କଟକ/ ରାୟଗଡ଼ା :ରାୟଗଡ଼ାରେ ରୁଷ ପର୍ଯ୍ୟଟକ ମୃତ୍ୟୁ ମାମଲାର ତଦନ୍ତ ପ୍ରକ୍ରିୟା ଜାରି ରହିଛି। ଆଜି ଜେରା ପାଇଁ କ୍ରାଇମବ୍ରାଞ୍ଚରେ ପୁଣି ହାଜର ହୋଇଛନ୍ତି ରୁଷୀୟ ଦମ୍ପତି ପାନ ସଂକୋ ଓ ଟୁରଭୋ। ଉଭୟଙ୍କ ସହ ଟୁର ଗାଇଡ ଜିତେନ୍ଦ୍ର ସିଂ ମଧ୍ୟ କ୍ରାଇମବ୍ରାଞ୍ଚ ଅଫିସରେ ପହଞ୍ଚିଛନ୍ତି। ଏମାନଙ୍କୁ ଚାରି ଦିନ ଧରି ଜେରା କରୁଛି କ୍ରାଇମବ୍ରାଞ୍ଚ।

Advertisment

ଋଷ ସାଂସଦ ପାଭେଲ ଆଣ୍ଟେଭ ଓ ପର୍ଯ୍ୟଟକ ଭ୍ଲାଦମିର୍ ବିଦାନୋଭ ସନ୍ଦେହଜନକ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଆଜି ରାୟଗଡ଼ାରେ ପହଞ୍ଚିଛି କ୍ରାଇମବ୍ରାଞ୍ଚ ଟିମ୍। କ୍ରାଇମବ୍ରାଞ୍ଚ ଡିଏସପି ସରୋଜକାନ୍ତ ମହାନ୍ତଙ୍କ ନେତୃତ୍ବରେ ଟିମ୍ ପହଞ୍ଚି ପ୍ରଥମେ ଜିଲ୍ଲା ପୁଲିସ୍ ଓ ସେଣ୍ଟ୍ରାଲ୍ ଇଣ୍ଟେଲଜେନସି ବ୍ୟୁରୋ କର୍ତ୍ତୃପକ୍ଷଙ୍କ ସହ ଘଟଣା ସଂପର୍କରେ ଆଲୋଚନା କରିଛନ୍ତି। ଏହା ପରେ ମଧ୍ୟାହଣ୍ ୧୨ଟାରେ କ୍ରାଇମବ୍ରାଞ୍ଚ ଟିମ୍ ହୋଟେଲ୍ ସାଇ ଇଣ୍ଟରନ୍ୟାସନାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହୋଟେଲର ସିସିଟିଭି ଫୁଟେଜ୍, ଋଷ ପର୍ଯ୍ୟଟକ ଓ ସାଂସଦ ରହୁଥିବା ରୁମ୍, ଟୁରିଷ୍ଟ ଗାଇଡଙ୍କ ରୁମ୍, ଘଟଣା ଘଟିଥିବା ସ୍ଥଳରେ କ୍ରାଇମବ୍ରାଞ୍ଚ ଯାଞ୍ଚ କରିବ। ମୃତଦେହ ଜବତ ସମୟରେ ଉପସ୍ଥିତ ଥିବା ହୋଟେଲ୍ କର୍ମଚାରୀ, ପୁଲିସ୍ ଅଧିକାରୀ ଏବଂ ଶବ ବ୍ୟବଚ୍ଛେଦ କରିଥିବା ଡାକ୍ତରୀ ଟିମ୍, ଶେଷକୃତ୍ୟ ସମୟରେ ଉପସ୍ଥିତ ଥିବା ମାଜିଷ୍ଟ୍ରେଟଙ୍କ ସହ କ୍ରାଇମବ୍ରାଞ୍ଚ ଟିମ୍ ଆଲୋଚନା କରିବ। କ୍ରାଇମବ୍ରାଞ୍ଚ ଟିମ୍ ସହ ସାଇଣ୍ଟିଫିକ୍ ଟିମ୍ ଆସିଥିବାରୁ ମାମଲାର ଖିଅ ଖୋଜିବା ପାଇଁ ଟିମ୍ ହୋଟେଲ୍ ରୁମରେ ପଡିଥିବା ମଦ ବୋତଲ, ଖାଦ୍ୟ ପଦାର୍ଥ ସହ ଅନ୍ୟ ସାମଗ୍ରୀ ଜବତ କରିବ।

କ୍ରାଇମବ୍ରାଞ୍ଚ ପୂର୍ବରୁ ଶୁକ୍ରବାର ପୂର୍ବାହଣରେ କେନ୍ଦ୍ରୀୟ ଗୁଇନ୍ଦା ସଂସ୍ଥା (ସିଆଇବି) ରାୟଗଡ଼ାରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ସିଆଇବି ଡିଏସପିଙ୍କ ନେତୃତ୍ବରେ ୩ ଜଣିଆ ଟିମ୍ ଆଜି ହୋଟେଲରେ ପହଞ୍ଚି ତଦନ୍ତ କରିବା ସହ ବହୁ ଗୁରୁତ୍ବପୂର୍ଣ୍ଣ ଦିଗ ପ୍ରତି ଧ୍ୟାନ ଦେଇଛନ୍ତି। ଆଜି ସକାଳେ କ୍ରାଇମ୍ରବାଞ୍ଚ ଟିମ୍ ରାୟଗଡ଼ାରେ ପହଞ୍ଚିବା ପରେ ପୂର୍ବାହଣରେ ଉଭୟ ତଦନ୍ତକାରୀ ଟିମ୍ ଜିଲ୍ଲା ପୁଲିସ୍ ମୁଖ୍ୟାଳୟରେ ପହଞ୍ଚି ଏସପି, ଡିଏସପି, ରାୟଗଡ଼ା ଥାନା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି। ଅନ୍ୟପକ୍ଷରେ ବିଦାନୋଭଙ୍କ ଶବ ବ୍ୟବଚ୍ଛେଦ ସମୟରେ ଭିସେରା ସଂଗ୍ରହ ହୋଇଥିବା ବେଳେ ଆଣ୍ଟେଭଙ୍କ ଶବ ବ୍ୟବଚ୍ଛେଦ ସମୟରେ ଭିସେରା ସଂଗ୍ରହକୁ କାହିଁକି ଅଣଦେଖା କରାଗଲା ତାକୁ କ୍ରାଇମବ୍ରାଞ୍ଚ ଟିମ୍ ଖୋଳତାଡ଼ କରିବ। ସେହିପରି ଦୁଇ ପର୍ଯ୍ୟଟକ ଖ୍ରୀଷ୍ଟ ଧର୍ମାବଲମ୍ବୀ ହୋଇଥିବା ମୃତଦେହ ନ ପ‌ୋତି କିପରି ପୋଡ଼ି ଦିଆଗଲା ସେ ଦିଗ ପ୍ରତି ମଧ୍ୟ ତଦନ୍ତ କରିବ ଟିମ୍।