ରାୟଗଡ଼ା: ରୁଷୀୟ ନାଗରିକ ତଥା ଭ୍ଲାଦିମିର୍ କ୍ଷେତ୍ର ସାଂସଦ ପାଭେଲ୍ ଆନ୍ଥେଭ ହୋଟେଲ୍ ଛାତରୁ ପଡ଼ି ମୃତ୍ୟୁ ଘଟଣାରେ କୌଣସି ଷଡଯନ୍ତ୍ର ନଥିବା କୁହାଯାଉଛି। କ୍ରାଇମବ୍ରାଞ୍ଚ ମୃତ୍ୟୁ ପଛର କାରଣ ସଂପର୍କରେ ଏଯାବତ୍ ମୁହଁ ଖୋଲୁନଥିଲେ ମଧ୍ୟ ବେସରକାରୀ ଭାବେ ଏହି ଚର୍ଚ୍ଚା ହେଉଛି। ପ୍ରାୟତଃ ତଦନ୍ତ ପରେ କ୍ରାଇମବ୍ରାଞ୍ଚ ଆନ୍ଥେଭଙ୍କ ମୃତ୍ୟୁ ପଛର କାରଣ ଷଡଯନ୍ତ୍ର ନୁହଁ ବରଂ ପୁରୁଷ ବନ୍ଧୁ ଭ୍ଲାଦିମିର୍ ବିଦାନୋଭଙ୍କ ମୃତ୍ୟୁରେ ମାନସିକ ଭାରସାମ୍ୟ ହରାଇ ଛାତରୁ ଖସି ପଡିବା ଯୋଗୁ ମୃତ୍ୟୁ ହୋଇଥିବା ନେଇ ସ୍ପଷ୍ଟ କରିପାରେ। କ୍ରାଇମ୍ରବାଞ୍ଚ ତଦନ୍ତ ସରି ଆସୁଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ, ପାରିପାଶ୍ର୍ବିକ ସ୍ଥିତି, ତଦନ୍ତର ଦିଗକୁ ଅନୁମାନ କଲେ ଏହା ସ୍ପଷ୍ଟ।
ରୁଷୀୟ ପର୍ଯ୍ୟଟକ ପାଭେଲ୍ ଆନ୍ଥେଭ, ଭ୍ଲାଦିମିର୍ ବିଦାନୋଭ ଟୁରିଷ୍ଟ ଭିସାରେ ଭାରତ ପରିଭ୍ରମଣରେ ଆସିଥିଲେ। ଆନ୍ଥେଭ ରୁଷର ନିର୍ବାଚିତ ଲୋକ ପ୍ରତିନିଧି ହୋଇଥିବା ବେଳେ ରୁଷ-ୟୁକ୍ରେନ୍ ଯୁଦ୍ଧ ସମୟରେ ରୁଷ ରାଷ୍ଟ୍ରପତି ପୁଟିନଙ୍କୁ ବିରୋଧ କରି ଚର୍ଚ୍ଚାରେ ଥିଲେ। ନିଜ ବ୍ଲଗରେ ୟୁକ୍ରେନ୍ ଉପରେ ଆକ୍ରମଣ କରିଥିବା ଠିକ୍ ନୁହଁ ବୋଲି ଉଲ୍ଲେଖ କରି ପୁଟିନଙ୍କୁ ସମାଲୋଚନା କରିଥିଲେ। ଏହା ପରେ ଚାପରେ ନିଜ ବ୍ଲଗରୁ ପୁଟିନ୍ ବିରୋଧୀ ମନ୍ତବ୍ୟ ହଟାଇଥିଲେ ଆନ୍ଥେଭ। ପୁଟିନଙ୍କୁ ବିରୋଧ କରି ରୁଷରେ ଚର୍ଚ୍ଚାକୁ ଆସିଥିବା ଆନ୍ଥେଭ ଭାରତ ପରିଭ୍ରମଣରେ ଆସିଥିବା ବେଳେ ଡେମୋକାଟ୍ରିକ୍ ଭିସା ବଦଳରେ ଟୁରିଷ୍ଟ ଭିସାରେ ଆସିଥିଲେ। ଯେଉଁଥି ପାଇଁ ଭାରତ ସରକାର କିମ୍ବା ଓଡ଼ିଶା ସରକାର ଆନ୍ଥେଭଙ୍କୁ ନ ଚିହ୍ନି ପାରିବା ସହ ସୁରକ୍ଷା ଯୋଗାଇବାରେ ବିଫଳ ହୋଇଥିଲେ।
ସେହିପରି ଭ୍ଲାଦିମିର୍ ବିଦାନୋଭ ମଧ୍ୟ ରୁଷୀଆର ଜଣେ ବିଶିଷ୍ଟ ବ୍ୟବସାୟୀ ଥିଲେ। ଉଭୟେ କାହିଁକି ଟୁରିଷ୍ଟ୍ ଭିସାରେ ଭାରତ ଆସିବାକୁ ଚାହିଁଲେ ତାକୁ ନେଇ ଏବେ ନାନା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି? ଆନ୍ଥେଭ ନିଜ ୬୬ ତମ ଜନ୍ମ ଦିନ ପାଳନ ପାଇଁ ଭାରତ ଆସିଥିବା ବେଳେ କାହିଁକି ନିଜ ବନ୍ଧୁ ବିଦାନୋଭଙ୍କ ସହ ମିଶି ଆତ୍ମହତ୍ୟା ପଥକୁ ବାଛିନେଲେ ତାହା କ୍ରାଇମବ୍ରାଞ୍ଚ ସମେତ ଭାରତ ସରକାରଙ୍କ ପାଇଁ ଚ୍ୟାଲେଞ୍ଜ ପାଲଟିଛି।
