ସୋରଡ଼ା: ଗଞ୍ଜାମଜିଲ୍ଲା ସୋରଡ଼ା ବ୍ଲକ୍ ପିପଳପଙ୍କାରେ ଋଷିକୁଲ୍ୟା ନଦୀର ଉପରମୁଣ୍ଡରେ ପ୍ରସ୍ତାବିତ ଡ୍ୟାମ୍ ନିର୍ମାଣ ଓ ନଦୀଶଯ୍ୟାରୁ ଅବାଧ ବାଲି ଖନନକୁ ବିରୋଧ କରି ଋଷିକୁଲ୍ୟା ବଞ୍ଚାଅ କ୍ରିୟାନୁଷ୍ଠାନ କମିଟି ଆନ୍ଦୋଳନକୁ ତୀବ୍ର କରିଛି। ଏଥିପାଇଁ ଆଜିଠାରୁ ପିପଳପଙ୍କାଠୁ ୧୦ଦିନବ୍ୟାପୀ ଋଷିକୁଲ୍ୟା ସୁରକ୍ଷା ପଦଯାତ୍ରା ଆରମ୍ଭ ହୋଇଛି। ଜନଜାଗରଣ ସୃଷ୍ଟି କରିବା ଲକ୍ଷ୍ୟରେ ୨୫ ତାରିଖ ପର୍ଯ୍ୟନ୍ତ ଏହି ପଦଯାତ୍ରା ଅନୁଷ୍ଠିତ ହେବ। ଦୀର୍ଘ ୧୨୦ କିଲୋମିଟର ରାସ୍ତା ଅତିକ୍ରମ କରି ୨୫ ତାରିଖରେ ଗଞ୍ଜାମ ମୁହାଣରେ ଥିବା ପୁରୁଣାବନ୍ଧ ଗ୍ରାମରେ ଥିବା ଋଷିକୁଲ୍ୟା ମୁହାଣରେ ପହଞ୍ଚିବ।
ଆଜି ପ୍ରଥମ ଦିନରେ ପଦଯାତ୍ରା ସମପଲ୍ଲୀ, ଖାରିକୋଟି, ସାନ୍ତରାଘାଇ ଓ ଦୁଲାଡ଼ ଛକ ଦେଇ ଅସୁରବନ୍ଧରେ ପହଞ୍ଚିଥିଲା। ସେଠାରୁ ଗୋବିନ୍ଦପୁର, ମାଣିଆକାଠି, ପାଟପଲ୍ଲୀ ଛକ, ବହକାପଲ୍ଲୀ ଓ କେଶରୀପାଟଣା ଦେଇ ସୋରଡ଼ାରେ ପହଞ୍ଚିଥିଲା। ସେଠାରେ ବିଭିନ୍ନ ବର୍ଗର ଳୋକେ ପଦଯାତ୍ରୀଙ୍କୁ ସମ୍ବର୍ଦ୍ଧନା ଦେଇଥିଲେ। ସନ୍ଧ୍ୟାରେ ରଥପଦାରେ କୃଷକ ନେତା କାଳୀଚରଣ ନାୟକଙ୍କ ଅଧ୍ୟକ୍ଷତାରେ ପଥପ୍ରାନ୍ତ ସଭା ଅନୁଷ୍ଠିତ ହୋଇଥିଲା।
ପଦଯାତ୍ରା ଓ ପଥପ୍ରାନ୍ତ ସଭାରେ ବିଶିଷ୍ଟ ପରିବେଶବିତ୍ ପ୍ରଫୁଲ୍ଲ ସାମନ୍ତରା, ଏଆଇକେଏମ୍ଏସ୍ ଜାତୀୟ ସମ୍ପାଦକ ଭାଲଚନ୍ଦ୍ର ଷଡ଼ଙ୍ଗୀ, ଋଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟିର ଆବାହକ ସୁଧୀର ରାଉତ, ଋଷିକୁଲ୍ୟା ରୟତ ମହାସଭା ସମ୍ପାଦକ ସୀମାଞ୍ଚଳ ନାହାକ, ଶିକ୍ଷାବିତ୍ ଶ୍ୟାମସୁନ୍ଦର ଖାଡ଼ଙ୍ଗା, ମହାନଦୀ ବଞ୍ଚାଅ ଆନ୍ଦୋଳନର ସୁଦର୍ଶନ ଦାସ, କ୍ରାନ୍ତିକାରୀ କୃଷକ ସଂଗଠନର ରାଜ୍ୟନେତା ଶଙ୍କର ସାହୁ, ଆମ ଆଦମୀ ପାର୍ଟିର ଗଞ୍ଜାମ ଜିଲ୍ଲା ସଭାପତି ସୁବାସ ରାଉତ, କଂଗ୍ରେସ ନେତା ଦେବକାନ୍ତ ଶର୍ମା, ଯୁବନେତା ଆଦିତ୍ୟ ରଥ, ସାମାଜିକକର୍ମୀ ଅରୁଣ ଜେନା, ଏଆଇକେଏମଏସ୍ ସମ୍ପାଦକ ପ୍ରତାପ ନାୟକ, ଦଳିତ ମହାସଭାର ଜିଲ୍ଲା ସମ୍ପାଦକ ସଂଗ୍ରାମ ନାୟକ, ଆଦିବାସୀ ନେତା କୁଶନାଥ ପ୍ରଧାନ, ବିନାୟକ ଆଚାର୍ଯ୍ୟ, ଅଶୋକ କୁମାର୍ ଦଳାଇ ଓ ଯୁବନେତା ଲକ୍ଷ୍ମୀ ନୃସିଂହ ରଥ ପ୍ରମୁଖ ସାମିଲ ହୋଇ ବକ୍ତବ୍ୟ ଉପସ୍ଥାପନ କରିଥିଲେ। କ୍ଷତିଗ୍ରସ୍ତ ହେବାକୁ ଯାଉଥିବା ଗ୍ରାମବାସୀ ଓ ଜନପ୍ରତିନିଧି ବି ଏଥିରେ ଯୋଗ ଦେଇଥିଲେ।
