଆକୃଷ୍ଟ କରିପାରୁ ନାହିଁ।