ଅନ୍ୟପକ୍ଷରେ ଦିଲ୍ଲୀରୁ ଆସି ରୁଷ ପର୍ଯ୍ୟଟକ ଭୁବନେଶ୍ବରରେ ପହଞ୍ଚିବା ପରେ ଦାରିଙ୍ଗବାଡ଼ି ଏବଂ ଶେଷରେ ରାୟଗଡ଼ା ଆସିଥିଲେ। ରାୟଗଡ଼ାରେ ପହଞ୍ଚିବା ପରେ ଉଭୟ ଆନ୍ଥେଭ, ବିଦାନୋଭା ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲର ଗୋଟିଏ ରୁମରେ ରହୁଥିଲେ। କିନ୍ତୁ ରାୟଗଡ଼ା ଆସିବାର ୨୪ ଘଣ୍ଟା ମଧ୍ୟରେ ବିଦାନୋଭାଙ୍କ ସନ୍ଦେହଜନକ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ଅତ୍ୟଧିକ ମଦ୍ୟପାନ ସହ ଗଞ୍ଜେଇ ସେବନ ଯୋଗୁ ମୃତ୍ୟୁ ହୋଇଥିବା ଶବ ବ୍ୟବଚ୍ଛେଦ ରିପୋର୍ଟରେ ଉଲ୍ଲେଖ ରହିଛି।
ସେହିପରି ମାନସିକ ଭାରସାମ୍ୟ ହରାଇବା ପରେ ଆନ୍ଥେଭ ଛାତରୁ ଖସି ପଡିବା ଯୋଗୁ ପଞ୍ଜରା ହାଡ଼, ଫୁସଫୁସ, ଯକୃତରେ ଆଘାତ ଲାଗି ମୃତ୍ୟୁ ହୋଇଥିବା ବ୍ୟବଚ୍ଛେଦ ରିପୋର୍ଟ କହୁଛି। ମାମଲାରେ କ୍ରାଇମ୍ରବାଞ୍ଚ ହୋଟେଲ୍ କର୍ମଚାରୀ, ଆମ୍ବୁଲାନସ କର୍ମଚାରୀ, ଚିକିତ୍ସା ଏବଂ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତର, ମୃତଦେହ ସତ୍କାର ସମୟରେ ଉପସ୍ଥିତ ଥିବା ମାଜିଷ୍ଟ୍ରେଟ୍ ଏବଂ ପ୍ରଥମେ ମାମଲା ରୁଜୁ କରିଥିବା ରାୟଗଡ଼ା ପୁଲିସ୍ ସହ ଆଲୋଚନା କରିଛି। ଆଜି ପଞ୍ଚମ ଦିନରେ କ୍ରାଇମବ୍ରାଞ୍ଚ ତଦନ୍ତ ପହଞ୍ଚିଥିଲେ ମଧ୍ୟ ମୃତ୍ୟୁ ପଛର ପ୍ରକୃତ କାରଣକୁ ନେଇ ସାଧାରଣରେ ସ୍ପଷ୍ଟ ଚିତ୍ର ଆସିପାରିନି। ରାୟଗଡ଼ାରେ ପୁଟିନ୍ ବିରୋଧୀଙ୍କ ମୃତ୍ୟୁକୁ ନେଇ ଜାତୀୟ, ଅନ୍ତର୍ଜାତୀୟସ୍ତରୀୟ ଗଣମାଧ୍ୟମରେ ବ୍ୟାପକ ଚର୍ଚ୍ଚା ଲାଗି ରହିଛି। ହେଲେ ତଦନ୍ତ କରୁଥିବା କ୍ରାଇମବ୍ରାଞ୍ଚ ଟିମ୍ ସେ ଦିଗରେ କୌଣସି ଖିଅ ପାଇପାରିନି। ଅନ୍ୟପକ୍ଷରେ ମୃତଦେହ ପୋତିବା ବଦଳରେ ପୋଡ଼ି ଦିଆଯାଇଥିବାରୁ ମୃତ୍ୟୁ ପଛର କାରଣ ଖୋଜିବା ଯେକୌଣସି ବଡ଼ ତଦନ୍ତକାରୀ ସଂସ୍ଥା ପାଇଁ ଚ୍ୟାଲେଞ୍ଜ ହୋଇପାରେ।