ସଭାରେ ସରକାରଙ୍କ ଜନବିରୋଧୀ ନୀତି ବିରୋଧରେ ଲୋକଙ୍କୁ ସଚେତନ କରାଯାଇଥିଲା। କମିଟି ପକ୍ଷରୁ କୁହାଯାଇଛି, ହଜାରେ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ପ୍ରାରମ୍ଭିକ ଖର୍ଚ୍ଚରେ ଓଡ଼ିଶା ସରକାର ଋଷିକୁଲ୍ୟା ଓ ଓଡ଼ାଙ୍ଗୀ ନଦୀର ସଂଯୋଗସ୍ଥଳ ରୂପେ ପରିଚିତ ସୋରଡ଼ା ବ୍ଲକ୍ ପିପଳପଙ୍କା ଠାରେ ଏକ ବୃହତ୍ ଡ୍ୟାମ୍ ନିର୍ମାଣ କରିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି। ଉକ୍ତ ଡ୍ୟାମ୍ ଜରିଆରେ ଛତ୍ରପୁର ଓ ଗୋପାଳପୁର ନିକଟରେ ଅବସ୍ଥିତ ଟାଟା ଓ ଆଦାନୀ ପରି ଘରୋଇ କମ୍ପାନିର ଶିଳ୍ପ କରିଡର୍ ଓ ବନ୍ଦରକୁ ୧୦୦ କିମି ଲମ୍ବା ପାଇପଲାଇନ୍ ଯୋଗେ ଦୈନିକ ୬୦ ନିୟୁତ ଗ୍ୟାଲନ୍ ଜଳଯୋଗାଣ ହେବ। ଏହି ଡ୍ୟାମ୍ ନିର୍ମାଣ ହୋଇ ପାଣି ଚାଲିଗଲେ ଋଷିକୁଲ୍ୟା ଏକ ମୃତନଦୀରେ ପରିଣତ ହୋଇଯିବ। ଗଞ୍ଜାମ ଜିଲ୍ଲାରେ ଜଳସେଚନ ଓ ଜଳଯୋଗାଣ ବ୍ୟବସ୍ଥା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହେବା ସହ ଅନେକ ଚାଷୀ ସେମାନଙ୍କ ଜୀବନଜୀବିକା ହରାଇବେ। ଗଞ୍ଜାମ-କନ୍ଧମାଳ ସୀମାନ୍ତରେ ଥିବା ଦୁଇ ହଜାର ହେକ୍ଟରରୁ ଅଧିକ ଘଞ୍ଚ ଜଙ୍ଗଲ ନଷ୍ଟ ହେଲେ ୨୩ ଖଣ୍ଡ ଗ୍ରାମର ଲୋକେ ଭିଟାମାଟି ଓ ଜୀବିକା ହରାଇବେ। ଏଣୁ ପ୍ରଥମରୁ ହିଁ ଏହାକୁ ଋଷିକୁଲ୍ୟା ସୁରକ୍ଷା କ୍ରିୟାନୁଷ୍ଠାନ କମିଟି ବିରୋଧ କରିଆସୁଛି। ଗତ ଡିସେମ୍ବରରେ ଜନଶୁଣାଣିରେ ବି ଏହାକୁ ବିରୋଧ କରାଯାଇଥିବା ସହ ଜଳସଂପଦ ବିଭାଗ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀଙ୍କୁ ବାରମ୍ବାର ଅବଗତ କରାଯାଇଛି। ଆର୍ଡିସିଙ୍କ ଜରିଆରେ ସ୍ମାରକପତ୍ର ପ୍ରଦାନ କରାଯାଇଛି। ତଥାପି ସରକାର ଡ୍ୟାମ୍ ନିର୍ମାଣ ଦିଗରେ ଆଗେଇବା ଦୁର୍ଭାଗ୍ୟଜନକ। ଏଣୁ ଏହି ଆନ୍ଦୋଳନକୁ ବ୍ୟାପକ କରାଯାଇଥିବା କମିଟି ପକ୍ଷରୁ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/03/17/aGmEPZXQEHOjIWHQIGfo.jpg)