ରାୟଗଡ଼ା: ରାୟଗଡ଼ାରେ ହୋଟେଲରୁ ପଡ଼ି ସନ୍ଦେହଜନକ ଭାବେ ମୃତ୍ୟୁବରଣ କରିଥିବା ଋଷ ଭ୍ଲାଡିମିର୍ କ୍ଷେତ୍ର ସାଂସଦ ପାୱେଲ୍ ଆନ୍ଥେଭ ମାମଲାରେ ଦୋଷ ଢ଼ାଙ୍କିବାକୁ ସବୁ ସ୍ତରରେ ଚାଲିଛି ତତ୍ପରତା। ନିଜ ଦାୟିତ୍ବ ପରିଚାଳନାରେ ପୁଲିସ୍, ସ୍ବାସ୍ଥ୍ୟ ବିଭାଗ ଟିମ୍ ଅବହେଳା କରିଥିବା ସ୍ପଷ୍ଟ ହୋଇଛି। ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍ ପାୱେଲ୍ ଆନ୍ଥେଭଙ୍କ ଭିସେରା ସଂଗ୍ରହ କରିନାହାନ୍ତି। ଆନ୍ଥେଭ ବିଦେଶୀ ପର୍ଯ୍ୟଟକ ସହ ନିର୍ବାଚିତ ପ୍ରତିନିଧି, ଆଇନଜୀବୀ ହୋଇଥିବା ବେଳେ ତାଙ୍କର ସନ୍ଦେହଜନକ ମୃତ୍ୟୁ ପରେ ଡାକ୍ତରୀ ଟିମ୍ କିପରି ଭିସେରା ସଂଗ୍ରହ କଲେନି ତାକୁ ନେଇ ଅର୍ନ୍ତଜାତୀୟସ୍ତରରେ ଚର୍ଚ୍ଚା ଚାଲିଛି।
ଅନ୍ୟପକ୍ଷରେ ପୁଲିସର ତଦନ୍ତ ପ୍ରକ୍ରିୟାକୁ ନେଇ ମଧ୍ୟ ଚର୍ଚ୍ଚା ଆରମ୍ଭ ହୋଇଛି। ଛାତରୁ ପଡ଼ି ପ୍ରାଣ ହରାଇଥିବା ଆନ୍ଥେଭଙ୍କ ଶରୀରର କୌଣସି ସ୍ଥାନରେ କ୍ଷତ ଚିହ୍ନ ନଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରୁ ସ୍ପଷ୍ଟ ହୋଇଛି। ଛାତରୁ ପଡ଼ିଥିବା ଆନ୍ଥେଭଙ୍କ ଫୁସଫୁସ୍ ଓ ଯକୃତ ନଷ୍ଟ ହେବା ସହ ଶରୀର ଭିତରେ ପ୍ରବଳ ରକ୍ତସ୍ରାବ ଯୋଗୁ ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ କରାଯାଇଛି। ଏପରି ସ୍ପର୍ଶକାତର ମାମଲାରେ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍ କାହିଁକି ଭିସେରା ସଂରକ୍ଷଣ କରିନଥିବାକୁ ନେଇ ଏବେ ବିବାଦ ଘେରକୁ ଟାଣି ହୋଇଛି ସ୍ବାସ୍ଥ୍ୟ ବିଭାଗ। ଋଷ ପର୍ଯ୍ୟଟକ ବ୍ଲାଡିମିର୍ ବିଦାନୋଭାଙ୍କ ବ୍ୟବଚ୍ଛେଦ ସମୟରେ ଭିସେରା ସଂଗ୍ରହ ହୋଇଥିବା ବେଳେ ଆନ୍ଥେଭଙ୍କ କ୍ଷେତ୍ରରେ କାହିଁକି ଅବହେଳା କରାଗଲା ତାହା ସନ୍ଦେହ ଘେରକୁ ଆସିଛି।
ସ୍ବାସ୍ଥ୍ୟ ବିଭାଗ ଅଧିକାରୀଙ୍କ କହିବାନୁଯାୟୀ, ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍ ସୁପାରିଶକ୍ରମେ ଭିସେରା ସଂଗ୍ରହ କରାଯାଇଥାଏ। ଆନ୍ଥେଭଙ୍କ ଶବ ବ୍ୟବଚ୍ଛେଦ କରିଥିବା ଟିମ୍ ସୁପାରିଶ କରିନଥିବାରୁ ଭିସେରା ସଂଗ୍ରହ ହୋଇନି। ଋଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ରାଷ୍ଟ୍ରପତି ପୁଟିନଙ୍କୁ ସାଂସଦ ଆନ୍ଥେଭ ବିରୋଧ କରିଥିବାରୁ ଏହି ମାମଲା ଅର୍ନ୍ତଜାତୀୟସ୍ତରରେ ପହଞ୍ଚିବା ପରେ ବିଭିନ୍ନ ଆଲୋଚନା ମୁଣ୍ଡ ଟେକିବାରେ ଲାଗିଛି। ଉଭୟେ ଖ୍ରୀଷ୍ଟଧର୍ମାବଲମ୍ବୀ ହୋଇଥିବା ବେଳେ ଉଭୟଙ୍କ ମୃତଦେହକୁ ପୋତିବା ବଦଳରେ ତରବରିଆ ଭାବେ ପୋଡି ଦିଆଯାଇଥିବାକୁ ନେଇ ମଧ୍ୟ ସରବ୍ୟର ଶିକାର ହୋଇଛି ରାୟଗଡ଼ା ପୁଲିସ୍ ଓ ପ୍ରଶାସନ। ଅନ୍ୟପକ୍ଷରେ ଆନ୍ଥେଭ ମୃତ୍ୟୁବରଣ କରିବାର କିଛି ସମୟ ପୂର୍ବରୁ ହୋଟେଲ୍ କର୍ମଚାରୀଙ୍କୁ ଲାତ ମାରିବାକୁ ଉଦ୍ୟମ କରିଥିଲେ। ଆନ୍ଥେଭଙ୍କ ଉଗ୍ର ରୂପ ଦେଖି କର୍ମଚାରୀ ଜଣଙ୍କ ଟୁରିଷ୍ଟ୍ ଗାଇଡଙ୍କୁ ଏ ସଂପର୍କରେ ଅବଗତ କରିବା ପରେ ଆନ୍ଥେଭଙ୍କୁ ଖୋଜିବା ସମୟରେ ମୃତ୍ୟୁ ଅବସ୍ଥାରେ ମିଳିଥିଲେ।