ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ କେଳେଙ୍କାରୀ: କୋଟି କୋଟି ଖର୍ଚ୍ଚ, ପ୍ରକଳ୍ପରେ ପାଣି ନାହିଁ

ଯାଜପୁର : କିଛିଦିନ ବ୍ୟବଧାନ ପରେ ଯାଜପୁର ଜିଲ୍ଲାର ଚଣ୍ଡିଖୋଲସ୍ଥିତ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନରେ ପାନୀୟ ଜଳ କେଳେଙ୍କାରୀଙ୍କୁ ନେଇ ଏବେ ଚର୍ଚ୍ଚା ଜୋର୍‌ ଧରିଛି। ପ୍ରକଳ୍ପ ନିର୍ମାଣର ବର୍ଷ ବର୍ଷ ପରେ ମଧ୍ୟ ଲୋକମାନେ ବୁନ୍ଦାଏ ପାଣି ପାଉନାହାନ୍ତି। ଅଥଚ କାଗଜପତ୍ରରେ ଲୋକମାନେ ପାଣି ପାଉଥିବାର ଦର୍ଶାଯାଉଛି। ଯାହାକୁ ନେଇ ବିଭିନ୍ନ ଅଞ୍ଚଳରେ ଜନଆନ୍ଦୋଳନ ମୁଣ୍ଡ ଟେକିବାରେ ଲାଗିଛି।

ସରକାରଙ୍କର ୨୦୨୪ ସୁଦ୍ଧା ସମସ୍ତଙ୍କୁ ବିଶୁଦ୍ଧ ପାଣି ଯୋଗାଇବାକୁ ଯୋଜନା କରିଥିବାବେଳେ ଏହା ଯାଜପୁର ଜିଲ୍ଲାରେ ପ୍ରହସନରେ ପରିଣତ ହେବାକୁ ବସିଛି। କେଉଁଠି ଜଳ ପ୍ରକଳ୍ପ ଅଚଳ ତ ଆଉ କେଉଁଠି ପ୍ରକଳ୍ପରୁ ବାହାରୁଥିବା ପାଣି ବ୍ୟବହାର ଅନୁପଯୋଗୀ। ପ୍ରକଳ୍ପ ନିର୍ମାଣ ହୋଇ ମଧ୍ୟ ଲୋକଙ୍କ କାମରେ ଲାଗୁନି । ବଡଚଣା ବ୍ଲକ୍‌କୁ ଉଦାହରଣ ଭାବେ ନିଆଯାଇପାରେ। ଏହି ବ୍ଲକ୍‌ ଅନ୍ତର୍ଗତ ଅଣକା ପଞ୍ଚାୟତରେ ୨୦୧୬ -୧୭ ଆର୍ଥିକ ବର୍ଷରେ ୮୫ ଲକ୍ଷ ଟଙ୍କା ବ୍ୟୟରେ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରଯାଇଥିଲା । ନିର୍ମାଣ କାର୍ଯ୍ୟ ସରିବାର ଅଳ୍ପଦିନ ପରେ ପ୍ରକଳ୍ପଟି ଅଚଳ ହୋଇପଡିଛି। ସେହିଭଳି ଦର୍ପଣ ପଞ୍ଚାୟତରେ ମଧ୍ୟ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ସରିବା ପରେ ପରେ ଅଚଳ ହୋଇପଡିଛି । ଅତ୍ୟନ୍ତ ନିମ୍ନମାନର କାର୍ଯ୍ୟ ପାଇଁ ପ୍ରକଳ୍ପ ଦୁଇଟି ଅଚଳ ହୋଇପଡିଛି ବୋଲି ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପ୍ରକଳ୍ପ ଅଚଳ ଥିଲେ ମଧ୍ୟ ଏହି ପ୍ରକଳ୍ପ ଚଳାଇବା ପାଇଁ ପଞ୍ଚାୟତ ତରଫରୁ ନିଯୁକ୍ତ ହୋଇଥିବା କର୍ମଚାରୀଙ୍କୁ ବିଲ୍ କରି ଅର୍ଥ ପଇଠ କରାଯାଉଛି। ଯାହାକି ତଦନ୍ତ ସାପେକ୍ଷ। ସେହିଭଳି ମାଣ୍ଡୁକା ପଞ୍ଚାୟତର ପଦ୍ମନାଭପୁରରେ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୨୦୧୮-୧୯ ଆର୍ଥିକ ବର୍ଷରେ ୧କୋଟି ୨୨ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ କରାଯାଇଛି । ଏହି ଆର୍ଥିକ ବର୍ଷରେ ବିକ୍ରମତିରଣ ପଞ୍ଚାୟତ ପାଇଁ ୨କୋଟି ୫ଲକ୍ଷ ୬ ହଜାର ଓ ଚାରିନଙ୍ଗଳ ପଞ୍ଚାୟତର ଗହର ନଗରରେ ୯୫ ଲକ୍ଷ ୬୩ ହଜାର ଟଙ୍କା ବ୍ୟୟ କରାଯାଇ ପ୍ରକଳ୍ପ ନିର୍ମାଣ କରାଯାଇଛି। ଏହି ପ୍ରକଳ୍ପ ଗୁଡିକ ଲୋକଙ୍କ କାମରେ ଲାଗୁନି । ପ୍ରକଳ୍ପ ଗୁଡିକରୁ ବାହାରୁଥିବା ପାଣି ଲୁଣା ଓ କ୍ଷାର ଯୁକ୍ତ । କିଛି ସମୟ ଏହି ପାଣି ରହିଗଲେ ହଳଦିଆ ରଙ୍ଗର ଆସ୍ତରଣ ପଡ଼ିଯାଉଛି ।

ନିୟମ ମୁତାବକ ପ୍ରଥମେ ପାଣିର ମାନ ପରୀକ୍ଷା କରିବା ପରେ ପ୍ରକଳ୍ପ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯିବ । କିନ୍ତୁ ଏଠାରେ ମାନ ପରୀକ୍ଷା ନକରାଯାଇ ଜଳଯୋଗାଣ ପ୍ରକଳ୍ପ ଗୁଡିକ ନିର୍ମାଣ କରାଯାଇଛି । ପାଇପ ବିଛାଇବା କାର୍ଯ୍ୟ ଠିକ୍ ହୋଇନଥିବା ବେଳେ ବ୍ୟବହୃତ ସିମେଣ୍ଟ ,ଲୁହା ଛଡ଼ ସରକାରୀ ଅନୁମୋଦିତ ନୁହେଁ । ନିର୍ମାଣ କାର୍ଯ୍ୟ ଏତେ ନିମ୍ନମାନର ହୋଇଛି ଯେ ବିକ୍ରମତିରଣ ପଞ୍ଚାୟତରେ ହୋଇଥିବା ଜଳ ଯୋଗାଣ ପ୍ରକଳ୍ପ ପାଣି ଟାଙ୍କି ଚାରି ପାର୍ଶ୍ବରୁ ପାଣି ବୋହୁଛି । ଚାରିଆଡେ କଂକ୍ରିଟ ରାସ୍ତା ଖୋଳି ପାଇପ ବିଛେଇ ଥିଲେ ମଧ୍ୟ ଠିକାଦାର ରାସ୍ତା ମରାମତି କରୁନାହାନ୍ତି । ଠିକାଦାର ଏତେ ନିମ୍ନମାନର କାମ କରିଥିଲେ ମଧ୍ୟ ବିଭାଗୀୟ ଯନ୍ତ୍ରୀ କେମିତି ବିଲ୍‌ ଠିକାଦାରଙ୍କୁ ପଇଠ କଲେ? ତାକୁ ନେଇ ଗ୍ରାମବାସୀ ପ୍ରଶ୍ନ ଉଠାଇଛନ୍ତି । ଏହି ଡିଭିଜନରେ ହୋଇଥିବା କୋଟି କୋଟି ଟଙ୍କା କେଳେଙ୍କାରୀର ଭିଜିଲାନ୍ସ ତଦନ୍ତ କରିବା ପାଇଁ ସାଧାରଣରେ ଦାବି ହେଉଛି ।

ସମ୍ବନ୍ଧିତ ଖବର