ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ କେଳେଙ୍କାରୀ: ୩ବର୍ଷରେ ୧୫୯ ଗୁପ୍ତଟେଣ୍ଡର

ଯାଜପୁର : ଯାଜପୁର ଜିଲ୍ଲାର ଗ୍ରାମାଞ୍ଚଳ ଲୋକଙ୍କୁ ବିଶୁଦ୍ଧ ପିଇବା ପାଣି ଯୋଗାଇ ଦେବାପାଇଁ ଆରଡବ୍ଲୁଏସ୍‌ଏସ ଡିଭିଜନ(ଚଣ୍ଡିଖୋଲ) ଜରିଆରେ ସରକାର କୋଟିକୋଟି ଟଙ୍କା ବ୍ୟୟ କରିଚାଲିଛନ୍ତି। ମାତ୍ର, ଗୁପ୍ତଟେଣ୍ଡର୍‌ ଜରିଆରେ ସରକାରୀ ଅନୁଦାନକୁ ହଡ଼ପ କରାଯାଇଥିବା ନେଇ ଅଭିଯୋଗ ହୋଇଆସୁଛି। ଏବେ ଆଉ ଏକ ତଥ୍ୟ ସାମ୍‌ନାକୁ ଆସିଛି। ଜିଲ୍ଲା ଅନ୍ତର୍ଗତ ବିଂଝାରପୁର, ଯାଜପୁର ଓ ଦଶରଥପୁର ବ୍ଳକ୍‌ରେ ୩ବର୍ଷ ମଧ୍ୟରେ ୧୫୯ଟି ଗୁପ୍ତଟେଣ୍ଡର କରାଯାଇ ମରାମତି ଆଳରେ ୨କୋଟି ୮୨ଲକ୍ଷ ୮୦ ହଜାର ୯୪୭ ଟଙ୍କା ବିଲ୍ କରାଯାଇଛି।

ସରକାରୀ ତଥ୍ୟ ମୁତାବକ ବିଂଝାରପୁର ବ୍ଲକରେ ୨୦୨୧ -୨୨ ଆର୍ଥିକ ବର୍ଷରେ ୨ଜଣ ନିର୍ଦ୍ଦିଷ୍ଟ ଠିକାଦାର ନାମରେ ୧୧ଟି ଗୁପ୍ତ ଟେଣ୍ଡର କରାଯାଇ ୯ ଲକ୍ଷ ୨୧ ହଜାର ୩୫୪ ଟଙ୍କା ବ୍ୟୟ ହୋଇଥିବାର ଦର୍ଶାଯାଇଛି । ସେହିପରି ୨୦୨୦-୨୧ ଆର୍ଥିକ ବର୍ଷରେ ୨୪ଟି ଗୁପ୍ତଟେଣ୍ଡର ୩ ଜଣ ନିର୍ଦ୍ଦିଷ୍ଟ ଠିକାଦାର ନାମରେ ୩୫ ଲକ୍ଷ ୫୬ ହଜାର ୬୧ ଟଙ୍କା ବିଲ୍ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ୩ ଜଣ ଠିକାଦାର ନାମରେ ୧୫ଟି ଗୁପ୍ତଟେଣ୍ଡର କରାଯାଇ ୨୩ ଲକ୍ଷ ୩୬ ହଜାର ୭୪ ଟଙ୍କା ବିଲ୍ କରାଯାଇଛି । ଏହି ୩ବର୍ଷରେ ୫୦ଟି ଗୁପ୍ତଟେଣ୍ଡର ବାବଦରେ ୬୮ଲକ୍ଷ ୧୩ ହଜାର ୪୮୯ ଟଙ୍କା ବ୍ୟୟ ହୋଇଥିବାର ବିଲ୍ କରାଯାଇଛି । ମୋଟ ୫୦ ଟି ଗୁପ୍ତଟେଣ୍ଡର ମଧ୍ୟରୁ ଜଣେ ନିର୍ଦ୍ଦିଷ୍ଟ ଠିକାଦାର ନାମରେ ୩୪ ଟି ଗୁପ୍ତଟେଣ୍ଡର କରାଯାଇଛି ।

