ସିଙ୍ଗଡ଼ା: କରଞ୍ଜିଆ ବ୍ଲକରେ ଅଧିକାଂଶ ଲୋକ ଆଦିବାସୀ, କୋହ୍ଲ, ବାଥୁଡ଼ି ସଂପ୍ରଦାୟର ଥିବାବେଳେ ସେମାନେ ବିଶେଷକରି ଜଙ୍ଗଲ ଜାତ ଦ୍ରବ୍ୟ ଉପରେ ନିର୍ଭର କରିଥାନ୍ତି। ଜଙ୍ଗଲରୁ ବିଭିନ୍ନ ସମୟରେ ମହୁଲ, ଝୁଣା, ଲାକ୍ଷ, ମହୁ, ଶାଳପତ୍ର, ଶାଳମଞ୍ଜି ସଂଗ୍ରହ କରି ଜୀବିକା ନିର୍ବାହ କରିଥାନ୍ତି। ଏବେ ବର୍ଷାଋତୁ ଆରମ୍ଭ ହୋଇଥିବାବେଳେ ଜଙ୍ଗଲରେ ବିଭିନ୍ନ ପ୍ରକାର ଛତୁ ଫୁଟିବା ଆରମ୍ଭ ହୋଇଥାଏ। ଏହି ଛତୁ ଭିତରୁ ରୁଟୁକା ଛତୁ ଅଧିକ ପରିମାଣରେ ଜଙ୍ଗଲରେ ଫୁଟିଥାଏ। ବନବାସୀ ଏହି ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ସାମୟିକ ଭାବେ ନିକଟ ହାଟ, ବଜାରରେ ବିକ୍ରି କରି ଗୁଜୁରାଣ ମେଣ୍ଟାଇଥାନ୍ତି।
ରୁଟୁକା ଛତୁ ସବୁଠାରୁ ସ୍ୱାଦିଷ୍ଟ। ଏହାର ମୂଲ୍ୟ କିଲୋ ପ୍ରତି ୨୦୦ ଟଙ୍କା। ସକାଳୁ ସକାଳୁ ପିଲାଠୁ ଆରମ୍ଭ କରି ବଡ ସମସ୍ତେ ଜଙ୍ଗଲକୁ ଯାଇ ସଂଗ୍ରହ କରିଥାନ୍ତି। କରଞ୍ଜିଆଠାରୁ ପ୍ରାୟ ୩୦ କିଲୋମିଟର ଦୂର କେନ୍ଦୁଜିଆଣି ନିକଟସ୍ଥ ଗେଲପୋଷି ଗ୍ରାମର ଯଶୋଦା ମହାନ୍ତ ଓ ମୁଳା ମହାନ୍ତ ରାସ୍ତା ପାର୍ଶ୍ବରେ ଏହି ଛତୁ ବିକୁଥିବା ଦେଖିବାକୁ ମିଳିଥିଲା। ସେମାନଙ୍କ କହିବା ଅନୁସାରେ, ଛତୁ ସଂଗ୍ରହ କରିବାକୁ ଆମେ ନଗଲେ ପରିବାର ଚଳାଇବୁ କେମିତି? ଆମ ଅଞ୍ଚଳର ତ ସେମିତି କିଛି ରୋଜଗାର ପନ୍ଥା ନାହିଁ। କାମଧନ୍ଦା କିଛି ମିଳୁନାହିଁ। ତେଣୁ ଏହାକୁ ସଂଗ୍ରହ କରି ପରିବାର ଚଳାଉଛୁ। ତାଳପଦା ଗ୍ରାମର ସଇତ ମହାନ୍ତ ଓ ଇଚ୍ଛାମଣି ମହାନ୍ତ କହିଛନ୍ତି, ଜଙ୍ଗଲରେ ହାତୀ ଭୟ ଥିଲେ ମଧ୍ୟ ପେଟପାଟଣା, ପିଲାଛୁଆଙ୍କ ପାଇଁ ଜୀବନକୁ ବାଜି ଲଗାଇ ଛତୁ ସଂଗ୍ରହ ପାଇଁ ଯାଉଛୁ। ସରକାର ଏହି ବନବାସୀଙ୍କ ଜୀବନଜୀବିକା ପାଇଁ କାମଧନ୍ଦା ଯୋଗାଇଦେବା ସହ ରୋଜଗାରର ସ୍ଥାୟୀ ବ୍ୟବସ୍ଥା କରିବାକୁ ଦାବି କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/mayurbhanj-chatu.jpg)