ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ୍‌ କେଳେଙ୍କାରୀ: ନଳକୂଅ ନଥାଇ ଜଳ ନମୁନା ସଂଗ୍ରହ !

ଯାଜପୁର: ଯାଜପୁର ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗ ଡିଭିଜନ(ଆରଡବ୍ଲୁଏସ୍‌ଏସ୍‌)ରେ ପାନୀୟ ଜଳ ଯୋଗାଣ ଓ ପରିଚାଳନାରେ କୋଟି କୋଟି ଟଙ୍କା ଦୁର୍ନୀତି ହୋଇଛି। ଅନେକ ସ୍ଥାନରେ କେବଳ କାଗଜପତ୍ରରେ ଲୋକଙ୍କୁ ପିଇବା ପାଣି ଯୋଗାଣ ହେଉଛି। ସେହିପରି ନଳକୂପ ନଥାଇ ମଧ୍ୟ କାଗଜପତ୍ରରେ ଜଳ ନମୁନା ସଂଗ୍ରହ ହେଉଥିବା ତଥ୍ୟ ‘ସମ୍ବାଦ’ ଅନୁସନ୍ଧାନ ଟିମ୍ ହାତରେ ଲାଗିଛି। ବର୍ଷ ବର୍ଷ ଧରି ଅଚଳ ଥିବା ନଳକୂପରୁ ମଧ୍ୟ କର୍ମଚାରୀ କିପରି ଜଳ ସଂଗ୍ରହ କରି ପରୀକ୍ଷା କଲେ ସେ ନେଇ ପ୍ରଶ୍ନ ଉଠୁଛି।

ଯାଜପୁର ଜିଲ୍ଲାରେ ଆରଡବ୍ଲୁଏସ୍‌ଏସ୍‌ ଡିଭିଜନ ଅଧୀନରେ ପାନୀୟ ଜଳ ମାନ ପରୀକ୍ଷା ପାଇଁ ତିନିଟି କେନ୍ଦ୍ର ରହିଛି। ସୁକିନ୍ଦା ଓ ଯାଜପୁର ଉପଖଣ୍ଡରେ ୨ଟି ପରୀକ୍ଷା କେନ୍ଦ୍ର ରହିଥିବା ବେଳେ ଗୋଟିଏ ଚଣ୍ଡିଖୋଲ ଡିଭାଜନ କାର୍ଯ୍ୟାଳୟରେ ରହିଛି। ସରକାରୀ ତଥ୍ୟ ମୁତାବକ ଡିଭିଜନ କାର୍ଯ୍ୟାଳୟରେ ଥିବା ପରୀକ୍ଷା କେନ୍ଦ୍ରରେ ଏପ୍ରିଲ ୨୦୨୧ ଠାରୁ ୨୦୨୨ ଜାନୁଆରି ମଧ୍ୟରେ କେବଳ ବଡ଼ଚଣା ବ୍ଲକ୍‌ର ବିଭିନ୍ନ ପାନୀୟ ଜଳ ଉତ୍ସରୁ ୬୦୭ଟି ନମୁନା ସଂଗ୍ରହ ‌କରାଯାଇ ପରୀକ୍ଷା ହୋଇଛି।

ବଡ଼ଚଣା ବ୍ଲକର ବାଲିପଡ଼ିଆ ପଞ୍ଚାୟତ ଦେକୁଡ଼ି ଗ୍ରାମର ହରିଜନ ସାହିରେ ଥିବା ନଳକୂଅଟି ଦୀର୍ଘ ୨ ବର୍ଷ ହେବ ଅଚଳ ହୋଇପଡ଼ିଛି। ଏହି ପଞ୍ଚାୟତର ପୂର୍ବ ବାଲିପଡ଼ିଆ ସେଠୀସାହିରେ କୌଣସି ନଳକୂଅ ନାହିଁ। ବାଲିପଡ଼ିଆ ପଞ୍ଚାୟତରେ ଚନ୍ଦନପୁର ନାମରେ କୌଣସି ଗାଁ ନାହିଁ। ସେହିପରି ଦେକୁଡ଼ି ଗୋପାଳ ସାହିରେ ଥିବା ନଳକୂଅଟି ଦୀର୍ଘଦିନ ହେବ ଅଚଳ ହୋଇପଡ଼ିଛି। ଅଥଚ ଏହି ସବୁ ସ୍ଥାନର ନଳକୂପଗୁଡ଼ିକରୁ ଜଳ ନମୁନା ସଂଗ୍ରହ କରାଯାଇ ପରୀକ୍ଷା କେନ୍ଦ୍ରକୁ ପଠାଯାଇଛି। ଜଳର ନମୁନା ମଧ୍ୟ ପରୀକ୍ଷା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ବିନା ନଳକୂପରେ କିପରି ଜଳ ନମୁନା ସଂଗ୍ରହ କରାଗଲା? ଏହି ଜଳ ନମୁନା କିଏ, କେମିତି ଏବଂ କେଉଁଠି ସଂଗ୍ରହ କରି ପରୀକ୍ଷାଗାରକୁ ପଠାଇଲେ ବୋଲି ପ୍ରଶ୍ନ ଉଠୁଛି। ସେଥିରୁ କିଛି ନମୁନା ରାଜ୍ୟ ପରୀକ୍ଷାଗାରକୁ ପଠାଯାଇ ପରୀକ୍ଷା କରାଯାଇଥିବା ରିପୋର୍ଟରେ ଦର୍ଶାଯାଇଛି। ଜିଲ୍ଲାରେ କାଗଜପତ୍ରରେ ଜଳ ଯୋଗାଣ ଓ ମିଥ୍ୟା ଜଳ ନମୁନା ପରୀକ୍ଷା ରିପୋର୍ଟ ଘଟଣାରୁ ଅଧିକାରୀଙ୍କ ଡାହା ମିଛ ଧରାପଡ଼ିଯାଇଛି।

ସମ୍ବନ୍ଧିତ ଖବର