ଦଶରଥପୁର ବ୍ଲକ୍‌ରେ ୨୦୨୧-୨୨ ଆର୍ଥିକ ବର୍ଷରେ ୧୪ଟି ଗୁପ୍ତଟେଣ୍ଡର ଜରିଆରେ ୨୪ ଲକ୍ଷ ୨୭ ହଜାର ୭୮୪ ଟଙ୍କା, ୨୦୨୦-୨୧ ବର୍ଷରେ ୨୧ଟି ଗୁପ୍ତ ଟେଣ୍ଡର ଜରିଆରେ ୪୯ ଲକ୍ଷ ୪୨ ହଜାର ୫୪୪ ଟଙ୍କା ଓ ୨୦୧୯-୨୦ ବର୍ଷରେ ୨୮ ଟି ଗୁପ୍ତ ଟେଣ୍ଡର ଜରିଆରେ ୪୬ ଲକ୍ଷ ୨୧ ହଜାର ୫୧୮ ଟଙ୍କା ବିଲ୍ ହୋଇଛି। ମୋଟ ୩ ବର୍ଷରେ ୬୩ ଟି ଗୁପ୍ତଟେଣ୍ଡର ୫ଜଣ ନିର୍ଦ୍ଦିଷ୍ଟ ଠିକାଦାର ଜରିଆରେ କରାଯାଇ ୧ କୋଟି ୧୯ ଲକ୍ଷ ୯୧ ହଜାର ୮୪୬ ଟଙ୍କା ପୈଠ କରାଯାଇଛି ।

ସେହିପରି, ଜିଲ୍ଲା ସଦର ମହକୁମା ଯାଜପୁର ବ୍ଲକରେ ୨୦୨୧-୨୨ବର୍ଷରେ ୯ଟି ଗୁପ୍ତଟେଣ୍ଡରରେ ୧୫ ଲକ୍ଷ ୭୭ ହଜାର ୮୪୭ ଟଙ୍କା ଓ ୨୦୨୦-୨୧ ବର୍ଷରେ ୧୬ଟି ଗୁପ୍ତ ଟେଣ୍ଡରରେ ୨୯ ଲକ୍ଷ ୮୧ ହଜାର ୭୧୦ ଟଙ୍କା ଓ ୨୦୧୯-୨୦ ବର୍ଷରେ ୨୧ଟି ଗୁପ୍ତ ଟେଣ୍ଡର କରାଯାଇ ୪୯ ଲକ୍ଷ ୧୬ ହଜାର ୫୫ ହଜାର ଟଙ୍କା ବିଲ୍ ହୋଇଛି। ୩ ବର୍ଷରେ ୮ ଜଣ ନିର୍ଦ୍ଦିଷ୍ଟ ଠିକାଦାରଙ୍କ ନାମରେ ମରାମତି ବାବଦରେ ୪୬ଟି ଗୁପ୍ତଟେଣ୍ଡର ଜରିଆରେ ୯୪ ଲକ୍ଷ ୭୫ ହଜାର ୬୧୨ ଟଙ୍କା ଦିଆଯାଇଛି। ଏହି ବାବଦରେ ସରକାର ଲକ୍ଷ ଲକ୍ଷ ଟଙ୍କା ହରାଇଥିବା ବେଳେ ସରକାରଙ୍କର ସ୍ବଚ୍ଛତା ଉପରେ ଯନ୍ତ୍ରୀ ଓ ଠିକାଦାରଙ୍କ ଅସାଧୁମେଣ୍ଟ କଳା ବୋଳିଛନ୍ତି। ଏପରିକି କେତେକ ପ୍ରକଳ୍ପ ଅଚଳ ଥିବା ‌ବେ‌ଳେ ମିଥ୍ୟା ବିଲ୍ କରି ସରକାରୀ ଅନୁଦାନ ହରିଲୁଟ୍ କରିଛନ୍ତି।

ଏହାର ଉଚ୍ଚସ୍ତରୀୟ ତଦନ୍ତ କରାଗଲେ ଡିଭିଜନରେ ମହାଦୁର୍ନୀତି ପଦାକୁ ଆସିବ ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର